Unknown

 

 

 

 

 

 

 

 

 

 

 

ପ୍ରିୟଦର୍ଶୀଙ୍କ ପ୍ରିୟତମା

ଶ୍ରୀ ଗୋପୀନାଥ ପଣ୍ଡା

 

 

 

 

 

 

 

 

ଶିକ୍ଷକ ଗୌରବ

ବନମାଳୀ ବ୍ରହ୍ମଚାରୀଙ୍କ

କରକମଳରେ ସାଦର ସସ୍ନେହ

ସମର୍ପିତ

 

-ଗୋପୀନାଥ

 

ପ୍ରିୟଦର୍ଶୀଙ୍କ ପ୍ରିୟତମା

(ଐତିହାସିକ ଉପନ୍ୟାସ)

 

ମହାପ୍ରତାପୀ, ପ୍ରଚଣ୍ଡ ପରାକ୍ରମଶାଳୀ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିଲା ଇତିହାସ ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ । ତା’ପରେ ବୌଦ୍ଧ ଧର୍ମକୁ ରାଜଧର୍ମରେ ପରିଣତ କରି ମୌର୍ଯ୍ୟ ସମ୍ରାଟ ଚଣ୍ଡାଶୋକ ଧର୍ମ ବିବର୍ଦ୍ଧନ ପ୍ରିୟଦର୍ଶୀ ଅଶୋକ ରୂପେ ଜଗତ ବିଖ୍ୟାତ ହେଲେ । ସେହି ପ୍ରିୟଦର୍ଶୀ ଅଶୋକଙ୍କର ପରିଣତ ବୟସର ପ୍ରିୟତମା ତିଷ୍ୟରକ୍ଷିତା ଓରଫ ତରଙ୍ଗବାଳା ତାଙ୍କର ଅସୁସ୍ଥତା ସମୟରେ ଚକ୍ରାନ୍ତ କରି ଯୁବରାଜ ସୁଶ୍ରୀ କୁନାଳ ଦେବଙ୍କୁ ନେତ୍ରହୀନ ବୌଦ୍ଧଭିକ୍ଷୁରେ ପରିଣତ କରିଦେଲା । ଯୁବରାଜଙ୍କ ପତ୍ନୀ, ଦେବୀ କାଞ୍ଚନମାଳା ତକ୍ଷଶିଳାର ବିଦ୍ରୋହୀମାନଙ୍କୁ ସଙ୍ଗରେ ନେଇ ଭୟଙ୍କର କ୍ରାନ୍ତି ଆରମ୍ଭ କରିଦେବା ଫଳରେ ସମ୍ରାଟ ଅଶୋକ ବନ୍ଦୀ ହେଲେ; ମୌର୍ଯ୍ୟ ସାମ୍ରାଜ୍ୟ ଥରହର ହୋଇଉଠିଲା ।

 

ଇତିହାସ ସେହି ରୋମାଞ୍ଚକର–ଲୋମହର୍ଷଣକାରୀ, ପ୍ରେମ ଓ ପ୍ରତିହିଂସା; ଶାନ୍ତି ଏବଂ କ୍ରାନ୍ତିର ଅମର ଗାଥା ହେଉଛି ପ୍ରସ୍ତୁତ ଉପନ୍ୟାସ କଳେବର ।

 

ଶିକ୍ଷା ଓ ମନୋରଞ୍ଜନ; ଦୁଇଟି ଲକ୍ଷ୍ୟନେଇ ପ୍ରିୟ ପାଠକବର୍ଗଙ୍କ କରକମଳରେ ଏହାକୁ ଅର୍ପଣ କରୁଛି ।

 

ବିନୀତ

ଲେଖକ

 

ଲେଖକ ପରିଚୟ

 

ଲେଖକ ଶ୍ରୀଯୁକ୍ତ ଗୋପୀନାଥ ପଣ୍ଡା ଭାରତୀୟ ସେନାବାହିନୀରୁ ଅବସର ନେବାପରେ ଖୋର୍ଦ୍ଧାରୋଡ଼ ନିକଟସ୍ଥ କୁଦିଆରୀ ମିଡ଼୍‍ଲ୍‌ ସ୍କୁଲର ପ୍ରଧାନ ଶିକ୍ଷକରୂପେ କାର୍ଯ୍ୟ କରୁଛନ୍ତି ।

 

୧୯୭୦ ଠାରୁ ୭୪ ମସିହା ମଧ୍ୟରେ ନୀଳକମଳ ପ୍ରକାଶନ ତରଫରୁ ତାଙ୍କର ଲେଖା–ଏଇ ଜହ୍ନ ଏଇ ରାତି, ରିଙ୍ଗ୍‌ ମାଷ୍ଟର, ନାଇଟ୍‌ କୁଇନ୍‌, ଚନ୍ଦ୍ରରାଚନ୍ଦୁ ଚନ୍ଦ୍ରକାନ୍ତ ଆଦି ପ୍ରକାଶିତ ହୋଇଥିଲା । ପୁଣି ୧୯୭୮ ମସିହାରେ ‘ପାଟଳୀପୁତ୍ରର ନଗରବଧୂ’ ଏବଂ ୧୯୮୦ ମସିହାରେ ‘ଦ୍ରାବିଡ଼ ରାଜ୍ୟର ଚାରୁଚନ୍ଦ୍ରିକା’ ଦୁଇଟି ଐତିହାସିକ ଉପନ୍ୟାସ ପ୍ରକାଶିତ ହୋଇଛି ।

 

ବର୍ତ୍ତମାନ ତାଙ୍କର ଆଉ ଗୋଟିଏ ଐତିହାସିକ ଉପନ୍ୟାସ ‘ପ୍ରିୟଦର୍ଶୀଙ୍କ ପ୍ରିୟତମା’ ଆପଣଙ୍କ ହସ୍ତରେ । କିଛି ଶିକ୍ଷଣୀୟ ବିଷୟ ସହ ସାମୟିକ ମନୋରଞ୍ଜନ ଯୋଗାଇ ପାରିଲେ ଆମେ ଆନନ୍ଦିତ ହେବୁ ।

 

ପ୍ରକାଶକ

 

କ୍ଷମା ପ୍ରାର୍ଥନା

 

ଯୁବରାଜ କୁନାଳଙ୍କ କାହାଣୀ ପାଠକଙ୍କୁ ଆଗରୁ ଜଣାଥାଇପାରେ । ପ୍ରସ୍ତୁତ ଉପନ୍ୟାସରେ ରୋଚକତା ବୃଦ୍ଧି କରିବାଲାଗି ଐତିହାସିକ ସତ୍ୟତା ଉପରେ ମୁଁ କିଛି କଳ୍ପନାର ପ୍ରଲେପ ଦେଇଛି । ଖ୍ରୀ.ପୂ. ୨୩୩ ମସିହାରେ ସମ୍ରାଟ ଅଶୋକ ଇହଧାମ ତ୍ୟାଗ କରିବା ପରେ, ଦଶରଥ ମୌର୍ଯ୍ୟ ସାମ୍ରାଜ୍ୟର ଦାୟିତ୍ୱ ଗ୍ରହଣ କରିଥିଲେ ।

 

କଳ୍ପନା ଛଳରେ ଯଦି ମୂଳ ଐତିହାସିକ ଘଟଣା ଉପରେ କୁଠାରାଘାତ ହୋଇଥାଏ, ତେବେ ବିଜ୍ଞ ପାଠକ ବର୍ଗ ଏବଂ ଇତିହାସଜ୍ଞ ପଣ୍ଡିତ ମଣ୍ଡଳୀ ନିଜ ଉଦାର ଗୁଣରେ କ୍ଷମା ପ୍ରଦାନ କରିବେ ।

 

ବିନୀତ

ଲେଖକ

 

ସୁକୋମଳ କଣ୍ଠର ସଙ୍ଗୀତ ଲହରୀ ସଙ୍ଗେ ତାଳଦେଇ ପଦନୂପୁର ଝଂକୃତ ହୋଇଉଠିଲା । ତା’ ସଙ୍ଗେ ସଙ୍ଗେ ପ୍ରିୟଦର୍ଶୀ ଅଶୋକଙ୍କର ହୃଦୟତନ୍ତ୍ରୀ ଝିନ୍‌ ଝିନ୍‌ କରିଉଠିଲା ଆନନ୍ଦରେ । ପଚାଶ ପାଖାପାଖି ବୟସରେ ମଧ୍ୟ ମୁଖମଣ୍ଡଳରେ ଯୌବନର ଦୀପ୍ତି । ନର୍ତ୍ତକୀ ତିଷ୍ୟରକ୍ଷିତା ଥିଲା ସମ୍ରାଟଙ୍କର ମୁଖ୍ୟ ପରିଚାରିକା । ଶ୍ରଦ୍ଧାରେ ପ୍ରିୟଦର୍ଶୀ ଡାକୁଥିଲେ ତରଙ୍ଗବାଳା-। ତରଙ୍ଗବାଳାର ଯତି-ମତି-ଧୃତି-ଜିଣା ମନମୋହକ ରୂପରେ ସମ୍ରାଟ ହେଉଥିଲେ ଆତ୍ମବିସ୍ମୃତ-। ମନ-ମୟୂର ନୃତ୍ୟ କରୁଥିଲା ତା’ର ଶ୍ୟାମଘନଜିଣା କେଶରାଶି ସଂଦର୍ଶନରେ ।

 

ଝୀନବସନ ପରିହିତା ତରଙ୍ଗବାଳା ଆସବପାତ୍ର ହାତରେ ଧରି ଲୀଳାୟିତ ଭଙ୍ଗୀରେ ଆସି ଉପସ୍ଥାପିତ ହେଲା ସମ୍ରାଟଙ୍କ ନିକଟରେ । ଇଙ୍ଗିତ ମାତ୍ରକେ ସୁକୋମଳ ଶଯ୍ୟା ଉପରେ ବସି ବାମ ବାହୁ ବେଷ୍ଟନ କଲା ପ୍ରିୟଦର୍ଶୀଙ୍କର ପୃଷ୍ଠ ଭାଗରେ । ଦକ୍ଷିଣ ହସ୍ତର ଆସବପାତ୍ର ଲାଗିଆସିଲା ତାଙ୍କର ଓଷ୍ଠ ନିକଟକୁ ।

 

ପ୍ରିୟଦର୍ଶୀ ଚାହିଁଲେ ତରଙ୍ଗବାଳାର ମୁଖମଣ୍ଡଳକୁ । ପ୍ରସ୍ଫୁଟିତ କମଳ ପରି ମୁଖମଣ୍ଡଳର ମୀନନୟନରେ ନେତ୍ରଯୁଗଳ ବନ୍ଦୀ ହୋଇଗଲେ କିଛି ସମୟ ପାଇଁ । ଉଭୟଙ୍କ ମୁଖରେ ଭାଷା ନାହିଁ । କେବଳ ନୟନ ହିଁ ବୁଝୁଛି ନୟନର ଇଙ୍ଗିତକୁ ।

 

ତରଙ୍ଗବାଳାର ହସ୍ତରୁ ପ୍ରିୟଦର୍ଶୀ ଅଶୋକ ପାନ କଲେ ସୁବାସିତ ଅଙ୍ଗୁରୀ ଆସବ ।

 

: ତରଙ୍ଗ ।

 

: ଆଜ୍ଞା କରନ୍ତୁ ଦେବ ।

 

: ଆସବପାତ୍ରକୁ ଯଥାସ୍ଥାନରେ ରଖିଦିଅ, ଆଉ ଶୀଘ୍ର ଆସି ମୋର ହୃଦୟ ଜ୍ୱାଳାକୁ ଶାନ୍ତ କର ।

 

ତରଙ୍ଗବାଳା ତରଙ୍ଗାୟିତ ଭଙ୍ଗୀରେ ଉଠିଯାଇ ଆସବପାତ୍ରକୁ ରଖିଦେଲା; ଲେଉଟିଆସି ସମ୍ରାଟଙ୍କ ଶରୀରକୁ ଲାଗି ବସିପଡ଼ିଲା । ବାମ ହସ୍ତଦ୍ୱାରା ପୃଷ୍ଠଦେଶକୁ ବେଷ୍ଟନ କରି ଦକ୍ଷିଣ ହସ୍ତକୁ ତାଙ୍କ ବକ୍ଷଦେଶରେ ଧୀରେ ଧୀରେ ସଂଚାଳନ କଲା ।

 

ଅଳ୍ପ ସମୟରେ ସମ୍ରାଟ ପ୍ରକୃତିସ୍ଥ ହେଲେ । ଧୀରେ ଧୀରେ ଓଠରେ ହସ ଫୁଟିଉଠିଲା । ବକ୍ଷ ଦେଶରେ ତରଙ୍ଗବାଳାକୁ ଆଉଜାଇ ନେଲେ । କୋମଳ କୁନ୍ତଳ ରାଶିରେ ହାତ ଚଳାଉ ଚଳାଉ ସ୍ନେହସିକ୍ତ କଣ୍ଠରେ ପଚାରିଲେ ।

 

: ଦେବୀ ତରଙ୍ଗବାଳା ।

 

: ଗୋଟିଏ ପରିଚାରିକାକୁ ଏତେ ସମ୍ମାନ ଦିଅନ୍ତୁ ନାହିଁ ମହାରାଜ ।

 

: ତୁମେ ସାଧାରଣ ପରିଚାରିକା ନୁହଁ ତରଙ୍ଗ । ତୁମେ ଏ ବୟସରେ ମୋ ହୃଦୟରେ ପ୍ରେମର ତରଙ୍ଗ ସୃଷ୍ଟି କରିପାରିଛ । ମୋର ବିଗତ ପ୍ରାୟ ଯୌବନକୁ ଫେରାଇଆଣିଛ । ତୁମେ ମୋ ହୃଦୟ ଆସନରେ ପ୍ରେମମୟୀ ଦେବୀର ସ୍ଥାନ ଅଧିକାର କରିପାରିଛ ।

 

: ମୋର ଅହୋ ଭାଗ୍ୟ । ମୌର୍ଯ୍ୟକୁଳତିଳକ ପ୍ରିୟଦର୍ଶୀ ସମ୍ରାଟଙ୍କର ଏ ଉଦାର ହୃଦୟର ପ୍ରେମ ସମ୍ଭାଷଣ ମୋତେ ପୃଥିବୀ ପୃଷ୍ଠରୁ ଆକାଶଆଡ଼କୁ ନେଇଯାଉଛି ।

 

: ସତରେ ତରଙ୍ଗ, ମୋ ହୃଦୟ ଉପରେ ଆଉ ମୋର ଅଧିକାର ରହୁନାହିଁ । ଶୟନେ ସପନେ ଜାଗରଣେ ସବୁବେଳେ ମୋ ହୃଦୟ-ମନ୍ଦିରରେ ତୁମରି କମନୀୟ ମୂର୍ତ୍ତି ।

 

: ମହାରାଜ, ମୁଁ ଆପଣଙ୍କ ପ୍ରେମ-ରାଜ୍ୟର ଅଧୀଶ୍ୱରୀ ହେବାଟା ରାଣୀ ମିତ୍ରାଦେବୀ କେବେ ସହ୍ୟ କରିପାରିବେ ନାହିଁ । କୌଣସି ପ୍ରକାରେ ସେ ଯଦି ଜାଣିପାରନ୍ତି ତେବେ ରାଜ ନବରରେ ମହା ଅନର୍ଥ ଘଟିବ । ସମସ୍ତଙ୍କ ଚକ୍ଷୁରେ ମୁଁ ହେବି ନିନ୍ଦିତା ।

 

: ସେପରି ଚିନ୍ତା କରନାହିଁ ତରଙ୍ଗ । ମୁଁ ଯଥାଶୀଘ୍ର ତୁମକୁ ମୌର୍ଯ୍ୟ ସାମ୍ରାଜ୍ୟର ପଟ୍ଟମହିଷୀ ପଦରେ ଅଧିଷ୍ଠିତ କରାଇବି । ରାଣୀ ମିତ୍ରା ତୁମକୁ ନିନ୍ଦିତ କରିବାର ସୁଯୋଗ କେବେହେଲେ ପାଇବେ ନାହିଁ ।

 

: ମୋ ପରି ବାମନ ଚନ୍ଦ୍ରକୁ ପାଇବା ଅସମ୍ଭବ ମହାରାଜ ।

 

: ସମସ୍ତ ଅସମ୍ଭବକୁ ଏପର୍ଯ୍ୟନ୍ତ ମୁଁ ସମ୍ଭବ କରିଆସିଛି ।

 

ବାହୁ ଯୁଗଳର ଆଲିଙ୍ଗନ ନିବିଡ଼ରୁ ନିବିଡ଼ତର ହେଲା । ଏତେଦିନକେ ଆଜି ତରଙ୍ଗବାଳାର ବହୁଦିନର ମହତ୍‌ ଆକାଙ୍‌କ୍ଷା ପୂର୍ଣ୍ଣ ହେବାର ସାମାନ୍ୟ ଆଭାସ ମିଳିପାରିଛି ! ତେଣୁ ସମ୍ରାଟଙ୍କୁ ଅଧିକରୁ ଅଧିକ ଆକର୍ଷିତ କରିବାକୁ ପଡ଼ିବ । ଏ ପ୍ରୌଢ଼ ଅବସ୍ଥାରେ ଯୌବନର ଉତ୍ତାଳ ତରଙ୍ଗ ତାଙ୍କ ହୃଦୟରେ ସୃଷ୍ଟି କରିପାରିଲେ ତରଙ୍ଗବାଳାର ବହୁଦିନର ଅଭିଳାଷ ପୂରଣ ହେବ ।

 

ତରଙ୍ଗବାଳା ନିଜର ଆଲିଙ୍ଗନକୁ ଆହୁରି ଦୃଢ଼ କଲା । ସମ୍ରାଟଙ୍କ ମନରେ ସ୍ୱର୍ଗୀୟ ଆନନ୍ଦର ଅନୁଭୂତି । ତରଙ୍ଗବାଳାର ଆଲିଙ୍ଗନ ମଧ୍ୟରେ ସେ ନିଜକୁ ହଜାଇଦେଲେ । ଏତେ ବଡ଼ ମୌର୍ଯ୍ୟ ସାମ୍ରାଜ୍ୟର ସମ୍ରାଟ ପ୍ରିୟଦର୍ଶୀ ଅଶୋକ ସାଧାରଣ ପରିଚାରିକା କୋଳରେ ମୁଣ୍ଡ ରଖି ଶୋଇପଡ଼ିଲେ । ତାଙ୍କର ଅର୍ଦ୍ଧ ପକ୍ୱ କେଶରାଶି ଉପରେ ସୁକୋମଳ ଅଙ୍ଗୁଳି ଚାଳନା କରିବାକୁ ଲାଗିଲା ତରଙ୍ଗବାଳା ।

 

: ତରଙ୍ଗ, ଆଜି ମୋର ମନ ଅତ୍ୟନ୍ତ ଆନନ୍ଦିତ । ତୁମେ ମନଖୁସି ପୁରସ୍କାର ମାଗିନିଅ । ତୁମର ଅକୁଣ୍ଠିତ ସେବା ଆଉ ନିର୍ମଳ ପ୍ରେମ ମୋର ପ୍ରୌଢ଼ତ୍ୱକୁ ଯୁବାବସ୍ଥାରେ ପରିଣତ କରିଛି ।

 

: କହ, ଦେବୀ ତରଙ୍ଗବାଳା ।

 

: କି ପୁରସ୍କାର ମାଗିବି ମହାରଜ ? ମୋର ସାହସ ହେଉନାହିଁ କହିବାକୁ ।

 

: ଅଭୟ ପ୍ରଦାନ କଲି ତରଙ୍ଗ । କଅଣ ଆବଶ୍ୟକ କହ ।

 

: ସମ୍ରାଟଙ୍କର ନିର୍ମଳ ସ୍ନେହ ଶ୍ରଦ୍ଧା ଆଉ ଚରଣକମଳର ଛତ୍ରଛାୟା...

 

: ବଚନ ଦେଲି; ଆଜୀବନ ନିମିତ୍ତ ।

 

ଏହି ସମୟରେ ପରଦା ଆଢ଼ୁଆଳରେ ପରିଚାରିକାଟିଏ ଆସି ଠିଆହେଲା ।

 

: ମହାମନ୍ତ୍ରୀ ସାକ୍ଷାତ କରିବାକୁ ଆସିଛନ୍ତି ।

 

: ପଠାଇଦିଅ ଭିତରକୁ ।

 

ଧୀରେ ପାଦ ନିକଟକୁ ଖସିଆସିଲା ତରଙ୍ଗବାଳା । ମହାମନ୍ତ୍ରୀ ଧୀର ପଦକ୍ଷେପରେ ପ୍ରବେଶ କଲେ ଭିତରକୁ । ଅଭିବାଦନ ଜଣାଇ ଆଦେଶକୁ ଅପେକ୍ଷା କଲେ ।

 

: ଆଗମନର କାରଣ କହନ୍ତୁ ମହାମନ୍ତ୍ରୀ ।

 

: ଅସମୟରେ ମହାରାଜଙ୍କୁ କଷ୍ଟ ଦେଲି, କ୍ଷମା କରିବେ : ଆସନ୍ତାକାଲି ବୌଦ୍ଧ ମହାସଭା ଅପରାହ୍ନରେ ଆରମ୍ଭ ହେବ ।

 

: ସମସ୍ତଙ୍କ ପାଇଁ ଉପରଯୁକ୍ତ ବନ୍ତୋବସ୍ତ ହୋଇସାରିଛି ତ ?

 

: ହୋଇସାରିଛି ମହାରାଜ । ସହସ୍ରାଧିକ ବୌଦ୍ଧ ସନ୍ନ୍ୟାସୀ ଏକତ୍ରିତ ହୋଇସାରିଲେଣି-। ଜାପାନ ଦେଶରୁ ଲିଉ ତାଙ୍ଗ୍‌ସି, ଚାଇନା ଦେଶରୁ ହୁଆସାଙ୍ଗ, ବ୍ରହ୍ମଦେଶରୁ ଚ୍ୟାଂଗ୍‌ଉନୁ ମହାଶୟ ଆସିଛନ୍ତି । ମହାମାନ୍ୟ ବୌଦ୍ଧ ଗୁରୁମାନଙ୍କୁ ପରମ ବୌଦ୍ଧ ବିହାରର ଅତିଥିଶାଳାରେ ରଖାଇଛି-

 

: ତା’ହେଲେ ମୋର ପୁତ୍ର କନ୍ୟାମାନେ ଏପର୍ଯ୍ୟନ୍ତ ଆସିନାହାନ୍ତି ?

 

: ଆସିଲେଣି ମହାରାଜ, ପଞ୍ଚନଦ ପ୍ରଦେଶରୁ କୁମାର ମହେନ୍ଦ୍ର ଓ କୁମାରୀ ସଂଘମିତ୍ରା ପ୍ରଥମେ ଆସି ପହଞ୍ଚିଲେ । ତା’ର ଅଳ୍ପ ସମୟ ପରେ ଯୁବରାଜ କୁନାଳ ମଧ୍ୟ ଉଜ୍ଜୟିନୀରୁ ଆସିଗଲେ । କଳିଙ୍ଗରୁ କୁମାର ଦଶରଥ ଏପର୍ଯ୍ୟନ୍ତ ଆସିନାହାନ୍ତି ।

 

କୁନାଳ, ମହେନ୍ଦ୍ର ଏବଂ ଦଶରଥ ଥିଲେ ଅଶୋକଙ୍କର ପୁତ୍ର । କନ୍ୟା ଥିଲେ ଦେବୀ ସଂଘମିତ୍ରା । କୁନାଳ ଉଜ୍ଜୟିନୀରେ ପ୍ରଜାପତିର ଦାୟିତ୍ୱ ନିର୍ବାହ କରୁଥିଲେ । ମହେନ୍ଦ୍ର ଆଉ ସଂଘମିତ୍ରା ପଞ୍ଜାବ ପ୍ରଦେଶରେ ବୌଦ୍ଧ ଧର୍ମ ପ୍ରଚାର କାର୍ଯ୍ୟରେ ନିଯୁକ୍ତ ଥିଲେ । ବୌଦ୍ଧ ମହାସଭାରେ ଯୋଗ ଦେବାପାଇଁ ସେମାନେ ରାଜଧାନୀକୁ ଆସିଥିଲେ । କୁମାର ଦଶରଥ କଳିଙ୍ଗରେ ଶାସନ ପରିଚାଳନା କାର୍ଯ୍ୟ ଶିକ୍ଷା କରୁଥିଲେ ।

 

: ମହାମନ୍ତ୍ରୀ ! କୁନାଳ, ଦଶରଥ, ମହେନ୍ଦ୍ର ଓ ସଂଘମିତ୍ରାଙ୍କର ସେବା କରିବାଲାଗି ଉପଯୁକ୍ତ ପରିଚାରିକାମାନଙ୍କୁ ନିର୍ଦ୍ଦେଶ ଦେବେ ।

 

: ସେ ବିଷୟ ମୁଁ ପରିଚାରିକା ଶ୍ରେଷ୍ଠୀକୁ କହିସାରିଛି ମହାରାଜ ।

 

: ଠିକ୍‌ ଅଛି, ଆଉ ଯାହା ଆୟୋଜନ ଆବଶ୍ୟକ ତା’ ଦେଖନ୍ତୁ । କାଲିର ମହାସଭା ଯେପରି ସଫଳ ହୁଏ ।

 

: ଯେ ଆଜ୍ଞା ମହାରାଜ ।

 

ଅଭିବାଦନ ଜଣାଇ ଲେଉଟିଗଲେ ମହାମନ୍ତ୍ରୀ । ପରିଚାରିକା ପୁନର୍ବାର ଆସି ନମସ୍କାର ଜଣାଇଲା ।

 

: ମହାରାଜ ! ଦେବୀ ସଂଘମିତ୍ରା, କୁମାର ମହେନ୍ଦ୍ର ଆଉ ଯୁବରାଜ କୁନାଳ ଆପଣଙ୍କର ଦର୍ଶନପ୍ରାର୍ଥୀ ।

 

: ଭିତରକୁ ଆସିବାକୁ ଦିଅ ।

 

ପଛ ପଟ ଦ୍ୱାର ବାଟେ ତରଙ୍ଗକୁ ଯିବାକୁ କହି ସମ୍ରାଟ ଉଠି ବସିଲେ । କୁମାରୀ ସଂଘମିତ୍ରା, ଯୁବରାଜ କୁନାଳ ଏବଂ କୁମାର ମହେନ୍ଦ୍ର ପ୍ରବେଶ କରି ଅଭିବାଦନ ଜଣାଇଲେ । ସମ୍ରାଟ ଶଯ୍ୟାଉପରୁ ଉଠିଆସି ସେମାନଙ୍କର ମସ୍ତକ ଉପରେ ହସ୍ତ ସଞ୍ଚାଳନ କରି ହର୍ଷ ଉତ୍‌ଫୁଲ୍ଲ ସ୍ୱରରେ ଆଶିଷ ପ୍ରଦାନ କଲେ ।

 

: ନିଜ ନିଜର କୁଶଳ ମଙ୍ଗଳ ସମାଚାର କହ ବାବା । କଅଣ ମା’, ପ୍ରଚାର କାର୍ଯ୍ୟ କିପରି ଆଗେଇଛି ?

 

: ଠିକ୍‌ ଚାଲିଛି ବାବା ।

 

: କୁନାଳ; ଉଜ୍ଜୟିନୀର ଶାସନ କାର୍ଯ୍ୟରେ କିଛି ବାଧାବିଘ୍ନ ନାହିଁ ତ ?

 

: ନା ବାବା । ପ୍ରଜାମାନେ ଆପଣଙ୍କ ଶାସନରେ ଭଲରେ ଅଛନ୍ତି ।

 

: କାଞ୍ଚନମାଳା ଆଉ ସଂପ୍ରତି ଭଲରେ ଅଛନ୍ତି ତ ?

 

: ଆପଣଙ୍କ ଆଶୀର୍ବାଦରୁ ଭଲରେ ଅଛନ୍ତି ବାବା ।

 

କାଞ୍ଚନମାଳା ଥିଲେ ଯୁବରାଜ କୁନାଳଙ୍କର ଧର୍ମପତ୍ନୀ ଏବଂ ସଂପ୍ରତି ଏକମାତ୍ର ପୁତ୍ର ।

 

ଯୁବରାଜ କୁନାଳ, ମହେନ୍ଦ୍ର ଆଉ ସଂଘମିତ୍ରା ସମ୍ରାଟଙ୍କଠାରୁ ବିଦାୟନେଇ ନିଜ ନିଜର କୋଠରୀକୁ ଫେରିଆସିଲେ । ଯୁବରାଜ କୁନାଳ ନିଜ କୋଠରୀରେ ପ୍ରବେଶ କରି ଦେଖନ୍ତି ତ ତରଙ୍ଗବାଳା ସାଜସଜ୍ଜାରେ ବ୍ୟସ୍ତ । ବିସ୍ମୟ ପ୍ରକାଶ କରି କୁନାଳ କହିଲେ :–ତରଙ୍ଗବାଳା, ତୁମେ !

 

ଅଭିବାଦନ ଜଣାଇ ତରଙ୍ଗବାଳା ନିର୍ନିମେଷ ନୟନରେ ଚାହିଁ ରହିଲା କୁନାଳଙ୍କୁ । କୁନାଳଙ୍କ ନେତ୍ରଦ୍ୱୟ ମଧ୍ୟ ଅପଲକ ଅବସ୍ଥାରେ ଅଟକିଗଲା । ଦୁହେଁ ଦୁହିଁଙ୍କର ରୂପରେ ମୋହିତ ହୋଇପଡ଼ିଲେ ବୋଧହୁଏ ।

 

ପ୍ରଥମେ ତରଙ୍ଗବାଳା ମୌନ ଭଙ୍ଗ କଲା ।

 

: ହଠାତ୍‌ ମୋତେ ଦେଖି ଯୁବରାଜ ଆଶ୍ଚର୍ଯ୍ୟ ହୋଇଗଲେନା ? ତିନିବର୍ଷ ପରେ ଯୁବରାଜ ଆସିଲେ । ତାଙ୍କର ଦର୍ଶନ ପାଇବାର ଅଭିଳାଷ ନେଇ ମୁଁ ସେବା କରିବାକୁ ଚାଲିଆସିଲି-। ପ୍ରକୃତରେ ପରିଚାରିକା ବିଦୁଲତା ଆସିବାର ଥିଲା । ଭାବିଥିଲି ଦେବୀ କାଞ୍ଚନମାଳା ମଧ୍ୟ ଆସିଥିବେ । ତେଣୁ......

 

: ନା ତରଙ୍ଗ; ଦେବୀ କାଞ୍ଚନମାଳା ଆସିନାହାନ୍ତି । କିନ୍ତୁ ତିନିବର୍ଷ ଭିତରେ ତୁମର ଗଠନ ଆଉ ରୂପରଙ୍ଗ ଯେ ବହୁତ କିଛି ବଦଳିଯାଇଛି ।

 

: ପ୍ରକୃତ କଥା । ମନୁଷ୍ୟର ଶରୀର ନଶ୍ୱର । ଧୀରେ ଧୀରେ ବଢ଼ିବାର ଅର୍ଥ ବିନାଶ ଆଡ଼କୁ ଗତି । ମୁଁ ସେହିପରି.....

 

କଥାକୁ ଅଧାରୁ କାଟି ଯୁବରାଜ ହସିଉଠିଲେ ।

 

: ଏଇ ବୟସରୁ ଏତେ ଆଧ୍ୟାତ୍ମବାଦ ବିଷୟରେ ମୁଣ୍ଡ ଖେଳାଇବା ଆବଶ୍ୟକ ନୁହେଁ ।

 

ଯୁବରାଜଙ୍କ ସୁଗଠିତ ଶରୀର ଉପରେ ଦୃଷ୍ଟି ରଖି ତରଙ୍ଗବାଳା ମୂଲ୍ୟବାନ୍‌ ବସ୍ତ୍ର ସବୁ କାଢ଼ିବାକୁ ଲାଗିଲା । ସୁବର୍ଣ୍ଣ କଳସରୁ ପାଣି ଝରାଇ ଯୁବରାଜଙ୍କ ପାଦ ଦୁଇଟି ଧୋଇ, ବସନରେ ପୋଛିଦେଲା । ତା’ପରେ ହାତଧରି ନେଇ ଶଯ୍ୟା ଉପରେ ବସାଇଦେଇ ପାଖରେ ଠିଆହେଲା ।

 

: ଆସବ ପାନକରିବେ ଯୁବରାଜ ?

 

: ନା ତରଙ୍ଗ, ଆବଶ୍ୟକ ନାହିଁ । ମୁଁ ବର୍ତ୍ତମାନ ବିଶ୍ରାମ ଚାହୁଁଛି !

 

ଯୁବରାଜ କୁନାଳଙ୍କୁ ଦର୍ଶନ କରିବା ପରେ ତରଙ୍ଗବାଳାର ହୃଦୟରେ କାମନାର ତରଙ୍ଗ ବାରମ୍ବାର ଉଠୁଛି । ତରଙ୍ଗ ସମ୍ରାଟଙ୍କର ପ୍ରିୟତମା । ମାତ୍ର ତାଙ୍କର ସାନିଧ୍ୟ ପ୍ରକୃତରେ ତାକୁ ଆନନ୍ଦ ଦେଇନାହିଁ । କେବଳ ପାଟରାଣୀ ହେବାର ଅଭିଳାଷ ଚରିତାର୍ଥ କରିବାକୁ ସେ ନିଜକୁ ସମର୍ପି ଦେଇଛି ସମ୍ରାଟଙ୍କ ବାହୁପାଶରେ । କିନ୍ତୁ ସେ ବାହୁପାଶ ପ୍ରେମପାଶ ନୁହେଁ ! ପଚାଶ ବର୍ଷିୟ ସମ୍ରାଟଙ୍କୁ କଅଣ ତରଙ୍ଗ ହୃଦୟଦେଇ ଭଲପାଏ ! ତେଣୁ ସେ ଭାବିନେଇଛି ତା’ର କାମନାର ଜ୍ୱାଳା ଶାନ୍ତ କରିବାକୁ କୁନାଳ ହିଁ ସକ୍ଷମ । ତାଙ୍କର ସୁଗଠିତ ଶରୀର ଅପୂର୍ବ ରୂପ କାନ୍ତି ଯେ କୌଣସି ତରୁଣୀର ମନ କିଣିନେଇପାରେ ।

 

ଆଜି ସମ୍ରାଟଙ୍କ । ସେବାରେ ତରଙ୍ଗ ବାରମ୍ବାର ଅନ୍ୟମନସ୍କ । ନିଜ ଅସୁସ୍ଥତାର ବାହାନା କରି ସେ ଫେରିଆସିଲା ଶୟନ କକ୍ଷକୁ । କୋମଳ ଶଯ୍ୟା ଆଜି କଣ୍ଟକିତ ଲାଗୁଛି । ରାତିସାରା ବିଭିନ୍ନ ପ୍ରକାର କଳ୍ପନାରେ ବିତିଗଲା । ମନେମନେ କିଛି ଉପାୟ ସ୍ଥିର କରି ପରଦିନ ପ୍ରଫୁଲ୍ଲ ରହିବାକୁ ଚେଷ୍ଟାକଲା ତରଙ୍ଗ ।

 

ଆଜି ବୌଦ୍ଧ ମହାସଭାର ପବିତ୍ର ଦିବସ । ଇତିହାସଜ୍ଞମାନେ କହନ୍ତି ଖ୍ରୀ.ପୂ. ୨୪୩ ମସିହାରେ ଏହି ସଭା ମଗଧର ରାଜଧାନୀ ପାଟଳୀପୁତ୍ରଠାରେ ହୋଇଥିଲା ।

 

ରାଜଧାନୀର ସୀମାରେ, ଏକ ବିଶାଳ ପ୍ରାନ୍ତରରେ ଏହି ସଭାର ଆୟୋଜନ କରାଯାଇଥିଲା । ପଣ୍ଡିତ ମଣ୍ଡଳୀ ଏବଂ ରାଜପରିବାରର ବ୍ୟକ୍ତିମାନେ ବସିବାପାଇଁ ଏକ ବିଶାଳ ମଣ୍ଡପ ନିର୍ମିତ ହୋଇଥିଲା । ମଣ୍ଡପର ସମ୍ମୁଖ ଭାଗରେ ବିଭିନ୍ନ କାରୁକାର୍ଯ୍ୟ ଖଚିତ ଚନ୍ଦ୍ରାତପମାନ ଝୁଲୁଥିଲା ।

 

ଚାଇନା, ଜାପାନ, ଅଷ୍ଟ୍ରିଆ, ରୁଷ୍‌, ବ୍ରହ୍ମଦେଶ, ସିଂହଳ ଆଦି ଦେଶମାନଙ୍କରୁ ବୌଦ୍ଧ ସନ୍ନ୍ୟାସୀଙ୍କର ପ୍ରତିନିଧି ମଣ୍ଡଳ ସବୁ ଆସିଥିଲେ । ସଭାରେ ଉପସ୍ଥିତ ବୌଦ୍ଧ ଧର୍ମାବଲମ୍ବୀମାନେ ଉତ୍କଣ୍ଠିତ ଚିତ୍ତରେ ଅପେକ୍ଷା କରିଥିଲେ ସମ୍ରାଟଙ୍କର ଆଗମନକୁ ।

 

ଅଳ୍ପ ସମୟ ମଧ୍ୟରେ ସୁସଜ୍ଜିତ ରଥ ଘର୍ଘର ନାଦ କରି ଆସି ପ୍ରବେଶ ଦ୍ୱାର ନିକଟରେ ଠିଆହେଲା । ଦ୍ୱାରଦେଶରେ ସ୍ୱାଗତ ଜଣାଇବାକୁ ଅପାର ଜନସମୂହ । ପ୍ରିୟଦର୍ଶୀ ଧର୍ମାଶୋକଙ୍କର ଜୟ ଜୟ ନିନାଦରେ ଗଗନପବନ ମୁଖରିତ ହୋଇଉଠିଲା ।

 

ଆଗରେ ସେନାପତି, ମହାମାତ୍ୟ ଏବଂ ପଛେ ପଛେ ମହାରାଜ ଅଶୋକଙ୍କ ସହିତ ରାଣୀ ମିତ୍ରାଦେବୀ ଓ କୁନାଳ ସଭାମଣ୍ଡପ ଉପରକୁ ଉଠିଲେ । ସଭାରେ ଉପସ୍ଥିତ ବୌଦ୍ଧ ସନ୍ନ୍ୟାସୀ ଏବଂ ବିଶିଷ୍ଟ ନାଗରିକଗଣ ଉଚ୍ଚ ସ୍ୱରରେ ଅଭିବାଦନ ଜଣାଇଲେ । ମହାରାଜ ଆସନ ଗ୍ରହଣ କରିବା ମାତ୍ରକେ ଅନ୍ୟମାନେ ମଧ୍ୟ ବସି ପଡ଼ିଲେ ।

 

ମହାସଭାର କାର୍ଯ୍ୟକ୍ରମ ଯଥାରୀତି ଆରମ୍ଭ ହେଲା । ପ୍ରଥମେ ସଭା ପରିଚାଳକ ଆଗନ୍ତୁକମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଭାଷଣ ଦେଲେ । ତା’ପରେ ମହାରାଜ ଅଶୋକ ଦଣ୍ଡାୟମାନ ହେଲେ ଭାଷଣ ଦେବା ନିମିତ୍ତ ।

 

: ଉପସ୍ଥିତ ବୌଦ୍ଧ ସନ୍ନ୍ୟାସୀଗଣଙ୍କୁ ମୁଁ ଯଥାରୀତି ସମ୍ମାନ ଜଣାଇବା ସଙ୍ଗେ ସଙ୍ଗେ ଏ ସଭାର ଆୟୋଜନକର୍ତ୍ତାମାନଙ୍କୁ ଅନ୍ତରର ସହ ଧନ୍ୟବାଦ ଜଣାଉଛି । ବୌଦ୍ଧ ଧର୍ମର ପ୍ରସାର ନିମିତ୍ତ ଆପଣମାନଙ୍କ ହୃଦୟର ଅନୁରକ୍ତି ଦେଶ-ବିଦେଶରୁ ଏତେ ସଂଖ୍ୟାରେ ଭିକ୍ଷୁଗଣଙ୍କୁ ଆକର୍ଷିତ କରିପାରିଛି ।

 

ବୌଦ୍ଧ ଧର୍ମର ଉନ୍ନତି ଏବଂ ପ୍ରସାର ନିମିତ୍ତ ଆପଣମାନେ ଯାହାସବୁ ପ୍ରସ୍ତାବ ଦେବେ, ସେଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ମୁଁ ଯଥାସାଧ୍ୟ ଚେଷ୍ଟା କରିବି । ସମଗ୍ର ପୃଥିବୀରେ ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାର ମୋର ଆନ୍ତରିକ ଇଚ୍ଛା । ଏଣିକି ମୋ ଦେଶର ଶାସନ ଧାର୍ମିକ ରୀତିନୀତିରେ ପରିଚାଳିତ ହେବ । ରାଷ୍ଟ୍ରୀୟ ଏବଂ ଧାର୍ମିକ ସଂସ୍ଥାଗୁଡ଼ିକ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବେ । ଧର୍ମ ପ୍ରଚାରକମାନେ ରାଜ କର୍ମଚାରୀ ରୂପେ ପରିଗଣିତ ହେବେ । ପ୍ରତ୍ୟେକ ‘ପ୍ରାନ୍ତ’ରେ ଧର୍ମ ନିରୀକ୍ଷକ ନିଯୁକ୍ତି ପାଇବେ । ସେମାନେ ନିରୀକ୍ଷଣ କରି ଦେଖିବେ ଧର୍ମ ସହ ସମନ୍ୱୟ ରକ୍ଷା କରି ଶାସନ କାର୍ଯ୍ୟ ଚାଲିଛି କି ନାହିଁ । ତା’ ସଙ୍ଗେ ସଙ୍ଗେ ବୌଦ୍ଧ ଧର୍ମାବଲମ୍ବୀମାନଙ୍କୁ ମୋର ନିର୍ଦ୍ଦେଶ ଯେ ସେମାନେ ଅନ୍ୟ ଧର୍ମ ପ୍ରତି ସହିଷ୍ଣୁତା ପ୍ରଦର୍ଶନ କରିବେ । ନିଜ ଧର୍ମ ପ୍ରତି ଅନୁରାଗ, ନିଷ୍ଠା ଓ ଉତ୍ସାହ ଆମର କର୍ତ୍ତବ୍ୟ ପାଳନରେ ସହାୟକ ସିଦ୍ଧ ହେବ ।

 

ମହାରାଜ ଅଶୋକଙ୍କର ଭାଷଣ ଉପରାନ୍ତ ବିଭିନ୍ନ ଦେଶରୁ ଆସିଥିବା ବୌଦ୍ଧ ଧର୍ମର ବିଦ୍ୱାନ୍‌ ପ୍ରଚାରକ ଓ ସନ୍ନ୍ୟାସୀମାନେ ଭାଷଣ ଦେଲେ । ଧର୍ମର ପ୍ରଚାର ଏବଂ ପ୍ରସାର ନିମିତ୍ତ ନିଜ ନିଜର ସୁଚିନ୍ତିତ ଯୋଜନା ସବୁ ସରଳ ଭାବରେ ଶ୍ରୋତା ମଣ୍ଡଳୀ ସମକ୍ଷରେ ସେମାନେ ଉପସ୍ଥାପିତ କଲେ ।

 

: ମହାମାତ୍ୟ ।

 

: ଯେ ଆଜ୍ଞା ଶ୍ରୀ ସମ୍ରାଟଦେବ ।

 

: ପ୍ରଧାନ ସେନାପତି ଏବଂ ଆପଣଙ୍କର ମିଳିତ ଦାୟିତ୍ୱ ରହିଲା ଯେ, ଏକ ମାସ ମଧ୍ୟରେ ଧାର୍ମିକ ଗୁରୁମାନଙ୍କର, ନିଯୁକ୍ତି କାର୍ଯ୍ୟ ଶେଷ ହେବ ।

 

: କୁମାର ମହେନ୍ଦ୍ର ଏବଂ କୁମାରୀ ସଂଘମିତ୍ରା ?

 

: ଯେ ଆଜ୍ଞା ଶ୍ରୀ ସମ୍ରାଟଦେବ ।

 

: ସିଂହଳ ଦ୍ୱୀପରେ ଧର୍ମପ୍ରଚାର ପାଇଁ ତୁମ ଦୁହିଁଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ।

 

: ଆମେ ସହର୍ଷ ସ୍ୱୀକାର କରୁଛୁ ମହାରାଜ । ଆପଣଙ୍କର ଆଜ୍ଞା ଶିରୋଧାର୍ଯ୍ୟ ।

 

ବୌଦ୍ଧ ମହାସଭା ବିସର୍ଜନ ହେବା ପରେ ସମ୍ରାଟ ଅଶୋକ, ମହାରାଣୀ ମିତ୍ରା ଏବଂ ଯୁବରାଜ କୁନାଳ ରଥରେ ଉପବେଶନ କଲେ । ଆଦେଶ କ୍ରମେ ମହାରଥୀ ରଥ ଚଳାଇବାକୁ ଲାଗିଲେ ।

 

: ବାବା, ମୋ ଲାଗି ଆପଣଙ୍କର ନିର୍ଦ୍ଦେଶ କିଛି ପ୍ରାପ୍ତ ହେଲା ନାହିଁ ।

 

: ଦେଖ ବତ୍ସ, ତୁମକୁ ରାଜକାର୍ଯ୍ୟ ପରିଚାଳନାରେ ଦକ୍ଷ ହେବାକୁ ପଡ଼ିବ । ତେଣୁ ତୁମେ ଉଜ୍ଜୟିନୀ ପ୍ରଦେଶର ଉପ-ପ୍ରଜାପତି ଦାୟିତ୍ୱ ସାଙ୍ଗକୁ ଧର୍ମ ପ୍ରଚାରର ନିରୀକ୍ଷକ କର୍ତ୍ତବ୍ୟ ପାଳନ କରିବାକୁ ପସ୍ତୁତ ହୁଅ ।

 

: ଆପଣଙ୍କର ଆଜ୍ଞା ଶିରୋଧାର୍ଯ୍ୟ ବାବା । ଆପଣଙ୍କର ଶାସନ ଓ ଧର୍ମ ଆଦର୍ଶକୁ ମୁଁ ଯଥାଶକ୍ତି ହୃଦୟଙ୍ଗମ କରି କାର୍ଯ୍ୟ ପରିଚାଳନା କରିବି । ଧର୍ମପ୍ରଚାର ପାଇଁ ଆପଣଙ୍କର ଘୋଷଣା ଲୋକ ମୁଖରେ ଅତ୍ୟନ୍ତ ପ୍ରଶଂସନୀୟ ହୋଇଉଠିଛି ।

 

: ସମସ୍ତ ରାଜକର୍ମଚାରୀ ଏବଂ ମୋର ପୁତ୍ର କନ୍ୟାମାନଙ୍କର ଯତ୍‌ପରୋନାସ୍ତି ପ୍ରଚେଷ୍ଟା ଫଳରେ ବୌଦ୍ଧଧର୍ମ ଦିନେ ସଂସାରର ଶ୍ରେଷ୍ଠ ଧର୍ମରୂପେ ପରିଗଣିତ ହେବ ।

 

ଯୁବରାଜ କୁନାଳଙ୍କୁ ଉଜ୍ଜୟିନୀ ପ୍ରେରଣ ସମାଚାର ଶୁଣି ମହାରାଣୀ ମିତ୍ରା ଦୁଃଖିତା ହୋଇଉଠିଲେ । ଯୁବରାଜ କୁନାଳ ସ୍ୱର୍ଗୀୟା ମହାରାଣୀ ପଦ୍ମାବତୀଙ୍କ ପୁତ୍ର ହେଲେ ମଧ୍ୟ ମିତ୍ରା ତାଙ୍କୁ ନିଜ ପୁତ୍ରଠାରୁ ବଳି ସ୍ନେହ-ଶ୍ରଦ୍ଧା କରୁଥିଲେ ।

 

: ଉଜ୍ଜୟିନୀ କେବେ ପ୍ରସ୍ଥାନ କରିବ କୁନାଳ ?

 

: ଦିନେ ଦୁଇଦିନ ଭିତରେ ମା’ । ଆପଣମାନଙ୍କ ନିକଟରେ ରହିବାପାଇଁ ମୋର ମନର ଭାବନାକୁ ତ୍ୟାଗ କରିବାକୁ ପଡ଼ିବ ମା’ । ରାଜ କାର୍ଯ୍ୟର କର୍ତ୍ତବ୍ୟ ପାଇଁ ବ୍ୟକ୍ତିଗତ ସୁଖକୁ ପଛରେ ପକାଇବାକୁ ପଡ଼ିବ ।

 

ଅଳ୍ପ ସମୟରେ ରଥ ଆସି ପହଞ୍ଚିଗଲା ରାଜପ୍ରାସାଦ ନିକଟରେ । ନିଜର ପ୍ରକୋଷ୍ଠରେ ପ୍ରବେଶ କରି ଯୁବରାଜ କୁନାଳ ପଲଙ୍କ ଉପରେ ଉପବେଶନ କରିବା ମାତ୍ରକେ ତିଷ୍ୟରକ୍ଷିତା (ତରଙ୍ଗବାଳା) ଆସି ହସ ହସ ବଦନରେ ସମ୍ମୁଖରେ ଉଭା ହେଲା । ଯୁବରାଜଙ୍କୁ ସମ୍ମାନ ଜଣାଇ ବସ୍ତ୍ର ପରିବର୍ତ୍ତନ କରିବାକୁ ନିବେଦନ ଜଣାଇଲା ।

 

ଯୁବରାଜଙ୍କ ପ୍ରତି ପ୍ରବଳ ଆସକ୍ତି ତରଙ୍ଗବାଳାକୁ ଆକର୍ଷିତ କରିଆଣିଛି ସେବା କରିବାକୁ । ଅନ୍ୟ ପରିଚାରିକାଙ୍କୁ ନ ପଠାଇ ସେ ନିଜେ ଯୁବରାଜଙ୍କ ସେବାରେ ଉପସ୍ଥିତ ହୋଇଛି-। ନେତ୍ର ଯୁଗଳରେ ଅମାପ କାମନାର ତୃଷା । ବକ୍ଷ ସ୍ଥଳରେ ବର୍ଦ୍ଧିତ ସ୍ପନ୍ଦନ ନେଇ ଯୁବରାଜଙ୍କ ବସ୍ତ୍ର ପରିବର୍ତ୍ତନ କାର୍ଯ୍ୟ କରିବାକୁ ଲାଗିଲା ସେ । ଯୁବରାଜ କିନ୍ତୁ ପ୍ରାଣପ୍ରିୟା କାଞ୍ଚନମାଳାର କଥା ଭାବି ଚାଲିଛନ୍ତି । ତରଙ୍ଗବାଳାର ଗୋଟିଏ ଦୁଇଟି ସାଧାରଣ ପ୍ରଶ୍ନର ଉତ୍ତର ନ ମିଳିବାରୁ ସେ ଯୁବରାଜଙ୍କ କାନ୍ଧକୁ ଟିକିଏ ଦୋହଲାଇ ଦେଇ ପଚାରିଲା ।

 

: ଯୁବରାଜ, ଆଜିର ବୌଦ୍ଧ ମହାସଭା ବିଷୟରେ ବହୁତ ପ୍ରଶଂସା ଶୁଣୁଛି ମୁଁ ।

 

: ସତ୍ୟକଥା ଶୁଣିଛ । ପୁଣି ଯୁବରାଜ ନିଜ ବିଚାରଧାରାରେ ଲୀନା ହୋଇଗଲେ ।

 

: ଯୁବରାଜ, ଆଜି ଏତେ କଅଣ ଭାବି ଚାଲିଛନ୍ତି ? କଅଣ ଦେବୀ କାଞ୍ଚନମାଳାଙ୍କର ଅନୁପସ୍ଥିତି ବିଚଳିତ କରୁଛି ?

 

: ଠିକ୍‌ ଅନୁମାନ କରିପାରିଛି । ସଂପ୍ରତିକୁ ପାଖରେ ରଖି ସେଠାରେ କାଞ୍ଚନମାଳା ନିଶ୍ଚୟ ମୋ କଥା ଭାବି ଚାଲିଛି ।

 

ମାଦକ ନୟନର କଟାକ୍ଷ ହାଣି ତରଙ୍ଗବାଳା ପ୍ରଶ୍ନ କଲା ।

 

: ତା’ହେଲେ ଆପଣ ଶୀଘ୍ର ଉଜ୍ଜୟିନୀ ପ୍ରସ୍ଥାନ କରିବେ ?

 

: ଗୋଟିଏ ଦିନ ପରେ ।

 

ଯୁବରାଜଙ୍କ ଠାରୁ ପ୍ରସ୍ଥାନ ବିଷୟ ଶୁଣି ତରଙ୍ଗବାଳାର ପ୍ରସ୍ଫୁଟିତ ମୁଖପଦ୍ମଟି ମଉଳିଆସିଲା । ହୃଦୟର ବ୍ୟଥା ବେଦନା ‘‘ଓହୋ’’ ଶବ୍ଦରେ ପ୍ରକଟିତ ହେଲା ।

 

: ବ୍ୟଥିତ ହୁଅନା; ତୁମ ସେବାରେ ମୁୀଁ ଅତ୍ୟନ୍ତ ପ୍ରସନ୍ନ । ତୁମର ସ୍ନେହ ମମତା ନିଶ୍ଚୟ ମୋ ମନରେ ରହିବ ।

 

କଅଣ ବୁଝିବେ ତରଙ୍ଗବାଳାର ହୃଦୟକୁ ଯୁବରାଜ । ତା’ ହୃଦୟର କାମନା ବାସନାକୁ ସ୍ନେହ ମମତାର ଆଖ୍ୟାଦେଲେ ସେ କଅଣ ପ୍ରସନ୍ନ ହୋଇପାରିବ ।

 

: ଆପଣ....ଆପଣ କାହିଁକି ଆମ ସ୍ନେହ ଶ୍ରଦ୍ଧାକୁ ମନେରଖିବେ ଯୁବରାଜ ? କାଞ୍ଚନମାଳାଙ୍କ ପାଖରେ ପହଞ୍ଚିବା ପରେ ସବୁ ମନରୁ ଭୁଲିଯିବେ ।

 

: ତୁମକୁ ବହୁତ ବ୍ୟଥା ଲାଗୁଛି ।

 

: ମୋ ମନର ବ୍ୟଥା ଯଦି ଆପଣ ବୁଝିପାରନ୍ତେ.....

 

: କଅଣ କରାଯାଏ । ସମ୍ରାଟଙ୍କର ଆଦେଶ ଅଲଙ୍ଘନୀୟ ।

 

ଯୁବରାଜ କୁନାଳ, ମହେନ୍ଦ୍ର ଓ ସଂଘମିତ୍ରାଙ୍କ ପ୍ରସ୍ଥାନ ପରେ ତରଙ୍ଗବାଳାର ସମ୍ରାଟଙ୍କ ସହିତ ସମ୍ପର୍କ ଆହୁରି ନିବିଡ଼ ହେବାକୁ ଲାଗିଲା ।

 

ପରିଚାରିକାଶ୍ରେଷ୍ଠୀ ତିଷ୍ୟରକ୍ଷିତା ଆଜି ପ୍ରିୟଦର୍ଶୀଙ୍କ ଆଦରର ତରଙ୍ଗବାଳା । ପ୍ରିୟଦର୍ଶୀଙ୍କ ପ୍ରିୟତମା ହେବାର ସୌଭାଗ୍ୟ ଲାଭକରି ପଟ୍ଟମହିଷୀ ରୂପେ ସମ୍ରାଟଙ୍କର ଶାସନ ଡୋରକୁ ହାତରେ ରଖିବାକୁ ତା’ର ମନ ଅଭିଳାଷ ବଢ଼ି ବଢ଼ି ଚାଲିଛି ।

 

ଏ ଭିତରେ ସମୟର ଚକ୍ର ଦୁଇଥର ଆଗକୁ ଗଡ଼ିଗଲାଣି । ପାଟରାଣୀ ମିତ୍ରା ଶଯ୍ୟାଶାୟୀ । ଭିଷଗ୍‌ ଶିରୋମଣି ତ୍ରିପୁଣ୍ଡକ ଶାସ୍ତ୍ରୀ ମଧ୍ୟ ରୋଗର ଲକ୍ଷଣ ଦେଖି ଏପର୍ଯ୍ୟନ୍ତ ସଠିକ୍ ନିରୂପଣ କରିପାରିନାହାନ୍ତି । ଯେତେ ପ୍ରକାର ଚିକିତ୍ସା କଲେ ମଧ୍ୟ ରୋଗ ଦିନକୁ ଦିନ ବଢ଼ିଚାଲିଛି । ପାଟରାଣୀଙ୍କର ଜୀର୍ଣ୍ଣ ଶୀର୍ଣ୍ଣ ଦେହ ଭିତରୁ ଆତ୍ମା ଉଡ଼ିଯିବାକୁ ତତ୍‌ପର ହେଲାଣି ।

 

: ରଞ୍ଜନା ।

 

ଧୀରେ ପାଟରାଣୀଙ୍କ ମୁଖ ଖୋଲିଲା ।

 

: କୁହନ୍ତୁ ମହାରାଣୀ ।

 

: ତୁ ମୋର ପ୍ରିୟ ସଖୀ । ତୋତେ ମୁଁ କେବେ ପରିଚାରିକା ରୂପେ ଭାବିନାହିଁ । ଗୋଟିଏ ଅତ୍ୟନ୍ତ ଗୁପ୍ତ କଥା ମୁଁ ମହାମନ୍ତ୍ରୀଙ୍କୁ କହିବାକୁ ଇଚ୍ଛା କରୁଛି । ଯଥାଶୀଘ୍ର ତାଙ୍କୁ ଏଠାରେ ଉପସ୍ଥିତ କରାଇପାରିବୁ ?

 

: ମହାମନ୍ତ୍ରୀ ତ ଆପଣଙ୍କ ଦର୍ଶନ ପାଇଁ ବାହାରେ ଅପେକ୍ଷା କରିଛନ୍ତି ।

 

: ଚଞ୍ଚଳ ଆସିବାକୁ କହ ।

 

ମହାରାଣୀଙ୍କ ଶୟନ କକ୍ଷରୁ ଚଞ୍ଚଳ ଗତିରେ ପରିଚାରିକା ରଞ୍ଜନା ବାହାରକୁ ଆସିଲା । ମୁଖ୍ୟ ଦ୍ୱାର ନିକଟସ୍ଥ ଅପେକ୍ଷାଗାରକୁ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ଜଣାଇଲା ।

 

: କିପରି ଅବସ୍ଥା ରଞ୍ଜନା ?

 

: ମହାରାଣୀ ଆପଣଙ୍କୁ ସାକ୍ଷାତ୍‌ କରିବାକୁ ଇଚ୍ଛା କରୁଛନ୍ତି ।

 

ଧୀର ପଦକ୍ଷେପରେ ମହାମନ୍ତ୍ରୀ ପ୍ରକୋଷ୍ଠ ଭିତରକୁ ଆସିଗଲେ । ମହାରାଣୀଙ୍କୁ ଦେଖିଲେ, ମୁଦ୍ରିତ ଚକ୍ଷୁ । ମୁଖମଣ୍ଡଳ ବିକୃତ, ଅବସ୍ଥା ଚିନ୍ତା ଜନକ । ଅଳ୍ପ ସମୟ ପରେ ଚକ୍ଷୁ ଖୋଲି ଚାହିଁଲେ ମହାରାଣୀ । ଧୀରେ ବସିବା ପାଇଁ ଚେଷ୍ଟା କଲେ ।

 

ମହାମନ୍ତ୍ରୀ ଅଭିବାଦନ ଜଣାଇ ନିକଟସ୍ଥ ରୌପ୍ୟ ଖଚିତ କାଷ୍ଠାସନ ଉପରେ ବସିଲେ । ପୁଷ୍ପ ପରି କୋମଳ ଶରୀର ଶୁଖି ଶୁଖି କଣ୍ଟା ଦୋହଲିଗଲାଣି । ହୃଦୟରେ ଅତ୍ୟନ୍ତ ବେଦନା ଅନୁଭବ କରି ମହାମନ୍ତ୍ରୀ ପଚାରିଲେ ।

 

: ମୋତେ ସ୍ମରଣ କରିବାର ଅଭିପ୍ରାୟ କୁହନ୍ତୁ ମହାରାଣୀ ।

 

: ଅମାତ୍ୟଶ୍ରେଷ୍ଠ, କହି କିଛି ଲାଭ ନାହିଁ ଆଉ । ବହୁତ ବିଳମ୍ବ ହୋଇଗଲାଣି ।

 

: ତଥାପି.... କୁହନ୍ତୁ ନା ।

 

ସମସ୍ତ ପରିଚାରିକା ପ୍ରକୋଷ୍ଠ ବାହାରକୁ ଯିବାପାଇଁ ଇଙ୍ଗିତ ଦେଲେ ମହାରାଣୀ । ପରିଚାରିକାମାନେ ଆଡ଼ ହୋଇଯିବା ପରେ ମହାରାଣୀ କହିଲେ ।

 

: ଅମାତ୍ୟଶ୍ରେଷ୍ଠ ! ଦୀପଶିଖା ଲିଭିଯିବାକୁ ଆଉ ଅଳ୍ପ ସମୟ ବାକି ଅଛି । ଏତେଦିନ ମୁଁ ହୃଦୟରେ ବେଦନାର ପର୍ବତକୁ ଚାପିରଖି ମୁହଁ ଖୋଲିନଥିଲି । ରାଜବଂଶର ମର୍ଯ୍ୟାଦା ସହିତ ଘଟଣାଟି ଜଡ଼ିତ । ଭବିଷ୍ୟତରେ କୁନାଳ ପାଇଁ ଏ ସାମ୍ରାଜ୍ୟକୁ ରକ୍ଷା କରିବା ଆପଣଙ୍କର ଦାୟିତ୍ୱ ।

 

: ମୁଁ ଆପଣଙ୍କର ସମସ୍ତ ଆଜ୍ଞା ଶିରୋଧାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି । ବେଳକୁବେଳ ମୋର ଉତ୍ସୁକତା ବଢ଼ି ବଢ଼ି ଯାଉଛି । ଆଜ୍ଞା କରନ୍ତୁ ମହାରାଣୀ ।

 

: ଆଜିଠାରୁ ପ୍ରାୟ ଦୁଇବର୍ଷ ତଳର ଘଟଣା । ବୌଦ୍ଧ ମହାସଭା ପରେ ମୋର ସ୍ୱାସ୍ଥ୍ୟ ଦିନକୁ ଦିନ କ୍ଷୀଣ ହେବାକୁ ଲାଗିଲା । ମୋ ଅନ୍ତରର ଜ୍ୱାଳା ମୋତେ ଦଗ୍‌ଧ କରୁଛି ।

 

: ସଂକୋଚ ନ କରି କୁହନ୍ତୁନା ।

 

ଦୀର୍ଘଶ୍ୱାସ ତ୍ୟାଗ କରି ବକ୍ଷଦେଶକୁ ଚାପିଧରିଲେ ମହାରାଣୀ । ଅନ୍ତର ଭିତରେ ଯେଉଁ ଗୂଢ଼ ରହସ୍ୟକୁ ଲୁଚାଇ ରଖି ତିଳ ତିଳ କରି ନିଜ ଶରୀରକୁ ଦଗ୍‌ଧ କରିଆସିଥିଲେ ତାକୁ ଫିଟାଇ କହିବାକୁ ପଡ଼ିବ । ମୁଖମଣ୍ଡଳରେ ଭାବାନ୍ତର ଆସିଲା ।

 

: ଶୁଣନ୍ତୁ ମହାମନ୍ତ୍ରୀ, ପରିଚାରିକାଶ୍ରେଷ୍ଠୀ ତିଷ୍ୟରକ୍ଷିତାକୁ ସମ୍ରାଟ ଆଦରର ସହ ଡାକନ୍ତି ତରଙ୍ଗବାଳା । କିନ୍ତୁ ତା’ ସହିତ ସମ୍ପର୍କ ଯେ ଏତେ ନିବିଡ଼ ହେବ, ସେ କଥା କଳ୍ପନାର ଅତୀତ । ମୁଁ ସ୍ୱଚକ୍ଷୁରେ ଦେଖିଥିବା ଘଟଣାକୁ ଆଉ ପ୍ରମାଣର ଆବଶ୍ୟକତା ନ ଥିଲା । ଆଗରୁ ମୋର ପ୍ରିୟ ପରିଚାରିକାଠାରୁ ଏ ବିଷୟ ଶୁଣିଥିଲି ମାତ୍ର । ଯେତେବେଳେ ସ୍ୱଚକ୍ଷୁରେ ସମ୍ରାଟଙ୍କର ଚାରିତ୍ରିକ ପତନ ଦେଖିଲି, ମୁଁ ହତବାକ୍‌ ହୋଇଗଲି । ଏତେବଡ଼ ଧାର୍ମିକ ସମ୍ରାଟ ଗୋଟାଏ ଦାସୀର ପ୍ରଣୟପାଶରେ ଆବଦ୍ଧ ହେବେ ! ଏହା କ’ଣ ତାଙ୍କ ପକ୍ଷରେ ଶୋଭନୀୟ ଆଚରଣ ? ପୁଣି ଏ ପରିଣତ ବୟସରେ ! ପୁତ୍ର କୁନାଳ ଏବଂ ପୁତ୍ରବଧୂ କାଞ୍ଚନମାଳା ଥାଉ ଥାଉ.....

 

ଉତ୍ତେଜିତ ହୋଇଉଠିଲେ ମହାରାଣୀ । ମୁଖମଣ୍ଡଳରେ ସ୍ୱେଦବିନ୍ଦୁ ଝଲକିଉଠିଲା । ମହାମନ୍ତ୍ରୀ ଧୀରେ ଧୀରେ ପଙ୍ଖାରେ ବିଞ୍ଚିବାକୁ ଲାଗିଲେ ।

 

: ଆପଣ ଉତ୍ତେଜିତ ହୁଅନ୍ତୁ ନାହିଁ ମହାରାଣୀ ।

 

: ମୁଁ ଭାବିବା ମାତ୍ରକେ ନିଜ ହୃଦୟକୁ ନିୟନ୍ତ୍ରଣ କରିପାରୁନାହିଁ । ମୋ ଆଖିଆଗରେ ମୋର ପତି ଦେବତାଙ୍କୁ ଛାର ଗୋଟାଏ ଦାସୀ କରାୟତ୍ତ କରିନେବ । ମୁଁ କିପରି ସହ୍ୟକରିବି ମହାମନ୍ତ୍ରୀ ? ବହୁତ ଭାବିଚିନ୍ତି ମୁଁ କଥାକୁ ଗୁପ୍ତ ରଖିଲି ସିନା, କିନ୍ତୁ ଅନ୍ତରର ସେହି ଜ୍ୱାଳା ଏ ଶରୀରକୁ ଧୀରେ ଧୀରେ ଦଗ୍‌ଧ କରିବାକୁ ଲାଗିଲା । ଆଉ.... ଏ ଜୀବନ ରହିପାରିବ ନାହିଁ । ଶେଷ ସମୟ ଆସି ଉପସ୍ଥିତ । ରାଜବଂଶର ମର୍ଯ୍ୟାଦା ଆଉ ଯୁବରାଜ କୁନାଳର ସ୍ୱାର୍ଥ ରକ୍ଷା କରିବା ଆପଣଙ୍କ ହାତରେ ସମର୍ପିଦେଇ ମୁଁ ବିଦାୟ ନେଉଛି ।

 

ଅଧିକ ଉତ୍ତେଜିତ ହେବାରୁ ଚେତନା ଲୁପ୍ତ ହୋଇଗଲା । ଗୋଟିଏ ପଟକୁ ମସ୍ତକ ଢଳିପଡ଼ିଲା । ମହାମନ୍ତ୍ରୀଙ୍କ ଡାକରେ କ୍ରମେ ଦାସୀମାନେ ଧାଇଁଆସିଲେ । ଭିଷଗ୍‌ ଶିରୋମଣି ଶାସ୍ତ୍ରୀଜୀ ଆସି ନାଡ଼ି ପରୀକ୍ଷା କରି ଔଷଧ ଘୋଟିବାକୁ ଲାଗିଲେ ।

 

ମହାରାଜ ଅଶୋକ ସମାଚାର ପାଇ ରାଜ ଦରବାର ଛାଡ଼ି ଚଞ୍ଚଳ ପଦକ୍ଷେପରେ ଆସି ପହଞ୍ଚିଗଲେ ମହାରାଣୀଙ୍କ ଶୟନ କକ୍ଷରେ ।

 

ମହାରାଣୀଙ୍କ ଶଯ୍ୟାଉପରେ ବସି ମସ୍ତକରେ ହାତ ରଖିଲେ ।

 

: ମହାମନ୍ତ୍ରୀ......

 

ସମ୍ରାଟଙ୍କ କଣ୍ଠସ୍ୱର ଆବେଗପୂର୍ଣ୍ଣ ।

 

: ଆଜ୍ଞା ଶ୍ରୀ ସମ୍ରାଟ୍‌ ।

 

: ଦୁଇବର୍ଷ ହେବ ମହାରାଣୀ ଅସୁସ୍ଥ । ଭିଷଗ୍‌ ଶିରୋମଣିଙ୍କ ଚିକିତ୍ସାର ଫଳ କିଛି ହେଲାନାହିଁ । ଜୀବନ ପ୍ରଦୀପ ଆସି ନିର୍ବାପିତ ହେବା ଉପରେ । ରୋଗର କାରଣ ମଧ୍ୟ ଶାସ୍ତ୍ରୀଜୀ ନିର୍ଣ୍ଣୟ କରିପାରିଲେ ନାହିଁ !

 

ମହାମନ୍ତ୍ରୀ ସବୁ ଜାଣି ମଧ୍ୟ ମୁଖ ବନ୍ଦ କରି ରଖିଲେ । ମହାରାଣୀଙ୍କର ମାନସିକ ବେଦନା କିପରି ଅବା ସମ୍ରାଟଙ୍କ ଆଗରେ ସେ ବର୍ଣ୍ଣନା କରିପାରିଥାଆନ୍ତେ ?

 

: ମହାରାଜ, ଯୁବରାଜ କୁନାଳଙ୍କୁ ସମାଚାର ପଠାଇବାକୁ ଚିନ୍ତା କରୁଛି ।

 

: ଆଉ ସମାଚାର ପଠାଇ କିଛି ଲାଭ ନାହିଁ ମହାମନ୍ତ୍ରୀ ।

 

ସମ୍ରାଟ ଧୀରେ ଉପର ତକିଆ ନିକଟକୁ ଘୁଞ୍ଚି ଆସିଲେ । ମହାରାଣୀଙ୍କ ମଥାକୁ ନିଜ କୋଳରେ ଧରି କେଶରାଶି ଉପରେ ହସ୍ତଚାଳନ କରିବାକୁ ଲାଗିଲେ । ଆଖିରୁ ଅବିରଳ ଅଶ୍ରୁଧାରା ବହିଚାଲିଲା । ସୁଖ ଦୁଃଖର ଜୀବନ ସଙ୍ଗିନୀର ବିଦାୟବେଳା । ଧୀରେ ଧୀରେ ମହାରାଣୀ ମିତ୍ରାଙ୍କ ଓଠ ଥରିଉଠିଲା ।

 

: ନାଥ.... ଦୋଷା ଦୋଷ କ୍ଷମା.... କୁନାଳ ଆଉ କାଞ୍ଚନମାଳା ମୋର ସପତଣୀ ପୁତ୍ର କି ବଧୂ ନୁହନ୍ତି..... ଦଶରଥ ଯେପରି କୁନାଳ ମୋ ପାଇଁ ସେହପରି.... ତାଙ୍କୁ... ତାଙ୍କୁ.....

 

ଆଉ କିଛି କହିପାରିଲେ ନାହିଁ ମହାରାଣୀ । ଚକ୍ଷୁ ଦୁଇଟି ବିସ୍ଫାରିତ ହୋଇଉଠିଲେ କ୍ଷଣକ ପାଇଁ । ଦୁଇ ହାତରେ ବକ୍ଷ ଦେଶକୁ ଚାପିଧରି ଶେଷ ନିଃଶ୍ୱାସ ତ୍ୟାଗକଲେ ସମ୍ରାଟଙ୍କ କୋଳରେ ।

 

ସମ୍ରାଟ ଅଶୋକ ଛୋଟ ପିଲାପରି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ । ଯୁବରାଜ କୁନାଳଙ୍କ ମାତା ପ୍ରଥମ ରାଣୀଙ୍କ ମୃତ୍ୟୁ ପରେ ଏଇ ଥିଲେ ସମ୍ରାଟଙ୍କ ହୃଦୟ ସାମ୍ରାଜ୍ୟର ଅଧୀଶ୍ୱରୀ-। ନିଜର ଅକପଟ, ସ୍ନେହ, ଶ୍ରଦ୍ଧା ବଳରେ ସମସ୍ତ ରାଜକର୍ମଚାରୀଙ୍କର ପ୍ରଶଂସା ଭାଜନ ହୋଇପାରିଥିଲେ ମହାରାଣୀ ମିତ୍ରା ।

 

ମହାମନ୍ତ୍ରୀ ମଧ୍ୟ ଆବେଗଭରା କଣ୍ଠରେ ମହାରାଣୀଙ୍କ ଗୁଣ କୀର୍ତ୍ତନ କରି କ୍ରନ୍ଦନ କରିବାକୁ ଲାଗିଲେ । ସାରା ଅନ୍ତଃପୁରରେ କ୍ରନ୍ଦନ ରୋଳ ଉଠିଲା ।

 

ଉଜ୍ଜୟିନୀର ଉପ-ପ୍ରଜାପତି ଯୁବରାଜ କୁନାଳ, କାଞ୍ଚନମାଳାକୁ ସଙ୍ଗରେ ନେଇ ଉପବନ ମଧ୍ୟରରେ ସାଂଧ୍ୟ ସମୀକରଣ ସେବନ କରୁଛନ୍ତି । ପିତା ମାତାଙ୍କର କୌଣସି ସମାଚାର ବହୁଦିନ ହେଲା ପ୍ରାପ୍ତ ହୋଇନାହିଁ । ରାଜଧାନୀ ପାଟଳୀପୁତ୍ର, ସମ୍ରାଟ, ମହାରାଣୀ, ମହାମନ୍ତ୍ରୀ ଆଦିଙ୍କ ବିଷୟରେ କଥୋପକଥନ କରୁ କରୁ ଉଦ୍ୟାନ ମଧ୍ୟସ୍ଥ ସରୋପର ନିକଟରେ ପହଞ୍ଚିଲେ । ନିକଟବର୍ତ୍ତୀ ତମାଳକୁଞ୍ଜ କାଞ୍ଚନମାଳାଙ୍କର ଦୃଷ୍ଟି ଆକର୍ଷଣ କଲା ।

 

ତମାଳକୁଞ୍ଜ ଭିତରେ ନିର୍ମିତ ପ୍ରସ୍ତର ଆସନ ଉପରେ ଯୁବରାଜ ଏବଂ ଯୁବରାଣୀ ଉପବେଶନ କଲେ । ବିଂଶବର୍ଷିୟା ଯୁବରାଣୀ କାଞ୍ଚନମାଳା ଆଉ ଯୁବରାଜ କୁନାଳଙ୍କୁ ଏ ସନ୍ଧ୍ୟାର ସ୍ୱର୍ଣ୍ଣିମ ଆଲୋକରେ ଦେଖିଲେ ରତୀଦେବୀ ଏବଂ କାମଦେବଙ୍କର ଦ୍ୱିତୀୟ ଅବତାର ପରି ଧାରଣାହେବ ନିଶ୍ଚୟ ।

 

କୁନାଳ ପ୍ରସ୍ତର ଆସନ ଉପରେ ଗୋଡ଼ ଲମ୍ବାଇ ବସିଛନ୍ତି । ଦେବୀ କାଞ୍ଚନମାଳା ତାଙ୍କ କୋଳରେ ମସ୍ତକ ରଖି ଅର୍ଦ୍ଧଶାୟିତା । ଯୁବରାଜ କାଞ୍ଚନମାଳାର କଳା କୁନ୍ତଳ ଉପରେ ହସ୍ତଚାଳନ କରୁ କରୁ ଅନ୍ୟହସ୍ତରେ ରାଧା ତମାଳ ଫୁଲଟିଏ କବରୀରେ ଖଞ୍ଜିଦେଲେ ।

 

ଅର୍ଦ୍ଧ ନିମିଳିତ ଚକ୍ଷୁରେ କାଞ୍ଚନମାଳାର ସୌନ୍ଦର୍ଯ୍ୟ ଅଧିକ ଆକର୍ଷଣୀୟ ମନେହେଲା । ଏହି ସମୟରେ କୁଞ୍ଜ ବାହାରେ କାହାର ପଦଶବ୍ଦ ଶୁଣାଗଲା । ସଜିତ ହୋଇ ବସିଗଲେ ଦେବୀ କାଞ୍ଚନମାଳା । ଯୁବରାଜଙ୍କ ମୁହଁରୁ ସ୍ୱତଃ ବାହାରି ଆସିଲା–କିଏ; କିଏ ବାହାରେ ଅଛ ?

 

: ମୁଁ.... ମୁଁ ପଦ୍ମାଳୟା

 

: କିଛି ଅତି ଆବଶ୍ୟକ କାର୍ଯ୍ୟ ?

 

: ଆଜ୍ଞା, ପାଟଳୀପୁତ୍ରରୁ ସନ୍ଦେଶ ବାହକ ଆସିଛନ୍ତି । ଅତି ଆବଶ୍ୟକ ସମାଚାର ନେଇ-

 

: ଅଳ୍ପ ସମୟରେ ମୁଁ ରାଜଭବନରେ ପହଞ୍ଚିବି । ସନ୍ଦେଶ ବାହକକୁ ପ୍ରତୀକ୍ଷାଗାରରେ ରହିବାକୁ ନିର୍ଦ୍ଦେଶ ଦିଅ ।

 

ତମାଳ କୁଞ୍ଜର ସୁଖ ଅନୁଭୂତିକୁ ବାଧ୍ୟତାମୂଳକ ପରିସ୍ଥିତିରେ ପରିତ୍ୟାଗ କରି ଯୁବରାଜ ଦମ୍ପତି ରାଜଭବନରେ ଯଥାଶୀଘ୍ର ପହଞ୍ଚିଗଲେ । ପତ୍ରବାହକ ଅଭିବାଦନ ଜଣାଇ ଦଣ୍ଡାୟମାନ ହେଲା ସମ୍ମୁଖରେ ।

 

: ପାଟଳୀପୁତ୍ରର କି ସମାଚାର ଆଣିଛ ଜମ୍ବୁକ ?

 

: ସମାଚାର ଅତି ଦୁଃଖପୂର୍ଣ୍ଣ ଯୁବରାଜ ।

 

ଭୋଜପତ୍ରରେ ଲେଖାଯାଇଥିବା ପତ୍ର ଖଣ୍ଡେ ବଢ଼ାଇଦେଲା ଜମ୍ୱୁକ । ଯୁବରାଜ ଉଦ୍‌ବିଗ୍ନ ଅବସ୍ଥାରେ ପତ୍ର ପାଠ କରିବାକୁ ଲାଗିଲେ ।

 

: ଉଜ୍ଜୟିନୀର ଉପପ୍ରଜାପତି, ଯୁବରାଜ କୁନାଳଙ୍କୁ ପ୍ରିୟଦର୍ଶୀ ଶ୍ରୀ ସମ୍ରାଟଙ୍କର ସ୍ନେହପୂର୍ଣ୍ଣ ଆଶିଷ । ଅତି ଦୁଃଖର ସହିତ ଲେଖିବାକୁ ପଡ଼ୁଛି କି ମହାରାଣୀ ମିତ୍ରାଙ୍କର ଗତ ଅର୍କବାସରରେ ପରଲୋକ ପ୍ରାପ୍ତି ଘଟିଯାଇଛି । ଏପରି ଦୁଃଖଦ ପରିସ୍ଥିତିରେ ତୁମ୍ଭର ପାଟଳୀପୁତ୍ର ପହଞ୍ଚିବା ନିହାତି ଆବଶ୍ୟକ ।

 

ପତ୍ର ପାଠକରି ଯୁବରାଜ ଅଳ୍ପବୟସ୍କ ବାଳକ ପରି କ୍ରନ୍ଦନ କରିବାକୁ ଲାଗିଲେ ।

 

ଭୁଜପତ୍ର ଲିଖିତ ସମାଚାରଟି ଦେବୀ କାଞ୍ଚନମାଳା ମଧ୍ୟ ପାଠ କଲେ । ଅବାରିତ ଅଶ୍ରୁଧାରା ବହିଚାଲିଲା ନୟନ ଯୁଗଳରୁ ।

 

: ମହାରାଣୀ ମିତ୍ରାଙ୍କର ଅକାଳ ବିୟୋଗ ସମସ୍ତଙ୍କ ପାଇଁ ଅସହ୍ୟ ଥିଲା । ମହାମନ୍ତ୍ରୀ ଆପଣଙ୍କ ପାଖକୁ ଆଉ ଖଣ୍ଡିଏ ଗୁପ୍ତ ପତ୍ର ଦେଇଛନ୍ତି ।

 

: ଗୁପ୍ତ ପତ୍ର !

 

: ନିଅନ୍ତୁ ।

 

ଅଧୀର ମନରେ ପତ୍ର ପାଠ କରିବାକୁ ଲାଗିଲେ ଯୁବରାଜ ।

 

–ଧର୍ମ ବିବର୍ଧନ, ମୌର୍ଯ୍ୟ କୁଳଚନ୍ଦ୍ରମା, ଭାବି ସମ୍ରାଟ କୁନାଳଦେବଙ୍କୁ ମହାମନ୍ତ୍ରୀଙ୍କର ଯଥାବିଧି ସମ୍ମାନ । ମହାରାଣୀଙ୍କର ପରଲୋକ ଗମନ ସମାଚାର ପାଇ ଆପଣ ବ୍ୟଥିତ ହୋଇଥିବେ ନିଶ୍ଚୟ । ମା’ ନ ହୋଇ ମଧ୍ୟ ମା’ ପରି ସ୍ନେହ ଥିଲା ତାଙ୍କର ଆପଣଙ୍କ ପ୍ରତି । ତାଙ୍କର ଅକାଳ ବିୟୋଗର କାରଣ ଆପଣଙ୍କୁ ବିଦିତ ନୁହେଁ । ସେ ରହସ୍ୟ କେବଳ ମୋର ହୃଦୟ ଆବଦ୍ଧ-

 

ପ୍ରାୟ ଦୁଇବର୍ଷ ହେବ ମହାରାଣୀ ଚିନ୍ତାନଳରେ ଧୀରେ ଧୀରେ ଦଗ୍‌ଧ ହେଉଥିଲେ । ସେ ନିଜର ପ୍ରାଣ ବିସର୍ଜନ କଲେ ମାତ୍ର ବଂଶର ମର୍ଯ୍ୟାଦା ହାନି ହେବା ଯୋଗ୍ୟ ଘଟଣାକୁ ପ୍ରକାଶ କଲେନାହିଁ । କେବଳ ଏ ସାମ୍ରାଜ୍ୟ ଏବଂ ଆପଣଙ୍କର ହିତ ଦୃଷ୍ଟିରୁ ମୋତେ ବୃଦ୍ଧ ମହାମନ୍ତ୍ରୀ ଭାବି ମୋ ଆଗରେ ତାଙ୍କ ଚିନ୍ତାର କାରଣ କହିଯାଇଛନ୍ତି ।

 

ପରିଚାରିକା ଶ୍ରେଷ୍ଠୀ ତଷ୍ୟରକ୍ଷିତାକୁ ସମ୍ରାଟ ସ୍ନେହରେ ଡାକନ୍ତି ତରଙ୍ଗବାଳା ଏହି ସାଧାରଣ ସ୍ନେହ ଶ୍ରଦ୍ଧାର ଉନ୍ନତି ଘଟିଛି କାମନା ଜନିତ ଦୈହିକ ମିଳନର ସ୍ତରକୁ । ତରଙ୍ଗବାଳା ପ୍ରିୟଦର୍ଶୀଙ୍କର ପ୍ରିୟତମା ରୂପେ ତାଙ୍କର ମନ ମସ୍ତିଷ୍କକୁ ନିୟନ୍ତ୍ରଣ କରୁଛି । ବୌଦ୍ଧ ମହାସଭା ପରେ ଦିନେ ମହାରାଣୀ ମିତ୍ରା ସ୍ୱଚକ୍ଷୁରେ ସମ୍ରାଟ ଏବଂ ପରିଚାରିକାର ସ୍ନେହ ସମ୍ଭାଷଣ ଦେଖିଛନ୍ତି । ସେହିଦିନଠାରୁ ତାଙ୍କର ମାନସିକ ଚିନ୍ତା ବୃଦ୍ଧି ପାଇ ପାଇ ଶେଷରେ ଇହଲୀଳାକୁ ସାଙ୍ଗ କରାଇଲା-

 

ମୃତ୍ୟୁ ପୂର୍ବରୁ ଆପଣଙ୍କର ମଙ୍ଗଳ କାମନା କରି ମହାରାଣୀ ନିର୍ଦ୍ଦେଶ ଦେଇଥିଲେ କେବଳ ଏ ବିଷୟ ଆପଣଙ୍କୁ ଅବଗତ କରାଇଦେବା ନିମିତ୍ତ । ସମ୍ରାଟଙ୍କ ହୃଦୟରେ ତରଙ୍ଗବାଳାର ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଉଛି । ମହାରାଣୀଙ୍କ ମତରେ ଦିନେ ଏହା ଆପଣଙ୍କ ପାଇଁ ଘାତକ ସିଦ୍ଧ ହୋଇପାରେ ।

 

ପତ୍ରଟିକୁ ହାତରେ ଧରି କାଞ୍ଚନମାଳା ଉପରେ ଗମ୍ଭୀରତାର ସହ ଦୃଷ୍ଟି ନିକ୍ଷେପ କଲେ ଯୁବରାଜ । କାଞ୍ଚନମାଳା ତାଙ୍କ ହସ୍ତରୁ ପତ୍ରଟି ନେଇ ଧୀରେ ଧୀରେ ପଢ଼ିବାକୁ ଲାଗିଲେ ।

 

ହତ୍ୟା ଏବଂ ପାପପ୍ରଣୟ ସହଜରେ ଲୁକ୍‌କାୟିତ ହୋଇ ରହେନାହିଁ । ପରିଚାରିକା ଶ୍ରେଷ୍ଠୀ ତିଷ୍ୟରକ୍ଷିତା ଏବଂ ପ୍ରିୟଦର୍ଶୀ ସମ୍ରାଟ ଅଶୋକଙ୍କର ଅବୈଧ ସମ୍ପର୍କ ବିଷୟରେ ପ୍ରକାର ପ୍ରକାର ସମାଲୋଚନା ଚାଲିଛି ରାଜଧାନୀ ପାଟଳୀପୁତ୍ର ମଧ୍ୟରେ । ଗୁପ୍ତଚର ସଙ୍ଗଠନର ଅଧ୍ୟକ୍ଷଙ୍କ ଠାରୁ ସମାଚାର ପାଇବା ପରେ ମହାମନ୍ତ୍ରୀ ଅତିଶୟ ବ୍ୟଥିତ ।

 

ରାଜଧାନୀରେ ସମ୍ରାଟଙ୍କ ଚରିତ୍ର ସମ୍ପର୍କରେ ଯେଉଁ ଅଶୋଭନୀୟ ସମାଲୋଚନା ଚାଲିଛି, ସ୍ୱୟଂ ସମ୍ରାଟ ସେ ବିଷୟରେ ଅନଭିଜ୍ଞ । ତରଙ୍ଗବାଳାର ସ୍ନେହ, ଶ୍ରଦ୍ଧା, ପ୍ରେମ ତାଙ୍କୁ ମହାରାଣୀଙ୍କ ମୃତ୍ୟୁ ଜନିତ ଯନ୍ତ୍ରଣା ରାଜ୍ୟରୁ ନୈସର୍ଗିକ ସୁଖ ରାଜ୍ୟକୁ ଆକର୍ଷିତ କରି ଆଣିପାରିଛି-। ସମ୍ରାଟଙ୍କର ଅଧିକାଂଶ ସମୟ ବ୍ୟତୀତ ହେଉଛି ରାଜପ୍ରସାଦର ଅନ୍ତଃପୁରରେ ।

 

ନଗର ପ୍ରଜାପରିଷଦର ସଭ୍ୟମାନଙ୍କ ମଧ୍ୟରେ ଏ ବିଷୟରେ ନାନାପ୍ରକାର ଆଲୋଚନା ଚାଲିଛି । ବୌଦ୍ଧ ଧର୍ମର ତ୍ୟାଜ୍ୟ ବସ୍ତୁ ଅଙ୍ଗୁରୀ ଆସବ ପାନକରି ସମ୍ରାଟ ଗୋଟାଏ ପରିଚାରିକାର ପଣତକାନିରେ ବନ୍ଧା ହୋଇ ପଡ଼ିଛନ୍ତି । ସାରା ସଂସାରକୁ ଧର୍ମ ଉପଦେଶ ଦେଇ ନିଜେ ଧର୍ମର ବିରୁଦ୍ଧାଚରଣ କରୁଛନ୍ତି । ଏଇ କଅଣ ଧର୍ମାଶୋକଙ୍କର ଭିତିରି ସ୍ୱରୂପ !

 

କୌଣସି ପ୍ରକାରେ ସମ୍ରାଟଙ୍କୁ ଉପଯୁକ୍ତ ମାର୍ଗକୁ ଫେରାଇ ଆଣିବାକୁ ହେବ । ମହାମନ୍ତ୍ରୀ ମନେମନେ ଉପାୟ ସ୍ଥିର କରି ସମ୍ରାଟଙ୍କୁ ସାକ୍ଷାତ କରିବାକୁ ବାହାରିପଡ଼ିଲେ ।

 

ଶୟନ କକ୍ଷର ବହିଃସ୍ଥ ଦ୍ୱାରରେ ସଶସ୍ତ୍ର ପ୍ରହରୀ ଦଣ୍ଡାୟମାନ । ତା’ପର ଦ୍ୱାର ଦେଶରେ ପରିଚାରିକା ପାଞ୍ଚଜଣ କାଷ୍ଠ ଆସନ ଉପରେ ବସି ଧୀର ସ୍ୱରରେ ଆଳାପ କରୁଛନ୍ତି । ନୀଳରଙ୍ଗର ପରଦା ନିକଟରେ କାଷ୍ଠ ଆସନ ଉପରେ ଆଉ ଦୁଇଜଣ ପରିଚାରିକା ଆଦେଶ ଅପେକ୍ଷାରେ ଉତ୍‌କର୍ଣ୍ଣ ହୋଇ ବସିଛନ୍ତି ।

 

ମହାମନ୍ତ୍ରୀଙ୍କର ଆଗମନରେ ପ୍ରହରୀ ସତର୍କ ହେଲା । ଯଥାରୀତି ଅଭିବାଦନ ଜଣାଇ ପୁଣି ପୂର୍ବ ଅବସ୍ଥାକୁ ଫେରିଗଲା । ଦ୍ୱିତୀୟ ଦ୍ୱାର ନିକଟରୁ ଦୁଇଜଣ ପରିଚାରିକା ଚଞ୍ଚଳ ପଦକ୍ଷେପରେ ଆସି ସମ୍ମାନ ଜଣାଇ ଆଦେଶ ପାଇଁ ଅପେକ୍ଷା କଲେ ।

 

: ସମ୍ରାଟଙ୍କୁ ନିବେଦନ କର ଯେ ମହାମନ୍ତ୍ରୀ ଅତି ଆବଶ୍ୟକ କାର୍ଯ୍ୟରେ ସାକ୍ଷାତ କରିବାକୁ ଇଚ୍ଛାକରନ୍ତି ।

 

ଅଭିବାଦନ ଜଣାଇ ପରିଚାରିକା ଭିତରକୁ ପ୍ରସ୍ଥାନ କଲା । ଅଳ୍ପ ସମୟ ପରେ ଫେରିଆସି ଜଣାଇଲା–ଦେବୀ ତିଷ୍ୟରକ୍ଷିତାଙ୍କର ନିର୍ଦ୍ଦେଶ ଯେ ବର୍ତ୍ତମାନ ସମ୍ରାଟଙ୍କର ଦର୍ଶନ ହୋଇପାରିବ ନାହିଁ ।

 

ଚଳିତ ହୋଇ ଚମକିପଡ଼ିଲେ ମହାମନ୍ତ୍ରୀ । କ୍ରୋଧର ତରଙ୍ଗ ପ୍ରବାହିତ ହେଲା ମସ୍ତିଷ୍କରେ । ପରିଚାରିକା ଶ୍ରେଷ୍ଠୀ ନିର୍ଦ୍ଦେଶ ଦେବ ମହାମନ୍ତ୍ରୀଙ୍କୁ !

 

: ସମ୍ରାଟ ସେ କକ୍ଷରେ ଉପସ୍ଥିତ ଅଛନ୍ତିନା ?

 

: ଅଛନ୍ତି । ଧୀର ସ୍ୱରରେ ପରିଚାରିକା ଉତ୍ତର ଦେଲା । ମନ୍ତ୍ରୀଙ୍କର ଆରକ୍ତ ନୟନ ଯୁକ୍ତ କୋପ ମୁଦ୍ରା ଦେଖି ସେ ବିଚାରୀ ଭୟବିହ୍ୱଳା ।

 

: ସମ୍ରାଟ ସ୍ୱୟଂ କିଛି କହିଲେ ?

 

: ନାହିଁ, ଆ... ଜ୍ଞା ।

 

ମଧ୍ୟମା ଅଙ୍ଗୁଳିର ରତ୍ନଜଟିତ ମୁଦ୍ରିକା ବାହାର କରି ମହାମନ୍ତ୍ରୀ ପୁଣି ସଙ୍କେତ ଦେଲେ ପରିଚାରିକାକୁ ।

 

: ନିଅ, ଏ ମୁଦ୍ରିକା ସମ୍ରାଟଙ୍କୁ ଦେଖାଅ ।

 

ପରିଚାରିକା ମୁଦ୍ରିକା ନେଇ ପୁଣି ଶୟନ କକ୍ଷରେ ଉପସ୍ଥିତ ହେଲା । ମସ୍ତକ ଅବନତ କରି ଗଜଦନ୍ତ ପଲଙ୍କ ପର୍ଯ୍ୟନ୍ତ ଯାଇ ସମ୍ରାଟଙ୍କୁ ଅର୍ପଣ କଲା ମୁଦ୍ରିକାଟିକୁ । ସମ୍ରାଟ ଚମକିଉଠିଲେ-। ତରଙ୍ଗବାଳା ଅସହିଷ୍ଣୁ ସ୍ୱରରେ କହିଲା–

 

: କଅଣ ଘଟଣା ମହାରାଜ ?

 

: ମହାମନ୍ତ୍ରୀ କୌଣସି ଅତି ଜଟିଳ ବିଷୟ ଜଣାଇବାକୁ ଇଚ୍ଛା କରନ୍ତି !

 

: ତାଙ୍କୁ ପରା ମନାକରି ପଠାଇଥିଲି ।

 

: ରାଜ୍ୟ ଶାସନର ସବୁ ବିଷୟ ତୁମେ ଜାଣିନାହଁ ତରଙ୍ଗ । ମୁଦ୍ରିକା ପଠାଇବାର ଅର୍ଥ, ମୁଁ ଯେଉଁ ଅବସ୍ଥାରେ ଥାଏ ନା କାହିଁକି, ସାକ୍ଷାତ କରିବା ନିହାତି ଆବଶ୍ୟକ ।

 

ତରଙ୍ଗବାଳା ଅଭିମାନ ସ୍ୱରୂପ ମୁହଁ ବୁଲାଇନେଲା ।

 

: ପାର୍ଶ୍ୱ ପ୍ରକୋଷ୍ଠକୁ ଯାଅ ତରଙ୍ଗ । ମହାମନ୍ତ୍ରୀଙ୍କ ପ୍ରସ୍ଥାନ ପରେ ଫେରିଆସିବ ।

 

: ମହାମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ କହ ରଞ୍ଜନା ।

 

ରଞ୍ଜନା ଦ୍ୱାରଦେଶ ପର୍ଯ୍ୟନ୍ତ ପଛେଇ ପଛେଇ ଚାଲିଗଲା ମସ୍ତକ ଅବନତ କରି । ସମ୍ବାଦ ପାଇ ମହାମନ୍ତ୍ରୀ ଭିତରକୁ ପ୍ରବେଶ କଲେ । ଅଭିବାଦନ ଜଣାଇ ଚାହିଁ ରହିଲେ, ସମ୍ରାଟଙ୍କୁ-। ତାଙ୍କର ଆରକ୍ତ ନୟନ ଯୁକ୍ତ କୋପ ମୁଦ୍ରା ଦେଖି ମହାରାଜ ଅଶୋକ ଟିକିଏ ଶଙ୍କିତ ସ୍ୱରରେ ପଚାରିଲେ ।

 

: କୁହନ୍ତୁ ମହାମନ୍ତ୍ରୀ ।

 

: ମହାମନ୍ତ୍ରୀ ପଦରୁ ମୁଁ ବର୍ତ୍ତମାନ ଅବ୍ୟାହତି ଚାହେଁ । ଅସହ୍ୟ ଅପମାନ ଜନକ ପରିସ୍ଥିତିରେ ସାମ୍ରାଜ୍ୟ ପରିଚାଳନା ଏକାନ୍ତ କଷ୍ଟଦାୟକ ହୋଇପଡ଼ିଲାଣି ।

 

: ମୌର୍ଯ୍ୟ ସାମ୍ରାଜ୍ୟର ମହାମନ୍ତ୍ରୀଙ୍କୁ ଅପମାନିତ କରିବା ପରି ଧୃଷ୍ଟତା କିଏ କଲା ।

 

: ଆପଣଙ୍କ ଉପସ୍ଥିତିରେ ପରିଚାରିକା ଶ୍ରେଷ୍ଠୀ ନିର୍ଦ୍ଦେଶ ଦେବ ମହାମନ୍ତ୍ରୀଙ୍କୁ, ଆଉ ଆପଣ ମୌନ ସମ୍ମତି ଜଣାଇବେ ? ମୌର୍ଯ୍ୟ ଶିରୋମଣି, ମୋର ଧୃଷ୍ଟତା କ୍ଷମା କରନ୍ତୁ । ଏତେ ବର୍ଷ ଆପଣଙ୍କ ସେବା କରିବା ପରେ ବୃଦ୍ଧ ଅବସ୍ଥାରେ ଏପରି ଅନାଦର ଅସହ୍ୟ ଲାଗୁଛି ।

 

‘‘.........’’

 

ସମ୍ରାଟ କେବଳ ମୌନ ରହି ମୁଖ ପୋତିଲେ ତଳକୁ ।

 

: କ୍ଷମା କରିବେ ଶ୍ରୀ ସମ୍ରାଟ । ମୁଁ ବିଷମ ପରିସ୍ଥିତିରେ ପଡ଼ି ବିଚଳିତ ଅବସ୍ଥାରେ ଅଛି । ପିଲାଟିଦିନୁ ଆପଣଙ୍କୁ କୋଳରେ ଧରି ସ୍ନେହ ଆଦରର ସହ ମୁଁ ପାଳିଆଣିଛି । ଆଜି ଏ ପ୍ରକାର ଆପଣଙ୍କର ନିନ୍ଦା, ସମାଲୋଚନା ମୋର ମନ ମସ୍ତିଷ୍କକୁ ବିଚଳିତ କରିଛି ।

 

: କିଛି ଅପରାଧ ଆପଣଙ୍କର ନାହିଁ ମହାମନ୍ତ୍ରୀ । ଅପରାଧୀ ସ୍ୱୟଂ ମୁଁ । ମୋର ହୃଦୟ ନିୟନ୍ତ୍ରଣରୁ ବାହାରକୁ ଚାଲିଯାଉଛି ।

 

: ସାଧାରଣ ପ୍ରଜାର ହୃଦୟଠାରୁ ଅତି ଉଚ୍ଚରେ ସମ୍ରାଟଙ୍କ ହୃଦୟ । ପରିଚାରିକା ଶ୍ରେଷ୍ଠୀ ସହ ଆପଣଙ୍କର ସମ୍ପର୍କ ପ୍ରଜା ପରିଷଦର ସଭ୍ୟମାନେ ଆଲୋଚନା କଲେଣି ।

 

.........

 

: ସେମାନେ କହୁଛନ୍ତି, ପ୍ରଜାବର୍ଗଙ୍କୁ ଧର୍ମପାଳନର ଉପଦେଶ ଦେଇ ଶ୍ରୀ ସମ୍ରାଟ କିପରି ଧର୍ମର ବିରୁଦ୍ଧାଚରଣ କରୁଛନ୍ତି ! ଏ ପରିଣତ ବୟସରେ ଗୋଟାଏ ପରିଚାରିକା ଯୁବତୀର ବାହୁଯୁଗଳର ଆଲିଙ୍ଗନରେ ନିଜକୁ ହଜାଇଦେଇ ରାଜ୍ୟର ଖବର କିଛି ବୁଝୁନାହାନ୍ତି । ଆସନ୍ତାକାଲି ନଗର ପ୍ରଜା ପରିଷଦ ସଭାରେ ଖୋଲା ଖୋଲି ଏ ବିଷୟ ଆଲୋଚିତ ହେବ ।

 

ଗୁପ୍ତଚର ଅଧ୍ୟକ୍ଷଙ୍କ ଠାରୁ ସମ୍ବାଦ ପାଇ ମୁଁ ବିବ୍ରତ ହୋଇପଡ଼ିଛି ।

 

ସମସ୍ତ ଅଙ୍ଗୁରୀ ଆସବର ନିଶା ସମ୍ରାଟଙ୍କ ମସ୍ତିଷ୍କରୁ କ୍ଷଣକେ ଉଡ଼ିଗଲା । ଲଲାଟରେ ଘର୍ମ ବିନ୍ଦୁ ଦେଖାଦେଲା । ପ୍ରକୃତିସ୍ଥ ହୋଇ ସମ୍ରାଟ ବସିଲେ । ମହାମନ୍ତ୍ରୀଙ୍କୁ ସଙ୍କୋଚରେ ନିଜ ପାଖରେ ବସିବାକୁ ଅନୁରୋଧ କଲେ । ଧୀର ସ୍ୱରରେ ପଚାରିଲେ ।

 

: ତେବେ କୁହନ୍ତୁ ମହାମନ୍ତ୍ରୀ, ଏ ପରିସ୍ଥିତିରୁ କିପରି ରକ୍ଷାପାଇବା ।

 

: କେବଳ ଏକମାତ୍ର ଉପାୟ ତିଷ୍ୟରକ୍ଷିତାକୁ ମହାରାଣୀ ପଦରେ ଅଧିଷ୍ଠିତ କରାଇବା । ତା’ହେଲେ ଆପଣ ଭଗ୍ନ ହୃଦୟ ନେଇ ବଞ୍ଚିବାକୁ ପଡ଼ିବ ନାହିଁ କି ପ୍ରଜାବର୍ଗରେ ଆଉ ନିନ୍ଦିତ ହେବାର ଅବକାଶ ରହିବ ନାହିଁ ।

 

: ଏ ସମ୍ପର୍କରେ କିଛି ସମୟ ଏକାନ୍ତରେ ଚିନ୍ତା କରି ଆପଣଙ୍କୁ ଜଣାଇବି । ଆପଣ ବହିଃସ୍ଥ ଦ୍ୱାର ନିକଟରେ ଅପେକ୍ଷା କରିଥାଆନ୍ତୁ ।

 

ମହାମନ୍ତ୍ରୀ ଚାଲିଗଲେ ଦ୍ୱାର ନିକଟକୁ । ମହାରାଜ ଅଶୋକ ଦୁଇହାତରେ ମୁଣ୍ଡକୁ ଚାପିରଖି କିଛି ସମୟ ଚିନ୍ତା କରିବାକୁ ଲାଗିଲେ । ମନ ମଧ୍ୟରେ ବିଚାରଧାରାର ସଂଘର୍ଷ ଚାଲିଲା । ଧୀରେ ଧୀରେ ମୁଖମଣ୍ଡଳରେ ପ୍ରସନ୍ନତାର ଚିହ୍ନ ଦେଖାଦେଲା । ସଙ୍କେତ ଦେଲେ ତରଙ୍ଗବାଳାକୁ ଅନ୍ୟ ପ୍ରକୋଷ୍ଠରୁ ଆସିବାପାଇଁ ।

 

ତରଙ୍ଗବାଳା ଶଙ୍କିତ ଅବସ୍ଥାରେ ଧୀରେ ଆସି ସମ୍ରାଟଙ୍କ ସମ୍ମୁଖରେ ଉପସ୍ଥିତ ହେଲା । ପ୍ରସନ୍ନ ବଦନରେ ଆଲିଙ୍ଗନ କଲେ ପ୍ରିୟଦର୍ଶୀ ।

 

: ଯଥାଶୀଘ୍ର ଦେବୀ ତରଙ୍ଗବାଳା ରାଜରାଣୀ ପଦରେ ଅଧିଷ୍ଠିତା ହେବାକୁ ଯାଉଛନ୍ତି ।

 

: ଉପହାସ କରନ୍ତୁ ନାହିଁ ମହାରାଜ । ଆପଣଙ୍କ ସ୍ନେହଶ୍ରଦ୍ଧା ଚିରଦିନ ରହୁ । ମୋର ଏତିକି କାମନା ।

 

: ଉପହାସ କରୁନାହିଁ ପ୍ରିୟେ । ଆଜିଠାରୁ ସମ୍ରାଟ ଅଶୋକଙ୍କର ହୃଦୟେଶ୍ୱରୀ ସାରା ମୌର୍ଯ୍ୟ ସାମ୍ରାଜ୍ୟର ଅଧୀଶ୍ୱରୀ । ଯଥାଶୀଘ୍ର ବିଧିବଦ୍ଧ ଘୋଷଣା କରିବାର ଆୟୋଜନ ମୁଁ କରୁଛି ।

 

ଆନନ୍ଦ ଅତିଶଯ୍ୟରେ ତରଙ୍ଗବାଳା ସମ୍ରାଟଙ୍କୁ ନିବିଡ଼ ବାହୁପାଶରେ ବନ୍ଧନ କଲା । ସମ୍ରାଟ ଧୀରେ ନିଜକୁ ମୁକ୍ତ କରିନେଇ ମହାରାଣୀଙ୍କ ସ୍ୱର୍ଣ୍ଣ କିରିଟୀ ଘେନି ଆସିଲେ । ତରଙ୍ଗବାଳାର ମସ୍ତକରେ ପିନ୍ଧାଇଦେଇ ସ୍ୱର୍ଣ୍ଣ ଆସନରେ ହସ୍ତ ଧାରଣ ପୂର୍ବକ ବସାଇଲେ । ଧୀରେ ତାଳି ବଜାଇବା ମାତ୍ରକେ ପରିଚାରିକା ରଞ୍ଜନା ଉପସ୍ଥିତ ହେଲା ।

 

: ମହାମନ୍ତ୍ରୀଙ୍କୁ ଭିତରକୁ ନେଇଆସ ।

 

ମହାମନ୍ତ୍ରୀ ଭିତରକୁ ଆସି ଯେଉଁ ଦୃଶ୍ୟ ଦେଖିଲେ ସେଥିରେ ଆଶ୍ଚର୍ଯ୍ୟ କରିବାର କିଛି ନଥିଲା । ସମ୍ରାଟଙ୍କ ବାମ ପାର୍ଶ୍ୱରେ ସ୍ୱର୍ଣ୍ଣ କିରିଟୀ ପରିହିତା ତରଙ୍ଗବାଳା ସ୍ୱର୍ଣ୍ଣ ଆସନରେ ବସିଛନ୍ତି-

 

: ରାଜାରାଣୀଙ୍କର ଜୟ ହେଉ ।

 

ଅଭିବାଦନ ଜଣାଇଲେ ମହାମନ୍ତ୍ରୀ ।

 

: ସାମ୍ରାଜ୍ୟ ସାରା ଘୋଷଣା କରଦିଅ ମହାମନ୍ତ୍ରୀ । ଶୁଭ ବିବାହର ଯଥାଶୀଘ୍ର ଆୟୋଜନ କରାଯାଉ ।

 

: ଆଜ୍ଞା ମହାରାଜ, ଯୁବରାଜ କୁନାଳଙ୍କୁ ମଧ୍ୟ ସୂଚନା ଦିଆଯିବ ନା ?

 

: ନିଶ୍ଚୟ । କାଞ୍ଚନମାଳା ଆଉ ସଂପ୍ରତିଙ୍କୁ ସାଙ୍ଗରେ ଆଣିବାପାଇଁ ଲେଖିଥିବ । ଦଶରଥ ପାଖକୁ ମଧ୍ୟ ସମାଚାର ପଠାଇବ । କିନ୍ତୁ ସିଂହଳରୁ ଏତେ ଚଞ୍ଚଳ ମହେନ୍ଦ୍ର ଆଉ ସଂଘମିତ୍ରା ଆସିପାରିବେ ନାହିଁ । ସେମାନଙ୍କ ପାଖକୁ କେବଳ ସାଧାରଣ ସୂଚନା ପଠାଇବ ।

 

ନୂତନ ରାଜ ଦମ୍ପତିଙ୍କୁ ଅଭିବାଦନ ଜଣାଇ ଫେରିଆସିଲେ ମହାମନ୍ତ୍ରୀ ।

 

ଶ୍ୟାମ ଯାଉଛି ମଥୁରା

ନନ୍ଦରାଣୀ ଢାଳେ ଲୁହ

କିଶୋରୀଙ୍କୁ କି କହିବି

କଳାକାହ୍ନୁ କହିଯାଅ

କାନ୍ଦେ ଧବଳୀ ଶ୍ୟାମଳୀ

କାନ୍ଦଇ ତମାଳ ବନ

କାନ୍ଦେ ବୃଷଭାନୁ ସୁତା

ନ ଶୁଣି ମୁରଲୀ ସ୍ୱନ.....

ଆତ୍ମ ସମର୍ପଣ ପ୍ରୀତି

ପ୍ରତିଦାନ ଜାଣିନାହଁ

କିଶୋରୀଙ୍କୁ କି କହିବି

କଳାକାହ୍ନୁ କହିଯାଅ ।

 

ଧୀରେ ଧୀରେ ଲତା ଉହାଡ଼ରୁ ଆସି କାଞ୍ଚନମାଳାର ଆଖି ଦୁଇଟି ବୁଜିଧରିଲେ ଯୁବରାଜ କୁନାଳ । ତାଙ୍କର ହାତ ଦୁଇଟିକୁ ଦୃଢ଼ ଭାବରେ କାଞ୍ଚନମାଳା ଧରିପକାଇଲେ ।

 

: ଚୋର କେଉଁଠିକାର ।

 

: ଏଥିରେ ଚୋରୀ କଥା କଅଣ ରହିଲା ?

 

: ଲତା ଉହାଡ଼ରେ ଲୁଚି ଗୀତ ଶୁଣିବାର ମାନେ....

 

: ମାନେ.....ସମ୍ମୁଖକୁ ଆସିଲେ ମୁଖାରବିନ୍ଦ ବନ୍ଦ ହୋଇଯିବାର ଆଶଙ୍କା । ଯାହେଉ, ଗୀତଟି ବଡ଼ ମଧୁର କିନ୍ତୁ ବେଦନା ଦାୟକ । ସନ୍ଧ୍ୟା ସମୟରେ ଆଜି ଏପରି ଭାବନା କାହିଁକି ?

 

: ଜାଣେନା, ଏକାକୀ ବସି ବସି କାହିଁକି ମନରୁ ଏପରି ଗୀତ ସ୍ୱତଃ ବାହାରିଆସିଲା । ଆପଣଙ୍କୁ ରାଜକାର୍ଯ୍ୟରୁ ଅବସର ମିଳିଲା ଏତେବେଳକୁ ?

 

: କଅଣ କରାଯାଏ କାଞ୍ଚନ; ପ୍ରଜାବର୍ଗର ସୁଖ ଦୁଃଖ ଦେଖିବା ତ ଆମର କର୍ତ୍ତବ୍ୟ । ସେଥିପାଇଁ ବ୍ୟକ୍ତିଗତ ସୁଖ କିଛି ତ୍ୟାଗ ନ କଲେ କର୍ମଚାରୀମାନେ ଯେ ସ୍ୱେଚ୍ଛାଚାରୀ ହୋଇପଡ଼ିବେ ।

 

: ଯଥାର୍ଥ କହିଲ ପ୍ରିୟ । ଏ ମଧ୍ୟରେ ପାଟଳୀପୁତ୍ରରୁ ଆଉ କିଛି ସମାଚାର ଆସିନାହିଁ ?

 

: ନା.... ମହାମନ୍ତ୍ରୀ ଆଉ କିଛି ସମାଚାର ପଠାଇ ନାହାନ୍ତି ।

 

: ପରିଚାରିକା ଶ୍ରେଷ୍ଠୀ ସହିତ ସମ୍ରାଟଙ୍କର ଅନୁଚିତ ସମ୍ପର୍କ ଏ ଭିତରେ କେତେଦୂର ଆଗେଇଛି; ଆମେ ଜାଣିବା ଆବଶ୍ୟକ ।

 

: ମୁଁ ଭାବୁଛି ଗୋଟିଏ ଗୁପ୍ତଚରକୁ କାଲି ମହାମନ୍ତ୍ରୀଙ୍କ ପାଖକୁ ପଠାଇବି ।

 

ଦୂରରୁ କେହିଜଣେ ପରିଚାରିକାକୁ ଆସିବା ଦେଖି କୁନାଳ ମୌନ ରହିଲେ । ପରିଚାରିକା ହାତରେ ପତ୍ର ଖଣ୍ଡିଏ ନେଇ ପହୁଞ୍ଚିଲା । ଯୁବରାଜ ଏବଂ ଯୁବରାଣୀଙ୍କୁ ଯଥାବିଧି ସମ୍ମାନ ଜଣାଇ ପତ୍ର ଖଣ୍ଡିକ ବଢ଼ାଇଦେଲା ।

 

: ପତ୍ର କିଏ ଦେଇଛି ମନୋରମା !

 

: ପ୍ରଜାପତି ମହାଶୟ । ପାଟଳୀ ପୁତ୍ରରୁ ଜଣେ ସନ୍ଦେଶବାହକ ଏ ପତ୍ର ନେଇ ଆସିଥିଲା ।

 

: ଠିକ୍‌ ଅଛି, ତୁମେ ଯାଅ ।

 

ଉତ୍ସୁକତାର ସହିତ ପତ୍ର ଖୋଲି ଦେଖିଲେ ଯୁବରାଜ ।

 

: ଦେବୀ କାଞ୍ଚନମାଳା, ଏ ତ ନିମନ୍ତ୍ରଣ ପତ୍ର !

 

: ନିମନ୍ତ୍ରଣ ପତ୍ର !

 

: ହଁ, ସମ୍ରାଟଙ୍କର ବିବାହ ପରିଚାରିକା ଶ୍ରେଷ୍ଠୀ ସହିତ ।

 

: ମୁଁ ଦେଖୁଛି, ସମ୍ରାଟ ତ ଧର୍ମପ୍ରଚାର ତ୍ୟାଗ କରି ପ୍ରେମ ପ୍ରଚାର ଆରମ୍ଭ କରିଦେଲେଣି-

 

: ତୁମେ ମଧ୍ୟ ସେହିପରି କାର୍ଯ୍ୟ ଆରମ୍ଭ କରିଦିଅ ଦେବୀ ।

 

: ମୁଁ ତ ଜଣକୁ ଦୀକ୍ଷା ଦେଇସାରିଛି ।

 

ଚକ୍ଷୁରେ ଚକ୍ଷୁ ମିଳାଇ କାଞ୍ଚନମାଳା ବସିପଡ଼ିବାରୁ କୁନାଳ ଓଲଟ ଲଜ୍ଜିତ ହେବାର ଭଙ୍ଗୀ କରି ମୁହଁ ବୁଲାଇନେଲେ । ତାଙ୍କର ଓଠକୁ ହାତରେ ଧରି ବୁଲାଇଦେଲେ ଯୁବରାଣୀ ।

 

: ଏ ବିବାହ ଉତ୍ସବରେ ଆମ୍ଭେମାନେ ସମ୍ମିଳିତ ହେବା କଅଣ ଉଚିତ ହେବ ?

 

: ପିତାଙ୍କର ନିର୍ଦ୍ଦେଶ ଅନୁସାରେ ତ କାର୍ଯ୍ୟ କରିବାକୁ ପଡ଼ିବ ଦେବୀ ।

 

: ଏପରି ଲାଗୁଛି, ଏ ବିବାହ ଆମର ସୁନା ସଂସାରକୁ ଚୂନା କରିଦେବ ।

 

: ଅମୂଳକ ଆଶଙ୍କା କରନାହିଁ କାଞ୍ଚନ ।

 

: ଆଶଙ୍କା ଅମୂଳକ ନୁହେଁ; ତିଷ୍ୟରକ୍ଷିତାର ପ୍ରେମରେ ବଶୀଭୂତ ହୋଇ ସମ୍ରାଟ ତା’ ସନ୍ତାନକୁ ରାଜ ସିଂହାସନ ଭବିଷ୍ୟତରେ ଦେଇପାରନ୍ତି ।

 

: ଏପରି ଅମଙ୍ଗଳ ଆଶଙ୍କା କରନାହିଁ ପ୍ରିୟେ । ମୋର ମା’ ପଦ୍ମାବତୀଙ୍କ ମୃତ୍ୟୁ ପରେ ବିମାତା ମିତ୍ରା ଦେବୀ ନିଜର ପୁତ୍ର ସମ ମୋତେ ସ୍ନେହ ଶ୍ରଦ୍ଧା ଦେଇଆସିଥିଲେ । ତାଙ୍କର ବିୟୋଗ ପରେ ମୁଁ ମାତୃ ସ୍ନେହରୁ ବଞ୍ଚିତ ଥିଲି । ମାତା ତିଷ୍ୟରକ୍ଷିତା କେବେହେଲେ ଏଡ଼େ ସ୍ୱାର୍ଥପର ହେବେନାହିଁ । ଆମ୍ଭେମାନେ କାଲି ପ୍ରାତଃକାଳରେ ଏଠାରୁ ପ୍ରସ୍ଥାନ କରିବା ।

 

ପରଦିନ ପ୍ରାତଃକାଳରେ ଗୋଟିଏ ସୁନ୍ଦର ସୁସଜ୍ଜିତ ରଥ ଉପରେ ଯୁବରାଜ, କାଞ୍ଚନମାଳା ଏବଂ ସଂପ୍ରତି ଆରୋହଣ କଲେ । ବେଗଗାମୀ ଅଶ୍ୱ ଚାରୋଟି ମହାରଥୀର ଚାବୁକ ଖାଇ ପବନ ସହ ତାଳଦେଇ ଧାଇଁବାକୁ ଲାଗିଲେ । ତାଙ୍କ ପଛରେ ଅନ୍ୟ ଏକ ରଥରେ ଆଠଜଣ ସଶସ୍ତ୍ର ସୈନିକ ମଧ୍ୟ ଚାଲିଥାଆନ୍ତି ।

 

ସପ୍ତାହରୁ ଅଧିକ କାଳ ବିଭିନ୍ନ ଜନପଦ ଏବଂ ଦୁର୍ଗମ ଅରଣ୍ୟ ପଥ ଦେଇ ରଥ ଚାଲିବା ପରେ ପାଟଳୀପୁତ୍ର ଉପକଣ୍ଠରେ ପହଞ୍ଚିଲା । ଗୋଟିଏ ସରୋବର ନିକଟରେ ସୁଶୀତଳ ଆମ୍ବ ବଗିଚା ଦେଖି ରଥ ଦୁଇଟି ରଖିବାପାଇଁ ଯୁବରାଜ ଆଦେଶ ଦେଲେ । ସେଠାରୁ ଗୋଟିଏ ପାଇକ ଅଶ୍ୱ ଆରୋହଣ ପୂର୍ବକ ଚାଲିଲା ମହାମନ୍ତ୍ରୀଙ୍କୁ ସମ୍ବାଦ ଦେବାପାଇଁ ।

 

ପ୍ରାୟ ଦୁଇଘଡ଼ି ବିଶ୍ରାମ ପରେ ଯୁବରାଜ ନଗର ପ୍ରବେଶ କରିବାପାଇଁ ମନସ୍ଥ କଲେ । ମୁଖ୍ୟ ସେନାପତି କେତେଜଣ ସୈନିକ ସଙ୍ଗରେ ନେଇ ଯୁବରାଜଙ୍କୁ ସ୍ୱାଗତ କରି ନେବା ପାଇଁ ଆସି ପହଞ୍ଚିଗଲେ । ଅତି ଆନନ୍ଦ ମନରେ ଯୁବରାଜ କୁନାଳ ନଗର ପ୍ରବେଶ କଲେ । କୁନାଳ, କାଞ୍ଚନମାଳା ଏବଂ ସଂପ୍ରତିଙ୍କର ରହିବାପାଇଁ ରାଜଭବନର ନିମ୍ନଭାଗରେ ଥିବା ଅତିଥିଶାଳାରେ ଆୟୋଜନ କରାଯାଇଥିଲା । କଳିଙ୍ଗର ଉପ ପ୍ରଜାପତି ଯୁବରାଜ ଦଶରଥ ଆଗରୁ ଆସି ସେହିଠାରେ ରହୁଥିଲେ ।

 

ବହୁଦିନ ପରେ ଦୁଇ ଭାଇଙ୍କର ମିଳନ ହେଲା । ବିମାତା ପୁତ୍ର ହେଲେ ମଧ୍ୟ ଉଭୟଙ୍କର ପରସ୍ପର ପ୍ରତି ସ୍ନେହ ଶ୍ରଦ୍ଧାରେ କିଛିହେଲେ ଊଣାନଥିଲା । ଯୁବରାଜ ଦଶରଥ ଆସି ଭାଉଜ କାଞ୍ଚନମାଳାର ପଦସ୍ପର୍ଶ କରି, କୁମାର ସଂପ୍ରତିର କପୋଳରେ ସ୍ନେହସିକ୍ତ ଚୁମ୍ବନଟିଏ ଆଙ୍କିଦେଲେ ।

 

ପରଦିନ ପ୍ରାତଃକାଳ ।

 

ରାଜଦ୍ୱାରରେ ଦୁନ୍ଦୁଭି ବାଜିଉଠିଲା । ନାଗରା, ଢୋଲ, କାହାଳୀ, ମହୁରି ପ୍ରଭୃତି ବାଦ୍ୟ ଏକାସଙ୍ଗେ ବାଜିଉଠିବାରୁ ଗଗନ ପବନ ମୁଖରିତ ହୋଇଉଠିଲା ।

 

ଆଜି ସମ୍ରାଟ ଅଶୋକ ତରଙ୍ଗବାଳାର ପାଣିଗ୍ରହଣ କରିବେ । ରାଜଧାନୀର ଶତ ଶତ ଗଣ୍ୟମାନ୍ୟ ବ୍ୟକ୍ତି ବିବାହ ମଣ୍ଡପ ଚତୁଃପାର୍ଶ୍ୱରେ ନିଜ ନିଜର ଆସନ ଉପରେ ଉପବେଶନ କରୁଥାଆନ୍ତି । ଯୁବରାଜ କୁନାଳ ଏବଂ ଦଶରଥ ସମସ୍ତଙ୍କୁ ସ୍ୱାଗତ କରି ଆଣି ବସାଉଥାଆନ୍ତି ।

 

ପ୍ରାତଃକାଳ ଦୁଇଘଡ଼ି ସମୟରେ ବିବାହର ଶୁଭ ଲଗ୍ନ । ସୁସଜ୍ଜିତ ବେଦି ଉପରେ ସମ୍ରାଟ ଏବଂ ତରଙ୍ଗବାଳା ବସିବାପରେ ବିଦ୍ୱାନ ପୁରୋହିତମାନେ ମନ୍ତ୍ର ଉଚ୍ଚାରଣ କରିବାକୁ ଲାଗିଲେ । ଉପସ୍ଥିତ ସଜ୍ଜନ ମଣ୍ଡଳୀର ଜୟ ଘୋଷରେ ବାତାବରଣ ପ୍ରକମ୍ପିତ ହେବାକୁ ଲାଗିଲା । ସର୍ବଜନ ସମକ୍ଷରେ ସମ୍ରାଟ ପ୍ରିୟଦର୍ଶୀ ଅଶୋକ ତିଷ୍ୟରକ୍ଷିତା ସହ ବୈବାହିକ ସୂତ୍ରରେ ଆବଦ୍ଧ ହେଲେ ।

 

ପରିଚାରିକା ଶ୍ରେଷ୍ଠୀ ତିଷ୍ୟରକ୍ଷିତାର ବହୁଦିନର ଅଭିଳାଷ ପୂରଣ ହେଲା । ଆଜି ସେ ଏତେବଡ଼ ସାମ୍ରାଜ୍ୟର ଅଧୀଶ୍ୱରୀ । ସମ୍ରାଟ ଅଶୋକ ଏବଂ ରାଜକର୍ମଚାରୀ ତା’ର ଅଙ୍ଗୁଳି ନିର୍ଦ୍ଦେଶରେ ନର୍ତ୍ତନ କରିବେ । ତା’ର ଭାବନାରେ ପୂର୍ଣ୍ଣଚ୍ଛେଦ ପକାଇ ସମ୍ରାଟ ସମ୍ବୋଧନ କଲେ ।

 

: ତରଙ୍ଗ.....

 

: ହୃଦୟେଶ୍ୱର....

 

ଏତିକିବେଳେ ଯୁବରାଜ କୁନାଳ ଆସି ପରଦା ନିକଟରେ ଦଣ୍ଡାୟମାନ ହେଲେ ।

 

: ଭିତରକୁ ଆସିବି ମା’.....

 

ଅନୁମତିକୁ ଅପେକ୍ଷା ନ କରି ଯୁବରାଜ ସମ୍ରାଟଙ୍କର ଶୟନ କକ୍ଷରେ ପ୍ରବେଶ କଲେ । ପ୍ରଥମେ ମା’ ଓ ପରେ ବାପାଙ୍କର ଚରଣ ସ୍ପର୍ଶ କରି ମସ୍ତକରେ ଲଗାଇଲେ । ସମ୍ରାଟ କର ଉତ୍ତୋଳନ ପୂର୍ବକ ମୌନ ଆଶିଷ ଜଣାଇଲେ । ଏତେବଡ଼ ପୁତ୍ର ଥାଉ ଥାଉ ପୁଣି ଯେ ସମ୍ରାଟ ବିବାହ କରିପାରିଲେ । ଏହି କଥା ତାଙ୍କ ଅନ୍ତରରେ କିଞ୍ଚିତ ଲଜ୍ଜାଭାବ ସୃଷ୍ଟି କରିଛି । ତଥାପି, ଯୁବରାଜ ନିର୍ଲିପ୍ତ ଭାବରେ ବିବାହ ଉତ୍ସବର ଅନେକ ଦାୟିତ୍ୱ ସହର୍ଷ ବଦନରେ ନିର୍ବାହ କରିଛନ୍ତି । ତେଣୁ ସମ୍ରାଟ କୁନାଳ ଉପରେ ଅତ୍ୟନ୍ତ ପ୍ରସନ୍ନ । ତରଙ୍ଗବାଳା ଅପଲକ ନୟନରେ ଯୁବରାଜଙ୍କର ରୂପସୁଧା ପାନ କରିବାରେ ଲାଗିଛି । ଯୁବରାଜଙ୍କ ମୁଖମଣ୍ଡଳରେ କେନ୍ଦ୍ରିତ ହୋଇଯାଇଛି ନେତ୍ର ଯୁଗଳ । ମୌନ ଭଙ୍ଗ କରି ମହାରାଣୀ ପଚାରିଲେ ।

 

: କୁନାଳ, ତୁମେ କାଲିଠାରୁ ଆସିଲଣି ଅଥଚ ପଦେ କଥା ମଧ୍ୟ ମୋତେ କହିନାହଁ ।

 

: କ୍ଷମା କରିବେ ମା’, କାର୍ଯ୍ୟ ବ୍ୟସ୍ତତା ହେତୁ ମୁଁ ଅନ୍ତଃପୁରକୁ ଆସିପାରିନଥିଲି ।

 

: ମୁଁ ଭାବିଲି ଯୁବରାଜ କୌଣସି କାରଣରୁ ମୋ ଉପରେ ରୁଷ୍ଟ ।

 

: ନା ମାଆ–ଆପଣଙ୍କ ପ୍ରତି ମୋ ମନରେ କୌଣସି ରୁଷ୍ଟତା ନାହିଁ । ଆପଣଙ୍କ ସ୍ନେହ, ଶ୍ରଦ୍ଧା, ମମତା ମୋତେ ଏତେ ଦୂରରୁ ଆକର୍ଷିତ କରି ଆଣିପାରିଲା । ମା’ଙ୍କ ମୃତ୍ୟୁ ପରେ, ମାତା ପଦ୍ମାବତୀ ମୋତେ ପୁତ୍ର ସ୍ନେହ ଦେଇ ପାଳନ କରିପାରିଥିଲେ । ତାଙ୍କ ଅନ୍ତେ ମୁଁ ଏକାବେଳକେ ମାତୃ ସ୍ନେହରୁ ବଞ୍ଚିତ ଥିଲି । ମୋର ଅହୋଭାଗ୍ୟ ପୁଣି ମାତୃ ସ୍ନେହ ଶ୍ରଦ୍ଧା ପାଇବାକୁ ଈଶ୍ୱର ବ୍ୟବସ୍ଥା କରିଦେଲେ ।

 

ଯୁବରାଜଙ୍କର ସ୍ନେହସିକ୍ତ ବଚନ ସମ୍ରାଟ ଏବଂ ତରଙ୍ଗବାଳା ଉଭୟଙ୍କୁ ଅତି ଭଲ ଲାଗିଲା । ସମ୍ରାଟ କହିଲେ– ହଁ ବତ୍ସ ରାଣୀ ପଦ୍ମାବତୀଙ୍କ ମୃତ୍ୟୁ ପରେ ଏ ଅନ୍ତଃପୁର ମୋତେ ଶ୍ମଶାନ ସଦୃଶ ପ୍ରତୀୟମାନ ହେବାକୁ ଲାଗିଲା । ବର୍ତ୍ତମାନ ମା’ ପ୍ରତି ତୁମର ମନୋଭାବ ଜାଣି ମୁଁ ଅତ୍ୟନ୍ତ ପ୍ରସନ୍ନ ହେଲି । ଏପରି ସମୟରେ କଅଣ କରିବାକୁ ହେବ, ସମ୍ରାଟଙ୍କ ମନକୁ ଆସୁନଥାଏ-। କୁନାଳ ଯେ ତିଷ୍ୟରକ୍ଷିତାକୁ ନିଜର ମାଆ ରୂପେ ଏତେ ସହଜରେ ଗ୍ରହଣ କରିନେବ, ଏ ବିଶ୍ୱାସ ତାଙ୍କର ନ ଥିଲା ।

 

ତରଙ୍ଗବାଳା ଚାହିଁଲା ଯୁବରାଜଙ୍କୁ । ଚାରିଚକ୍ଷୁର ମିଳନ ହେବା ମାତ୍ରେ ଏପରି ପ୍ରେମପୂର୍ଣ୍ଣ କଟାକ୍ଷ ହାଣିଲା ଯେ ଯୁବରାଜ ଚମକିପଡ଼ିଲେ । ସେ କଟାକ୍ଷର କଅଣ ବା ଅର୍ଥ ହୋଇପାରେ । ଯୁବରାଜଙ୍କ ହୃଦୟରେ ପ୍ରବଳ ମାତୃସ୍ନେହ କିନ୍ତୁ ତରଙ୍ଗବାଳାର ହୃଦୟରେ କାମନା ବାସନା । ଗୋଟିଏ ପଟେ ତୃପ୍ତି ଓ ଗମ୍ଭୀରତା ଅନ୍ୟପଟେ ଅନନ୍ତ କାମନାର ତୃଷ୍ଣା । କୁନାଳ ଦୃଷ୍ଟି ଫେରାଇନେଲେ ଧୀରେ ।

 

ଯୁବରାଜ ପିତାଙ୍କ ଅନୁମତି ନେଇ ଅତିଥିଶାଳାକୁ ପ୍ରତ୍ୟାଗମନ କଲେ ।

 

ଆଜି ମଧୁଚନ୍ଦ୍ରିକା । ଗଜଦନ୍ତ ପଲଙ୍କ ଉପରେ ତୁଳିତଳ୍ପ ଶଯ୍ୟା । ତା’ ଉପରେ ମଖମଲ୍ଲ ଚାଦର । ଚାଦର ଉପରେ ଅସଂଖ୍ୟ ଗୋଲାପ ପାଖୁଡ଼ା । ମଶାରି ବାଡ଼ ଦେହରୁ ପୁଷ୍ପମାଳା ଗୁଡ଼ିଏ ଝାଲର ପରି ଓହଳି ପଡ଼ିଛି । କକ୍ଷସାରା ଅଗୁରୁ ଚନ୍ଦନ ସୁବାସରେ ପରିପୂର୍ଣ୍ଣ । ତରଙ୍ଗବାଳା ଗୋଟିଏ ଗୋଲ ତକିଆକୁ ଆଉଜି ଅର୍ଦ୍ଧଶାୟିତ ଅବସ୍ଥାରେ ।

 

ବିବାହ ପୂର୍ବରୁ ସମ୍ରାଟଙ୍କ ସହ କେତେ ଯେ ମଧୁଚନ୍ଦ୍ରିକା ରାତ୍ରି ବିତି ସାରିଛି ତା’ର ଗଣନା ନାହିଁ । ତଥାପି ଆଜି ଏପରି ସାଜସଜ୍ଜା ଓ ବାତାବରଣର ମଧୁର ମନମୋହକ ଅବସ୍ଥା; ତରଙ୍ଗବାଳାକୁ ସବୁକିଛି ନୂତନ ପରି ଅନୁଭୂତ ହେଉଅଛି ।

 

ସମ୍ରାଟ ପ୍ରବେଶ କଲେ ଶୟନ କକ୍ଷରେ । ପରିଚାରିକା ଦୁଇଟି ସମ୍ମାନ ଜଣାଇ ଦ୍ୱାରର ଅପର ପାର୍ଶ୍ୱକୁ ଚାଲିଗଲେ । ତରଙ୍ଗବାଳା ଜାଣିଶୁଣି ନିଦ୍ରିତା ହେବାର ଛଳନା କଲା । ସମ୍ରାଟ ଧୀରେ ପଲଙ୍କ ଉପରକୁ ଉଠି ସ୍ନେହସିକ୍ତ ସ୍ୱରରେ ସମ୍ବୋଧନ କଲେ ।

 

: ତରଙ୍ଗ.....

 

: ହୃଦେୟେଶ୍ୱର, ବହୁତ ସମୟ ଆପଣ ବାହାରେ ରହିଯିବାରୁ ମୁଁ ଭାବିଥିଲି ଅଭିମାନ କରିବାକୁ; ମାତ୍ର ଆପଣଙ୍କର ସମ୍ବୋଧନ ଏତେ ପ୍ରେମପୂର୍ଣ୍ଣ ଯେ ମୁଁ ନିମିଷେ ହେଲେ ମୁଖ ବନ୍ଦ କରିପାରିଲି ନାହିଁ ।

 

: ସତେନା ।

 

ତରଙ୍ଗବାଳାର ତରଙ୍ଗାୟିତ ଶରୀର ପ୍ରିୟଦର୍ଶୀଙ୍କ କୋଳକୁ ଚାଲିଆସିଲା । ସମ୍ରାଟ ନୂତନ ଆବେଗର ସହ ଆଲିଙ୍ଗନ କଲେ ।

 

କିନ୍ତୁ ତରଙ୍ଗବାଳାକୁ ଲାଗିଲା ଯେପରି ଏକ ପ୍ରାଣହୀନ, ନିସ୍ପନ୍ଦ ଶରୀର ତା’ ଦେହରେ ଲାଗି ରହିଚି । ଓଃ... କାହିଁକି ସେ ନିଜର ଉଦ୍ଦାମ ଯୌବନକୁ ଗୋଟାଏ ବୃଦ୍ଧକୁ ସମର୍ପିଦେଲା ! କୁନାଳ ପରି ଯୁବକର ପ୍ରେମିକା ହୋଇଥିଲେ କି ଆନନ୍ଦ ନ ମିଳିଥାଆନ୍ତା । ରାଜରାଣୀ ହେବାର ଲୋଭ ସମ୍ବରଣ ନ କରି ସେ କାହିଁକି ଏ ବୃଦ୍ଧ ଜର୍ଜର ଶରୀରର ଅଙ୍କଶାୟିନୀ ହେଲା ! ଯା ହେଲାଣି ତା’ ଫେରିଆସିବାର ନୁହେଁ । ସମ୍ରାଟଙ୍କୁ ହାତରେ ରଖି କଳେବଳେ କଉଶଳେ କୁନାଳକୁ ପ୍ରେମିକରେ ପରିଣତ କରିବାକୁ ପଡ଼ିବ ।

 

କୁନାଳର ରୂପମାଧୁରୀ ଚକ୍ଷୁରେ ନାଚିଉଠିଲା ତରଙ୍ଗର ମନେହେଲା ଯେପରିକି ସେ କୁନାଳର ଆଲିଙ୍ଗନ ମଧ୍ୟରେ ଆବଦ୍ଧ । ସେ ମଧ୍ୟ ନିଜର ମୃଣାଳ ସମ ବାହୁଦ୍ୱୟର ବନ୍ଧନକୁ ଧୀରେ ଧୀରେ ଦୃଢ଼ କରିବାକୁ ଲାଗିଲା ।

 

ମଧୁଜାମିନୀ କ୍ଷଣେ କ୍ଷଣେ ବଢ଼ିବାକୁ ଲାଗିଲା ଆଗକୁ ।

 

ସନ୍ଧ୍ୟା ବିଗତ ପ୍ରାୟ । ଦିନନାଥ ବିଭାବରୀର ପଣତରେ ମୁଖମଣ୍ଡଳ ଲୁକ୍‌କାୟିତ କରିଦେଲେଣି । ପୂର୍ବଦିନକୁ ସ୍ୱର୍ଣ୍ଣିମ ଆଭାରେ ରଞ୍ଜିତ କରି ନିଶାକର ଧୀରେ ଊର୍ଦ୍ଧ୍ୱକୁ ଉଠିଆସୁଛନ୍ତି-। ପକ୍ଷୀମାନଙ୍କର କଳରବ ମନ୍ଦ ପଡ଼ିନାହିଁ । ମୃଦୁ ମନ୍ଦ ପବନ ବାତାୟନ ଦେଇ ଶୟନ କକ୍ଷରେ ପ୍ରବେଶ କରୁଛି ।

 

ଏହିପରି ମଧୁର ସନ୍ଧ୍ୟାରେ ତରଙ୍ଗବାଳା ନିଜ କକ୍ଷରେ ପରିଚାରିକାମାନଙ୍କ ଗହଣରେ ବସି ଆସବ ପାନ କରୁଛି । ଆସବର ପ୍ରଭାବ ମସ୍ତିଷ୍କ ଉପରେ ବଢ଼ିବାକୁ ଲାଗିଲା । ଯୁବରାଜଙ୍କର କାମିନୀ ମୋହନ ରୂପ ନାଚିଉଠିଲା ତରଙ୍ଗର ମସ୍ତିଷ୍କରେ ପରିଚାରିକାମାନଙ୍କୁ ତ୍ୟାଗକରି ଏକାକୀ ତରଙ୍ଗବାଳା ଚାଲିଆସିଲା ରାଜନବର ସଂଲଗ୍ନ ଉଦ୍ୟାନ ମଧ୍ୟକୁ ।

 

ସରୋବର ନିକଟସ୍ଥ ଏକ ପ୍ରସ୍ତର ଆସନରେ ବସି ଫୁଟିଉଠୁଥିବା କୁମୁଦିନୀଗୁଡ଼ିକୁ ଲକ୍ଷ୍ୟ କରିବାକୁ ଲାଗିଲା । ହୃଦୟର ଭାବନାରାଜି ଗୀତ ରୂପରେ ଫୁଟିଉଠିଲା :–

 

ନୀଳ ଆକାଶରେ ରାକେଶ,

ଜଳେ ଖେଳେ କୁମୁଦ ।

ବନେ ବନେ କେକୀ ନାଚଇ,

ଦେଖି କଳା ବଉଦ ।।

ସରେ ପ୍ରସ୍ଫୁଟିତ ସରୋଜ,

ଦେଖି ସୂର୍ଯ୍ୟ ଆକାଶେ,

ଦୂରତା କି ପ୍ରତିବନ୍ଧକ,

ପୀରତିର ସକାଶେ !

 

ଗୀତ ଶେଷହେଲା ମାତ୍ର ହୃଦୟର ବେଦନା ବୃଦ୍ଧିପାଇଲା । ଅପଲକ ନେତ୍ରରେ ତରଙ୍ଗବାଳା ଚାହିଁରହିଲା କୁମୁଦିନୀର ନର୍ତ୍ତନକୁ ।

 

: ମାଆ... ଆପଣ ଏଠାରେ ଏକାକୀ !

 

: କିଏ; ଯୁବରାଜ, ଆସ... ଆସ ମୋ ପାଖକୁ ।

 

ଯୁବରାଜ ପାଖକୁ ଆସି ମସ୍ତକ ଅବନତ କରି ପ୍ରଣାମ ଜଣାଇଲେ । କୁନାଳର ହାତ ଧରି ପାଖରେ ବସାଇନେଲା ତରଙ୍ଗବାଳା ।

 

ଯୁବରାଜଙ୍କୁ ବାହୁଯୁଗଳରେ ଆକର୍ଷିତ କରି ବକ୍ଷରେ ଲଗାଇନେଇ କହିଲା– ତୁମରି କଥା ସ୍ମରଣ କରୁଥିଲି କୁନାଳ ।

 

ମାତୃ ହୃଦୟର ସ୍ପର୍ଶ ପାଇ କୁନାଳ ଆନନ୍ଦିତ ହୋଇଉଠିଲେ ।

 

: ମାଆଙ୍କର ମୋ ଉପରେ ଅପାର ସ୍ନେହ ।

 

: ଯୁବରାଜ.... କମ୍ପିତ ଅଧରରେ କହିଲା ତରଙ୍ଗବାଳା

 

: ସତେ ମାଆ, ଆପଣଙ୍କର ସ୍ୱର ଅତ୍ୟନ୍ତ ମଧୁର ।

 

: ତୁମେ ବହୁତ ସରଳ ପ୍ରକୃତିର କୁନାଳ ।

 

: ମାଆ, ମୁଁ କାଲି ପ୍ରାତଃକାଳରେ ଉଜ୍ଜୟିନୀକୁ ପ୍ରସ୍ଥାନ କରିବି । ତେଣୁ ସାକ୍ଷାତ କରିବାକୁ ଯାଇ ଦେଖେ ତ ଆପଣ ନିଜ କକ୍ଷରେ ନାହାନ୍ତି । ଖୋଜି ଖୋଜି ଉଦ୍ୟାନ ମଧ୍ୟକୁ ଚାଲିଆସିଲି ।

 

: ତୁମେ ଉଜ୍ଜୟିନୀ ଯାଇପାରିବ ନାହିଁ କୁନାଳ ।

 

ବାହୁଯୁଗଳର ବନ୍ଧନ ଏମଧ୍ୟରେ ଶିଥିଳ ହୋଇଯାଇଛି । କୁନାଳର ମସ୍ତକ ତରଙ୍ଗବାଳାର କୋଳରେ । ଯୁବରାଜ ଅର୍ଦ୍ଧଶାୟିତ ଅବସ୍ଥାରେ ଅଛନ୍ତି ।

 

: ଉଜ୍ଜୟିନୀ ଯିବାକୁ ପଡ଼ିବ ମାଆ । ସମ୍ରାଟଙ୍କର ଆଦେଶ ।

 

ନା, ନା କୁନାଳ, ତୁମକୁ ଛାଡ଼ି ମୁଁ ରହିପାରିବି ନାହିଁ ।

 

ଅତି ଅଳ୍ପ ସମୟ ପାଇଁ ହୃଦୟରେ ବାତ୍ସଲ୍ୟ ସ୍ନେହ ଭରିଆସିଲା । ତରଙ୍ଗବାଳାର ଅଜ୍ଞାତରେ ତା’ ମୁହଁରୁ ବାହାରିଆସିଲା ।

 

: ପୁତ୍ରର ବିୟୋଗ ମୁଁ ସହିପାରିବି ନାହିଁ କୁନାଳ ।

 

ଓଃ.... ଅଜ୍ଞାତରେ ପୁତ୍ର ଶବ୍ଦ ବାହାରିଆସିଲା ମୁହଁରୁ । ପ୍ରକୃତରେ କୁନାଳ କଅଣ ପୁତ୍ରର ସ୍ଥାନ ନେଇପାରେ ! ଯୁବରାଜ ତ ତା’ର ପ୍ରେମିକ ।

 

: ଯୁବରାଜ, ମୋର ଆଦେଶ ତୁମେ ରାଜଧାନୀରେ ରହିବ । ସମ୍ରାଟଙ୍କୁ କହି ଦଶରଥକୁ ମୁଁ ଉଜ୍ଜୟିନୀ ପଠାଇ ଦେବି ।

 

: ମାଆଙ୍କର ଯେପରି ଆଜ୍ଞା ।

 

ଯୁବରାଜ ଉଠି ବସିଲେ । କାଞ୍ଚନମାଳା ନିକଟକୁ ଯିବାପାଇଁ ମନ ତାଙ୍କର ବ୍ୟଗ୍ର ହୋଇଉଠିଲା ।

 

: ମା’, ମୋତେ ଯିବାକୁ ଅନୁମତି ଦିଅନ୍ତୁ ।

 

: କୁନାଳ; ତୁମେ ମୋତେ ମାଆ ବୋଲି ଡାକ ନାହିଁ ।

 

: କାହିଁକି ?

 

: ମୋର ବୟସ କଅଣ ତୁମ ମାଆ ହେବାର ଯୋଗ୍ୟ ?

 

: ବୟସ କଥା କହନ୍ତୁ ନାହିଁ । ଆପଣ ମହାରାଣୀ, ତେଣୁ ମୋର ମାଆ ।

 

: ବହୁତ ନିଷ୍କପଟ ହୃଦୟ ତୁମର କୁନାଳ । ହଉ ଯାଅ, ପୁଣି କେବେ ସାକ୍ଷାତ ହେବ ।

 

ଆପଣ ଯେବେ ଆଜ୍ଞା କରିବେ ।

 

ପ୍ରଣାମ ଜଣାଇ ଯୁବରାଜ ଚାଲିଆସିଲେ । ମନ ମଧ୍ୟରେ ଦ୍ୱନ୍ଦ୍ୱ । ମହାରାଣୀ କୁନାଳଠାରୁ କଅଣ ଚାହାନ୍ତି ! ବଡ଼ ରହସ୍ୟଜନକ ଚରିତ୍ର ତରଙ୍ଗବାଳାର । ଆଖିରେ ପ୍ରେମ ନିବେଦନ, ପୁଣି ମୁଖରେ ପୁତ୍ର ଶବ୍ଦ ଉଚ୍ଚାରଣ ! ଏହିପରି ଅନେକ କଥା ଭାବି ଭାବି କୁନାଳ ପହଞ୍ଚିଲେ କାଞ୍ଚନମାଳା ନିକଟରେ ।

 

କିଛି ସମୟ ତନ୍ଦ୍ରା ଅବସ୍ଥାରେ ସରୋବର ନିକଟରେ ବସିଲାପରେ ତରଙ୍ଗବାଳା ଉଠିଆସିଲା ଅନ୍ତଃପୁରକୁ ।

 

ଶୟନ ପ୍ରକୋଷ୍ଠରେ ସମ୍ରାଟ ବସି ଦ୍ରାକ୍ଷାଫଳ ଗୋଟିଏ ଗୋଟିଏ ଖାଉଛନ୍ତି ।

 

: କେଉଁଠି ଥିଲ ତରଙ୍ଗ ।

 

: ଉଦ୍ୟାନ ଭିତରେ.... ସରୋବର ନିକଟରେ ।

 

: ଉଦ୍ୟାନ ଭ୍ରମଣରେ ମନ ପ୍ରଫୁଲ୍ଲିତ ହୁଏ, ମାତ୍ର ତୁମର ମୁଖ ଆକୃତି ଚିନ୍ତାଗ୍ରସ୍ତ ଜଣାପଡ଼ୁଛି ।

 

: ଆପଣ ଯାହା ଭାବୁଛନ୍ତି ସତ୍ୟ କଥା । ଯୁବରାଜଙ୍କର ଉଜ୍ଜୟିନୀ ପ୍ରସ୍ଥାନ ମୋତେ ଚିନ୍ତିତ କରିଛି ।

 

: ମୁଁ ଜାଣେପରା, କୁନାଳର ବ୍ୟବହାର ଏପରି ଯେ କେହିହେଲେ ତାକୁ ଅପ୍ରିୟ ମଣିପାରିବେ ନାହିଁ । ଦେଖିଲନା, ଗୋଟିଏ ଦିନରେ ତୁମ ପ୍ରତି ତା’ର ସ୍ନେହ ଶ୍ରଦ୍ଧା ସେ ବ୍ୟକ୍ତ କରିବାରେ ତୁମେ ତା’ପାଇଁ ଚିନ୍ତିତ ହେଲଣି ।

 

: ତା’ ବ୍ୟତୀତ ମୁଁ ଚାହେଁ, ଯୁବରାଜ ଏହିଠାରେ ରହି ରାଜକାର୍ଯ୍ୟ ପରିଚାଳନା କରିବାରେ ପ୍ରଶିକ୍ଷଣ ଲାଭ କରନ୍ତୁ । ଆପଣଙ୍କୁ ବିଶ୍ରାମ ନିମିତ୍ତ ଅଧିକ ସମୟ ମିଳିବ ।

 

: ଯଥାର୍ଥ କହିଛ ପ୍ରିୟେ, ମୋ ପରେ ଏ ସାମ୍ରାଜ୍ୟ ତ ତାକୁ ଚଳାଇବାକୁ ପଡ଼ିବ ।

 

ତରଙ୍ଗବାଳା ନିଜର ମନୋଭାବକୁ ଚାପିରଖି, କେବଳ ସମ୍ରାଟଙ୍କୁ ଆନନ୍ଦ ଦେବାପାଇଁ ତାଙ୍କ ଗଳାରେ ମୃଣାଳ ସମ ବାହୁ ଯୁଗଳକୁ ବେଷ୍ଟନ କଲା । ବୃଦ୍ଧ ସମ୍ରାଟଙ୍କ ଶରୀରରେ ଆନନ୍ଦର ତରଙ୍ଗ ଖେଳିଗଲା । ଅଧର ଦ୍ୱୟ ସ୍ମିତହାସ୍ୟରେ ପ୍ରସାରିତ ହେଲେ । ତରଙ୍ଗବାଳାକୁ କୋଳରେ ଧରି ଆତ୍ମବିସ୍ମୃତ ହେଲେ ପ୍ରିୟଦର୍ଶୀ । ଆଉ; ପ୍ରିୟଦର୍ଶୀଙ୍କର ଅଦରଣୀୟା ପ୍ରିୟତମା ହେବାର ଅଭିନୟ କରି ତରଙ୍ଗବାଳା ଚକ୍ଷୁ ଦୁଇଟି ବନ୍ଦ କରି ଆଣିଲା ।

 

କନିଷ୍ଠ ରାଜକୁମାର ଦଶରଥଙ୍କୁ ଉଜ୍ଜୟିନୀର ପ୍ରଜାପତି ପଦ ପ୍ରଦାନ କରି ସମ୍ରାଟଙ୍କ ଆଦେଶନାମା ତାଙ୍କୁ ଦିଆଗଲା । ଯୁବରାଜ କୁନାଳ ରାଜନଗର ପାଟଳୀପୁତ୍ରରେ ରହି ରାଜକାର୍ଯ୍ୟ ପରିଚାଳନା କଲେ । ମହାମନ୍ତ୍ରୀ ଯୁବରାଜଙ୍କୁ ସାମ୍ରାଜ୍ୟ ପରିଚାଳନାର କେତେ ଗୂଢ଼ ରହସ୍ୟ ଶିକ୍ଷା ଦେବାକୁ ଲାଗିଲେ ।

 

ତରଙ୍ଗବାଳା ପ୍ରତି ପ୍ରିୟଦର୍ଶୀ ଅଶୋକଙ୍କର ପ୍ରବଳ ଆସକ୍ତି ତାଙ୍କୁ ଅଧିକାଂଶ ସମୟ ଅନ୍ତପୁରରେ ରଖିନେଲା ।

 

କିନ୍ତୁ ତରଙ୍ଗବାଳା !

 

ସମ୍ରାଟଙ୍କୁ କୃତ୍ରିମ ପ୍ରେମ ପ୍ରଦର୍ଶନ ପୂର୍ବକ ହାତ ମୁଠାରେ ରଖିବାକୁ ସର୍ବଦା ଲାଗି ରହିଲା । ମାତ୍ର ତା’ର ମାନସିକ ଅଶାନ୍ତି ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଲା ।

 

ଯୁବରାଜଙ୍କୁ ରାଜଧାନୀରେ ରଖି ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ ସହିତ ପ୍ରେମପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାରେ ତରଙ୍ଗବାଳା ବିଫଳ ହୋଇଆସିଛି । ଯୁବରାଜ କୁନାଳ ରାଜକାର୍ଯ୍ୟରେ ଏତେ ବ୍ୟସ୍ତ ଯେ ଯୁବରାଣୀ କାଞ୍ଚନମାଳା ମଧ୍ୟ ଦିନଯାକ ତାଙ୍କ ଦର୍ଶନରୁ ବଞ୍ଚିତା । ତରଙ୍ଗବାଳାକୁ ସୁଯୋଗ ମିଳୁଛି କେଉଁଠି ?

 

ପ୍ରଥମେ ତରଙ୍ଗବାଳାର ଚେଷ୍ଟା ଚାଲିଲା ଯେ ନିଜର ଅନୁପମ ସୌନ୍ଦର୍ଯ୍ୟ ଦ୍ୱାରା ସେ କୁନାଳଙ୍କୁ ଆକର୍ଷିତ କରିବ । କେତେଦିନ ପରେ ସେ ଅନୁଭବ କଲା ଯେ କୁନାଳଙ୍କ ହୃଦୟ ତ ପଥରରେ ତିଆରି ହୋଇଛି । ଯେତେବେଳେ ଦର୍ଶନ, ସମ୍ଭାଷଣର ସୁଯୋଗ ମିଳିଲା, ପ୍ରତି କଥାରେ ଯୁବରାଜ ମାଆ ବୋଲି କହିଚାଲିଲେ । ତାଙ୍କ ସ୍ନେହ ଶ୍ରଦ୍ଧାକୁ ପ୍ରଶଂସା କଲେ; କିନ୍ତୁ ତରଙ୍ଗର କଳୁଷିତ ଭାବନାକୁ କେବେ କାର୍ଯ୍ୟକାରୀ କରାଇଦେଲେ ନାହିଁ ।

ଦିନକୁଦିନ ଯୁବରାଜଙ୍କୁ ନିଜର ପ୍ରେମିକ ରୂପେ ଲାଭ କରିବାର ଆକାଂକ୍ଷା ତୀବ୍ର ହୋଇଉଠିଲା । ତା’ର ବିଶ୍ୱାସଥିଲା ଯୁବରାଜ ଥରେ ମାତ୍ର ତା’ର ରୂପ ସୌନ୍ଦର୍ଯ୍ୟ ପ୍ରତି ଆକର୍ଷିତ ହୋଇଗଲେ ଚିରକାଳ ପାଇଁ ପଣତ କାନିରେ ବନ୍ଧା ହୋଇ ରହିଯିବେ ।

ଆଜି ତରଙ୍ଗବାଳା ଦୃଢ଼ ନିଶ୍ଚୟ କରିନେଲା । ସେ ଏତେବଡ଼ ସାମ୍ରାଜ୍ୟର ମହାରାଣୀ । ସେ ସବୁକିଛି ସମ୍ଭବ କରିପାରିବ । ସ୍ତ୍ରୀ ହୃଦୟର ବାସନା କି ଭୟଙ୍କର ! ପୁଣି ଅସଫଳ ହେଲେ ନାରୀ ଯେ ନାଗୁଣୀର ରୂପ ଧାରଣ କରିପାରେ ।

ତରଙ୍ଗବାଳା ପଲଙ୍କରୁ ଉଠିଆସିଲା । ସୁବର୍ଣ୍ଣ ଆସବ ଘଟରୁ ଗୋଟିଏ ପାତ୍ରରେ କିଛି ଅଙ୍ଗୁରୀ ଆସବ ଢାଳି ପାନକଲା । ଧୀରେ ଧୀରେ ସଂସାର ଜଣାପଡ଼ିଲା କେତେ ମଧୁମୟ । ମନ ଉଡ଼ିଲା ପ୍ରଜାପତି ପରି । ମୃଦୁ ସମୀରରେ ପଦ୍ମ ନାଚିଲା ପରି ହୃଦୟର କାମନା ନାଚିବାକୁ ଲାଗିଲା-। ଦୁଇ ତିନିଥର ଆସବ ପାନ କରିବା ପରେ ତରଙ୍ଗବାଳା ବସିପଡ଼ିଲା ଏକ ସ୍ୱର୍ଣ୍ଣ ଚଉକି ଉପରେ-

ନିଜର ନିଶ୍ଚୟକୁ ଦୃଢ଼ କରିନେଲା ସେ । ଯୁବରାଜଙ୍କୁ ଦାସୀଦ୍ୱାରା ସମାଚାର ପଠାଇ ଏଠାକୁ ଆଣିବାକୁ ହେବ ।

ପରିଚାରିକା ଭିତରେ ପ୍ରବେଶ କରି ମହାରାଣୀଙ୍କ ଆରକ୍ତ ନୟନ ଏବଂ ଆଲୁଳାୟିତ କେଶ ସାଙ୍ଗକୁ ଅସଂଯତ ବସନ ଦେଖି ପାଦେ ଘୁଞ୍ଚିଗଲା ।

: ମୌର୍ଯ୍ୟ କୁଳଚନ୍ଦ୍ରମା ଯୁବରାଜ କୁନାଳ ଆପଣଙ୍କର ଦର୍ଶନ ପ୍ରାର୍ଥୀ ।

: ଆସିପାରନ୍ତି ।

ପରିଚାରିକା ଚାଲିଗଲା । ଅଳ୍ପ ସମୟ ପରେ ଯୁବରାଜ ମହାରାଣୀଙ୍କ କକ୍ଷରେ ପ୍ରବେଶ କରି ଯେଉଁ ରୂପରେ ତରଙ୍ଗବାଳାକୁ ଦେଖିଲେ ସେଥିରେ ଆଶ୍ଚର୍ଯ୍ୟ ହେବାର କଥା ।

ପାଦ ସ୍ପର୍ଶ କରି ପ୍ରଣାମ ଜଣାଇଲେ ଯୁବରାଜ । ସେହି ଅବସ୍ଥାରୁ ଦୁଇ ବାହୁ ଧରି ଉଠାଇନେଲା ତରଙ୍ଗବାଳା । ଅତି ଦୃଢ଼ ଭାବରେ ଯୁବରାଜଙ୍କୁ ବକ୍ଷ ଦେଶରେ ଚାପିଧରିଲା । କମ୍ପିତ ଅଧର, ହୃଦୟର ଆବେଗ ।

: ଯୁବରାଜ...

: ମା’, ଆଜି ଏପରି ଅସଂଯତ କେଶବାସ କାହିଁକି ? ନିଜକୁ ସଂଯତ କରନ୍ତୁ ।

: ମୋତେ ମା’ କୁହନାହିଁ କୁନାଳ ।

: ମା’, ବୌଦ୍ଧ ଧର୍ମର ତ୍ୟାଜ୍ୟ ବସ୍ତୁ ଆସବ ଆପଣ କାହିଁକି ଏତେ ପାନ କରୁଛନ୍ତି ?

ତରଙ୍ଗ ଯୁବରାଜଙ୍କୁ ଧରି ସ୍ୱର୍ଣ୍ଣ ଆସନ ଉପରେ ବସାଇଦେଲା ।

: ମୁଁ ଆସବ ପାନ କରୁଛି ସାହସକୁ ସଞ୍ଚୟ କରିବାକୁ । ତୁମେ ମୋ ହୃଦୟରେ ହାହାକାର ସୃଷ୍ଟି କରିଛ କୁନାଳ ।

ପୁଣିଥରେ ଯୁବରାଜଙ୍କୁ ବକ୍ଷ ଦେଶରେ ଚାପିଧରିଲା ତରଙ୍ଗବାଳା ।

: ଏ କିପରି କଥା ଆଜି କହୁଛ ମା’ ?

: ସତ୍ୟ କଥା କୁନାଳ, ତୁମର ସୌନ୍ଦର୍ଯ୍ୟ ମୋର ମନକୁ ବିଚଳିତ କରିଛି । ମୋର ଯୌବନରେ ଅବ୍ୟକ୍ତ ବେଦନା ଭରିଦେଇଛ ତୁମେ ।

ଯୁବରାଜ ଏପରି ଘଟଣାରେ ଅବାକ୍‌ ହୋଇଗଲେ କିଛି ସମୟ ପାଇଁ । ତରଙ୍ଗବାଳାର ମାଦକ ଯୌବନ ତାଙ୍କର ଅଙ୍ଗେ ଅଙ୍ଗେ ଜଡ଼ିଯାଇଛି । ବିବସ୍ତ୍ର ଉନ୍ନତ ବକ୍ଷୋଜ ବକ୍ଷ ଦେଶରେ ଲାଖି ରହିଛି ।

: କୁହ ଯୁବରାଜ, ମୋର ପ୍ରିୟ କୁନାଳ.....

ଉନ୍ନତ ଅବସ୍ଥାରେ ଯୁବରାଜଙ୍କ ମୁଖମଣ୍ଡଳ ଓ ଗ୍ରୀବାଦେଶକୁ ଚୁମ୍ବନ ଦେବାରେ ଲାଗିଗଲା ତରଙ୍ଗାବାଳା । ଯୁବରାଜ ଆଉ ସହ୍ୟ କରିପାରିଲେ ନାହିଁ । ଦେଖିଲେ ଅଙ୍ଗୁରୀ ଆସବର ମାଦକତା ମହାରାଣୀଙ୍କର ସମସ୍ତ ବିବେକକୁ ଦୂର କରିଦେଇଛି । ସେ ନିଜର ସମସ୍ତ ଶକ୍ତି ଖଟାଇ ନିଜକୁ ବାହୁ ବନ୍ଧନରୁ ମୁକ୍ତ କରିନେଲେ । ନିଷ୍ଠୁରତା ପୂର୍ବକ ପଲଙ୍କ ଉପରକୁ ଠେଲିଦେଲେ ତରଙ୍ଗବାଳାକୁ । ମୁହଁରୁ କେବଳ ଏତିକି ବାହାରିଲା–ଭ୍ରଷ୍ଟାନାରୀ ।

ଦ୍ରୁତ ପଦକ୍ଷେପରେ କୁନାଳ ବାହାରିଗଲେ ପ୍ରକୋଷ୍ଠ ମଧ୍ୟରୁ । ନିଜର ଅପମାନ ତରଙ୍ଗବାଳାକୁ ଅସହ୍ୟବୋଧ ହେଲା । ରୂପଗର୍ବରେ ଗର୍ବିତା ତରଙ୍ଗବାଳାକୁ ଯେ ପ୍ରତ୍ୟାଖ୍ୟାନ କରିଛି ତାକୁ ସେ ଧ୍ୱଂସ କରିଦେବ । ତା’ର ଏତେଦିନର ଆଶାକୁ ଯେ ଧୂଳିସାତ୍‌ କରିଛି ତାକୁ ସେ ଧୂଳିରେ ମିଶାଇ ଦେବ ।

 

ବିକୃତ ମସ୍ତିଷ୍କ ନେଇ ସେଇ କକ୍ଷ ମଧ୍ୟରେ ପଦଚାରଣ କରିବାକୁ ଲାଗିଲା ତରଙ୍ଗବାଳା-। ସହସା ସମ୍ରାଟ ପ୍ରବେଶ କଲେ ଶୟନ କକ୍ଷକୁ । ତା’ର ଏପରି ଅସଞ୍ଜତ ଅବସ୍ଥା ଦେଖି ପଚାରିଲେ ।

: ତୁମର ଏ କି ଦଶା ତରଙ୍ଗ ?

: କୁନାଳ ମୋତେ ଅପମାନିତ କରିଛି ମହାରାଜ ।

: କୁନାଳ କରିଛି ତୁମର ଅପମାନ......

: ହଁ ମହାରାଜ, ମୋତେ ତା’ର କାମନାର ଶିକାର କରିବାକୁ ଚେଷ୍ଟା କରି ବିଫଳ ହୋଇଛି ।

ସମ୍ରାଟ କ୍ରୋଧିତ ଅବସ୍ଥାରେ ଆଗେଇ ଆସିଲେ । ତରଙ୍ଗବାଳାକୁ ଧରି ପଲଙ୍କ ଉପରେ ବସାଇଦେଲେ । କ୍ଷଣକରେ ଜାଣିପାରିଲେ ମହାରାଣୀ ଯଥେଷ୍ଟ ଅଙ୍ଗୁରୀ ଆସବ ପାନ କରିଛନ୍ତି ।

: ମହାରାଣୀ, ତୁମେ ବହୁତ ଆସବ ପାନ କରିଛ । ଯାଅ, ଯୁବରାଜ କୁନାଳକୁ ମୁଁ ଭଲ କରି ଜାଣେ । ତା’ ନାମରେ ଆଉ ଏପରି କଥା ଦିନେ ଉଚ୍ଚାରଣ କରିବ ନାହିଁ । ନିଜର କେଶ-ବାସ ସଞ୍ଜତ କର । ମୁଁ ମନ୍ତ୍ରଣାଗାରରୁ ଚଞ୍ଚଳ ଫେରିଆସିବି ।

ଗୁପ୍ତଚର ଜଣେ ସମ୍ବାଦ ଦେଲା ଯେ ମହାମନ୍ତ୍ରୀ ସାକ୍ଷାତ କରିବାକୁ ଆସୁଛନ୍ତି । କାଞ୍ଚନମାଳା ଏବଂ ସଂପ୍ରତିକୁ ଭିତର ପ୍ରକୋଷ୍ଠକୁ ପଠାଇଦେଇ ଯୁବରାଜ ଅପେକ୍ଷାରେ ବସି ରହିଲେ ।

ମହାମନ୍ତ୍ରୀ ଅଳ୍ପ ସମୟ ମଧ୍ୟରେ ଆସିଗଲେ ।

: ଯୁବରାଜ, ଗୋଟିଏ ଆବଶ୍ୟକ ବିଷୟରେ ମୁଁ ବାର୍ତ୍ତାଳାପ କରିବାକୁ ଆସିଛି । ଏକାନ୍ତ ଆବଶ୍ୟକ । ଯଦି ଏ ସ୍ଥାନକୁ ସବୁ ଦୃଷ୍ଟିରୁ ନିରାପଦ ମନେ କରୁଥାଆନ୍ତି ତେବେ ଆରମ୍ଭ କରିବି ।

: ଏହିଠାରେ ଆମେ ବାର୍ତ୍ତାଳାପ କରିପାରିବା; କିନ୍ତୁ ଟିକିଏ ନିମ୍ନ ସ୍ୱରରେ ।

: ତେବେ ଶୁଣନ୍ତୁ, ନୂତନ ମହାରାଣୀଙ୍କର ସମସ୍ତ ସମ୍ବାଦ ରଖିବାର ବ୍ୟବସ୍ଥା ମୁଁ କରିଛି-। ଆପଣଙ୍କ ସହିତ ଯାହାକିଛି ଘଟିଗଲା ମୋତେ ସମସ୍ତ ଖବର ଜଣା ।

ଏବେ ପ୍ରତିଶୋଧ ନେବାପାଇଁ ମହାରାଣୀ କିଛି ଉପାୟ ଖଞ୍ଜିବାରେ ଲାଗିଛନ୍ତି । ଆପଣଙ୍କୁ ସାବଧାନ କଲି । କେବେ ଏକାନ୍ତରେ ସାକ୍ଷାତ କରିବାକୁ ଯିବେ ନାହିଁ । ବୋହୂ କାଞ୍ଚନମାଳା ମଧ୍ୟ କେବେ ଏକାକୀ ଉଦ୍ୟାନ ଭ୍ରମଣକୁ ନ ଗଲେ ଭଲ ।

: ମାଆଙ୍କର ଏପରି ବ୍ୟବହାରରେ ମୁଁ ମର୍ମାହତ, ମହାମନ୍ତ୍ରୀ, ମୁଁ ଭାବିଥିଲି କଅଣ, ମୋ ଭାଗ୍ୟକୁ ଘଟିଯାଉଛି କଅଣ ।

: ଆପଣଙ୍କ ପରି ସମସ୍ତେ ସରଳ ଏବଂ ନିଷ୍କପଟ ନୁହନ୍ତି । ସିଂହାସନ ଲାଭ ପାଇଁ କେତେ ରାଜବଂଶରେ କେତେ ପ୍ରକାର ଚକ୍ରାନ୍ତ ହୋଇଯାଏ । କିଛିଦିନ ପାଇଁ ଆପଣ ଅନ୍ୟ ପ୍ରଦେଶକୁ ଚାଲିଗଲେ ଭଲହୁଅନ୍ତା । ମୁଁ ମୋର ଗୁପ୍ତଚର ସଙ୍ଗଠନ ଦ୍ୱାରା ମହାରାଣୀଙ୍କ କାର୍ଯ୍ୟକଳାପକୁ ସର୍ବଦା ଲକ୍ଷ୍ୟ ରଖିଥିବି ।

ବାହାରେ କାହାର ପଦଶବ୍ଦ ଶୁଣି ଦୁହିଁଙ୍କର ବାର୍ତ୍ତାଳାପ ବନ୍ଦ ହୋଇଗଲା ।

ସ୍ୱର୍ଣ୍ଣ ଆସନ ଉପରେ ବସି ମହାରାଣୀ ରୁଦ୍ରସେନକୁ ଧମକାଇ ଚାଲିଛନ୍ତି । ରୁଦ୍ରସେନ ତାଙ୍କର ବିଶ୍ୱସ୍ତ ଅନୁଚର । ଦୀର୍ଘକାୟ ବଳିଷ୍ଠ ବ୍ୟକ୍ତି । ଶସ୍ତ୍ର ଚାଳନାରେ ନିପୁଣ । ମହାରାଣୀଙ୍କଠାରୁ ସାମୟିକ ସ୍ୱର୍ଣ୍ଣ ମୁଦ୍ରା ଲାଭ କରି ଏକାନ୍ତ ଅନୁଗତ ।

: ରୁଦ୍ରସେନ, ତୁମପରି ସାହସୀ ବ୍ୟକ୍ତି ଦ୍ୱାରା ଏ ସାମାନ୍ୟ କାର୍ଯ୍ୟ ହୋଇପାରିଲା ନାହିଁ-? ମାତ୍ର ଦୁଇଟି ପରିଚାରିକା ସହ କାଞ୍ଚନମାଳା ଉଦ୍ୟାନ ମଧ୍ୟସ୍ଥ ସରୋବର ନିକଟରେ କେତେ ସମୟ ରହିଥିଲା ।

: ରାତ୍ରିର ପ୍ରଥମ ପ୍ରହର ଶେଷ ପର୍ଯ୍ୟନ୍ତ । ଚନ୍ଦ୍ରକିରଣ ସ୍ପଷ୍ଟ ଭାବରେ ଚାରିଆଡ଼େ ବିଛେଇ ହୋଇ ପଡ଼ିଥିଲା । ମୋର ସହକାରୀ ଗୋଟିଏ ଲତାକୁଞ୍ଜ ଉହାଡ଼ରେ ସୁଯୋଗ ଅପେକ୍ଷାରେ ଲୁଚିଥିଲା ।

: ତା’ପରେ କଅଣ ଅସୁବିଧା ହେଲା ?

: କୌଣସି ଅଜ୍ଞାତ ଶକ୍ତିକୁ ଆମର ଏ ଯୋଜନା ଜଣାଥିଲା ବୋଧହୁଏ । ହଠାତ୍‌ ପଛପଟୁ ଆକ୍ରମଣ କରି ମୋର ସହକାରୀକୁ ଆଉ ଦୁଇଜଣ ଟେକିନେଇ ଚାଲିଗଲେ । ଅନ୍ୟ ଏକ ଲତାକୁଞ୍ଜ ଉହାଡ଼ରୁ ମୁଁ ଛାଇ ମାତ୍ର ଦେଖିପାରିଲା । ଏପର୍ଯ୍ୟନ୍ତ ମୋ ସହକାରୀର ପତ୍ତା ନାହିଁ ।

: ଏ ତ ବଡ଼ ଅସୁବିଧା ହେଲା । ଯଦି ତାଡ଼ନା ଭୟରେ ସେ ଲୋକଟି କିଛି ସ୍ୱୀକାରୋକ୍ତି କରିବ.....

ପରିଚାରିକାଟିଏ ପ୍ରବେଶ କରି ସମ୍ରାଟଙ୍କ ଆଗମନର ସୂଚନା ଦେଲା । ରୁଦ୍ରସେନକୁ ସଙ୍କେତ ଦ୍ୱାରା ବିଦାୟ କରି ତରଙ୍ଗବାଳା ନିଜର କେଶବାସ ସଜାଡ଼ିବାରେ ଲାଗିଗଲା । ସମ୍ରାଟ ପ୍ରକୋଷ୍ଠ ମଧ୍ୟକୁ ଆସିବା କ୍ଷଣି ତରଙ୍ଗବାଳା ତାଙ୍କ ପାଦ ସ୍ପର୍ଶ କରି ତତ୍‌କ୍ଷଣାତ୍‌ ବାହୁଯୁଗଳକୁ ବେଷ୍ଟନ କଲା ସମ୍ରାଟଙ୍କ ଗ୍ରୀବା ଦେଶରେ । ଈଷତ୍‌ ହସି ସମ୍ରାଟ ତା’ର ଓଠଟିକୁ ଅଙ୍ଗୁଳିଦ୍ୱାରା ଉପରକୁ ଉଠାଇଦେଲେ ।

: ଏଇ ମୁଖଚନ୍ଦ୍ର ଦର୍ଶନ କରିବାକୁ ତ ରାଜକାର୍ଯ୍ୟରୁ ଅବ୍ୟାହତି ନେଇ ଚଞ୍ଚଳ ଚାଲିଆସିଲି ।

: ସତେ ନା, ଦିନରେ ମଧ୍ୟ ଚନ୍ଦ୍ର ଦର୍ଶନର ଇଚ୍ଛା ।

: କେବଳ ଚନ୍ଦ୍ର ଦର୍ଶନ ନୁହେଁ, ଚନ୍ଦ୍ରଙ୍କୁ ସ୍ୱହସ୍ତରେ ଧରିବାର ବଳବତୀ ଇଚ୍ଛା ।

ସମ୍ରାଟଙ୍କ ହାତ ଧରିନେଇ ସ୍ୱର୍ଣ୍ଣ ଆସନ ଉପରେ ବସାଇଦେଲେ ମହାରାଣୀ । ସ୍ୱର୍ଣ୍ଣ ପାତ୍ରରେ କିଛି ଆସବ ଆଣିବାକୁ ଯାଉଛନ୍ତି; ଏହି ସମୟରେ ପରିଚାରିକା ଆସି ପ୍ରଣାମ ଜଣାଇଲା-

: ମହାମନ୍ତ୍ରୀ, ଅତି ଆବଶ୍ୟକ କାର୍ଯ୍ୟରେ ସାକ୍ଷାତ୍‌ ଇଚ୍ଛା କରୁଛନ୍ତି !

ତରଙ୍ଗବାଳାକୁ ଟିକିଏ ଚାହିଁ, ଗମ୍ଭୀର ମୁଖମୁଦ୍ରାରୁ ଅନୁମତି ସୂଚକ ସଂକେତ ବାହାରି ଆସିଲା । ମହାମନ୍ତ୍ରୀ ଆସି ଅଭିବାଦନ ଜଣାଇଲେ ।

: ହଠାତ୍‌ କି ପ୍ରକାର ଆବଶ୍ୟକତା ପଡ଼ିଲା ମହାମନ୍ତ୍ରୀ ।

: ତକ୍ଷଶିଳାରୁ ରାଜଦୂତ ଜଣେ ଆସିଛି । ଏଇ ଅତ୍ୟାବଶ୍ୟକ ପତ୍ରଟି ଆଣିଛି । ଅନୁମତି ମିଳିଲେ ପଠନ କରିବି ।

 

: ପଠନ କରନ୍ତୁ ।

 

ଭୁଜ ପତ୍ରରେ ଲେଖାଥିବା ପତ୍ରଟି ମହାମନ୍ତ୍ରୀ ପାଠ କରିବାକୁ ଲାଗିଲେ ।

 

ମହାମାନ୍ୟବର ମଗଧ ଅଧିପତି, ମୌର୍ଯ୍ୟକୁଳ ଭାସ୍କର, ଧର୍ମ ବିବର୍ଦ୍ଧନ ଶ୍ରୀ ସମ୍ରାଟ ପ୍ରିୟଦର୍ଶୀ ଅଶୋକ ବର୍ଦ୍ଧନଙ୍କ ପଦପଙ୍କଜରେ ତକ୍ଷଶିଳାଧୀଶଙ୍କର ସହସ୍ର ପ୍ରଣାମ ।

 

ଶ୍ରୀ ସମ୍ରାଟଙ୍କୁ ଅତି ଦୁଃଖର ସହ ଜଣାଉଅଛି ଯେ ତକ୍ଷଶିଳା ନଗରବାସୀଗଣ ବିଦ୍ରୋହ ଆରମ୍ଭ କରି ଆମ୍ଭମାନଙ୍କର ସୁଖଶାନ୍ତିକୁ ନଷ୍ଟ କରିଦେବାକୁ ବଦ୍ଧପରିକର । କେଉଁ କାରଣରୁ ବିଦ୍ରୋହ ଆରମ୍ଭ ହେଲା ଏପର୍ଯ୍ୟନ୍ତ ଅଜ୍ଞାତ ରହିଛି ।

 

ବିଦ୍ରୋହୀମାନଙ୍କର ନେତୃତ୍ୱ ଚନ୍ଦ୍ରଭାଲ ଦେଉଅଛି । ଏହି ବିଦ୍ରୋହ ଦମନ କରିବା ଆମ୍ଭ ସାମର୍ଥ୍ୟର ବହିର୍ଭୂତ ।

 

ଏଣୁ ବିନୀତ ନିବେଦନ ଶ୍ରୀ ସମ୍ରାଟ ସ୍ୱୟଂ ଏ ବିଦ୍ରୋହ ଦମନର ଆୟୋଜନ ଅବିଳମ୍ବେ କଲେ ପରିସ୍ଥିତି ଶାନ୍ତ ହୋଇଯିବ ।

 

ଯଥାଶୀଘ୍ର ଆପଣ ପଦାର୍ପଣ କରନ୍ତୁ ଏଇ ଆଶା ନେଇ ରହିଲି ।

 

ଆଜ୍ଞାକାରୀ

ବିଶ୍ୱସ୍ତ ସେବକ

ତକ୍ଷଶିଳାଧୀଶ

 

ମହାମନ୍ତ୍ରୀ ପତ୍ର ପଠନ ଶେଷ କରି କିଛି କ୍ଷଣ ମୌନ ରହିଲେ । ଶୟନକକ୍ଷ ସମ୍ପୂର୍ଣ୍ଣ ନିସ୍ତବ୍ଧ । କାହାରି ମୁଖରେ ଭାଷା ନାହିଁ । ତକ୍ଷଶିଳା ଅଶୋକଙ୍କ ସାମ୍ରାଜ୍ୟର ଗୋଟିଏ ସମୃଦ୍ଧିଶାଳୀ ପ୍ରଦେଶ ! ଏଠାରେ ଲୋକମାନେ ବୀର ଏବଂ ସ୍ୱାଭିମାନୀ । ବିନ୍ଦୁସାରଙ୍କ ରାଜତ୍ୱ କାଳରେ ଥରେ ସେଠାରେ ବିଦ୍ରୋହ ହୋଇଥିଲା । ସେତେବେଳେ ଯୁବରାଜ ଅଶୋକ ଯାଇ ବିଦ୍ରୋହକୁ ଶାନ୍ତ କରିଥିଲେ ।

 

: ମହାମନ୍ତ୍ରୀ !

 

: ଆଜ୍ଞା ଶ୍ରୀ ସମ୍ରାଟଦେବ ।

 

ଏତିକିବେଳେ ଯୁବରାଜ କୁନାଳ ଆସି ଅଭିବାଦନ ଜଣାଇଲା ।

 

: ବତ୍ସ କୁନାଳ, ବର୍ତ୍ତମାନ ତକ୍ଷଶିଳାରେ ବିଦ୍ରୋହ ଦେଖାଦେଇଛି । ଥରେ ମୁଁ ସେଠାରେ ବିଦ୍ରୋହ ଦମନ କରିଥିଲି ! ପୁଣି ଭାବୁଛି ଯଥାଶୀଘ୍ର ପ୍ରସ୍ଥାନ କରିବି । ପାଟଳୀପୁତ୍ରରେ ମହାରାଣୀଙ୍କ ଆଜ୍ଞାନୁସାରେ ତୁମେ ଏବଂ ମହାମାତ୍ୟ ରାଜକାର୍ଯ୍ୟ ପରିଚାଳନା କରିବ ।

 

: ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ମହାରାଜ । ମୁଁ ତକ୍ଷଶିଳା ଯାଇ ବିଦ୍ରୋହୀମାନଙ୍କୁ ସମୁଚିତ ଦଣ୍ଡ ଦେବାର ବ୍ୟବସ୍ଥା କରିବି । ଏ ବୟସରେ ଆପଣ ଦୂର ସ୍ଥାନକୁ ଯାତ୍ରା କରିବା ସ୍ୱାସ୍ଥ୍ୟ ପକ୍ଷରେ ହାନିକର ହେବ ।

 

: ଶୁଣ କୁନାଳ, କେବଳ ବଳପ୍ରୟୋଗ ଓ ଦଣ୍ଡ ଦ୍ୱାରା ବିଦ୍ରୋହ ଶେଷ ହୁଏ ନାହିଁ । ବିଦ୍ରୋହୀମାନଙ୍କର ଇଚ୍ଛା ଓ ବିଦ୍ରୋହର କାରଣ ଜାଣି ସମୁଚିତ ବ୍ୟବସ୍ଥା କରିବାକୁ ହୁଏ । ତୁମର ରାଜନୀତିରେ ସମ୍ପୂର୍ଣ୍ଣ ପାରଦର୍ଶିତା ଆସିନାହିଁ । ତେଣୁ ମୁଁ ଯିବା ଉତ୍ତମ ହେବ ।

 

ବିଦ୍ରୋହର ଭୟଙ୍କରତାକୁ ଅନୁମାନ କରି ତରଙ୍ଗବାଳା ବିଚଳିତ ହୋଇପଡ଼ିଲା । ନା ନା ସମ୍ରାଟଙ୍କୁ ସେଠାକୁ ପଠାଇବା ଉଚିତ ହେବ ନାହିଁ । ମନରେ ଭାବିଲା ଯୁବରାଜ ତକ୍ଷଶିଳା ଗଲେ ଭଲ । ସେହିଠାରେ ତାକୁ ଉଚିତ ଦଣ୍ଡ ମିଳିପାରିବ ।

 

: ମହାରାଜ, କୁନାଳର ଅନୁରୋଧ ରକ୍ଷା କରନ୍ତୁ । ଆପଣଙ୍କ ପିତାଙ୍କ ରାଜତ୍ୱ ସମୟରେ ଆପଣ ବିଦ୍ରୋହ ଦମନ ପାଇଁ ଯାଇଥିଲେ । ବର୍ତ୍ତମାନ ଯୁବରାଜ ଆଗ୍ରହୀ । ନିଜର ଦକ୍ଷତା ପ୍ରମାଣିତ କରିବାପାଇଁ ତାଙ୍କୁ ସୁଯୋଗ ଦିଅନ୍ତୁ ।

 

ତରଙ୍ଗବାଳାର କୋମଳକଣ୍ଠର ମଧୁର ପରାମର୍ଶକୁ ରାଜା ପ୍ରତ୍ୟାଖ୍ୟାନ କରିପାରିଲେ ନାହିଁ ।

 

: ମହାମନ୍ତ୍ରୀ, ଯୁବରାଜ କୁନାଳଙ୍କୁ ପ୍ରଜାପତି ପଦ ପ୍ରଦାନ କରି ତକ୍ଷଶିଳା ଶୀଘ୍ର ପଠାଇବାର ଆୟୋଜନ କରନ୍ତୁ । ଦଶସହସ୍ର ସୈନିକ ସଙ୍ଗରେ ନେବା ଉତ୍ତମ ହେବ ।

 

: ଏପରି ଆଦେଶ ପାଳନ ପାଇଁ ମୁଁ ସର୍ବଦା ପ୍ରସ୍ତୁତ ଅଛି ।

 

ଯୁବରାଜ ଏବଂ ମହାମନ୍ତ୍ରୀ ଅଭିବାଦନ ଜଣାଇ ଲେଉଟି ଆସିଲେ ।

 

ବିଦ୍ରୋହୀମାନଙ୍କର ନେତା ଗୋପକ ଚନ୍ଦ୍ରଭାଲ ନିଜର ପାଞ୍ଚଜଣ ବିଶ୍ୱସ୍ତ ସହକର୍ମୀଙ୍କୁ ସାଙ୍ଗରେ ନେଇ ଏକ ଗୁପ୍ତ କକ୍ଷରେ ଆଲୋଚନା ରତ । ଦଶସହସ୍ର ସୈନିକ, ଯୁବରାଣୀ କାଞ୍ଚନମାଳା ଏବଂ ସଂପ୍ରତିକୁ ସଙ୍ଗରେ ଘେନି କୁନାଳ ତକ୍ଷଶିଳା ପହଞ୍ଚିଯିବା ପରେ ବିଦ୍ରୋହୀମାନଙ୍କର କାର୍ଯ୍ୟ ତତ୍ପରତା ବୃଦ୍ଧି ପାଇଛି ଦଶସହସ୍ର ସୁଶିକ୍ଷିତ ସେନା ସହିତ ବିଦ୍ରୋହୀମାନେ ସମ୍ମୁଖ ସମର କଲେ ପରାଜୟ ସୁନିଶ୍ଚିତ । ତେଣୁ ଆଜିର ଆଲୋଚନା ଚାଲିଛି କିପରି ଅର୍ଦ୍ଧରାତ୍ରିରେ ଯୁବାରାଜ କୁନାଳଙ୍କୁ ହତ୍ୟା କରାଯିବ । ତା’ହେଲେ ସୈନ୍ୟବାହିନୀର ମନବଳ ନିଶ୍ଚୟ ଭାଙ୍ଗିଯିବ । ବଛା ବଛା ଦଶଜଣ ସାଥିଙ୍କୁ ନେଇ ଅର୍ଦ୍ଧରାତ୍ରି ସମୟରେ ଅଭିଯାନ ଆରମ୍ଭ ହେବ । ନେତୃତ୍ୱ ନେବେ ସ୍ୱୟଂ ଚନ୍ଦ୍ରଭାଲ ।

 

ତକ୍ଷଶିଳାର ରାଜପ୍ରାସାଦ ମଧ୍ୟରେ ଥିବା ମନ୍ତ୍ରଣା କକ୍ଷରେ ତକ୍ଷଶିଳାଧୀଶଙ୍କ ସହ ଯୁବରାଜ ଆଲୋଚନା କରୁଛନ୍ତି ।

 

: ବିଦ୍ରୋହର କାରଣ ଆପଣ କଅଣ ସ୍ଥିର କରିଛନ୍ତି ?

 

: ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ମୁଁ ଅନୁମାନ କରୁଛି ଶାସନ ଟିକିଏ ଶିଥିଳ ହୋଇଯିବାରୁ ବିଦ୍ରୋହୀମାନଙ୍କର ତତ୍ପରତା ବଢ଼ିଯାଇଛି ।

 

: ମୁଁ କିନ୍ତୁ ଆପଣଙ୍କ ବିଚାର ସହିତ ସହମତ ହୋଇପାରୁନାହିଁ । ଅଳ୍ପ ସମୟ ମଧ୍ୟରେ ମୁଁ ଯାହା ସମ୍ବାଦ ସଂଗ୍ରହ କରିଛି ଶୁଣନ୍ତୁ । ରାଜକର୍ମଚାରୀମାନଙ୍କର ଶୋଷଣ ଓ ଅତ୍ୟାଚାର ଅତି ମାତ୍ରାରେ ବୃଦ୍ଧିପାଇଛି । ତେଣୁ ଏ ବିଦ୍ରୋହର ସୂତ୍ରପାତ ।

 

ଯୁବରାଜଙ୍କର ସ୍ପଷ୍ଟ ଭାଷଣ ଶୁଣି ତକ୍ଷଶିଳାଧୀଶ ହତବାକ୍‌ ହୋଇଗଲେ । ନିଜର ଶାସନ ସମ୍ପର୍କରେ ଭାବି ସମ୍ରାଟଙ୍କର ଏପରି ମନ୍ତବ୍ୟ ଶୁଣି ତାଙ୍କର ମୁଖମଣ୍ଡଳ ଲାଲ ହୋଇଉଠିଲା-। ଅପମାନକୁ ଟିକିଏ ସହ୍ୟ କରିନେଇ ଶାସନ ମୁଖ୍ୟ କହିଲେ ।

 

: ତା’ମାନେ ବିଦ୍ରୋହୀମାନଙ୍କର କିଛି ଅପରାଧ ନାହିଁ । ଆପଣ ରାଜଭକ୍ତ କର୍ମଚାରୀମାନଙ୍କର ଏପରି ଅପମାନ କରନ୍ତୁ ନାହିଁ ଯୁବରାଜ । ଆପଣ ଏ ସାମ୍ରାଜ୍ୟର ଭାବି ସମ୍ରାଟ । ରାଜଭକ୍ତ କର୍ମଚାରୀଗଣ ଆପଣଙ୍କ ସିଂହାସନକୁ ଦୃଢ଼ କରିବେ ।

 

: ପ୍ରିୟଦର୍ଶୀଙ୍କର ଶାସନ ନୀତି ହେଲା ପ୍ରଜାମଙ୍ଗଳ ରାଷ୍ଟ୍ରର ନିର୍ମାଣ । ପ୍ରଜାଙ୍କ ସୁଖ ସମୃଦ୍ଧିରେ ଶାସକ ବର୍ଗର ହିତ ନିହିତ । ମୁଁ ଦିନେ ଦୁଇଦିନ ମଧ୍ୟରେ ସମ୍ପୂର୍ଣ୍ଣରୂପେ ଜାଣିପାରିବି ବିଦ୍ରୋହର ପ୍ରକୃତ କାରଣ ସବୁ କଅଣ କଅଣ ରହିଛି । ତା’ପରେ ବିଦ୍ରୋହକୁ କଠୋର ହସ୍ତରେ ଦମନ କରିବା କି ଅହିଂସା ମାର୍ଗରେ ଶାନ୍ତି ସ୍ଥାପନ କରିବା, ସ୍ଥିର କରାଯିବ ।

 

: ଆପଣ ଯାହା ଉଚିତ ବିଚାର କରୁଛନ୍ତି, କରନ୍ତୁ ।

 

ଆଲୋଚନା ଶେଷ କରି ଯୁବରାଜ ନିଜର ଶୟନ କକ୍ଷକୁ ଚାଲିଆସିଲେ ।

 

: ଦେବୀ କାଞ୍ଚନମାଳା.... ।

 

: କୁହ ନାଥ, ଏପରି ବ୍ୟସ୍ତତା କାହିଁକି ?

 

: ସମସ୍ୟାକୁ ଏଠାର ରାଜକର୍ମଚାରୀମାନେ ଜଟିଳ କରିଛନ୍ତି ।

 

: ତଥାପି, ଧୈର୍ଯ୍ୟ ରକ୍ଷା କରିବା ଆମର କର୍ତ୍ତବ୍ୟ ?

 

: ମୁଁ ପ୍ରଜାମାନଙ୍କ ମଧ୍ୟରେ ଛଦ୍ମବେଶରେ ଆଜି ରାତିରେ ଭ୍ରମଣ କରିବି । ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ନିଜ ଆଖିରେ ଦେଖିବି, କାନରେ ଶୁଣିବି ।

 

: କିନ୍ତୁ ନଗରରେ ପରିସ୍ଥିତି ଭଲନୁହେଁ ନାଥ, ଆପଣ ଏକାକୀ ବାହାରକୁ ଯିବା କଦାପି ନିରାପଦ ନୁହେଁ ।

 

: ମୋତେ ଛଦ୍ମବେଶରେ କେହି ଚିହ୍ନିପାରିବେ ନାହିଁ । ତୁମେ ନିଶ୍ଚିନ୍ତ ଥାଅ । ମୋର ସୁରକ୍ଷାର ସମସ୍ତ ବ୍ୟବସ୍ଥା କରି ମୁଁ ଭ୍ରମଣ କରିବି ।

 

ରାତ୍ରି ଦ୍ୱିପ୍ରହର ହେବାର ଅନୁମାନ କରି ଯୁବରାଜ ଛଦ୍ମବେଶରେ ବାହାରିପଡ଼ିଲେ । ଜଣେ ଅନୁଚର ଗୋଟିଏ ବେଗବାନ୍‌ ଅଶ୍ୱ ଧରି ପ୍ରାଚୀରର ଗୁପ୍ତ ଦ୍ୱାର ନିକଟରେ ଅପେକ୍ଷା କରିଥିଲା । ବିଦ୍ରୋହୀମାନଙ୍କ ମଧ୍ୟରେ ମିଶିଥିବା ଗୁପ୍ତଚରମାନଙ୍କଠାରୁ ଦୁଇଟି ସାଙ୍କେତିକ ଚିହ୍ନ ଥିବା କାଷ୍ଠ ଫଳକ ସନ୍ଧ୍ୟା ସମୟରେ ମିଳିଯାଇଥିଲା । ଅଙ୍ଗରକ୍ଷୀକି ସଙ୍ଗରେ ନେଇ ଯୁବରାଜ ଘୋଡ଼ା ଛୁଟାଇଦେଲେ । ବିଦ୍ରୋହୀ ନେତା ଗୋପକ ଚନ୍ଦ୍ରଭାଲର ପ୍ରାସାଦ ନିକଟରେ ଥିବା ବୃକ୍ଷ ନିକଟରେ ଅବତରଣ କରି ଘୋଡ଼ାକୁ ସେହିଠାରେ ବାନ୍ଧିଦେଲେ । ଅଙ୍ଗରକ୍ଷୀ ସହ ଚନ୍ଦ୍ରଭାଲର ପ୍ରସାଦ ନିକଟକୁ ଆସି ଦେଖିଲେ, ମୁଖ୍ୟ ଦ୍ୱାର ନିକଟରେ ଦୁଇଜଣ ପ୍ରହରୀ ବର୍ଛା ଧରି ଦଣ୍ଡାୟମାନ-। ଯୁବରାଜ ଏବଂ ଅନୁଚର ତାଙ୍କ ପାଖକୁ ଯାଇ ସଂକେତ ଦେଖାଇଲେ ।

 

: ଆପଣମାନେ ବିଳମ୍ବ କରିଦେଲେ । ସଭା ଆରମ୍ଭ ପ୍ରାୟ । ଶୀଘ୍ର ଯାଆନ୍ତୁ ।

 

ପ୍ରହରୀଙ୍କଠାରୁ ପାରହୋଇ ଦୁଇଜଣ ପହଞ୍ଚିଗଲେ ଉଦ୍ୟାନ ମଧ୍ୟରେ । ଉଦ୍ୟାନର ଗୋଟିଏ ବୃକ୍ଷ ମୂଳରେ ପ୍ରାୟ ଏକଶତ ବ୍ୟକ୍ତିଙ୍କର ଗୁପ୍ତ ସଭା ବସିଛି । ଏମାନେ ଯାଇ ଚନ୍ଦ୍ରଭାଲଙ୍କୁ ସାଙ୍କେତିକ ଭାଷାରେ ସମ୍ମାନ ଜଣାଇ ବସିପଡ଼ିଲେ । ମାତ୍ର ଗୋଟିଏ ମଶାଲର କ୍ଷୀଣ ଆଲୋକ । ଚନ୍ଦ୍ରଭାଲ ଠିଆହୋଇ ନିଜର ସହକର୍ମୀମାନଙ୍କୁ ସମ୍ବୋଧନ କରି କହିଲେ ।

 

: ମିତ୍ରଗଣ, ଆପଣମାନେ ସ୍ୱତନ୍ତ୍ରତାର ସେନାନୀ । ଆପଣମାନଙ୍କ ରଣହୁଙ୍କାର ସମ୍ରାଟଙ୍କ ସିଂହାସନକୁ ନିଶ୍ଚୟ ଧୂଳିସାତ୍‌ କରିଦେବ । ତକ୍ଷଶିଳାର ଶାସକ ଆଉ ରାଜକର୍ମଚାରୀମାନଙ୍କର ଅତ୍ୟାଚାର ଦିନକୁଦିନ ସୀମାଲଙ୍ଘନ କରିବାରୁ ଆମ୍ଭେମାନେ ସାମ୍ରାଜ୍ୟବାଦ ବିରୁଦ୍ଧରେ ମସ୍ତକ ଉତ୍ତୋଳନ କଲୁ । ଶାସକବର୍ଗର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଆମ ହାତରେ ଯଥେଷ୍ଟ ପ୍ରମାଣ ରହିଛି । କିନ୍ତୁ ସେ ପ୍ରମାଣ ବଳରେ ଆମକୁ ନ୍ୟାୟ କିଏ ଦେବ ? ସମ୍ରାଟ କଅଣ ଜାଣିଲେ ଯେ ଦଶ ସହସ୍ର ସେନା ସହ ଯୁବରାଜଙ୍କୁ ପଠାଇଦେଲେ । ଆମର ଦୁଃଖ ଦୁର୍ଦ୍ଦଶା ଶୁଣି ପ୍ରତିକାର କରିବା ବ୍ୟକ୍ତି କେହି ନାହିଁ । ଏତେବଡ଼ ସେନା ସହ ଆମେ କେବେ ସମ୍ମୁଖ ସମରରେ ତିଷ୍ଠିପାରିବା ନାହିଁ । ତେଣୁ ପ୍ରଥମେ ସୈନ୍ୟବାହିନୀର ଚାଳକ ଯୁବରାଜ କୁନାଳକୁ ଯମପୁରକୁ ପଠାଇବାକୁ ହେବ ।

 

ଏପର୍ଯ୍ୟନ୍ତ ସମସ୍ତ ଘଟଣା ଶୁଣି ଶୁଣି ଯୁବରାଜଙ୍କ ହୃଦୟ ଅତି ଦୁଃଖିତ ହୋଇଉଠିଥିଲା-। ଶାସକବର୍ଗର ପ୍ରଜାଙ୍କ ପ୍ରତି ବ୍ୟବହାର ଅତି ନିର୍ଦ୍ଦୟ, ଏ କଥା ବୌଦ୍ଧ ରାଜ୍ୟର କଳଙ୍କ ସଦୃଶ-। ଯୁବରାଜ ଆଉ ଅଧିକ ସମୟ ନିଜକୁ ଗୁପ୍ତ ରଖିବା ଅନୁଚିତ ମନେକରି ଠିଆ ହୋଇପଡ଼ିଲେ-। ତାଙ୍କ ମୁଖରୁ ହଠାତ୍‌ ବାହାରିଲା ।

 

: ଗୋପକ ଚନ୍ଦ୍ରଭାଲଙ୍କର ଜୟ ହେଉ ।

 

ସମସ୍ତଙ୍କର ବିସ୍ମୟପୂର୍ଣ୍ଣ ଦୃଷ୍ଟି ଯୁବରାଜଙ୍କ ଉପରେ ପଡ଼ିଲା ।

 

: ଯୁବରାଜ କୁନାଳକୁ ହତ୍ୟାକଲେ ଯଦି ସମସ୍ତ ସମସ୍ୟାର ସମାଧାନ ହୋଇଯିବ ଏବଂ ପ୍ରଜାବର୍ଗ ସୁଖ ଶାନ୍ତିରେ ଜୀବନଯାପନ କରିବେ, ତା’ହେଲେ ଏଇ ମୁହୂର୍ତ୍ତରେ ତାକୁ ହତ୍ୟା କରାଯାଉ ।

 

: କିଏ ସେ ଯୁବକ ?

 

ଚନ୍ଦ୍ରଭାଲ ବସିବା ସ୍ଥାନରୁ ଉଠିଆସିଲେ । ଯୁବରାଜ କାଳବିଳମ୍ବ ନ କରି ସମସ୍ତଙ୍କ ସମ୍ମୁଖକୁ ଚାଲିଆସି ଗୋଟିଏ ତୀକ୍ଷ୍ଣ କରବାଳ ଧରି କହିବାକୁ ଲାଗିଲେ ।

 

: ଯୁବରାଜ କୁନାଳ ଆପଣମାନଙ୍କ ସମ୍ମୁଖରେ ଉପସ୍ଥିତ । ନିଅ ଏଇ ଶାଣିତ ତରବାରି, ସମସ୍ତଙ୍କର ମଙ୍ଗଳ କାମନାରେ ତାକୁ ହତ୍ୟାକର ।

 

ଚନ୍ଦ୍ରଭାଲ ଧାଇଁଆସି ତରବାରିଟିକୁ ହସ୍ତଗତ କରିନେଲେ ।

 

: ସଭା ମଧ୍ୟକୁ କିପରି ଆସିଲେ ଯୁବକରାଜ ?

 

: ମୁଁ ଯେଉଁପରି ଆସେନା କାହିଁକି, ତକ୍ଷଶିଳାଧୀଶଙ୍କ ସହିତ ମୋର ମତ ସମାନ ନ ହେବାରୁ ମୁଁ ଛଦ୍ମବେଶରେ ଆସିବାକୁ ବାଧ୍ୟହେଲି । ମୋର ମତାମତ ଯାହା, ତା’ ଆପଣମାନଙ୍କ ମୁଖରୁ ଶୁଣିପାରିଲି । ଠିକ୍‌ ଏଇ କଥା ମୁଁ ତକ୍ଷଶିଳାର ଶାସକଙ୍କୁ କହିଛି–ଶାସକବର୍ଗର ଅତ୍ୟାଚାର ଅସହ୍ୟ ହେବାରୁ ପ୍ରଜାମାନେ ମେଳି କରିଛନ୍ତି । ମୁଁ ସେମାନଙ୍କ ସଙ୍ଗରେ ମିଶି ତାଙ୍କର ଦୁଃଖ ଦୁର୍ଦ୍ଦଶା ଶୁଣିବି ଏବଂ ତା’ର ପ୍ରତିବିଧାନ କରିବି । ଯାହା ମୋ ସାମର୍ଥ୍ୟର ବାହାରେ ହେବ ସେଥିପାଇଁ ସମ୍ରାଟଙ୍କୁ ନିବେଦନ କରିବି । କିନ୍ତୁ ମୋ କଥା ଶୁଣି ତକ୍ଷଶିଳାଧୀଶ ଖୁସି ହୋଇନଥିଲେ ।

 

ଆଣ୍ଠୁମାଡ଼ି ହାତ ଯୋଡ଼ି ବସିପଡ଼ିଲେ ଯୁବରାଜ । ପ୍ରିୟଦର୍ଶୀ ଅଶୋକଙ୍କର ଶାସନରେ ଏପରି ଅନ୍ୟାୟ ଅତ୍ୟାଚାର ଚାଲିଛି, ସେଥିପାଇଁ ମୁଁ ପ୍ରଜାବର୍ଗ ପାଖରେ କ୍ଷମାପ୍ରାର୍ଥୀ । ଶାସନକୁ ନିର୍ମଳ କରିବାକୁ ମୁଁ ଯଥାସାଧ୍ୟ ଚେଷ୍ଟା କରିବି । ମୋ ଉପରେ ଯଦି ଆପଣମାନଙ୍କର ବିଶ୍ୱାସ ଥାଏ ତେବେ କାଲି ସର୍ବସାଧାରଣ ସଭାରେ ଆପଣମାନେ ନିଜ ନିଜର ଅଭିଯୋଗ ଜଣାଇବେ । ସମ୍ପୃକ୍ତ ରାଜକର୍ମଚାରୀମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିବାର ବ୍ୟବସ୍ଥା ମୁଁ କରିବି ।

 

ଚନ୍ଦ୍ରଭାଲ ଉଠାଇନେଲେ ଯୁବରାଜଙ୍କୁ ।

 

: ଭାବି ସମ୍ରାଟ କୁମାର କୁନାଳ ଦେବଙ୍କର ଜୟ.... ।

 

ଶତକଣ୍ଠରେ ଜୟଧ୍ୱନିରେ ନିସ୍ତବ୍‌ଧ ରାତ୍ରି ପ୍ରକମ୍ପିତ ହେଲା । ଯୁବରାଜଙ୍କ ହସ୍ତଧାରଣ ପୂର୍ବକ ନିଜର ପ୍ରାସାଦ ଭିତରକୁ ଚନ୍ଦ୍ରଭାଲ ନେଇଗଲେ ।

 

ପରଦିନ ଅପରାହ୍ନରେ ରାଜପ୍ରାସାଦ ସମ୍ମୁଖରେ ଥିବା ପାନ୍ତରରେ ସାଧାରଣ ଜନସଭା-। ସୁସଜ୍ଜିତ କାଷ୍ଠ ମଣ୍ଡପ ଉପରେ ଯୁବରାଜ କୁନାଳ, କାଞ୍ଚନମାଳା, ସଂପ୍ରତି, ତକ୍ଷଶିଳାଧୀଶ, ଏବଂ ଉପ-ସେନାପତି ବିଦ୍ୟମାନ । ସହସ୍ରାଧିକ ଜନସାଧାରଣ ଉତ୍କଣ୍ଠିତ ହୋଇ ବସିଛନ୍ତି ପ୍ରିୟ ଯୁବରାଜଙ୍କଠାରୁ କିଛି ଶୁଣିବା ଆଶାରେ ।

 

ଚନ୍ଦ୍ରଭାଲ ଦଣ୍ଡାୟମାନ ହୋଇ କହିଉଠିଲେ ।

 

ମୌର୍ଯ୍ୟକୁଳ ଭୂଷଣ ଯୁବରାଜ କୁନାଳ ଦେବଙ୍କର ଜୟ । ସହସ୍ରଙ୍କଠାରୁ ଜୟଧ୍ୱନି ନିସୃତ ହେଲା । ସଭା ଶାନ୍ତ ହେବାରୁ ଯୁବରାଜ ଦଣ୍ଡାୟମାନ ହୋଇ ସମ୍ବୋଧନ କଲେ । ପ୍ରିୟ ପ୍ରଜାଗଣ, ତକ୍ଷଶିଳାର ପ୍ରଜାପତି ପଦ ପ୍ରଦାନ କରି ମୋତେ ଶ୍ରୀ ସମ୍ରାଟ ପଠାଇ ଅଛନ୍ତି । ପ୍ରଜାମାନଙ୍କର ସମସ୍ତ ନାଗରିକ ଏବଂ ମାନବିକ ଅଧିକାରକୁ ମୁଁ ସୁରକ୍ଷିତ ରଖିବି । ଆଜି ଏ ସାଧାରଣ ସଭାରେ ମୁଁ ସମସ୍ତଙ୍କର ଅଭିଯୋଗ ଶୁଣି ତା’ର ପ୍ରତିବିଧାନ କରିବି । ତକ୍ଷଶିଳା ଆମର ସବୁଠାରୁ ସମୃଦ୍ଧିଶାଳୀ ପ୍ରଦେଶ । ଏଇ ପ୍ରଦେଶର ପ୍ରଜାମାନେ ବୀର, ଦେଶଭକ୍ତ ଏବଂ ଧାର୍ମିକ । ଶ୍ରୀ ସମ୍ରାଟ ଏହିପରି ଧାରଣା ମୋତେ ଦେଇଛନ୍ତି । ଆପଣମାନେ ଜଣେ ଜଣେ ସଭାମଞ୍ଚକୁ ଆସି ବ୍ୟକ୍ତିଗତ ବା ସାମୂହିକ ଦୁଃଖ ଦୁର୍ଦ୍ଦଶା ବର୍ଣ୍ଣନା କରିପାରନ୍ତି ।

 

ପ୍ରଥମେ ଗୋପକ ଚନ୍ଦ୍ରଭାଲ ସଭାମଣ୍ଡପକୁ ଯାଇ ସମସ୍ତଙ୍କୁ ଯଥାବିଧି ସମ୍ମାନ ଜଣାଇଲେ । ତା’ପରେ ତକ୍ଷଶିଳାଧୀଶ ଏବଂ ମୁଖ୍ୟ ରାଜକର୍ମଚାରୀଙ୍କର ଅନ୍ୟାୟ ଅତ୍ୟାଚାର ବର୍ଣ୍ଣନା କରି ଭୁଜପତ୍ର ଲିଖିତ ଏକ ବକ୍ତବ୍ୟ ପାଠ କଲେ ।

 

ଯୁବରାଜ ଦଣ୍ଡାୟମାନ ହେଲେ ଉତ୍ତର ଦେବାକୁ ।

 

ପ୍ରିୟ ପ୍ରଜାଜନ,

 

ଏ ସମସ୍ତ ଅଭିଯୋଗର ସତ୍ୟାସତ୍ୟ ତିନିଦିନ ମଧ୍ୟରେ ନିର୍ଣ୍ଣୟ କରି ତା’ର ପ୍ରତିବିଧାନ କରିବି । ଏ ବିଷୟରେ ଯାହା ଅନୁସନ୍ଧାନ କରିବି, ଆପଣମାନେ ସେଥିରେ ସାହାଯ୍ୟ କରିବେ । ଆପଣମାନଙ୍କ ବର୍ଣ୍ଣନା ଅନୁସାରେ ମୁଖ୍ୟ ଅପରାଧୀ ତକ୍ଷଶିଳାଧୀଶ । ଯଦି ଅପରାଧ ପ୍ରମାଣିତ ହୁଏ, ତେବେ ତାଙ୍କୁ ଦଣ୍ଡ ଦେବାପାଇଁ ମୁଁ ଶ୍ରୀ ସମ୍ରାଟଙ୍କୁ ଜଣାଇବି । କାରଣ ତାଙ୍କର ନିଯୁକ୍ତିକର୍ତ୍ତା ସ୍ୱୟଂ ଶ୍ରୀ ସମ୍ରାଟ । ଅନ୍ୟାନ୍ୟ ଅପରାଧୀମାନଙ୍କୁ ମୁଁ ନିଜେ ଦଣ୍ଡ ଦେଇପାରିବି । ସେପର୍ଯ୍ୟନ୍ତ ରାଜକାର୍ଯ୍ୟରେ କୌଣସି ବିଭ୍ରାଟ କେହି କଲେ ସୈନ୍ୟବାହିନୀ ଦ୍ୱାରା ମୁଁ ତାଙ୍କୁ ବନ୍ଦୀ କରି ରଖିବାକୁ ବାଧ୍ୟ ହେବି ।

 

ଯୁବରାଜଙ୍କର ଜୟଧ୍ୱନିରେ ଗଗନପବନ ମୁଖରିତ ହୋଇଉଠିଲା । ସଭା ବିସର୍ଜିତ ହେଲା । ଯୁବରାଜ ଅହିଂସା ଉପାୟରେ ବିଦ୍ରୋହକୁ ଶାନ୍ତ କରିଦେଲେ; ପ୍ରଜାମାନଙ୍କର ହୃଦୟକୁ ଜିଣିନେଲେ । କିନ୍ତୁ ରାଜକର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ଯୁବରାଜଙ୍କ ଉପରେ ଅସନ୍ତୁଷ୍ଟ ହୋଇଉଠିଲେ ।

 

ରାଜନଗର ପାଟଳୀପୁତ୍ରରେ ସମସ୍ତେ ଆଜି ଉଦାସ । ରାଜପ୍ରସାଦ ମଧ୍ୟରେ ସମସ୍ତଙ୍କ ମୁଖରେ ବିମର୍ଷ ଭାବ । ପ୍ରିୟଦର୍ଶୀ ଅଶୋକ ପୀଡ଼ିତ ଅବସ୍ଥାରେ ଶଯ୍ୟାଶାୟୀ ।

 

ଶଯ୍ୟା ନିକଟରେ ମହାରାଣୀ ତିଷ୍ୟରକ୍ଷିତା ଚିନ୍ତିତ ମୁଦ୍ରାରେ ବସିଛନ୍ତି । ସମ୍ରାଟଙ୍କ ପ୍ରିୟତମା ତରଙ୍ଗବାଳାର ହୃଦୟରେ ଦୁଃଖର ତରଙ୍ଗ ଉଠୁଛି । ହଠାତ୍ ଯଦି ସମ୍ରାଟ ସ୍ୱର୍ଗବାସୀ ହୋଇଯାଆନ୍ତି ତେବେ କଅଣ ହେବ ?

 

ରାଜବୈଦ୍ୟ ଭିଷଗ୍‌ଶିରୋମଣି ଶାସ୍ତ୍ରୀଜୀ ଆସିଗଲେ । ପରିଚାରିକାଗଣ ସମ୍ମାନ ଜଣାଇ ଆଡ଼ ହୋଇଗଲେ । ସମ୍ରାଟଙ୍କର ନାଡ଼ି, ଆଖି, ଜିଭ, ପେଟ ସବୁ ପରୀକ୍ଷା କରି କହିଲେ ।

 

Unknown

: ଚିନ୍ତିତ ହୁଅନ୍ତୁ ନାହିଁ ମହାରାଣୀ, ଅବସ୍ଥା ଅତି ଶୋଚନୀୟ ନୁହେଁ । ଚିକିତ୍ସାରେ ମୁଁ କଦାପି ତ୍ରୁଟି କରିବି ନାହିଁ । ତଥାପି.....ଆପଣ ଈଶ୍ୱରଙ୍କ ଉପରେ ଭରସା ରଖନ୍ତୁ । ଦିନେ ଦୁଇଦିନ ମଧ୍ୟରେ ସମ୍ରାଟ ସୁସ୍ଥ ହୋଇଯିବେ ବୋଲି ମୁଁ ଆଶା କରୁଛି । ଦେଖାଯାଉ ଈଶ୍ୱରଙ୍କ ଇଚ୍ଛା କଅଣ ଅଛି ।

 

: ଆପଣଙ୍କ ଚିକିତ୍ସା ଉପରେ ମୋର ଅଖଣ୍ଡ ବିଶ୍ୱାସ ରହିଛି ଶାସ୍ତ୍ରୀଜୀ । ଆପଣ ଯଥାସାଧ୍ୟ ଚେଷ୍ଟା କରନ୍ତୁ ।

 

: ସମ୍ରାଟଙ୍କ ଆରୋଗ୍ୟ କାମନା କରି ଆଜିଠାରୁ ପ୍ରତିଦିନ ଦେବ ମନ୍ଦିର ଏବଂ ବୌଦ୍ଧ ବିହାରରେ ସମବେତ ପ୍ରାର୍ଥନା ଆରମ୍ଭ ହେବ ।

 

ଶାସ୍ତ୍ରୀଜୀ ଔଷଧର ବ୍ୟବସ୍ଥା କରି ଚାଲିଗଲେ । ପୁଣି ଏକ ପ୍ରହର ପରେ ଆସି ଔଷଧ ଦେବେ ବୋଲି ଆଶ୍ୱସନା ମଧ୍ୟ ଦେଲେ ।

 

ସମ୍ରାଟ ପୀଡ଼ିତ ହେବା ପରଠାରୁ ଶାସନଭାର ମହାରାଣୀ ତିଷ୍ୟରକ୍ଷିତା ଓରଫ ତରଙ୍ଗବାଳାଙ୍କ ହାତରେ । ମହାମନ୍ତ୍ରୀ ଯେତେବେଳେ ଚାହିଁଲେ ଯୁବରାଜ କୁନାଳଙ୍କୁ ତକ୍ଷଶିଳାରୁ ଫେରାଇଆଣିବେ, ମହାରାଣୀ ସେତେବେଳେ ପ୍ରସ୍ତାବକୁ ଅସ୍ୱୀକାର କରିଦେଲେ । ମହାମନ୍ତ୍ରୀ ତଥା ଅନ୍ୟ ମୁଖ୍ୟ ରାଜଭକ୍ତ କର୍ମଚାରୀମାନେ ଭିଷଗ୍‌ଶିରୋମଣିଙ୍କ ଆଶ୍ୱାସନା ଫଳରେ ଧୈର୍ଯ୍ୟ ଧରି ଅପେକ୍ଷା କରିଛନ୍ତି । ସମ୍ରାଟଙ୍କ ଆରୋଗ୍ୟ କାମନା କରି ମନ୍ଦିର ଓ ବୌଦ୍ଧମଠରେ ପ୍ରାର୍ଥନା ଆରମ୍ଭ ହୋଇଯାଇଛି ।

 

ପୂର୍ବର ପରିଚାରିକା ଶ୍ରେଷ୍ଠୀ ଆଜି ମୌର୍ଯ୍ୟ ସାମ୍ରାଜ୍ୟର ମହାରାଣୀ । ସମ୍ରାଟଙ୍କ ପୀଡ଼ିତ ଅବସ୍ଥାରେ ସେ ବର୍ତ୍ତମାନ ଶାସନର ସର୍ବୋଚ୍ଚ ସତ୍ତାଧାରିଣୀ । ନିଜ ଶୟନ କକ୍ଷରେ ବସି, ସାମ୍ରାଜ୍ୟ ପରିଚାଳନା ସମ୍ପର୍କୀୟ ଆଦେଶ ପତ୍ର କେତେକ ଲେଖି ବିଭିନ୍ନ କର୍ମଚାରୀଙ୍କ ପାଖକୁ ପଠାଉଛି । କିନ୍ତୁ ମହାମନ୍ତ୍ରୀ ବଡ଼ ଅଡ଼ୁଆରେ ପଡ଼ିଛନ୍ତି । ମହାରାଣୀଙ୍କର ଅଳ୍ପ କେତେଦିନର ମନମୁଖୀ ଶାସନ ତାଙ୍କୁ କଷ୍ଟଦାୟକ ହେଲାଣି ।

 

ମହାରାଣୀଙ୍କ ଶୟନ କକ୍ଷରେ ପ୍ରବେଶ କରି ମୁଖ୍ୟ ପରିଚାରିକା ଅଭିବାଦନ ଜଣାଇଲା-

 

: କଅଣ ସମାଚାର ?

 

: ତକ୍ଷଶିଳାରୁ ଜଣେ ଦୂତ ପତ୍ର ନେଇ ଆସିଛି ।

 

: ଉପସ୍ଥିତ ହେବାକୁ କୁହ ।

 

ମହାରାଣୀଙ୍କ ସମକ୍ଷରେ ନତମସ୍ତକ ହୋଇ ସନ୍ଦେଶ ବାହକ ଦଣ୍ଡାୟମାନ ହେଲା । ତକ୍ଷଶିଳାଧୀଶଙ୍କର ପତ୍ର ବଢ଼ାଇ ଦେଇ ବାହାରକୁ ଆସି ଅପେକ୍ଷା କଲା । ଭୁଜପତ୍ର ଲିଖିତ ସମ୍ବାଦଟିକୁ ମହାରାଣୀ ମନେମନେ ପଢ଼ିବାକୁ ଲାଗିଲେ ।

 

ମୌର୍ଯ୍ୟ ସାମ୍ରାଜ୍ୟର ସାମ୍ରାଜ୍ଞୀ ଦେବୀ ତିଷ୍ୟରକ୍ଷିତାଙ୍କୁ ଶତସହସ୍ର ପ୍ରଣାମ । ଆପଣଙ୍କ ସହିତ ଯୁବରାଜଙ୍କର ସମସ୍ତ ମନୋମାଳିନ୍ୟ ଘଟଣା ମୋତେ ଜଣାଅଛି । ଆପଣଙ୍କ ପାଇଁ ଯାହା ଅତି ଗୋପନୀୟ, ସେ ସବୁ କଥା ମୋତେ ଜଣା । ମୋର ଗୁପ୍ତଚର ସଙ୍ଗଠନ ଅତି ଚତୁର । ଯୁବରାଜ ଏଠାକୁ ଆସି ବିଦ୍ରୋହୀ ନେତା ସହିତ ମିଳିମିଶି ଗଲେଣି, ମୋତେ ଯଥେଷ୍ଟ ଅପମାନିତ କରିଛନ୍ତି । ଆପଣଙ୍କର ଏବଂ ମୋର ଶତ୍ରୁ ଏକ । ଯୁବରାଜଙ୍କୁ କି ପ୍ରକାର ଦଣ୍ଡ ଦିଆଯାଇପାରିବ । ଆପଣ ଯାହା ବ୍ୟବସ୍ଥା କରିବେ ମୁଁ ତାକୁ କାର୍ଯ୍ୟକାରୀ କରାଇବି । ଆପଣ ଭୋଗ କରିବେ ନିଷ୍କଣ୍ଟକ ସାମ୍ରାଜ୍ୟ । ଚାହିଁଲେ, ସେବକ ଆପଣଙ୍କର ମନ୍ତ୍ରଣାଦାତା ରୂପେ କାର୍ଯ୍ୟ କରିପାରେ ।

 

ଆଦେଶ ଅପେକ୍ଷାରେ ରହିଲି ।

 

ଆଜ୍ଞାକାରୀ

ତକ୍ଷଶିଳାଧୀଶ ।

 

ପତ୍ର ପାଠକରି ମହାରାଣୀଙ୍କର ଆଶ୍ଚର୍ଯ୍ୟ ଏବଂ ଶଙ୍କାର ସୀମା ରହିଲା ନାହିଁ । ନିଜର ବ୍ୟକ୍ତିଗତ ଅତି ଗୋପନୀୟ ଘଟଣା ତକ୍ଷଶିଳାଧୀଶଙ୍କୁ ମଧ୍ୟ ଜଣାଅଛି । ଯା’ହେଉ, ତାଙ୍କ ସାହାଯ୍ୟରେ କୁନାଳକୁ ଚିରକାଳ ପାଇଁ ଅକର୍ମଣ୍ୟ କରିଦିଆଯିବ । ସୁଯୋଗ ହାତ ମୁଠାରେ ।

 

ସନ୍ଦେଶ ବାହକକୁ ଡକାଇ ମହାରାଣୀ ନିର୍ଦ୍ଦେଶ ଦେଲେ ।

 

: ଆଉ ଦୁଇଦିନ ଏଠାରେ ଅପେକ୍ଷା କରି ରହ । ରାଜଧାନୀ ଭ୍ରମଣ କରି ଦେଖ । ମୁଁ ଜଣେ ବିଶ୍ୱସ୍ତ କର୍ମଚାରୀ ତୁମ ସହିତ ତକ୍ଷଶିଳା ପଠାଇବି ।

 

ସନ୍ଦେଶ ବାହକ ଅତିଥିଶାଳାକୁ ପ୍ରସ୍ଥାନ କଲା । ଅଳ୍ପ ସମୟ ପରେ ପୁଣି ପରିଚାରିକା ଆସି ଜଣାଇଲା ଯେ, ତକ୍ଷଶିଳାରୁ ଯୁବରାଜଙ୍କ ସନ୍ଦେଶ ନେଇ ଜଣେ ପତ୍ରବାହକ ଆସିଛି । ଆଜ୍ଞାନୁସାରେ ପତ୍ରବାହକକୁ ମହାରାଣୀଙ୍କ ସମକ୍ଷରେ ଉପସ୍ଥିତ କରାଗଲା । ଯଥାବିଧି ସମ୍ମାନ ଜଣାଇ ପତ୍ର ଖଣ୍ଡିକ ବଢ଼ାଇଦେଲା ଡଗର । ପତ୍ରଖଣ୍ଡି ହାତରେ ଧରିବା ମାତ୍ରକେ ହୃଦୟର ସ୍ପନ୍ଦନ ବଢ଼ିଗଲା । ଯୁବରାଜ ଲେଖିଛନ୍ତି ।

 

ପ୍ରଜାବତ୍ସଳ ପ୍ରିୟଦର୍ଶୀ ମୌର୍ଯ୍ୟକୁଳ ତପନ ମଗଧାଧିପତି ଶ୍ରୀ ସମ୍ରାଟଙ୍କ ପଦକମଳରେ କୁନାଳର ସହସ୍ର ପ୍ରଣାମ ।

 

ଶ୍ରୀ ସମ୍ରାଟଙ୍କ ଗୋଚରାର୍ଥେ ଜଣାଇଲୁ କି ଆମ୍ଭେ ବୁଦ୍ଧି ବଳରେ ଅହିଂସା ମାର୍ଗରେ ବିଦ୍ରୋହକୁ ଶାନ୍ତ କରି ଆପଣଙ୍କ ଯଶ କିର୍ତ୍ତୀକୁ ବର୍ଦ୍ଧିତ କରାଇଅଛୁ । ବିଦ୍ରୋହୀମାନଙ୍କ ହୃଦୟ ଜିଣି ସେମାନଙ୍କର ନେତା ଗୋପକ ଚନ୍ଦ୍ରଭାଲକୁ ମିତ୍ରରେ ପରିଣତ କରିପାରିଛୁ ।

 

ପ୍ରଜାମାନଙ୍କର ଅଭାବ ଅସୁବିଧା ଶ୍ରବଣ କରି ପ୍ରତିକାର ନିମିତ୍ତ ଏକ ଜନସଭା ଆହ୍ୱାନ କରାଯାଇଥିଲା ।

 

ତକ୍ଷଶିଳାଧୀଶ ଏବଂ ମୁଖ୍ୟ ରାଜକର୍ମଚାରୀମାନେ ଆପଣଙ୍କ ନୀତି ବିରୁଦ୍ଧରେ ଯାଇ ପ୍ରଜାମାନଙ୍କୁ ଶୋଷଣ କରିଛନ୍ତି; ସେମାନଙ୍କର ନିର୍ମମ ଅତ୍ୟାଚାରର କାହାଣୀ ଅବର୍ଣ୍ଣନୀୟ । ଏହି କାରଣରୁ ବିଦ୍ରୋହର ସୂତ୍ରପାତ ହୋଇଥିଲା ।

 

ତକ୍ଷଶିଳାଧୀଶ ଏବଂ ମୁଖ୍ୟ ରାଜକର୍ମଚାରୀଗଣଙ୍କର ଅପରାଧ ବିଷୟ ଅନୁସନ୍ଧାନ କରିବାଦ୍ୱାରା ପ୍ରମାଣିତ ହୋଇଛି । ସେମାନଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗଗୁଡ଼ିକର ସଂକ୍ଷିପ୍ତ ବିବରଣୀ ଏ ପତ୍ର ସହ ପ୍ରେରିତ କରାଗଲା । ଆପଣ ସେଗୁଡ଼ିକ ଅବଲୋକନ କରି, ଅପରାଧୀମାନଙ୍କ ପ୍ରତି ଦଣ୍ଡାଜ୍ଞା ପ୍ରଦାନ କରିବାକୁ ଏକାନ୍ତ ନିବେଦନ ।

 

ଆଜ୍ଞାପ୍ରାପ୍ତି ଅପେକ୍ଷାରେ

ଆପଣଙ୍କର

ଆଜ୍ଞାକାରୀ ପ୍ରଜାପତି

ଯୁବରାଜ କୁନାଳ ।

 

ପତ୍ର ପାଠକରି ମହାରାଣୀ କିଛି ସମୟ ସ୍ତମ୍ଭୀଭୂତ ହୋଇ ବସି ରହିଲେ । ଅତିଥିଶାଳାରେ ଏକ ସପ୍ତାହ ଅପେକ୍ଷା କରି ରହିବାକୁ ପତ୍ରବାହକକୁ ଆଜ୍ଞା ପ୍ରଦାନ କରାଗଲା ।

 

କିଛି ସମୟ ମୌନ ରହି ଭବିଷ୍ୟତ ଯୋଜନା ନିର୍ଦ୍ଧାରଣ କରିବାକୁ ଲାଗିଲେ ମହାରାଣୀ-। ତା’ପରେ ନିଜର ପ୍ରଧାନ ସହାୟକ ବୀର ସୈନିକ ପ୍ରତାପରୁଦ୍ରସେନକୁ ଡକାଇ ପଠାଇଲେ-। ଅଳ୍ପ ସମୟ ଭିତରେ ରୁଦ୍ରସେନ ଆସି ଉପସ୍ଥିତ ହେଲା । ମହାରାଣୀ ରୁଦ୍ରସେନକୁ ନିକଟକୁ ଆସିବାକୁ ସଂକେତ ଦେଲେ ।

 

: ଶୁଣ ରୁଦ୍ରସେନ । ବହୁତ ଭାବିଚିନ୍ତି ଗୋଟିଏ ଉପାୟ ସ୍ଥିର କରିଛି । ବାଉଁଶ ରହିବନି କି ବଇଁଶୀ ବାଜିବନି ।

 

: କେଉଁ କଥା କହୁଛନ୍ତି ମହାରାଣୀ ?

 

: କୁନାଳ କଥା । ଏଠାରୁ ତକ୍ଷଶିଳା ଯାଇ ବିଦ୍ରୋହୀମାନଙ୍କ ସହିତ ମିତ୍ରତା କରିଛି । ବିଦ୍ରୋହୀମାନଙ୍କ ଦ୍ୱାରା ତକ୍ଷଶିଳାର ଶାସକ ଏବଂ ମୁଖ୍ୟ ରାଜକର୍ମଚାରୀମାନଙ୍କୁ ଅପମାନିତ କରିଛି-

 

: ତା’ହେଲେ....

 

: ତା’ହେଲେ ଏହି ହେଉଛି ଉପଯୁକ୍ତ ଅବସର । ବର୍ତ୍ତମାନ ଶାସନର କ୍ଷମତା ମୋ ହାତରେ । ସମ୍ରାଟଙ୍କ ତରଫରୁ ସମସ୍ତ ଆଜ୍ଞାପତ୍ରିକା ମୁଁ ପଠାଉଛି । ସମସ୍ତ ପ୍ରକାର ଆଦେଶନାମା ଦେବାର ଅଧିକାର ମୋ ହାତରେ ।

 

: ତଥାପି..... ଆପଣ କଅଣ କରିବାକୁ ଇଚ୍ଛା କରୁଛନ୍ତି ।

 

: ମୁଁ ଯୁବରାଜ କୁନାଳ ଉପରେ ରାଜଦ୍ରୋହର ଅପରାଧ ଲଗାଇ ତାକୁ କଠୋର ରାଜଦଣ୍ଡ ଦେବାପାଇଁ ସମ୍ରାଟଙ୍କ ଆଦେଶନାମା ପଠାଇବି । ତକ୍ଷଶିଳାଧୀଶ ସେ ଆଦେଶନାମା ବଳରେ ଦଣ୍ଡ ଦେଇପାରିବେ ।

 

: କିନ୍ତୁ–ମହାରାଣୀ, ଯୁବରାଜ ଯଦି ଆଜ୍ଞାପତ୍ରିକାକୁ ନ ମାନନ୍ତି, ତାଙ୍କ ଉପରେ କିଏ ବଳ ପ୍ରୟୋଗ କରିବ ? ସେ ନିଜେ ଜଣେ ନିପୁଣ ଶସ୍ତ୍ରଧାରୀ । ତାଙ୍କ ପାଇଁ ଦଶ ସହସ୍ର ସେନା ଏବଂ ବିଦ୍ରୋହୀ ସେନା ସମସ୍ତ ବାହାରିବେ ।

 

: ତୁମେ ଯୁବରାଜ କୁନାଳକୁ ଜାଣିନାହଁ ରୁଦ୍ରସେନ । ଆଦେଶନାମା ଉପରେ ସ୍ୱୟଂ ସମ୍ରାଟଙ୍କ ନାମାଙ୍କିତ ମୁଦ୍ରାର ଚିହ୍ନ ଦିଆଯିବ । ଯୁବରାଜ ଜାଣିବେ ତାଙ୍କର ପିତା ନିଜେ ଆଜ୍ଞା ଦେଇଛନ୍ତି । ଅସୀମ ପିତୃଭକ୍ତି କୁନାଳର ? ସେ କେବେ ପିତାଙ୍କର ଆଜ୍ଞାକୁ ଅସ୍ୱୀକାର କରିବ ନାହିଁ-। ତୁମେ ଆଜ୍ଞାପତ୍ରିକା ନେଇ ତକ୍ଷଶିଳାଧୀଶଙ୍କୁ ଦେବ ଆଉ ଯାହା ସନ୍ଦେଶ ମୁହଁରେ କହିବା କଥା ମୁଁ ପ୍ରସ୍ଥାନ ସମୟରେ କହିବି ।

 

ମୌର୍ଯ୍ୟ ସମ୍ରାଜ୍ୟରେ କେତେକ ପ୍ରାନ୍ତ ବା ପ୍ରଦେଶ ଥିଲା । ପ୍ରତି ପ୍ରଦେଶ ଅନ୍ତର୍ଗତ କେତେକ ମଣ୍ଡଳ ଥିଲା । କେତେଗୁଡ଼ିଏ ଗ୍ରାମସମୂହକୁ ମଣ୍ଡଳ କୁହାଯାଉଥିଲା ଏବଂ ମଣ୍ଡଳର ଅଧ୍ୟକ୍ଷ ଥିଲେ ଗୋପକ ।

 

ଗୋପକ ଚନ୍ଦ୍ରଭାଲ ଜଣେ ଖ୍ୟାତନାମା ବ୍ୟକ୍ତିଥିଲେ । କେତେଗୁଡ଼ିଏ ଗ୍ରାମ ଶାସନର ଦାୟିତ୍ୱ ତାଙ୍କର ଥିଲା । ତାଙ୍କର ବିଶାଳ ଅଟ୍ଟାଳିକା ଏବଂ ଉଦ୍ୟାନ ନ ଦେଖିଲେ ସହଜରେ ସମ୍ପୂର୍ଣ୍ଣ ବୈଭବର ଅନୁମାନ କରିହେବ ନାହିଁ ।

 

ଏଇ କେତେଦିନ ହେଲା ଯୁବରାଜ କୁନାଳ ଗୋପକ ଚନ୍ଦ୍ରଭାଲଙ୍କର ଅତିଥି । ଯୁବରାଜଙ୍କ ସହ କାଞ୍ଚନମାଳା ଏବଂ ସଂପ୍ରତି ମଧ୍ୟ ଅବସ୍ଥାନ କରୁଛନ୍ତି । ନିଜ ଶୟନକକ୍ଷ ନିକଟରେ ଅନ୍ୟ ଏକ ସୁସଜ୍ଜିତ ପ୍ରକୋଷ୍ଠରେ ସେମାନେ ରହିଛନ୍ତି ।

 

ଯୁବରାଜ; ଚନ୍ଦ୍ରଭାଲଙ୍କର ସ୍ନେହ ଆଦର ପୂର୍ଣ୍ଣ ଅତିଥି ସତ୍କାରରେ ବହୁତ ପ୍ରସନ୍ନ ଥିଲେ । ଅତ୍ୟନ୍ତ ହର୍ଷ ଉଲ୍ଲାସର ସହିତ ଦିନ ପରେ ଦିନ ଅତିବାହିତ ହେଉଥିଲା ।

 

ତକ୍ଷଶିଳା ନଗରର ସମସ୍ତ ରାଜକାର୍ଯ୍ୟ ପୂର୍ବପରି ତକ୍ଷଶିଳାଧୀଶ ଚଳାଉଥିଲେ । ତାଙ୍କ ହୃଦୟରେ ସର୍ବଦା ପ୍ରତିଶୋଧ ଅଗ୍ନି ଜଳୁଥିଲା । ରାଜଧାନୀରୁ କି ପ୍ରକାର ନିର୍ଦ୍ଦେଶ ଆସିବ, ତାହାରି ପ୍ରତୀକ୍ଷାରେ ତାଙ୍କୁ ଉତ୍ତମ ନିଦ୍ରା ମଧ୍ୟ ହେଉନଥାଏ ।

 

ଆଜି ଦିବସର ପ୍ରଥମ ପ୍ରହର ବିତିବା ପରେ ଚନ୍ଦ୍ରଭାଲଙ୍କ ସ୍ତ୍ରୀ, କାଞ୍ଚନମାଳା, ସଂପ୍ରତିକୁ ସଙ୍ଗରେ ନେଇ ରଥ ଉପରେ ବସି ବନ ଭ୍ରମଣକୁ ଚାଲିଯାଇଛନ୍ତି । ଚାରିଜଣ ସଶସ୍ତ୍ର ଅଙ୍ଗରକ୍ଷୀ ମଧ୍ୟ ଯାଇଛନ୍ତି ।

 

ଚନ୍ଦ୍ରଭାଲଙ୍କ କକ୍ଷରେ ଯୁବରାଜ ଏବଂ ତାଙ୍କର ଅତି ପ୍ରିୟ ଚାରିଜଣ କର୍ମଚାରୀ ଶାସନ ସମ୍ପର୍କୀୟ ଆଲୋଚନା କରୁଛନ୍ତି । ଗୋପକ ଚନ୍ଦ୍ରଭାଲ ମଧ୍ୟ ଉପସ୍ଥିତ ଅଛନ୍ତି । ଜନୈକ କର୍ମଚାରୀ କହିଉଠିଲେ ।

 

: ଯୁବରାଜ ଏତେଦିନ ହେଲା ସମ୍ରାଟଙ୍କ ନିକଟକୁ ଦୂତ ପ୍ରେରଣ କରିଥିଲେ, ଅଥଚ ତାଙ୍କଠାରୁ କିଛି ଆଦେଶନାମା ଏପର୍ଯ୍ୟନ୍ତ ଆସିଲା ନାହିଁ ।

 

: ଏତେ ବିଳମ୍ବ ହେବାର ନିଶ୍ଚିତ ରୂପେ କିଛି ବିଶେଷ କାରଣ ରହିଛି । ରାଜକାର୍ଯ୍ୟରେ ବ୍ୟସ୍ତ ରହି ବଚାରରେ ବିଳମ୍ବ ହୋଇପାରେ, କିମ୍ବା ଦୂତ ଏବଂ ଅଙ୍ଗରକ୍ଷୀ ମାର୍ଗରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

 

ସମ୍ରାଟ ଯେ ପୀଡ଼ିତ ଅବସ୍ଥାରେ ଶଯ୍ୟାଶାୟୀ, ଏକଥା ଯୁବରାଜଙ୍କୁ ଏପର୍ଯ୍ୟନ୍ତ ଜଣାନାହିଁ । ତିଷ୍ୟରକ୍ଷିତା ସମ୍ବାଦ ନ ପଠାଇ, ମହାମନ୍ତ୍ରୀଙ୍କୁ ମିଥ୍ୟା କହିଛି ।

 

ଗୋପକ ଚନ୍ଦ୍ରଭାଲ ପଚାରିଲେ : ଯୁବରାଜ, ଦଣ୍ଡବିଧାନ ବିଷୟରେ ଆପଣ କଅଣ ଭାବୁଛନ୍ତି ?

 

: ମିତ୍ର, ଏକଥା ତ ସମ୍ରାଟଙ୍କ ବିଚାରଧାରା ଉପରେ ନିର୍ଭର କରେ । କିଛି ଅନୁମାନ କରିବା କଠିନ କଥା ।

 

: ଆମର ସମ୍ରାଟ ପ୍ରିୟଦର୍ଶୀ, ନ୍ୟାୟ ପରାୟଣ । ପ୍ରଜାମାନଙ୍କ ପ୍ରତି ଅତ୍ୟାଚାର ରତ କର୍ମଚାରୀଙ୍କୁ ନିଶ୍ଚୟ ଉପଯୁକ୍ତ ଦଣ୍ଡ ଦେବେ ।

 

: ମୁଁ ମଧ୍ୟ ସେହିପରି ଆଶା କରୁଛି ।

 

ଏହି ସମୟରେ ଜଣେ ପାଇକ ଧଇଁସଇଁ ହୋଇ ଆସି ଅଭିବାଦନ ଜଣାଇଲା ।

 

: ଘଟଣା କଅଣ ?

 

: ତକ୍ଷଶିଳାଧୀଶ କେତେ ସହସ୍ର ସୈନିକଙ୍କୁ ଧରି ଆମର ଅଟ୍ଟାଳିକାକୁ ଘେରାଉ କରିସାରିଲେଣି ।

 

ଚନ୍ଦ୍ରଭାଲ ଏବଂ ଯୁବରାଜ କୁନାଳ ପରଷ୍ପରକୁ ଚାହିଁଲେ ଅର୍ଥପୂର୍ଣ୍ଣ ଦୃଷ୍ଟିରେ । ତକ୍ଷଶିଳାଧୀଶଙ୍କର ଏପ୍ରକାର ହଠାତ୍‌ ଆକ୍ରମଣର ଅର୍ଥ କଅଣ ହୋଇପାରେ !

 

: ଦୁରାଚାରୀର ଏ ସାହସ ?

 

ଯୁବରାଜ ତରବାରି ଧରି ଠିଆ ହୋଇପଡ଼ିଲେ । ଚନ୍ଦ୍ରଭାଲ ତାଙ୍କୁ ବାଧାଦେଇ କହିଲେ : ମିତ୍ର, ଅଧର୍ଯ୍ୟ ହୁଅନ୍ତୁ ନାହିଁ । ମୁଁ ବାହାରକୁ ଯାଇ ଦେଖିଆସୁଛି ।

 

: ନା–ନା ମିତ୍ର । ମୁଁ ଯାଇ ଦେଖୁଛି । ସେ ଦୁରାଚାରୀକୁ ଏ ସାହସ ଦେଲା କିଏ ?

 

: ଏପରି ଅସମୟରେ ଆକ୍ରମଣର କିଛି ମହତ୍ତ୍ୱ ରହିଛି । ଆପଣ ବାହାରକୁ ଆସିବା ନିରାପଦ ନୁହେଁ ।

 

: ମୋତେ ଭୀରୁ ବୋଲି ଭାବନାହିଁ ମିତ୍ର ।

 

: ମୁଁ ଜାଣେ ଯୁବରାଜ ପ୍ରକୃତ ବୀର । କିନ୍ତୁ ସେବକ ବଞ୍ଚି ଥାଉ ଥାଉ ଆପଣ କଷ୍ଟ ଉଠାଇବା କି ଆବଶ୍ୟକ ଅଛି ।

 

ଚନ୍ଦ୍ରଲାଭ ହାତରେ ନଗ୍ନ କୃପାଣ ଧରି ବାହାରକୁ ଆସିଲା । କେତେ ଯେ ସୈନିକ ପ୍ରାସାଦକୁ ଘେରିଛନ୍ତି, ତା’ର କଳନା ନାହିଁ । ନିର୍ଭୟରେ ସେ ଛାତିଫୁଲାଇ ଆଗକୁ ମାଡ଼ି ଚାଲିଲା । ତକ୍ଷାଶିଳାଧୀଶଙ୍କ ନିକଟରେ ଯାଇ ଦଣ୍ଡାୟମାନ ହେଲା । ରୋଷକଷାୟ ନେତ୍ରରେ ଚାହିଁଲା ତକ୍ଷଶିଳାଧୀଶ । ଚନ୍ଦ୍ରଭାଲ ମଧ୍ୟ ଚାହିଁଲା ଆଗ୍ନେୟ ନେତ୍ରରେ ।

 

: ଏପରି ଆକସ୍ମିକ ଅଭିଯାନର ଅଭିପ୍ରାୟ କଅଣ ମହାଶୟ ?

 

: ଯୁବରାଜ କେଉଁଠାରେ ?

 

: ପ୍ରଥମେ ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ ।

 

: ତୁମେ ମୋ ପ୍ରଶ୍ନର ଉତ୍ତର ଦିଅ ।

 

: ଯୁବରାଜ ଶୟନ କରିଛନ୍ତି ।

 

: ତାଙ୍କୁ କୁହ ସମ୍ରାଟଙ୍କର ଆଜ୍ଞାପତ୍ର ଆସିଛି ।

 

: ତାଙ୍କର ନିଦ୍ରା ଭଗ୍ନ କରିବା ଉଚିତ ନୁହେଁ । ଆପଣ ପରେ ଆସିପାରନ୍ତି ।

 

: ମୁଁ ବର୍ତ୍ତମାନ ଭିତରକୁ ଯାଇ ତାଙ୍କୁ ସାକ୍ଷାତ କରିବି ।

 

: ଏ କୃପାଣ ଚଳାଇବାକୁ ହାତରେ ଶକ୍ତି ଥିବାପର୍ଯ୍ୟନ୍ତ ଅସମ୍ଭବ ।

 

: ତା’ହେଲେ ତୁମେ ପତ୍ର ନେଇ ଯୁବରାଜଙ୍କୁ ଦେଖାଅ । ଅତି ଆବଶ୍ୟକ ଆଜ୍ଞାପତ୍ରିକା-

 

ତକ୍ଷଶିଳାଧୀଶ ଗୋପକ ଚନ୍ଦ୍ରଭାଲଙ୍କ ହସ୍ତରେ ସମ୍ରାଟଙ୍କ ଆଦେଶନାମା ଦେଇଦେଲା । ଚନ୍ଦ୍ରଭାଲ ଦ୍ରୁତ ପଦକ୍ଷେପରେ ଭିତରକୁ ଯାଇ ଯୁବରାଜ କୁନାଳଙ୍କୁ ପତ୍ରପାଠ କରିବାକୁ ଅନୁରୋଧ କଲେ । ଯୁବରାଜ ସମ୍ରାଟଙ୍କ ଆଦେଶନାମାଟି ପଢ଼ୁ ପଢ଼ୁ ମୁଖମଣ୍ଡଳ ମଳିନ ଦେଖାଗଲା । ପତ୍ରଟି ଶେଷ ହୋଇ ଆସିଲା ବେଳକୁ ତାଙ୍କର ଶରୀର କମ୍ପିତ ହେବାକୁ ଲାଗିଲା । କମ୍ପିତ ହସ୍ତରେ ସେଗୋଟିକ ବଢ଼ାଇଦେଲେ ଚନ୍ଦ୍ରଭାଲ ହସ୍ତକୁ । ମୁଖରେ ଭାଷା ନାହିଁ, ଚକ୍ଷୁର ଜ୍ୟୋତି ମଉଳି ଆସିଛି ।

 

ଚନ୍ଦ୍ରଭାଲ ସମ୍ରାଟଙ୍କ ଆଦେଶନାମାକୁ ଶୀଘ୍ର ଶୀଘ୍ର ପାଠ କରିବାରେ ଲାଗିଲେ ।

 

ଆଦେଶନାମାର ଉପରିଭାଗରେ ସମ୍ରାଟଙ୍କର ନାମାଙ୍କିତ ମୁଦ୍ରା ଚିହ୍ନ । ତା’ ତଳକୁ ଲେଖାଥିଲା–

 

ମୌର୍ଯ୍ୟ ସମ୍ରାଟ, ମଗଧ ଅଧିପତି, ପ୍ରିୟଦର୍ଶୀ ଅଶୋକ ବର୍ଦ୍ଧନ ଦେବଙ୍କ ଦ୍ୱାରା ପ୍ରେରିତ ଆଦେଶନାମା :–

 

ବିଭିନ୍ନ ଅନୁସନ୍ଧାନ ଦ୍ୱାରା ଅନେକ ପ୍ରମାଣ ପ୍ରାପ୍ତ ହେଲା ଯେ, ଯୁବରାଜ କୁନାଳ ଯେ କି ତକ୍ଷଶିଳାର ବିଦ୍ରୋହ ଶାନ୍ତ କରିବାକୁ ରାଜାଜ୍ଞା ପ୍ରାପ୍ତ ହୋଇ ଯାଇଥିଲେ, ସେ ନିଜର ଉଚିତ କର୍ତ୍ତବ୍ୟରେ ଅସ୍ଥିର ହୋଇ ବିଦ୍ରୋହୀମାନଙ୍କ ସହ ମିଳିମିଶି ରାଜଭକ୍ତ କର୍ମଚାରୀମାନଙ୍କୁ ଅତି ଅପମାନିତ କରିଛନ୍ତି । ମୌର୍ଯ୍ୟ ସାମ୍ରାଜ୍ୟର ଭାବିସମ୍ରାଟ ବିଦ୍ରୋହୀମାନଙ୍କର ପକ୍ଷ ନେଇ ନ୍ୟାୟ ଦୃଷ୍ଟିରେ ନିଜକୁ ରାଜଦ୍ରୋହୀ ପ୍ରମାଣିତ କରିଛନ୍ତି ।

 

ଅତଏବ ତକ୍ଷଶିଳାଧୀଶଙ୍କୁ ଏ ଦଣ୍ଡ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଅଧିକାର ପ୍ରଦାନ କରାଗଲା । ସେ ତପ୍ତ ଲୌହଶଳାକା ଦ୍ୱାରା କୁନାଳର ନେତ୍ରଦ୍ୱୟ ଦଗ୍‌ଧ କରାଇବେ ।

 

ଅପରାଧୀକୁ ଆଜ୍ଞା ଦିଆଯାଉଛି କି ସେ ଦଣ୍ଡ ପାଇସାରିବା ପରେ, ଦୁଇଦିନ ମଧ୍ୟରେ ବୌଦ୍ଧଭିକ୍ଷୁର ଦୀକ୍ଷା ଗ୍ରହଣ କରି ମୌର୍ଯ୍ୟ ସାମ୍ରାଜ୍ୟ ସୀମା ବାହାରକୁ ଯାଇ ଏକ ବୌଦ୍ଧ ବିହାରରେ ରହି ବୌଦ୍ଧଧର୍ମ ପ୍ରଚାର କାର୍ଯ୍ୟରେ ନିଯୁକ୍ତ ହେବେ । ତକ୍ଷଶିଳାଧୀଶ, ତାକୁ ବୌଦ୍ଧ ବିହାର ପର୍ଯ୍ୟନ୍ତ ପଠାଇବାର ଆୟୋଜନ କରିବେ ।

 

ମୌର୍ଯ୍ୟ ସମ୍ରାଟ ଅଶୋକ ବର୍ଦ୍ଧନ

 

ଗୋପକ ଚନ୍ଦ୍ରଭାଲର ସମସ୍ତ ଶରୀର କମ୍ପିଉଠିଲା ।

 

ଓଃ, କି କଠୋର ବ୍ୟବସ୍ଥା !

 

ଜଣେ ସମ୍ରାଟ, ଯୁବରାଜଙ୍କୁ ଦଣ୍ଡ ଦେଇଛନ୍ତି ।

 

ପିତାର ପୁତ୍ର ପ୍ରତି କଠୋର ଦଣ୍ଡାଦେଶ ।

 

କ୍ରୋଧରେ ଦାନ୍ତ ରଗଡ଼ିବାକୁ ଲାଗିଲେ ଚନ୍ଦ୍ରଭାଲ ।

 

: ଏଇ ଆପଣଙ୍କ କାର୍ଯ୍ୟର ପୁରସ୍କାର ଯୁବରାଜ ?

 

ମୁଁ ବହୁତ ମର୍ମାହତ ମିତ୍ରବର । ସମ୍ରାଟଙ୍କର ଆଜ୍ଞାପତ୍ର ମୋତେ ବିସ୍ମିତ କରିଛି ।

 

: ମୁଁ ସନ୍ଦେହ କରୁଛି ମିତ୍ର, ସମ୍ରାଟ ନିଜ ପୁତ୍ର ପ୍ରତି ଏତେ କଠୋର ହୋଇପାରିବେ ନାହିଁ ।

 

: ଆଜ୍ଞାପତ୍ର ଉପରେ ସମ୍ରାଟଙ୍କ ମୁଦ୍ରା ଅଙ୍କିତ ହୋଇଛି । ଏଥିରେ ସନ୍ଦେହ କିଛି ନାହିଁ ମିତ୍ର ।

 

: ମିତ୍ର ଚନ୍ଦ୍ରଭାଲ ।

 

: ଆଜ୍ଞା ଶ୍ରୀ ଯୁବରାଜ ।

 

: ଏ ଦଣ୍ଡ ବ୍ୟବସ୍ଥା, ସମ୍ରାଟ କରିଛନ୍ତି । ମୁଁ ଦଣ୍ଡ ଗ୍ରହଣ କରିବାକୁ ପ୍ରସ୍ତୁତ । ଯୁବରାଜଙ୍କ ବାଣୀରେ କରୁଣରସ ଭରିଯାଇଛି ।

 

: ଯୁବରାଜ, ମୁଁ କଦାପି ଏହା କରାଇଦେବି ନାହିଁ । ଆପଣଙ୍କ ପାଇଁ ମୁଁ ସମ୍ରାଟଙ୍କ ବିରୁଦ୍ଧରେ ଯୁଦ୍ଧ ଅଭିଯାନର ଆୟୋଜନ କରିବି ।

 

: ଶାନ୍ତି ହୁଅ ମିତ୍ର । ସେ ସମ୍ରାଟ ଆଉ ମୋର ପିତୃଦେବ । ତାଙ୍କର ଆଜ୍ଞା ମୁଁ ସହର୍ଷ ମାନିନେଉଛି ।

 

: ଯୁବରାଜ ଆପଣ ମୋର ହୃଦୟକୁ ପରୀକ୍ଷା କରୁଛନ୍ତି । ମୋର ସୈନିକ ଏବଂ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ କେହି ଆପଣଙ୍କ କେଶାଗ୍ର ମଧ୍ୟ ସ୍ପର୍ଶ କରିପାରିବେ ନାହିଁ ।

 

: ମୋ ପାଇଁ ରକ୍ତପାତର ଆବଶ୍ୟକତା ନାହିଁ ମିତ୍ର । ତକ୍ଷଶିଳାଧୀଶଙ୍କୁ ଡକାଅ ।

 

ଚନ୍ଦ୍ରଭାଲ ଗୋଟିଏ ଦ୍ୱାର ପାର କରି ଦେଖେ ତ ତକ୍ଷଶିଳାଧୀଶ ସହ ଚାରିଜଣ ସୈନିକ ଓ ଜଣେ ଚଣ୍ଡାଳ ତପ୍ତଲୌହ ଶଳାକା ଧରି ଚାଲିଆସୁଛନ୍ତି ।

 

: ସେଇଠାରେ ଠିଆ ହୁଅ । ନିଷ୍ଠୁର, ଅତ୍ୟାଚାରୀ.... ଚନ୍ଦ୍ରଭାଲ ଗର୍ଜନ କରିଉଠିଲା ।

 

: ସେମାନଙ୍କୁ କକ୍ଷ ମଧ୍ୟକୁ ନେଇଆସ ମିତ୍ର । ଆସ ବନ୍ଧୁଗଣ, ସମ୍ରାଟଙ୍କ ଆଜ୍ଞା ପାଳନ କର ।

 

: ମୋ କଥା ମାନନ୍ତୁ ଯୁବରାଜ, ଯେଉଁ ପିତା ନିଜର ପୁତ୍ରବଧୂକୁ ବିଧବା କରିବା ଭଳି କାର୍ଯ୍ୟ କରିପାରେ ସେ ପିତା ପଦବାଚ୍ୟ ନୁହେଁ ।

 

: ପ୍ରିୟ ମିତ୍ରବର, ପିତା ଜନ୍ମଦାତା ପାଳନ କର୍ତ୍ତା । ଧ୍ୱଂସ କରିବାର ଅଧିକାର ମଧ୍ୟ ତାଙ୍କର ରହିଛି ।

 

ତକ୍ଷଶିଳାଧୀଶ ଚଣ୍ଡାଳକୁ ଆଜ୍ଞା ଦେଲେ ।

 

: ଯୁବରାଜ କୁନାଳଙ୍କ ଚକ୍ଷୁରେ ତପ୍ତ ଲୌହ ଶଳାକା ଲଗାଇ ଦିଅ ।

 

କିନ୍ତୁ ଚଣ୍ଡାଳ ଠିଆହୋଇ ରହିଲା ଅଚଳ ଅବସ୍ଥାରେ ।

 

: ଯାଅ, ସମ୍ରାଟଙ୍କ ଆଜ୍ଞା ପୂର୍ଣ୍ଣକର ।

 

: ମହାଶୟ, ମୁଁ ଜାଣେନା ଯେ ଯୁବରାଜଙ୍କୁ ଏ ଦଣ୍ଡ ଦିଆଯିବ । ମୁଁ ବର୍ତ୍ତମାନ ଏ କାମ କରିବାକୁ ଅସମର୍ଥ । ରାଜସେବା ବର୍ତ୍ତମାନଠାରୁ ମୁଁ ତ୍ୟାଗ କରୁଛି ।

 

ଲୌହଶଳାକା ଦୁଇଟିକୁ ତଳେ ଫିଙ୍ଗିଦେଇ ଚଣ୍ଡାଳ ଠିଆହେଲା ମୌନ ହୋଇ ।

 

: ତୁମେ ମଧ୍ୟ ଦଣ୍ଡ ପାଇବ ।

 

: ପ୍ରସ୍ତୁତ ଅଛି, ମାତ୍ର ଯୁବରାଜଙ୍କ ଚକ୍ଷୁ ମୁଁ ନଷ୍ଟ କରିବି ନାହିଁ ।

 

: ସୈନିକଗଣ, ତୁମ୍ଭେମାନେ ଏ କାର୍ଯ୍ୟ ଶେଷକର ।

 

ସୈନିକମାନେ କୃପାଣ ତଳେ ଫିଙ୍ଗିଦେଇ ବାହାରକୁ ପଳାଇଗଲେ । ତକ୍ଷଶିଳାଧୀଶ ଠିଆହେଲା କିଂକର୍ତ୍ତବ୍ୟବିମୂଢ଼ ହୋଇ ।

 

ଯୁବରାଜ ନିଜେ ଲୌହଶଳାକାକୁ ଉଠାଇନେଲେ । ଚନ୍ଦ୍ରଭାଲର ହୃଦୟ କମ୍ପିଉଠିଲା ।

 

: ତକ୍ଷଶିଳାଧୀଶ, ଚିନ୍ତା କରନ୍ତୁ ନାହିଁ । କେହି ଯଦି ରାଜାଜ୍ଞାକୁ ମାନିବାକୁ ପ୍ରସ୍ତୁତ ନୁହେଁ; ମୁଁ ସେ ବ୍ୟବସ୍ଥାକୁ ପୂର୍ଣ୍ଣ କରିବି । ସମ୍ରାଟଙ୍କ ଆଜ୍ଞା, ମୋ ପ୍ରିୟ ପିତାଙ୍କର ଆଜ୍ଞା, ପ୍ରିୟଦର୍ଶୀ ଅଶୋକଙ୍କର ଆଜ୍ଞା–ପାଳନ କରିବା ମୋର ଧର୍ମ ।

 

: ରୋକିଯାଅ ମିତ୍ର, ଦେବୀ କାଞ୍ଚନମାଳା ଫେରିଆସନ୍ତୁ ।

 

: ନା ମିତ୍ର, ବୃଥା ଏ ମମତା, ବୃଥା ଏ ମାୟା । ଯୁବରାଜ ପଦ ବଦଳରେ ଭିକ୍ଷୁ ହେବା ମୋ ଭାଗ୍ୟରେ ଲେଖା ହୋଇଛି । ଓଁ ନମଃ ବୁଦ୍ଧାୟ.....

 

ଦୃଢ଼ହସ୍ତରେ ଧରିଥିବା ଲୌହ ଶଳାକା ଦ୍ୱୟ ସ୍ୱତଃ ଚାଲିଆସିଲେ ଚକ୍ଷୁ ନିକଟକୁ । କ୍ଷଣକ ମଧ୍ୟରେ ପଦ୍ମଲୋଚନ ଯୁବରାଜ ନେତ୍ର ଜ୍ୟୋତିହୀନ, ଶ୍ରୀହୀନ ହୋଇ ପଡ଼ିଗଲେ । ଦୁଇ ହାତରେ ଚକ୍ଷୁ ବନ୍ଦ କରି ଗୋପକ ଚନ୍ଦ୍ରଭାଲ କାନ୍ଦିଉଠିଲେ । ଯୁବରାଜର ଦୁଃସାହସ ଦେଖି କଠୋର ହୃଦୟ ତକ୍ଷଶିଳାଧୀଶ ମଧ୍ୟ କ୍ଷଣକ ପାଇଁ ଥରିଉଠିଲା ଏବଂ ଦ୍ରୁତ ପଦରେ ବାହାରକୁ ଚାଲିଗଲା ।

 

ଯୁବରାଜକୁ ଆଲିଙ୍ଗନ କରି ଚନ୍ଦ୍ରଭାଲ ବିଳାପ କରିଉଠିଲା ।

 

: ଏ କଅଣ କଲ ଯୁବରାଜ ?

 

: ଭଗବାନ ବୁଦ୍ଧଙ୍କ ଇଚ୍ଛା ପୂର୍ଣ୍ଣ ହେଲା । ଶାନ୍ତ ହୁଅ ।

 

: ମୁଁ ବଡ଼ ଅଭାଗା, ମିତ୍ରବର । ମୁଁ କିଛି କରିପାରିଲି ନାହିଁ ଆପଣଙ୍କ ବିନାଶ କ୍ଷଣରେ । ସଂସାର ମୋତେ କଅଣ କହିବ । କି ସ୍ୱାର୍ଥପର ଚନ୍ଦ୍ରଭାଲ ?

 

: ନା ନା ବନ୍ଧୁ; ସଂସାର ଆପଣଙ୍କୁ କଅଣ କହିବ ? ମୁଁ ସ୍ୱଇଚ୍ଛାରେ ପିତ୍ରାଜ୍ଞାକୁ ପାଳନ କରିଛି ।

 

ଏତିକିବେଳେ ବାହାରେ ସୈନିକମାନଙ୍କର କୋଳାହଳ ଶୁଣାଗଲା । ସେମାନେ ବିଦ୍ରୋହର ସ୍ୱର ଉତ୍ତୋଳନ କଲେ ।

 

: ଆମେ ବିଦ୍ରୋହ ବରିବୁ ।

 

: ଯୁବରାଜ କୁନାଳ ଦେବଙ୍କର ଜୟ ।

 

ତକ୍ଷଶିଳାଧୀଶ ଧ୍ୱଂସ ହେଉ ।

 

କୋଳାହଳ ତୀବ୍ରତର ହୋଇଉଠିଲା । ସୈନିକମାନଙ୍କର ବିଭିନ୍ନ ଧ୍ୱନିରେ ତକ୍ଷଶିଳା ପ୍ରକମ୍ପିତ ହେବାକୁ ଲାଗିଲା ।

 

ଯୁବରାଜ ଧୀରେ ଧୀରେ କକ୍ଷରୁ ବାହାରକୁ ଆସିଲେ । ଚନ୍ଦ୍ରଭାଲର ହସ୍ତ ଧାରଣ ପୂର୍ବକ ମୁଖ୍ୟଦ୍ୱାରକୁ ଆସି ନିଜର ଦକ୍ଷିଣ ହସ୍ତକୁ ଅଭୟ ମୁଦ୍ରାରେ ତୋଳି ଧରିଲେ ।

 

ତାଙ୍କର ଦୁର୍ଦ୍ଦଶା ଦେଖି ସୈନିକମାନେ ନିସ୍ତବ୍‌ଧ ହୋଇଗଲେ । ନେତ୍ର ଜ୍ୟୋତିହୀନ ଯୁବରାଜ, ଲୁହ ଏବଂ ରକ୍ତଧାର ପୂର୍ଣ୍ଣ ମୁଖମଣ୍ଡଳ । ଆଃ–କି ହୃଦୟ ବିଦାରକ ଅବସ୍ଥା !

 

: ମୋର ପ୍ରିୟ ରାଜଭକ୍ତ ବୀର ସୈନିକଗଣ । ଶାନ୍ତ ହୁଅ, ବର୍ତ୍ତମାନ କୌଣସି କ୍ରାନ୍ତିର ଆଉ ଆବଶ୍ୟକତା ନାହିଁ । ପିତା ପୁତ୍ରକୁ ଦଣ୍ଡ ଦେଇଛନ୍ତି । ସମ୍ରାଟ ଯୁବରାଜକୁ ଦଣ୍ଡ ଦେଇଛନ୍ତି ।

 

ସମସ୍ତେ ମସ୍ତକ ଅବନତ କରି ଦୁଃଖରେ ମ୍ରିୟମାଣ ହୋଇପଡ଼ିଲେ । କଠୋର ସୈନିକ ହୃଦୟ ମଧ୍ୟ ତରଳିଗଲା । ସୈନିକମାନଙ୍କ ଚକ୍ଷୁରୁ ଅବିରାମ ଲୋତକଧାରା ବହିଚାଲିଲା ।

 

: ବନ୍ଧୁଗଣ, ନିୟତିର ଖେଳଘର ଏ ସଂସାର । ଏ ଅନିତ୍ୟ ସଂସାରର ମୋହ ମାୟାରୁ ମୁକ୍ତ ହୋଇ ମୁଁ ତଥାଗତଙ୍କ ଶରଣକୁ ଚାଲିଯାଉଛି । ଆପଣମାନେ ନିଜର ଆବାସକୁ ଲେଉଟି ଯାଆନ୍ତୁ । ତକ୍ଷଶିଳାଧୀଶ ଯଦି ପ୍ରବଞ୍ଚନା କରି ଅନ୍ୟାୟ କରିଥିବେ ତେବେ ସମ୍ରାଟ ତାଙ୍କୁ ଦଣ୍ଡ ଦେବେ । ଆପଣମାନେ କୌଣସି ବିଦ୍ରୋହ ଭାବନାକୁ ମନରେ ସ୍ଥାନ ଦିଅନ୍ତୁ ନାହିଁ । ମୋର ଶେଷ ପ୍ରାର୍ଥନା ରକ୍ଷା କରନ୍ତୁ । ଓଁ ନମଃ ବୁଦ୍ଧାୟ, ଓଁ ନମଃ ବୁଦ୍ଧାୟ ।

 

ଅଳ୍ପ ସମୟ ମଧ୍ୟରେ ସୈନିକମାନେ ଅଶ୍ରୁମୋଚନ କରି କରି ସେ ସ୍ଥାନ ପରିତ୍ୟାଗକରି ଚାଲିଗଲେ । କେବଳ ଚନ୍ଦ୍ରଭାଲ ଯୁବରାଜଙ୍କ ନିକଟରେ ଥାଇ ଲୁହ ପୋଛିବାର ଉପକ୍ରମ କରୁଥାଏ-। ଏଇ ସମୟରେ ସମ୍ବାଦପାଇ ବୈଦ୍ୟରାଜ ପ୍ରିୟମ୍ବଦ ଆଚାର୍ଯ୍ୟ ଆସିଗଲେ । ଚନ୍ଦ୍ରଭାଲ ଯୁବରାଜଙ୍କ ହସ୍ତ ଧରି ଶୟନ କକ୍ଷକୁ ନେଇଆସି ପଲଙ୍କ ଉପରେ ବସାଇଦେଲେ । ବୈଦ୍ୟରାଜ ନିଜ ଔଷଧ କୋଥଳିରୁ କେତେକ ଚେରମୂଳ ବାହାର କରି ଘୋଟିବାକୁ ଲାଗିଲେ ।

 

ଯୁବରାଜଙ୍କ ଚକ୍ଷୁରେ ଔଷଧ ଲଗାଇ ପଟି ବାନ୍ଧିବା ବେଳକୁ ଦେବୀ କାଞ୍ଚନମାଳାଙ୍କ ବିଳାପ ଶୁଣାଗଲା । ଅସ୍ତବ୍ୟସ୍ତ ଅବସ୍ଥାରେ ଧାଇଁଆସି ଯୁବରାଜଙ୍କ ପଦ ଧରି ଲୋଟିପଡ଼ିଲେ ଯୁବରାଣୀ ।

 

: ଏ କଅଣ କଲେ ପ୍ରାଣପ୍ରିୟ..... ମୁଁ ଆସିବା ପର୍ଯ୍ୟନ୍ତ ଅପେକ୍ଷା ନ କରି ଏ କଅଣ କରିବସିଲେ... କିଏ ମୋର ସୁନା ସଂସାରକୁ ଚୂନା କରିଦେଲା.... ।

 

: ଶାନ୍ତ ହୁଅ ଦେବୀ ।

 

: ଶାନ୍ତ ହେବି ମୁଁ, କାହିଁକି ଶାନ୍ତ ହେବି ?

 

ହଠାତ୍‌ ଉଠି ଠିଆ ହୋଇପଡ଼ିଲେ ଦେବୀ କାଞ୍ଚନମାଳା । ତାଙ୍କର ମୁଖମଣ୍ଡଳରେ କ୍ଷତ୍ରିୟ କନ୍ୟାର ତେଜ, କ୍ରୋଧର ତରଙ୍ଗ ଏବଂ ଚକ୍ଷୁରେ ପ୍ରଳୟର ଆଭାସ ଦୃଷ୍ଟିଗୋଚର ହେଲା ।

 

: ମୋ ଜୀବନର ଅତି ପ୍ରିୟ ପ୍ରତି ଯେଉଁ ଅନ୍ୟାୟ କରାଯାଇଛି, ତା’ ଏକାବେଳକେ ଅସହ୍ୟ ।

 

: ଧୈର୍ଯ୍ୟରଖ ଦେବୀ ।

 

: ମୁଁ କ୍ଷତ୍ରିୟ କନ୍ୟା, ମୁଁ ବୀରାଙ୍ଗନା, ମୋ ସଂସାର ପୋଡ଼ି ଜଳି ଛାରଖାର ହୋଇଯାଇଛି, ଯେ ମୋତେ ଧ୍ୱଂସ କରିବାକୁ ଚେଷ୍ଟା କରିଚି ମୁଁ ତାକୁ ସମୂଳେ ନଷ୍ଟ କରିଦେଲେ ଶାନ୍ତିପାଇବି ।

 

: ଅସ୍ଥିର ହୁଅନାହିଁ ଭଦ୍ରେ ।

 

: ସ୍ଥିରତା କାହିଁ ଯେ, ମୋ ପ୍ରାଣପ୍ରିୟର ନୟନ ଜ୍ୟୋତି ନଷ୍ଟ କରିଦେଇଛି, ମୁଁ ତାକୁ ଅଗ୍ନିରେ ଜୀବନ୍ତ ଦଗ୍‌ଧ କରିଦେବି ।

 

: ମୋ କଥା ଶୁଣିବ ନାହିଁ କାଞ୍ଚନ....

 

: ମୁଁ ଆଜି ରଣଚଣ୍ଡୀ, ମୁଁ ଛିନ୍ନମସ୍ତା... ହାତରେ ନେବି ନଗ୍ନ କୃପାଣ....ପ୍ରଜ୍ୱଳିତ କରିବି ବିଦ୍ରୋହର ଅଗ୍ନି... ମୌର୍ଯ୍ୟ ସିଂହାସନକୁ ଟଳମଳ କରିଦେବି...... ସଂସାରକୁ ଦେଖାଇଦେବି ଯେ.... ।

 

ଚେତନାହୀନ ହୋଇ ଯୁବରାଣୀ କାଞ୍ଚନମାଳା ଲୋଟିପଡ଼ିଲେ । ଅତିରିକ୍ତ ଉତ୍ତେଜନାବଶତଃ ତାଙ୍କର ହୃତ୍‌କମ୍ପନ ବଢ଼ିଗଲା । କୁନାଳଙ୍କର ହୃଦୟ ବିଦାରକ ଦଶା ଦେଖି ତାଙ୍କର ମାନସିକ ସନ୍ତୁଳନ ରହିଲା ନାହିଁ । ଗୋପକ ଚନ୍ଦ୍ରଭାଲ ଏବଂ ବୈଦ୍ୟରାଜ ତାଙ୍କର ଚେତନା ଫେରାଇ ଆଣିବା ପାଇଁ ଉପଚାର କରିବାକୁ ଲାଗିଲେ । ପ୍ରାୟ ଏକଘଡ଼ି ଉପଚାର କରିବା ଫଳରେ ସଂଜ୍ଞା ଫେରିଆସିଲା । ଯୁବରାଜଙ୍କୁ ଚାହିଁ କାଞ୍ଚନମାଳା ପୁଣି କ୍ରନ୍ଦନ କରିବାକୁ ଲାଗିଲା ।

 

: ତୁମେ ଏତେ ଚଞ୍ଚଳ କାହିଁକି ନିଜର ଚକ୍ଷୁ ନଷ୍ଟ କରିଦେଲ ପ୍ରଭୁ । ଏ କିପ୍ରକାର ନ୍ୟାୟ-! ଏ ନ୍ୟାୟ ବିରୁଦ୍ଧରେ ମୁଁ ଯୁଦ୍ଧ ଘୋଷଣା କରିବି; ନିଶ୍ଚୟ କରିବି ।

 

: ଧୈର୍ଯ୍ୟ ରଖ ଦେବୀ; ତଥାଗତଙ୍କ ଇଚ୍ଛା ପୂର୍ଣ୍ଣ ହେଉ ।

 

: ଧୈର୍ଯ୍ୟ ? ଯେଉଁଦିନ ମୁଁ ଉପଯୁକ୍ତ ଦଣ୍ଡ ଦେଇ ଅପରାଧୀକୁ ସମୂଳେ ନାଶ କରିପାରିବି, ସେଦିନ ଧୈର୍ଯ୍ୟ ଲାଭ କରିବି । ଭାଇ ଚନ୍ଦ୍ରଭାଲ, ତୁମେ କଅଣ ମୋତେ ସାହାଯ୍ୟ କରିବ ନାହିଁ ?

 

: ଦେବୀ; ମୁଁ କ୍ଷତ୍ରିୟ ଧର୍ମ ନାମରେ ଶପଥ କରୁଛି, ଆପଣଙ୍କ ପ୍ରତିଜ୍ଞା ପୂରଣ ନିମିତ୍ତ ଦେହର ଶେଷ ବିନ୍ଦୁ ରକ୍ତ ଥିବାପର୍ଯ୍ୟନ୍ତ ଚେଷ୍ଟା କରିବି । ଯୁବରାଜ ବ୍ୟଥିତ ସ୍ୱରରେ କହିଲେ : ଏପରି ଚେଷ୍ଟାରୁ କ୍ଷାନ୍ତ ହୁଅ ଦେବୀ, ସମ୍ରାଟ ମୋର ପିତା, ମୋ ଉପରେ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି ।

 

: ମୁଁ ମଧ୍ୟ ଆପଣଙ୍କର ଧର୍ମପତ୍ନୀ, ପତି ଉପରେ ମୋର କିଛି ଅଧିକାର ନାହିଁ ? ଲକ୍ଷ ଲକ୍ଷ ପ୍ରଜାଙ୍କର ଆପଣ ପ୍ରିୟ ଯୁବରାଜ, ଏ ସାମ୍ରାଜ୍ୟର ଭାବି ସମ୍ରାଟ ଉପରେ ସେମାନଙ୍କର କିଛି ଅଧିକାର ନାହିଁ ?

 

: ମୁଁ ମାନୁଛି କାଞ୍ଚନ, ତୁମେ ପତ୍ନୀ, ଭାର୍ଯ୍ୟା, ଅର୍ଦ୍ଧାଙ୍ଗିନୀ ଏବଂ ସୁଖ ଦୁଃଖର ସଙ୍ଗିନୀ....

 

: ଆପଣ ଯଦି ପିତୃଭକ୍ତ ହୁଅନ୍ତି, ମୁଁ ମଧ୍ୟ ପତିବ୍ରତା । ମୋର ପତି ପ୍ରତି ଯେ ଅନ୍ୟାୟ କରିଛି, ଛନ୍ଦକପଟ କରି ମୋ ସୁନା ସଂସାରକୁ ଚୂନା କରିଛି; ମୁଁ ନିଶ୍ଚୟ ତା’ର ସର୍ବନାଶ କରିବି ।

 

: ତୁମେ ବିକ୍ଷିପ୍ତ ହୁଅ ନାହିଁ କାଞ୍ଚନ । କ୍ରାନ୍ତି ମାର୍ଗକୁ ପରିତ୍ୟାଗ କର । ତା’ଦ୍ୱାରା ଜୀବନରେ କେବେ ଶାନ୍ତି ପାଇବ ନାହିଁ ।

 

: କ୍ରାନ୍ତି ପରେ ପ୍ରକୃତ ଶାନ୍ତି ଆସେ ପ୍ରିୟତମ ।

 

: ତା’ହେଲେ ତୁମର ଏବଂ ମୋର ମାର୍ଗ ପୃଥକ୍‌ । ରାଜାଜ୍ଞା ପାଳନ କରି, ଦୀକ୍ଷା ନେଇ କୌଣସି ବୌଦ୍ଧ ମଠ ଉଦ୍ଦେଶ୍ୟରେ ମୁଁ ଯାତ୍ରା କରିବି । ମିତ୍ର ଚନ୍ଦ୍ରଭାଲ, ମୋ ପାଇଁ କଷାୟ ବସ୍ତ୍ରର ଆୟୋଜନ କର ।

 

: ଏପରି କୁହନ୍ତୁ ନାହିଁ ଯୁବରାଜ । ଆପଣ ଏହିଠାରେ ଅବସ୍ଥାନ କରନ୍ତୁ ।

 

: ନା ମିତ୍ର, ତୁମେ କାଞ୍ଚନମାଳା ଏବଂ ସଂପ୍ରତିକୁ ରକ୍ଷାକର । ଯେଉଁଦିନ ଦେବୀଙ୍କର କ୍ରାନ୍ତି ଉପରୁ ବିଶ୍ୱାସ ଶେଷ ହୋଇଯିବ, ସେଦିନ ତଥାଗତଙ୍କର ଶାନ୍ତି ମାର୍ଗରେ ନେଇଯିବାକୁ ମୁଁ ନିଶ୍ଚୟ ଉପସ୍ଥିତ ହେବି । ମୋ ଚକ୍ଷୁର ବାହ୍ୟଜ୍ୟୋତି ନଷ୍ଟ ହୋଇଛି ସିନା, ମୁଁ କିନ୍ତୁ ଅନ୍ତରର ତୃତୀୟ ନୟନ ଦ୍ୱାରା ଭଗବାନ ବୁଦ୍ଧଙ୍କର ଶାନ୍ତି ମାର୍ଗକୁ ସ୍ପଷ୍ଟ ଦେଖିପାରୁଛି ।

 

ମହାରାଣୀଙ୍କୁ ତକ୍ଷଶିଳାଧୀଶଙ୍କର ଗୁପ୍ତଚର ଯାଇ ସମ୍ବାଦ ଜଣାଇଲା–ଯୁବରାଜ କୁନାଳଙ୍କର ଚକ୍ଷୁ ତପ୍ତ ଲୌହ ଶଳାକାଦ୍ୱାରା ନଷ୍ଟ ହୋଇଯାଇଛି । ତା’ପରେ ସେ ବୌଦ୍ଧ ସନ୍ନ୍ୟାସୀ ହୋଇ ତକ୍ଷଶିଳା ବାହାରକୁ ଚାଲିଗଲେଣି । ତିଷ୍ୟରକ୍ଷିତା ଏ ସମାଚାର ପାଇ ଅତ୍ୟନ୍ତ ପ୍ରସନ୍ନ ହେଲା । ତା’ ହୃଦୟରେ ଜଳୁଥିବା ହିଂସାର ବହ୍ନି ଶାନ୍ତ ହୋଇଆସିଲା ।

 

ଗୁପ୍ତଚର ହାତରେ ମହାରାଣୀ ତକ୍ଷଶିଳାଧୀଶ ପାଖକୁ ଅନ୍ୟ ଏକ ପତ୍ର ପଠାଇଲେ । ସେଥିରେ ନିର୍ଦ୍ଦେଶ ଦେଲେ ଯେ ସମ୍ରାଟଙ୍କ ନିକଟକୁ ତକ୍ଷଶିଳାଧୀଶ ଏକ ଲିଖିତ ସମ୍ବାଦ ପ୍ରେରଣ କରନ୍ତୁ । ପତ୍ରରେ ଲେଖାଥିବ ଯେ ଯୁବରାଜ କୁନାଳ ସ୍ୱଇଚ୍ଛାରେ ବୌଦ୍ଧଭିକ୍ଷୁର ଦୀକ୍ଷା ନେଇ ଦେଶ ବିଦେଶ ଭ୍ରମଣ ଓ ଧର୍ମପ୍ରଚାର ଉଦ୍ଦେଶ୍ୟରେ ଚାଲିଯାଇଛନ୍ତି ।

 

ମହାରାଣୀ ଭାବିଥିଲେ ଏପରି ପତ୍ର ଆସିବା ଦ୍ୱାରା ତାଙ୍କର ଷଡ଼ଯନ୍ତ୍ର ଆଉ ଧାରାପଡ଼ିବ ନାହିଁ ।

 

ଭିଷଗ୍‌ ଶିରୋମଣି ଶାସ୍ତ୍ରୀଙ୍କର ଯତ୍‌ପରୋନାସ୍ତି ଚେଷ୍ଟା ଫଳରେ ସମ୍ରାଟ ଧୀରେ ଧୀରେ ସୁସ୍ଥ ହୋଇଉଠିଲେ । ଶଯ୍ୟାଉପରୁ ଉଠି ସାମାନ୍ୟ ଚାଲବୁଲ କରିବାକୁ ସକ୍ଷମ ହେବା ପରେ ମହାମନ୍ତ୍ରୀଙ୍କୁ ସାକ୍ଷାତ୍‌ କରିବାକୁ ଡକାଇ ପଠାଇଲେ ।

 

ଅଳ୍ପ ସମୟ ମଧ୍ୟରେ ମହାମନ୍ତ୍ରୀ ଆସି ଅଭିବାଦନ ଜଣାଇଲେ ।

 

: ଦେଖୁଛି ଶ୍ରୀ ସମ୍ରାଟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଛି । ଆଉ ଦିନେ ଦୁଇଦିନ ମଧ୍ୟରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବେ ।

 

: ସତ୍ୟ କଥା ଅମାତ୍ୟ ଶ୍ରେଷ୍ଠ, ଏବେ ଆଉ କିଛି ବିଶେଷ ଦୁର୍ବଳତା ନାହିଁ ।

 

: ଆପଣଙ୍କର ଅସୁସ୍ଥତା ସମସ୍ତଙ୍କୁ ବହୁ ଚିନ୍ତା ଆଣି ଦେଇଥିଲା ମହାରାଜ । ମନ୍ଦିର ମଠ ସର୍ବତ୍ର ଆପଣଙ୍କର ଦ୍ରୁତ ଆରୋଗ୍ୟ କାମନା କରି ନିୟମିତ ପ୍ରାର୍ଥନା ଚାଲିଥିଲା ।

 

: ଯାହା ଭଗବାନ ତଥାଗତଙ୍କର ଇଚ୍ଛା । ଏପର୍ଯ୍ୟନ୍ତ କୁନାଳର କିଛି ସମାଚାର ମିଳିଲା ନାହିଁ ?

 

: କିଛିଦିନ ପୂର୍ବେ ତକ୍ଷଶିଳାଧୀଶଙ୍କର ପତ୍ର ମିଳିଥିଲା ଯେ ବିଦ୍ରୋହ ଶାନ୍ତ ହୋଇଯାଇଛି-

 

: ତା’ପରେ ଆଉ କିଛି ସମାଚାର ମିଳିନାହିଁ ? ଆଚ୍ଛା; ମୋ ଅସୁସ୍ଥତାର ସମ୍ବାଦ କୁନାଳ ପାଖକୁ ପ୍ରେରଣ କରାଯାଇଥିଲା ନା ?

 

: ନା.... ପଠାଇ ପାରିନଥିଲି ।

 

: କାରଣ ?

 

: ରାଜମହିଷୀ ବାରଣ କଲେ ।

 

: ରାଜମହିଷୀ ବାରଣ କଲେ ? କାହିଁକି ?

 

: ଏ କଥାର ଉତ୍ତର ସେ ଏକା ଦେଇପାରିବେ ମହାରାଜ ।

 

ପରିଚାରିକା ଦ୍ୱାରା ତୁରନ୍ତ ମହାରାଣୀଙ୍କୁ ତଲବ କରାଗଲା । ସମ୍ରାଟ ପୀଡ଼ିତ ଅବସ୍ଥାରେ ଅନୁଭବ କରୁଥିଲେ ଯେ ତାଙ୍କ ଆଦରର ତରଙ୍ଗବାଳା କେବଳ ସୁଖର ସାଥି । ଅତି ଅଳ୍ପ ସମୟ ସମ୍ରାଟଙ୍କ ନିକଟରେ ରହୁଥିଲେ । କଥାରେ ସ୍ନେହର ମାତ୍ରା କମି କମି ଯାଉଥିଲା । କେବଳ ସମ୍ରାଟଙ୍କର ଅଖଣ୍ଡ କ୍ଷମତା ଏବଂ ଅମାପ ଧନରାଶି ଉପରେ ତାଙ୍କର ଲୋଭ ଥିଲା ପରି ଜଣାପଡ଼ୁଥିଲା । ତିଷ୍ୟରକ୍ଷିତା ଆସିବା ମାତ୍ରେ ରୁକ୍ଷ ସ୍ୱରରେ ସମ୍ରାଟ ପଚାରିଲେ–

 

: ତୁମେ ଯୁବରାଜଙ୍କ ନିକଟକୁ ମୋ ଅସୁସ୍ଥତାର ସମ୍ବାଦ ପଠାଇବାରେ କାହିଁକି ବାଧା ସୃଷ୍ଟି କଲ ?

 

ଚମକିପଡ଼ିଲା ତିଷ୍ୟରକ୍ଷିତା । କିଛି କ୍ଷଣ ପାଇଁ ମୁଖରୁ କିଛି କଥା ବାହାରିଲା ନାହିଁ ।

 

ସମ୍ରାଟଙ୍କର ସନ୍ଦେହ ବୃଦ୍ଧି ପାଇଲା । ସାମାନ୍ୟ ରୋଷ ଭାବରେ ପୁଣି କହିଲେ ।

 

: ଉତ୍ତର ଦିଅ ତରଙ୍ଗ । ଚୁପ୍‌ ରହିଲ କାହିଁକି ?

 

ମହାରାଣୀଙ୍କ ପାଟି ଅଠା ଅଠା ହୋଇଆସିଲା । ଛେପ ଢୋକି ଢୋକି କହିଲେ ।

 

: କ୍ଷମା କରିବେ ଶ୍ରୀ ସମ୍ରାଟ.... ମୁଁ ଭାବିଲି.... ଯୁବରାଜ ବିଦ୍ରୋହ ଦମନ କାର୍ଯ୍ୟରେ ବ୍ୟସ୍ତ ଥିବେ । ଆପଣଙ୍କର... ଅସୁସ୍ଥତାର ସମାଚାର ପାଇ ବିଚଳିତ ହୋଇପଡ଼ିବେ । ଶାସ୍ତ୍ରୀଜି ମଧ୍ୟ କହିଲେ ଯେ ଚିନ୍ତିତ ହେବାର ଆବଶ୍ୟକତା ନାହିଁ; ସମ୍ରାଟ ଶୀଘ୍ର ଆରୋଗ୍ୟଲାଭ କରିବେ ।

 

: ହୁଁ.... ।

 

ସମ୍ରାଟ ରୋଷପୂର୍ଣ୍ଣ ମୁଦ୍ରାରେ ଚାହିଁ କହିଲେ ।

 

: ତୁମର ଭକ୍ତି ସନ୍ଦେହ ଜନକ । ଚାଲିଯାଅ ମୋ ସମ୍ମୁଖରୁ ।

 

ମହାରାଣୀ ନତବଦନରେ ଚାଲିଗଲେ । ସମ୍ରାଟ ଅସୁସ୍ଥତା ସମୟରେ ମହାରାଣୀଙ୍କ ନାମରେ ଆଜ୍ଞାପ୍ରତିକା ଲେଖି ଶାସନର ଯେଉଁ ଦାୟିତ୍ୱ ସବୁ ଦେଇଥିଲେ, ତାକୁ ପ୍ରତ୍ୟାହାର କରିନେଲେ । ସମ୍ରାଟଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାସନ ପୂର୍ବବତ୍‌ ଚାଲିଲା । ମହାମନ୍ତ୍ରୀ ଏବଂ ଅନ୍ୟ କର୍ମଚାରୀମାନେ ଶାନ୍ତିରେ ନିଶ୍ୱାସ ମାରିଲେ ।

 

ପ୍ରାୟ ଏକ ସପ୍ତାହ ପରେ, ଦିନେ ରାଜ ଦରବାରରେ ସମ୍ରାଟ ବସିଛନ୍ତି; ତକ୍ଷଶିଳାରୁ ଦୂତ ଆସି ସାକ୍ଷାତ କରିବାକୁ ଅନୁମତି ପ୍ରାର୍ଥନା କଲା । ରାଜକୁମାର କୁନାଳଙ୍କର ସମ୍ବାଦ ପାଇବାକୁ ଶ୍ରୀ ସମ୍ରାଟ ପ୍ରଥମରୁ ବ୍ୟଗ୍ର ଥିଲେ । ତେଣୁ ଅବିଳମ୍ବେ ସାକ୍ଷାତ କରିବାକୁ ଆଜ୍ଞା ପ୍ରଦାନ କଲେ ।

 

ତକ୍ଷଶିଳାର ଦୂତ ଉପଯୁକ୍ତ ସମ୍ମାନ ଜଣାଇ ପତ୍ର ଖଣ୍ଡିଏ ସମ୍ରାଟଙ୍କୁ ବଢ଼ାଇଦେଲା । ସମ୍ରାଟ ଶୀଘ୍ର ଶୀଘ୍ର ପତ୍ର ପାଠ କରିବାକୁ ଲାଗିଲେ ।

 

ପ୍ରିୟଦର୍ଶୀ ସମ୍ରାଟ ଧର୍ମାଶୋକଙ୍କ ଚରଣ କମଳରେ ତକ୍ଷଶିଳାଧୀଶଙ୍କର ଶତ ସହସ୍ର ପ୍ରଣାମ । ଶ୍ରୀ ସମ୍ରାଟଙ୍କୁ ଅତି ଦୁଃଖର ସହ ନିବେଦନ କରୁଅଛି କି ବିଦ୍ରୋହକୁ ଶାନ୍ତ କରିବା ପରେ ଦିନେ ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କ ସହ ଯୁବରାଜ କୁନାଳ କିଛି ସମୟ ଧର୍ମ ସମ୍ପର୍କୀୟ ଆଲୋଚନା କରିଥିଲେ । ଜାଣେନା ତାଙ୍କ ହୃଦୟରେ ସଂସାର ପ୍ରତି ହଠାତ୍‌ କାହିଁକି ବିରାଗ ଜନ୍ମିଲା । ମୁଁ ଯେତେ ବୁଝାଇଲେ ମଧ୍ୟ ବିଭିନ୍ନ ଯୁକ୍ତି ଦ୍ୱାରା ଏ ମର ସଂସାରର ଅସାରତା ବିଷୟରେ ଯୁବରାଜ ମୋ ମତକୁ ଖଣ୍ଡନ କରିବାକୁ ଲାଗିଲେ । ତା’ ପରଦିନ ଦୀକ୍ଷା ନେଇ ବୌଦ୍ଧ ସନ୍ନ୍ୟାସୀ ବେଶରେ ମୋ ଅଜ୍ଞାତରେ ସେ କେଉଁଆଡ଼େ ଚାଲିଯାଇଛନ୍ତି । ଦେବୀ କାଞ୍ଚନମାଳା ଏବଂ କୁମାର ସଂପ୍ରତି ତାଙ୍କ ସହିତ ପ୍ରସ୍ଥାନ କରିଛନ୍ତି କି ଅନ୍ୟତ୍ର ଗମନ କରିଛନ୍ତି ଜଣାନାହିଁ ।

 

ଯୁବରାଜଙ୍କ ପ୍ରସ୍ଥାନ ପରେ ପରେ ପୁଣି ବିଦ୍ରୋହର ସୂତ୍ରପାତ ହୋଇଛି । ଅଳ୍ପଦିନ ମଧ୍ୟରେ ସେମାନେ ପୂର୍ବାପେକ୍ଷା ଅଧିକ ସଙ୍ଗଠିତ ହୋଇ ପ୍ରବଳ ବିଦ୍ରୋହ କରିବାର ଆଶଙ୍କା । ସେମାନେ ବହୁତ ଅସ୍ତ୍ରଶସ୍ତ୍ର ଏବଂ ଲୋକଶକ୍ତି ଏକତ୍ର କରିନେଲେଣି । ଏଥର ସେମାନେ ସମ୍ପୂର୍ଣ୍ଣ ତକ୍ଷଶିଳାକୁ ଆୟତ୍ତ କରି ସ୍ୱାଧୀନତା ଘୋଷଣା କରିବେ । ବିଦ୍ରୋହୀମାନଙ୍କର ନେତୃତ୍ୱ ଗୋପକ ଚନ୍ଦ୍ରଭାଲ ନେଇଛି ।

 

ଏପରି ସଙ୍କଟ ପରିସ୍ଥିତି ଦୃଷ୍ଟିରୁ ମୁଁ ଶ୍ରୀ ସମ୍ରାଟଙ୍କୁ ପ୍ରାର୍ଥନା କରୁଅଛି ଯେ ସ୍ୱୟଂ ଯଥାଶୀଘ୍ର ତକ୍ଷଶିଳାରେ ପହଞ୍ଚି ବିଦ୍ରୋହ ଦମନର ବ୍ୟବସ୍ଥା କରନ୍ତୁ । ଇତି ।

 

ତକ୍ଷଶିଳାଧୀଶ ।

 

ସମାଚାର ପଠନ କରି ସମ୍ରାଟ ଦୁଃଖ ଓ ବିସ୍ମୟରେ କିଛି ସମୟ ଅବାକ୍‌ ହୋଇ ବସି ରହିଲେ ।

 

: ମହାମନ୍ତ୍ରୀ, ଯୁବରାଜ କୁନାଳ ବୌଦ୍ଧ ଭିକ୍ଷୁ ହୋଇ ସ୍ୱେଚ୍ଛାରେ ଚାଲିଯିବା କେତେଦୂର ସମ୍ଭବ ?

 

: ତାଙ୍କ ପରି ପିତୃଭକ୍ତ ଆପଣଙ୍କୁ କିଛି ନ କହି କେବେ ସନ୍ନ୍ୟାସୀ ହୋଇ ଯାଇପାରିବେ ନାହିଁ । ଏ ସମ୍ବାଦ ଭ୍ରମପୂର୍ଣ୍ଣ ।

 

ପତ୍ରରେ ତ ସ୍ୱୟଂ ତକ୍ଷଶିଳାଧୀଶ ନିଜ ନାମ ଅଙ୍କିତ କରିଛନ୍ତି । ଏପରି ମିଥ୍ୟା ସମ୍ବାଦ ପ୍ରେରଣର ପରିଣାମ କ’ଣ ସେ ଜାଣିନାହାନ୍ତି ?

 

: ମହାରାଜ, ମୋର ମନ କହୁଛି; ଏଥିରେ କିଛି ରହସ୍ୟ ଲୁଚି ରହିଛି । ଆପଣ ତକ୍ଷଶିଳା ପହଞ୍ଚିଲେ ସମସ୍ତ ରହସ୍ୟ ଉଦ୍‌ଘାଟିତ ହେବ ଏବଂ ବିଦ୍ରୋହୀମାନେ ମଧ୍ୟ ଆୟତ୍ତକୁ ଆସିଯିବେ ।

 

: ଉପଯୁକ୍ତ ପରାମର୍ଶ ଦେଇଛନ୍ତି ମହାମାତ୍ୟ । ଯଥାଶୀଘ୍ର ତକ୍ଷଶିଳା ଯିବାପାଇଁ ଆୟୋଜନ କରନ୍ତୁ । ସେଠାରୁ ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ଶାସନର ସମସ୍ତ କ୍ଷମତା ଆପଣଙ୍କ ହସ୍ତରେ ନ୍ୟସ୍ତ ରହିବ ।

 

: ଯଥା ଆଜ୍ଞା ମହାରାଜ ।

 

ଯୁବରାଜ କୁନାଳ କାହାରି କଥା ନ ମାନି ଭିକ୍ଷୁ ହୋଇ ଚାଲିଯିବା ପରେ ଦେବୀ କାଞ୍ଚନମାଳାଙ୍କର କ୍ରୋଧ ବହୁଗୁଣରେ ବୃଦ୍ଧି ପାଇଲା । ତାଙ୍କ ହୃଦୟରେ ପ୍ରଜ୍ଜ୍ୱଳିତ ହୋଇଉଠିଲା ଭୟଙ୍କର ପ୍ରତିଶୋଧର ଅଗ୍ନି ।

 

ଗୋପକ ଚନ୍ଦ୍ରଭାଲ ବିଦ୍ରୋହର ଆୟୋଜନରେ ଲାଗିପଡ଼ିଲେ । ତକ୍ଷଶିଳା ପ୍ରଦେଶର ଗ୍ରାମେ ଗ୍ରାମେ ରାଜ କର୍ମଚାରୀଙ୍କର ଅତ୍ୟାଚାର ଏବଂ ସମ୍ରାଟଙ୍କର ଅନ୍ୟାୟ ଦଣ୍ଡାଦେଶ ବିଷୟରେ ଜୋର୍‌ ସୋର୍‌ ପ୍ରଚାର ଚାଲିଲା । ଲୋକମାନଙ୍କ ହୃଦୟରେ ମୌର୍ଯ୍ୟ ସାମ୍ରାଜ୍ୟ ପ୍ରତି ଅତ୍ୟନ୍ତ ଘୃଣା ଜନ୍ମିଲା । ଅଳ୍ପ କେତେଦିନ ମଧ୍ୟରେ ପଚିଶ ସହସ୍ରରୁ ଅଧିକ ଯୁବକ ବିଦ୍ରୋହୀ ସେନାରେ ନାମ ଲେଖାଇଲେ । ଚନ୍ଦ୍ରଭାଲଙ୍କର ଗୁପ୍ତଚର ବାହିନୀ ଗ୍ରାମେ ଗ୍ରାମେ ବୁଲି ବିପ୍ଳବର ବାଣୀ ପ୍ରଚାର କରିବାକୁ ଲାଗିଲେ । ବିଦ୍ରୋହୀ ସେନାର ମୁଖ୍ୟ ସେନାପତି ହେଲେ ଗୋପକ ଚନ୍ଦ୍ରଭାଲ । ତାଙ୍କ ସାଙ୍ଗକୁ ଆଉ ଏକତିରିଶି ଜଣ ଉପସେନାପତି ମଧ୍ୟ ନିଯୁକ୍ତ ହେଲେ । ତକ୍ଷଶିଳାକୁ ସ୍ୱାଧୀନ ପ୍ରଦେଶରେ ପରିଣତ କରି ଦେବୀ କାଞ୍ଚନମାଳାଙ୍କୁ ସିଂହାସନରେ ବସାଇବାକୁ ସମସ୍ତ ସେନାପତି ଏବଂ ଉପସେନାପତି ଦୃଢ଼ପ୍ରତିଜ୍ଞ ହେଲେ । ପ୍ରଦେଶର ଧନଶାଳୀ ମହାଜନ ଏବଂ ଜମିଦାରମାନେ ପ୍ରଚୁର ଅର୍ଥ ଦାନ ଦେଇ ବିଦ୍ରୋହୀ ସେନାର ଖାଦ୍ୟପେୟ ଅସ୍ତ୍ରଶସ୍ତ୍ର ଆୟୋଜନରେ ସାହାଯ୍ୟ କରିବାକୁ ଲାଗିଲେ ।

 

ଦେବୀ କାଞ୍ଚନମାଳା ଏବଂ ଗୋପକ ଚନ୍ଦ୍ରଭାଲ ବସି ଗୁପ୍ତ ଆଲୋଚନାରତ । ଏହି ସମୟରେ ଜଣେ ଗୁପ୍ତଚର ଆସି ଖଣ୍ଡିଏ ପତ୍ର ପ୍ରଦାନ କଲା । ଗୁପ୍ତଚର ବାହିନୀର ମୁଖ୍ୟ ଚନ୍ଦ୍ରଭାନୁ ଗୁପ୍ତ ଲେଖିଛନ୍ତି–ଶ୍ରୀ ସମ୍ରାଟ ଗତକାଲି ରାତ୍ରିର ପ୍ରଥମ ପ୍ରହରରେ ଅଳ୍ପ କେତେକ ଅଙ୍ଗରକ୍ଷୀ ନେଇ ତକ୍ଷଶିଳାର ରାଜପ୍ରସାଦରେ ପହଞ୍ଚିଲେ ।

: ଭାଇ ଚନ୍ଦ୍ରଭାଲ, ଏପରି ଗୁପ୍ତରୀତିରେ ସମ୍ରାଟଙ୍କର ତକ୍ଷଶିଳା ପଦାର୍ପଣର କାରଣ କଅଣ ହୋଇପାରେ ?

: ଦେବୀ, ସମ୍ରାଟ ଅତ୍ୟନ୍ତ ନିତି କୁଶଳ ବ୍ୟକ୍ତି । ସେ ଜାଣନ୍ତି ଏଠାରେ ଦଶ ସହସ୍ର ସୈନିକ ଅଛନ୍ତି । ଗୁପ୍ତ ଭାବରେ ଆମର ଗତିବିଧି ଜାଣିବାପରେ ସେ ବିଦ୍ରୋହ ଶାନ୍ତ କରିବାର ବ୍ୟବସ୍ଥା କରିବେ ।

: ଆଉ ବିଦ୍ରୋହ ଶାନ୍ତ ହେବ ନାହିଁ । ଆମର ଲକ୍ଷ୍ୟ ପୂରଣ ଦିଗରେ ଆମେ ଆଗେଇଯିବା । ସମସ୍ତ ଉପସେନାପତି ଏବଂ ଅଧିନାୟକମାନଙ୍କର ସଭାରେ ଆଜି ଚୂଡ଼ାନ୍ତ କାର୍ଯ୍ୟକ୍ରମ ସ୍ଥିର ହେବ ।

: ମୋର ମତ ଯେ ଆଗ ତକ୍ଷଶିଳାକୁ ସ୍ୱାଧୀନ ପ୍ରଦେଶ ଘୋଷଣା କରିବା । ତା’ପରେ ଆହୁରି ଅଧିକ ଶକ୍ତି ଏକତ୍ର କରି, ରାଜଧାନୀ ପାଟଳୀପୁତ୍ର ଉପରେ ଆକ୍ରମଣ କରିବା ।

: ମୁଁ ଏଥିରେ ଏକମତ ।

ସନ୍ଧ୍ୟା ପ୍ରହର ଚନ୍ଦ୍ରଭାଲଙ୍କ ପ୍ରାସାଦ ଅଙ୍ଗନରେ ସଭାର ଆୟୋଜନ କରାଯାଇଛି । ବିଦ୍ରୋହୀ ସେନାର ଉପସେନାପତି ଏବଂ ଅଧିନାୟକ ଜଣେ ଦୁଇଜଣ ହୋଇ ସଭାସ୍ଥଳକୁ ଆସୁଛନ୍ତି । ଉଦ୍ୟାନର ପଶ୍ଚିମ ଦ୍ୱାର ଦେଇ ସମସ୍ତଙ୍କୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

କାଷ୍ଠ ଫଳକରେ ଅଙ୍କିତ ଗୁପ୍ତ ଚିହ୍ନ ପ୍ରହରୀକୁ ଦେଖାଇ ଜଣ ଜଣ ହୋଇ ଆସି ବସିଗଲେଣି । ଜଣେ ପାଇକ ଆସି ସମାଚାର ଦେଲା ।

 

: ସେନାପତି ମହାଶୟ ସଭାକୁ ଆସିବାଲାଗି ଚନ୍ଦ୍ରଭାନୁଗୁନ୍ତ ଅନୁରୋଧ ଜଣାଇଛନ୍ତି ।

 

ପାଇକଟି ପ୍ରସ୍ଥାନ କରିବା ପରେ, ଚନ୍ଦ୍ରଭାଲ କହିଲେ; ଦେବୀ ଚାଲନ୍ତୁ । ବୋଧହୁଏ ସମସ୍ତେ ଆସିଗଲେଣି ।

 

: ମୁଁ ଟିକିଏ ଗବାକ୍ଷ ମାର୍ଗରେ ଚାହିଁ ଦେଖିନିଏ ।

 

ଗବାକ୍ଷ ମାର୍ଗରେ କାଞ୍ଚନମାଳା ଚାହିଁଲେ । ମଶାଲ ଆଲୋକରେ ସଭା ଉପରେ ବିହଙ୍ଗମ ଦୃଷ୍ଟିପାତ କରୁ କରୁ ଚମକିପଡ଼ିଲେ ।

 

: କଅଣ ହେଲା ଦେବୀ !

 

: କିଛି ନାହିଁ । ଅଳ୍ପ ସନ୍ଦେହ ଉପୁଜିଲା । ଦେଖନ୍ତୁ ତ, ଉତ୍ତର ପଟକୁ ଯେଉଁ ଦୀର୍ଘକାୟ ବ୍ୟକ୍ତି ବସିଛନ୍ତି, ତାଙ୍କର କେଶ, ଦାଢ଼ି ଇତ୍ୟାଦିରୁ ଜଣାପଡ଼ୁଛି, ତାହା ପ୍ରାକୃତିକ ନୁହେଁ । ତା’ପର କଥା, ସମସ୍ତ ଉପସେନାପତି ଏବଂ ଅଧିନାୟକଙ୍କୁ ମୁଁ ଗତ ସଭାରେ ଦେଖିଛି । ଜଣ ଜଣ କରି ପରୀକ୍ଷା କରିଛି । ଶପଥ କରାଇଛି ।

 

: ତା’ହେଲେ ?

 

: ଶତ୍ରୁପକ୍ଷର ଗୁପ୍ତଚର ହୋଇପାରେ । ତାକୁ କୌଶଳରେ ବନ୍ଦୀ କରିବାର ବ୍ୟବସ୍ଥା କରନ୍ତୁ ।

 

ଦେବୀ କାଞ୍ଚନମାଳାଙ୍କୁ ସେହି କକ୍ଷରେ ବସାଇଦେଇ ଗୋପକ ଚନ୍ଦ୍ରଭାଲ ବାହାରକୁ ଆସିଲେ । ସଭାସ୍ଥଳରେ ପହଞ୍ଚିବାକ୍ଷଣି ବିଦ୍ରୋହୀ ନେତାଗଣ ହର୍ଷଧ୍ୱନି କରି ସ୍ୱାଗତ ଜଣାଇଲେ । ସମସ୍ତଙ୍କୁ ଅଭିବାଦନ ଜଣାଇ ଚନ୍ଦ୍ରଭାଲ ପହଞ୍ଚିଗଲେ ସେହି ଅପରିଚିତ ପ୍ରୌଢ଼ ବ୍ୟକ୍ତି ନିକଟରେ । ଅପରିଚିତ ବ୍ୟକ୍ତି ଦଣ୍ଡାୟମାନ ହୋଇପଡ଼ିଲେ ।

 

: ମହାଶୟ, ଆପଣଙ୍କର ପରିଚୟ ?

 

: ପୁଷ୍ପଗୁପ୍ତ । ତକ୍ଷଶିଳାର ଉତ୍ତର ସୀମାରେ ଥିବା ଏକ ବନ୍ୟ ଅଞ୍ଚଳର ମୁଖ୍ୟ । ସ୍ୱତନ୍ତ୍ରତା ସଂଗ୍ରାମରେ ଭାଗନେବାକୁ ଆଗ୍ରହୀ । ଆପଣଙ୍କୁ ସାକ୍ଷାତ୍‌ କରି କିଛି ନିବେଦନ କରିବାକୁ ଆସିଛି ।

 

: ତେବେ ମୋ ସହିତ ଆସନ୍ତୁ ।

 

ଅଙ୍ଗରକ୍ଷୀମାନଙ୍କର ବିଶ୍ରାମ ପ୍ରକୋଷ୍ଠ ମଧ୍ୟକୁ ସଙ୍ଗରେ ନେଇଗଲେ ଚନ୍ଦ୍ରଭାଲ ।

 

: ମହାଶୟ ପୁଷ୍ପଗୁପ୍ତ; ଆପଣ ଶତ୍ରୁ ପକ୍ଷର ଗୁପ୍ତଚର । ନିଜକୁ ବନ୍ଦୀ ବୋଲି ଭାବିନିଅନ୍ତୁ-। ସଭାକାର୍ଯ୍ୟ ଶେଷ ପରେ ଆପଣଙ୍କ ସହ କଥାବାର୍ତ୍ତା କରିବି ।

 

: ଏହା ମୋର ଅପମାନ; ମୋ ଦେଶଭକ୍ତିର ଅନାଦର ।

 

ସେତେବେଳକୁ ଚାରିଜଣ ସୈନିକ ଘେରିଗଲେଣି ।

 

ବୃଥା ସମୟ ନଷ୍ଟ କରିବାକୁ ଅବକାଶ ନାହିଁ । ବନ୍ଦୀ କର ସୈନିକଗଣ ।

 

ଆଖି ପିଛୁଳାକେ ଚାରିଜଣ ସୈନିକ ଅପରିଚିତ ବ୍ୟକ୍ତିକୁ ଆୟତ୍ତ କରିନେଲେ । ହସ୍ତ ଦୁଇଟିକୁ ପଶ୍ଚାତ୍‌ ଦେଶରେ ବନ୍ଧନ ପୂର୍ବକ ଗୋଟିଏ କାଷ୍ଠାସନ ଉପରେ ବସାଇଦେଇ ଜଗିରହିଲେ-

 

: ଚନ୍ଦ୍ରଭାଲ ଫେରିଆସି କାଞ୍ଚନମାଳାଙ୍କୁ ସମାଚାର ଜଣାଇଲେ ।

 

: ଉତ୍ତମ କଥା ଭାଇ ଚନ୍ଦ୍ରଭାଲ । ଚାଲନ୍ତୁ ଶୀଘ୍ର ସଭାକାର୍ଯ୍ୟ ଶେଷ କରିବା ।

 

: ଆସନ୍ତୁ ।

 

ଦୁଇଜଣ ସଭାସ୍ଥଳରେ ପହଞ୍ଚିବା କ୍ଷଣି ସମସ୍ତେ ଦଣ୍ଡାୟମାନ ହୋଇ ସହର୍ଷ ଅଭିବାଦନ ଜଣାଇଲେ । ସମସ୍ତଙ୍କୁ ବସିବାକୁ ନିର୍ଦ୍ଦେଶ ଦେଇ ଦେବୀ କାଞ୍ଚନମାଳା ଏବଂ ଚନ୍ଦ୍ରଭାଲ ଆସନ ଗ୍ରହଣ କଲେ । ଧୀରେ ଧୀରେ ସମସ୍ତ ଆୟୋଜନ ଏବଂ ଭବିଷ୍ୟତ ଆକ୍ରମଣ ବିଷୟରେ ମତ ବିନିମୟ ଚାଲିଲା । କିଛି ସମୟ ପରେ ଚନ୍ଦ୍ରଭାଲ ଦଣ୍ଡାୟମାନ ସମସ୍ତଙ୍କୁ କହିଲେ ।

 

: ରଣୋନ୍ମତ୍ତ ସ୍ୱତନ୍ତ୍ରତାର ସେନାନାୟକଗଣ; ଏବେ ଉପଯୁକ୍ତ ସମୟ ଆସିଯାଇଛି । ରାଜ କର୍ମଚାରୀଙ୍କ ଅତ୍ୟାଚାର ବିରୁଦ୍ଧରେ ଆମର ଏ ବିପ୍ଳବ । ପ୍ରଥମେ ତକ୍ଷଶିଳାକୁ ସ୍ୱାଧୀନ ରାଜ୍ୟରେ ପରିଣତ କରିବା ଆମର କର୍ତ୍ତବ୍ୟ । ଆମର ନେତୃତ୍ୱ ଦେବାକୁ ଯୁବରାଣୀ ଦେବୀ କାଞ୍ଚନମାଳା ଉପସ୍ଥିତ ଅଛନ୍ତି । ସମ୍ରାଟଙ୍କର ଅନ୍ୟାୟ ବିଚାର ଯୋଗୁ ଆମର ଅତି ପ୍ରିୟ, ଉଦାର ହୃଦୟ, ପ୍ରଜାବତ୍ସଳ ଯୁବରାଜ ଆଜି ନେତ୍ରହୀନ ବୌଦ୍ଧ ସନ୍ନ୍ୟାସୀ । ତକ୍ଷଶିଳାର ରାଜକର୍ମଚାରୀମାନଙ୍କର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରି ରାଜ୍ୟକୁ ଆମେ ସ୍ୱାଧୀନ କରିବା । ଦେବୀ କାଞ୍ଚନମାଳାଙ୍କୁ ସିଂହାସନରେ ବସାଇ, ସେହି ଅତ୍ୟାଚାରୀ କର୍ମଚାରୀଙ୍କୁ ଗୋଟି ଗୋଟି କରି ଉପଯୁକ୍ତ ଦଣ୍ଡ ଦିଆଇବା । ଏ ରାଜ୍ୟରେ ପୁଣି ସୁଖଶାନ୍ତି ବିରାଜିବ । ଆପଣମାନଙ୍କୁ କିଛି କହିବାପାଇଁ ମୁଁ ଦେବୀ କାଞ୍ଚନମାଳାଙ୍କୁ ଅନୁରୋଧ କରୁଛି ।

 

କାଞ୍ଚନମାଳା ନିଜ ଆସନରୁ ଉଠି ସେନାନାୟକମାନଙ୍କୁ ସମ୍ବୋଧନ କରି କହିଲେ:– ଭାଇମାନେ ସମସ୍ତଙ୍କର ମନୋବଳ ଦେଖି ମୁଁ ଅତ୍ୟନ୍ତ ପ୍ରସନ୍ନ ହୋଇଛି । ଆମର ଜୟ ସୁନିଶ୍ଚିତ । କ୍ରାନ୍ତି ଦ୍ୱାରା ଅନ୍ୟାୟ ଶାସନକର୍ତ୍ତାଙ୍କୁ ନିର୍ମୂଳ କରି ପ୍ରଜାତନ୍ତ୍ର ସ୍ଥାପନ କରିବା ମୋର ଇଚ୍ଛା । ଏତେଦିନ ପର୍ଯ୍ୟନ୍ତ ବୌଦ୍ଧ ଧର୍ମକୁ ମାନି, ଅହିଂସା ଆରଚଣ କରି ଆମେ ଭୀରୁ ଦୁର୍ବଳ ହୋଇପଡ଼ିଥିଲୁ । ତେଣୁ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଆମର ସାହସ ନ ଥିଲା । ଅହିଂସା ମାର୍ଗ ଉତ୍ତମ ହେଲେ ମଧ୍ୟ; ଭୀରୁତା ଜନିତ ଅହିଂସା ସମାଜ ଏବଂ ରାଷ୍ଟ୍ର ପକ୍ଷରେ କ୍ଷତିକାରକ । ସାମ୍ରାଜ୍ୟବାଦର ଅନ୍ୟାୟୀ ଶାସକବର୍ଗକୁ କ୍ରାନ୍ତି ମାର୍ଗରେ ଆମେ ନିର୍ମୂଳ କରିପାରିବା-। ଶାନ୍ତିର ଅବଲମ୍ବ ଶ୍ରେଷ୍ଠ ହୋଇପାରେ; ମାତ୍ର ବର୍ତ୍ତମାନ ପରିସ୍ଥିତିରେ ଆମେ କ୍ରାନ୍ତି ଦ୍ୱାରା ହିଁ ପ୍ରଜାମାନଙ୍କର ଭବିଷ୍ୟତ ମଙ୍ଗଳ ଏବଂ ସୁଖ ଶାନ୍ତିକୁ ଅର୍ଜନ କରିପାରିବା ।

 

ସର୍ବପ୍ରଥମେ ଆଜି ରାତ୍ରିର ମଧ୍ୟଭାଗ ପରେ ଆମେ ତକ୍ଷଶିଳା ନଗରକୁ ଆକ୍ରମଣ କରି ନିଜର ବିଜୟକେତନ ଉଡ଼ାଇବା । ପ୍ରାୟ ଦୁଇଘଡ଼ି ପରେ ଆପଣମାନଙ୍କୁ ଉପଯୁକ୍ତ ନିର୍ଦ୍ଦେଶ ଦିଆଯିବ । ଏ ମଧ୍ୟରେ ଭୋଜନ ପର୍ବ ଶେଷ କରି ବନ ମଧ୍ୟରେ ଥିବା ସୈନ୍ୟବାହିନୀକୁ ପ୍ରସ୍ତୁତ କରନ୍ତୁ ।

 

ସଭା ବିସର୍ଜନ କରି ଚନ୍ଦ୍ରଭାଲ ଏବଂ କାଞ୍ଚନମାଳା ମନ୍ତ୍ରଣା କକ୍ଷକୁ ଆସିଗଲେ ।

 

: ଭାଇ ଚନ୍ଦ୍ରଭାଲ ମୁଁ ଭାବୁଛି ମୋତେ ଦେଖିବା ମାତ୍ରକେ ତକ୍ଷଶିଳାର ସେନା ଆମ ପଟକୁ ଚାଲିଆସିବେ । କାରଣ ଯୁବରାଜଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅତ୍ୟାଚାର ଯୋଗୁ, ସେମାନେ ମର୍ମାହତ ହୋଇଛନ୍ତି ।

 

: ତା’ ହୋଇପାରିଥାଆନ୍ତା; ମାତ୍ର ସମ୍ରାଟ ଯେ ଆସିଗଲେଣି....

 

: ସମ୍ରାଟ ! ତୁମେ ଜାଣ ଭାଇ, ସଭା ପୂର୍ବରୁ କାହାକୁ ବନ୍ଦୀ କରିଛ ?

 

: ସେ ତ’ ଗୁପ୍ତଚର ।

 

: ନା ଭାଇ, କେବଳ ଗୁପ୍ତଚର ନୁହେଁ; ସେହି ହେଉଛନ୍ତି ପ୍ରିୟଦର୍ଶୀ ସମ୍ରାଟ ।

 

: ଆଁ... କି ଆଶ୍ଚର୍ଯ୍ୟ ? ସମ୍ରାଟ କ’ଅଣ ଯୁବରାଜ କୁନାଳଙ୍କ ପରି ଛଦ୍ମବେଶରେ ଆସିଥିଲେ ଆମର ଗତିବିଧି ଦେଖି.... ।

 

: ତାଙ୍କର ଉଦ୍ଦେଶ୍ୟ କିଏ କହିପାରିବ ? ଆମର ଆଜିର କାର୍ଯ୍ୟକ୍ରମ ପାଇଁ ଶୀଘ୍ର ଆୟୋଜନ କର । ପ୍ରଭାତରେ ବିଚାର ହେବ ସମ୍ରାଟ ଆଉ ତକ୍ଷଶିଳାଧୀଶଙ୍କର ।

 

ରାତ୍ରିର ଦ୍ୱିତୀୟ ପ୍ରହର ବିଗତ ପ୍ରାୟ । ଘନ ଅନ୍ଧକାରରେ ତକ୍ଷଶିଳାର ରାଜପ୍ରାସାଦ ବୁଡ଼ି ରହିଛି । ନଗର ଅଧିବାସୀଗଣ ନିଦ୍ରାଦେବୀଙ୍କ କୋଳରେ ସୁଷୁପ୍ତ । ଚତୁର୍ଦ୍ଦିଗରେ ନୀରବତା । କେବଳ ରାଜପ୍ରାସାଦର ପ୍ରହରୀମାନଙ୍କର ପଦଶବ୍ଦର ଧ୍ୱନି ମଧ୍ୟେ ମଧ୍ୟେ ଶ୍ରୁତିଗୋଚର ହେଉଛି ।

 

କୌଣସି କାରଣରୁ ତକ୍ଷଶିଳାଧୀଶ ଏପର୍ଯ୍ୟନ୍ତ ଜାଗ୍ରତ । ନିଜର ଶୟନ କକ୍ଷରେ ପଦଚାରଣ କରି କରି, ସେ ଭାବି ଚାଲିଛନ୍ତି । ସମ୍ରାଟ ଆସିବା ପରେ ତାଙ୍କର ମନୋବଳ ବୃଦ୍ଧି ପାଇଛି । ଚନ୍ଦ୍ରଭାଲଙ୍କ ପ୍ରାସାଦରେ ବିଦ୍ରୋହୀ ନେତାମାନଙ୍କର ସଭା ହେବ ବୋଲି, ସମାଚାର ପାଇବା ପରେ ସୈନ୍ୟ ନେଇ ସମସ୍ତଙ୍କୁ ବନ୍ଦୀ କରିବା ଇଚ୍ଛାରେ, ସେ ସମ୍ରାଟଙ୍କର ଅନୁମତି ଚାହିଁଥିଲେ । କିନ୍ତୁ ସମ୍ରାଟ ପ୍ରଥମେ ଗୁପ୍ତ ରୀତିରେ ବିଦ୍ରୋହୀମାନଙ୍କର କାର୍ଯ୍ୟକଳାପ ଲକ୍ଷ କରିବାକୁ ସ୍ଥିର କରି, ସୈନ୍ୟ ଚାଳନା ନିମିତ୍ତ ଆଜ୍ଞା ଦେଲେ ନାହିଁ । ଯୁବରାଜ କୁନାଳଙ୍କ ପରି ସେ ମଧ୍ୟ ପ୍ରଥମେ ବିଦ୍ରୋହର କାରଣ ଜାଣିବାକୁ ଇଚ୍ଛା କରିଥିଲେ । ତେଣୁ ଛଦ୍ମବେଶରେ ସେ ବାହାରିପଡ଼ିଲେ ସଭାରେ ସମ୍ମିଳିତ ହେବାପାଇଁ । ଏପର୍ଯ୍ୟନ୍ତ ସମ୍ରାଟ ଫେରିନଥିବାରୁ ତକ୍ଷଶିଳାଧୀଶଙ୍କର ଦୁଶ୍ଚିନ୍ତା ବଢ଼ିଯାଇଥିଲା । ସମ୍ରାଟଙ୍କର ପତା ଲଗାଇବା ପାଇଁ ଯାଇଥିବା ଗୁପ୍ତଚର ମଧ୍ୟ ଫେରିନାହିଁ । ଏ ପରିସ୍ଥିତିରେ କଅଣ କରାଯିବ, ଏହି କଥା ଭାବି ଭାବି କିଛି ସ୍ଥିର କରିପାରୁନଥିଲେ ।

 

ଏଣେ ରାଜପ୍ରାସାଦର ମୁଖ୍ୟ ଦ୍ୱାର ନିକଟରେ କଅଣ ଘଟଣା ଘଟୁଛି, ଏ ବିଷୟରେ ତକ୍ଷଶିଳାଧୀଶଙ୍କୁ କିଛି ଜଣାନଥିଲା । ପ୍ରାସାଦର ପ୍ରବେଶ ଦ୍ୱାର ନିକଟରେ ସଶସ୍ତ୍ର ପ୍ରହରୀଗଣ ଉପସ୍ଥିତ । ଦୁଇ ପଟେ ଦୁଇଟି ମଶାଲ ଜଳୁଛି । ଦଣ୍ଡାୟମାନ ପ୍ରହରୀ ଦୁଇଜଣ ଦେଖିଲେ ଧବଳ ବସ୍ତ୍ର ଆବୃତ କେହି ବ୍ୟକ୍ତି ପ୍ରାସାଦ ଆଡ଼କୁ ଦ୍ରୁତ ପଦରେ ମାଡ଼ିଆସୁଛି ।

 

ପ୍ରହରୀ ଦ୍ୱୟ ସଜାଗ ହେଲେ । କର୍କଶ ସ୍ୱରରେ ଜଣେ ପଚାରିଲା ।

 

: କିଏସ୍‌ ?

 

ଧବଳ ବସ୍ତ୍ର ଆଚ୍ଛାଦିତ ବ୍ୟକ୍ତି କେବଳ ଗୋଟିଏ ମୁଦ୍ରିକା ବାହାର କରି ଦେଖାଇଦେଲା । ମଶାଲ ଆଲୋକରେ ପ୍ରହରୀ ଦେଖିଲେ ସମ୍ରାଟଦେବଙ୍କ ନାମାଙ୍କିତ ମୁଦ୍ରିକା । ସ୍ୱରକୁ ଯଥେଷ୍ଟ ଗମ୍ଭୀର କରି ଆଗନ୍ତୁକ କହିଲା ।

 

: ଦ୍ୱାର ଖୋଲାରଖ । ପାଟଳୀପୁତ୍ରରୁ ସୈନ୍ୟ ଆସୁଛନ୍ତି । ସେମାନେ ଭିତରକୁ ଯିବେ ।

 

ପ୍ରହରୀ ଯଥାଶୀଘ୍ର ମୁଖ୍ୟଦ୍ୱାର ଖୋଲିଦେଲେ । ଆଗନ୍ତୁକ ଭିତରକୁ ଚାଲିଗଲା ।

 

ଆଗନ୍ତୁକ ଯାଇ ପହଞ୍ଚିଲା ତକ୍ଷଶିଳାଧୀଶଙ୍କର ଶୟନ କକ୍ଷ ନିକଟରେ । ସେଠାରେ ଥିବା ପ୍ରହରୀ ଦ୍ୱୟଙ୍କୁ ମୁଦ୍ରିକା ଦେଖାଇ ଭିତରକୁ ପ୍ରବେଶ କଲା । କକ୍ଷ ମଧ୍ୟରେ ପ୍ରବେଶ କରି କବାଟକୁ ବନ୍ଦ କରି ଦେବାରେ ତକ୍ଷଶିଳାଧୀଶ ଚମକିପଡ଼ିଲେ ।

 

: କିଏ, କିଏ ତୁମେ ?

 

ଧବଳ ବସ୍ତ୍ରକୁ ଫିଙ୍ଗିଦେଇ ଆତ୍ମପ୍ରକାଶ କଲା ବିଦ୍ରୋହୀ ନେତା ଚନ୍ଦ୍ରଭାଲ ।

 

: ତୁ.... ତୁ... ତୁମେ ଚନ୍ଦ୍ରଭାଲ..... ଏଠାରେ.... ।

 

: ହଁ ହଁ ଏଠାରେ; ତୁମକୁ ବନ୍ଦୀ କରିବାକୁ ।

 

: ମୂର୍ଖ, ତୁମର ମୃତ୍ୟୁ ତୁମକୁ ଟାଣିଆଣିଛି ଏଠାକୁ ।

 

: ମୂର୍ଖ ନୁହେଁରେ ପାଜି, ଏଇ ଦେଖ ସମ୍ରାଟଙ୍କ ମୁଦ୍ରିକା ।

 

ସମ୍ରାଟଙ୍କ ହୀରକ ମୁଦ୍ରିକା !

 

: ସମ୍ରାଟ ବର୍ତ୍ତମାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବନ୍ଦୀ ଗୃହରେ ।

 

: ହୋଇଥିବେ, କିନ୍ତୁ ତକ୍ଷଶିଳାଧୀଶକୁ ବନ୍ଦୀ କରିବା ଏତେ ସହଜ ନୁହେଁ । ଚନ୍ଦ୍ରଭାଲ ।

 

ତତ୍‌କ୍ଷଣାତ୍‌ ତରବାରି ଟାଣି ବାହାର କରିଆଣିଲା ଚନ୍ଦ୍ରଭାଲ । ତକ୍ଷଶିଳାଧୀଶ ମଧ୍ୟ କମ୍‌ ଯୋଦ୍ଧା ନୁହନ୍ତି । ତୀବ୍ର ବେଗରେ ଉଭୟଙ୍କର କୃପାଣ ନୃତ୍ୟ କରିବାକୁ ଲାଗିଲେ । ତରବାରିରେ ତରବାରି ବାଜି ଅଗ୍ନି କଣା ସୃଷ୍ଟି ହେବାକୁ ଲାଗିଲା । କିନ୍ତୁ ଅଧିକ ସମୟ ଏ ଯୁଦ୍ଧ ସ୍ଥାୟୀ ହେଲା ନାହିଁ । ଚନ୍ଦ୍ରଭାଲର କରବାଳ ଚାଳନା କୌଶଳ ଆଗରେ, ତକ୍ଷଶିଳାଧୀଶ ଥୟ ଧରିପାରିଲେ ନାହିଁ-। ଚନ୍ଦ୍ରଭାଲର ଏକ ପ୍ରଚଣ୍ଡ ଆଘାତରେ ତାଙ୍କ ତରବାରି ଛିଟିକି ପଡ଼ିଲା । ତତ୍‌କ୍ଷଣାତ୍‌ ଚନ୍ଦ୍ରଭାଲ ତରବାରି ଫିଙ୍ଗିଦେଇ, ଲମ୍ଫଦେଲେ ଶତ୍ରୁ ଉପରକୁ । କପୋତକୁ ଛଞ୍ଚାଣ ମାଡ଼ିବସିଲା ପ୍ରାୟେ ଅଳ୍ପ ସମୟରେ ତକ୍ଷଶିଳାଧୀଶର ମସ୍ତକକୁ ଆଘାତ କରି ତାକୁ ଚେତନାହୀନ କରିଦେଲେ ଚନ୍ଦ୍ରଭାଲ-

ଏହି ସମୟରେ ଦ୍ୱାର ଦେଶରେ ଉପସ୍ଥିତ ହେଲେ ଦେବୀ କାଞ୍ଚନମାଳା । ସଙ୍ଗରେ ଥିଲେ ଅଳ୍ପ ସଂଖ୍ୟକ ସୈନିକ ।

: କଅଣ ହେଲା ଦେବୀ ?

: ଆମର ସମ୍ପୂର୍ଣ୍ଣ ବିଜୟ । ତକ୍ଷଶିଳାର ରାଜସେନା ଏବଂ କର୍ମଚାରୀ ଆମର ଅଧୀନତା ସ୍ୱୀକାର କରିଛନ୍ତି । ମୁଖ୍ୟ ମୁଖ୍ୟ କର୍ମଚାରୀମାନଙ୍କୁ ବନ୍ଦୀ କରାଯାଇଛି ।

: ଅତ୍ୟନ୍ତ ଆନନ୍ଦର କଥା । ଦେବୀ କାଞ୍ଚନମାଳାଙ୍କୁ କାଲି ସିଂହାସନ ଆରୋହଣ କରାଇ, ତକ୍ଷଶିଳାର ସ୍ୱାଧୀନତା ଘୋଷଣା କରାଯିବ ।

: ତଥାସ୍ତୁ ଭାଇ ଚନ୍ଦ୍ରଭାଲ, କାଲି ପ୍ରଭାତରେ ପୌରସଭାର ଆୟୋଜନ କରି, ବନ୍ଦୀମାନଙ୍କର ବିଚାର କରାଯିବ । ଏବେ ତକ୍ଷଶିଳାଧୀଶଙ୍କୁ ବନ୍ଦୀ କରି ବନ୍ଦୀଗୃହକୁ ନେଇଚାଲ ।

ତା’ ପରଦିନ ମଧ୍ୟାହ୍ନ ପରେ ପୌରସଭା ବସିଲା । ବହୁ ସଂଖ୍ୟକ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସାଧାରଣ ପ୍ରଜା ସଭାରେ ଉପସ୍ଥିତ ଥିଲେ । ସ୍ୱାଧୀନତା ସଂଗ୍ରାମୀ ନେତା ଉପନେତା, ରାଜକର୍ମଚାରୀଙ୍କ ଗହଣରେ ଗୋପକ ଚନ୍ଦ୍ରଭାଲ ଏବଂ ଦେବୀ କାଞ୍ଚନମାଳା ଉପସ୍ଥିତ ହେବା ମାତ୍ରେ, ହର୍ଷଧ୍ୱନି ଦ୍ୱାରା ସମସ୍ତେ ସ୍ୱାଗତ ଜଣାଇଲେ । ଦେବୀ କାଞ୍ଚନମାଳା ସମସ୍ତଙ୍କୁ ଶାନ୍ତ ହେବାପାଇଁ ହାତରେ ସଙ୍କେତ ଦେବାରୁ, ଧୀରେ ଧୀରେ କୋଳାହଳ ବନ୍ଦ ହୋଇଆସିଲା । ସମସ୍ତଙ୍କୁ ସମ୍ବୋଧନ କରି ଯୁବରାଣୀ କାଞ୍ଚନମାଳା କହିଲେ ।

: ଉପସ୍ଥିତ ସ୍ୱାଧୀନତା ପ୍ରେମୀ ସୈନିକ ଏବଂ ପ୍ରଜାଜନ । ସମସ୍ତଙ୍କର ସାହସ ଏବଂ ତ୍ୟାଗ ଫଳରେ ଆଜି ଆମ୍ଭେମାନେ ସ୍ୱାଧୀନ । ଗୋପକ ଚନ୍ଦ୍ରଭାଲ ତଥା ଅନ୍ୟ ନେତାମାନଙ୍କ ବୁଦ୍ଧି ବଳ ସାଙ୍ଗକୁ ସମସ୍ତଙ୍କର ଅକୁଣ୍ଠ ସହଯୋଗ ଆମ୍ଭମାନଙ୍କୁ ସାମ୍ରାଜ୍ୟବାଦୀମାନଙ୍କର ଅତ୍ୟାଚରରୁ ମୁକ୍ତ କରିଛି । ତକ୍ଷଶିଳାର ଅଗଣିତ ପ୍ରଜାଙ୍କର କ୍ରାନ୍ତିର ଜ୍ୱାଳା ଦ୍ୱାରା ଶାନ୍ତିର ତଥାକଥିତ ପୂଜାରୀ, ମୌର୍ଯ୍ୟ ସମ୍ରାଟଙ୍କର ଅନ୍ୟାୟପୂର୍ଣ୍ଣ ଶାସନ ଭସ୍ମିଭୂତ ହୋଇଯାଇଛି । ଏବେ ଆମ୍ଭେମାନେ ଇଚ୍ଛାନୁସାରେ ଶାସନ ପ୍ରବନ୍ଧ କରିପାରିବା ।

: ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ପକ୍ଷରୁ ମୁଁ ମତବ୍ୟକ୍ତ କରୁଛି ଯେ ତକ୍ଷଶିଳାରେ ପ୍ରଜାତନ୍ତ୍ର ରାଜ୍ୟ ସ୍ଥାପନ କଲେ ସମସ୍ତଙ୍କ ପାଇଁ ମଙ୍ଗଳକର ହେବ ।

ଗୋପକ ଚନ୍ଦ୍ରଭାଲ ଠିଆହୋଇ ନିଜର ମତାମତ ଜଣାଇଲେ । ଦେବୀ କାଞ୍ଚନମାଳା ପୁନର୍ବାର ଘୋଷଣା କଲେ ।

: ଉପଯୁକ୍ତ ମତାମତ ଦେଇଛନ୍ତି ଗୋପକ ଚନ୍ଦ୍ରଭାଲ । ପ୍ରଜାମାନେ ନିଜର ପ୍ରଜାପତି ଏବଂ ଶାସନ ସଭା ନିମିତ୍ତ ପ୍ରତିନିଧି ନିର୍ବାଚନ କରିବେ । ସେହିମାନେ ରାଜ୍ୟର ଶାସନ ଚଳାଇବେ-। କୌଣସି ପ୍ରତିନିଧର କାର୍ଯ୍ୟ ସନ୍ତୋଷଜନକ ନ ହେଲେ, ତାଙ୍କୁ ଫେରାଇ ନେବାର ଅଧିକାର ପ୍ରଜାବର୍ଗର ରହିବ ।

 

ପ୍ରଜାମାନଙ୍କ ମଧ୍ୟରୁ କୋଳାହଳ ଉଠିଲା :–ଦେବୀ କାଞ୍ଚନମାଳା ଆମର ସର୍ବୋଚ୍ଚ ଶାସନ କର୍ତ୍ତ୍ରୀ ।

 

ପ୍ରଜାମାନଙ୍କ ଅନୁରୋଧ କ୍ରମେ ଯୁବରାଣୀ କାଞ୍ଚନମାଳା ସିଂହାସନରେ ବସିଲେ । ତା’ପରେ ସଭା ତରଫରୁ ଏକ ଅସ୍ଥାୟୀ ଶାସନ ସଭାର ପ୍ରତିନିଧିମାନଙ୍କର ନାମ ତାଲିକା ଦିଆଗଲା । ପ୍ରତିନିଧି ମଣ୍ଡଳର ନାୟକ ରହିଲେ ଚନ୍ଦ୍ରଭାଲ । ଏକମାସ ମଧ୍ୟରେ ଶାସନ ସଭା ନିମିତ୍ତ ସ୍ଥାୟୀ ପ୍ରତିନିଧି ମଣ୍ଡଳ ନିର୍ବାଚନ କରିବାକୁ ଦେବୀ କାଞ୍ଚନମାଳା ଘୋଷଣା କଲେ । ସେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଚନ୍ଦ୍ରଭାଲଙ୍କ ସହ ଅନ୍ୟ ପାଞ୍ଚଜଣ ମନ୍ତ୍ରୀଙ୍କ ପରାମର୍ଶରେ ଦେବୀ କାଞ୍ଚନମାଳା ଶାସନ ଚଳାଇବେ ବୋଲି, ସର୍ବସମ୍ମତିକ୍ରମେ ସ୍ଥିର ହେଲା ।

: ବର୍ତ୍ତମାନ ରାଜବନ୍ଦୀମାନଙ୍କର ବିଚାର କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ଚନ୍ଦ୍ରଭାଲ ଘୋଷଣା କରିବାରୁ, ସଭାଜନମାନେ ଶାନ୍ତ ହୋଇ ବସିଗଲେ । ସମସ୍ତ କୋଳାହଳ ବନ୍ଦ ହୋଇଗଲା ।

: ବନ୍ଦୀମାନଙ୍କୁ ଶୀଘ୍ର ଉପସ୍ଥିତ କରାଯାଉ ।

ଅଳ୍ପ ସମୟ ମଧ୍ୟରେ ଦଶଜଣ ସୈନିକଙ୍କ ଘେରରେ ଆସି ସଭାରେ ଉପସ୍ଥିତ ହେଲେ ତକ୍ଷଶିଳାଧୀଶ ଏବଂ ପ୍ରିୟଦର୍ଶୀ ସମ୍ରାଟ ଅଶୋକ । କାଞ୍ଚନମାଳାକୁ ସିଂହାସନ ଉପରେ ଦେଖି ବିହ୍ୱଳ ଅବସ୍ଥାରେ ସମ୍ରାଟ ଚିତ୍କାର କରିଉଠିଲେ : କାଞ୍ଚନ, କାଞ୍ଚନ.....

ଚନ୍ଦ୍ରଭାଲ ହଠାତ୍‌ ତାଙ୍କୁ ସାବଧାନ କରି କହିଲେ–

: ବନ୍ଦୀ ସମ୍ରାଟ ମହାଶୟ, ଗଣସଭାର ଶିଷ୍ଟାଚାର ଲଙ୍ଘନ କରନ୍ତୁ ନାହିଁ । ଦେବୀ କାଞ୍ଚନମାଳା ତକ୍ଷଶିଳା ରାଜ୍ୟର ସର୍ବୋଚ୍ଚ ଶାସନ କ୍ଷମତାରେ ଅଛନ୍ତି । ସାମ୍ରାଜ୍ୟବାଦୀ ଅତ୍ୟାଚାର ବିରୁଦ୍ଧରେ ହୋଇଥିବା ସଂଗ୍ରାମରେ ସେ ଥିଲେ ଆମର ନେତ୍ରୀ ।

ସମ୍ରାଟ କିଛି ସମୟ ଅବାକ୍‌ ଅବସ୍ଥାରେ ଦଣ୍ଡାୟମାନ ହୋଇ ରହିଲେ । ଦେବୀ କାଞ୍ଚନମାଳାଙ୍କ ଆଜ୍ଞାକ୍ରମେ ପ୍ରଥମେ ବନ୍ଦୀ ତକ୍ଷଶିଳାଧୀଶଙ୍କର ଅପରାଧ ବିବରଣୀ ପାଠ କରାଗଲା । ଯୁବରାଜ କୁନାଳଙ୍କ ସମକ୍ଷରେ ତାଙ୍କର ଅପରାଧ ସବୁ ଯେପରି ପ୍ରମାଣିତ ହୋଇଥିଲା, ସେହିପରି ଭାବରେ ବର୍ତ୍ତମାନ ଚନ୍ଦ୍ରଭାଲ ସବୁକିଛି ପ୍ରମାଣିତ କରିବାକୁ ଲାଗିଲେ ।

ତକ୍ଷଶିଳାଧୀଶଙ୍କ ଅନ୍ୟାୟ ଅତ୍ୟାଚାରର କାହାଣୀ ଶୁଣି ସମ୍ରାଟ ବ୍ୟସ୍ତ ହୋଇଉଠିଲେ । ସମ୍ରାଟ ଜାଣିପାରିଲେ, ବିଦ୍ରୋହର ମୁଖ୍ୟ କାରଣ କଅଣ ।

: ଦେବୀ, ଅପରାଧ ସବୁ ପ୍ରମାଣିତ ହୋଇଗଲା । ଏବେ ଦଣ୍ଡ ଆଜ୍ଞା ଶୁଣାଇବାକୁ ଅନୁରୋଧ ।

ଚନ୍ଦ୍ରଭାଲ କହିଲେ । ଦେବୀ କାଞ୍ଚନମାଳାଙ୍କର ନେତ୍ର ଦ୍ୱୟ ରଙ୍ଗବର୍ଣ୍ଣ ଧାରଣକଲା । ସୈନିକ ବେଶରେ ତାଙ୍କର ମୁଖାକୃତିରୁ କ୍ରୋଧର ଝଲକ ବାହାରୁଥିଲା । ଗମ୍ଭୀର ସ୍ୱରରେ ଘୋଷଣା କଲେ ।

: ଅପରାଧୀ ଅତି ହୀନ ଉପାୟ ସବୁ ଅବଲମ୍ବନ କରି ପ୍ରଜାମାନଙ୍କ ଉପରେ ଶୋଷଣ ଏବଂ ଅତ୍ୟାଚାର ଚଳାଇଥିବା ଦୃଷ୍ଟିରୁ ତା’ର ଦକ୍ଷିଣ ହସ୍ତ ପଦ ଛେଦନ କରାଯାଉ । କାନରେ ତପ୍ତ ତରଳ ଧାତୁ ଢାଳି ଦିଆଯାଉ ।

 

: କ୍ଷମା, କ୍ଷମା କର ଦେବୀ ।

 

ତକ୍ଷଶିଳାଧୀଶ ଚେତନା ହରାଇ ତଳେ ପଡ଼ିଗଲେ ।

 

: ସମ୍ରାଟଙ୍କ ଅପରାଧ ବର୍ଣ୍ଣନା କରନ୍ତୁ ଚନ୍ଦ୍ରଭାଲ ।

 

: ସମ୍ରାଟଙ୍କର ଅପରାଧ ଆହୁରି ଗୁରୁତର ଦେବୀ । ତକ୍ଷଶିଳାଧୀଶଙ୍କର ଯେଉଁ ସବୁ ଅପରାଧ ଯୁବରାଜଙ୍କ ସମକ୍ଷରେ ପ୍ରମାଣିତ ହୋଇଥିଲା; ତାକୁ ଲେଖି ଯୁବରାଜ ସମ୍ରାଟଙ୍କୁ ଜଣାଇଥିଲେ । ସେହି ପତ୍ରରେ ଯୁବରାଜ ଲେଖିଥିଲେ ଯେ ସମ୍ରାଟ ଏକା ତକ୍ଷଶିଳାଧୀଶଙ୍କୁ ଦଣ୍ଡ ଦେଇପାରିବେ । ମାତ୍ର ସମ୍ରାଟ ଯବୁରାଜଙ୍କୁ କିଛି ଉତ୍ତର ପଠାଇଲେ ନାହିଁ । ତା’ ବଦଳରେ ସମ୍ରାଟଙ୍କର ଆଜ୍ଞାପତ୍ରିକା ତକ୍ଷଶିଳାଧୀଶଙ୍କ ନିକଟକୁ ଆସିଲା । ବିଦ୍ରୋହୀମାନଙ୍କର ପକ୍ଷ ନେଇ ଯୁବରାଜ ରାଜଭକ୍ତ କର୍ମଚାରୀମାନଙ୍କୁ ଅପମାନିତ କରିଥିବାର ମିଥ୍ୟା ଆରୋପ ସେଥିରେ ଲେଖାଥିଲା । ସମ୍ରାଟଙ୍କର ଆଜ୍ଞା ଅନୁସାରେ ତପ୍ତ ଲୌହ ଶାଳକାଦ୍ୱାରା ଯୁବରାଜଙ୍କ ଚକ୍ଷୁ ନଷ୍ଟ ହେଲା ଏବଂ ସେ ବୌଦ୍ଧ ଭିକ୍ଷୁ ରୂପେ ନିର୍ବାସିତ ହେଲେ ।

 

ଆର୍ତ୍ତନାଦ କରିଉଠିଲେ ସମ୍ରାଟ :–କଅଣ କହିଲ ? କୁନାଳ ମୋର ଚକ୍ଷୁହୀନ, ପୁତ୍ର ମୋର ନିର୍ବାସିତ, ହାୟ କିଏ ଏପରି ଶତ୍ରୁତା ସାଧିଲା.... କିଏ ଏପରି ଚକ୍ରାନ୍ତ କଲା... କୁହ ତକ୍ଷଶିଳାଧୀଶ... କିଏ ସେହି ଷଡ଼ଯନ୍ତ୍ରକାରୀ ?

 

ସମ୍ରାଟଙ୍କ ମସ୍ତିଷ୍କ ବିକ୍ଷିପ୍ତ ହୋଇଉଠିଲା ।

 

: ଯୁବରାଜ... କୁନାଳ ତୁ କେଉଁଆଡ଼େ ଚାଲିଗଲୁ ? ତୋତେ କିପରି ବିଶ୍ୱାସ ହେଲା, ତୋର ଅତିପ୍ରିୟ ଜନ୍ମଦାତା ତୋତେ ଅନ୍ଧ କରିବାକୁ ଆଜ୍ଞା ଦେଇଛନ୍ତି ବୋଲି । ଆଃ.... କିଏ ଚକ୍ରାନ୍ତ କରି ମୋର ନୟନର ମଣିକୁ ଅପହରଣ କଲା !

 

: ବୃଥା ବିଳାପ କରନ୍ତୁ ନାହିଁ ସମ୍ରାଟ ମହାଶୟ । ଏସବୁ ଘଟଣା କଅଣ ଆପଣଙ୍କ ଅଜ୍ଞାତରେ ଘଟିଯାଇଛି ?

 

ସମ୍ରାଟ କିଛି ନ ଶୁଣି ପ୍ରଳାପ କରି ଚାଲିଥାଆନ୍ତି ।

 

: ମୋ ଯୁବରାଜ.... ମୋ ନୟନର ମଣି... ମୁଁ ଅସୁସ୍ଥ ହୋଇ ପଡ଼ିଥିଲି ମରଣ ଶଯ୍ୟାରେ-। ମହାରାଣୀଙ୍କ ହାତରେ ଥିଲା ଶାସନର ସୂତ୍ର; କିନ୍ତୁ ଏପରି ଘଟଣା ସେ କେବେ ମୋତେ ଜଣାଇନାହାନ୍ତି । ହେ ଭଗବାନ ମୁଁ ହତଭାଗା....

 

କଟା କଦଳୀଗଛ ପରି ଭୂମିଉପରେ ପଡ଼ିଗଲେ ପ୍ରିୟଦର୍ଶୀ ଅଶୋକ । ସଂଜ୍ଞା ଲୋପ ହୋଇଗଲା । କାଞ୍ଚନମାଳା ଧାଇଁଆସିଲେ ସିଂହାସନ ଉପରୁ । ଚନ୍ଦ୍ରଭାଲ ଉପଚାର କରିବାରେ ଲାଗିଗଲେ । କିଛି ସମୟ ପରେ ଚେତା ଫେରିଆସିଲା ।

 

ଦେବୀ କାଞ୍ଚନମାଳାଙ୍କ ନିର୍ଦ୍ଦେଶ କ୍ରମେ ସଭା ଆଜିପାଇଁ ବର୍ଜିତ ହେଲା । ସମ୍ରାଟଙ୍କ ହାତଧରି ରାଜପ୍ରସାଦ ଭିତରକୁ ଧୀରେ ଧୀରେ ନେଇଆସିଲେ ଚନ୍ଦ୍ରଭାଲ ।

 

ଗୋଟିଏ କକ୍ଷରେ ସମ୍ରାଟଙ୍କୁ ବସାଇ ଅନ୍ୟାମାନେ ଘେରି ବସିଲେ । ସମ୍ରାଟଙ୍କ ଚକ୍ଷୁରୁ ଲୋତକଧାରା ବହିଚାଲିଥାଏ ।

 

: ଶ୍ରୀ ସମ୍ରାଟ ନିଜର ଆଜ୍ଞାପତ୍ରିକା ଦେଖିନିଅନ୍ତୁ । ଆମ୍ଭମାନଙ୍କ କଥନରେ ତିଳାର୍ଦ୍ଧେ ମିଥ୍ୟା ନାହିଁ ।

 

ଆଜ୍ଞାପତ୍ରିକାକୁ ହାତରେ ଧରି ସମ୍ରାଟ ଲୋତକ ପୋଛିଲେ । ତାକୁ ପଠନ କରୁ କରୁ ଭ୍ରୂକୁଞ୍ଚିତ ହୋଇଉଠିଲା । ଥର ଥର ଗଳାରେ କହିଲେ ।

 

: ଓଃ..... କି ଭୀଷଣ ଚକ୍ରାନ୍ତ । ଏ ତ’ ତିଷ୍ୟରକ୍ଷିତାର ହସ୍ତଲିପି । ମୁଁ ସମ୍ପୂର୍ଣ୍ଣ ରୋଗ ଶଯ୍ୟାରେ ଥିଲି ଚନ୍ଦ୍ରଭାଲ । ସେଇ କାଳ ନାଗୁଣୀ ଶାସନ ପରିଚାଳନା କରୁଥିଲା ।

 

ଦେବୀ କାଞ୍ଚନମାଳାଙ୍କ ଚକ୍ଷୁରୁ ବହିଚାଲିଥାଏ ଅବିରଳ ଅଶ୍ରୁଧାରା ।

 

: ମୁଁ ଜାଣେ ମହାରାଜ, ଯୁବରାଜଙ୍କ ପ୍ରତି ତିଷ୍ୟରକ୍ଷିତାର ଥିଲା ପ୍ରବଳ ଆସକ୍ତି । ନିଜର କୁତ୍ସିତ ବାସନା ଚରିତାର୍ଥ କରିନପାରି ସେ ପ୍ରତିହିଂସା ପରାୟଣା ହୋଇ ଏପରି କରି ବସିଛି । ଆପଣ ନିରପରାଧ ।

 

କାଞ୍ଚନମାଳାର ଉକ୍ତି ଶୁଣି ସମ୍ରାଟଙ୍କ କ୍ରୋଧ ଆହୁରି ବଢ଼ିଗଲା ।

 

: ମୋତେ ତୁମ୍ଭେମାନେ ଥରକ ପାଇଁ ମୁକ୍ତ କରିଦିଅ ଚନ୍ଦ୍ରଭାଲ । ପାଟଳୀପୁତ୍ର ଯାଇ ସେ ଦୁଷ୍ଟାକୁ ଉଚିତ ଦଣ୍ଡ ଦେଇସାରିବା ପରେ ମୁଁ ତୁମ୍ଭର ବନ୍ଦୀଶାଳାକୁ ଫେରିଆସିବି । ତ୍ରିବାର ସତ୍ୟ କରି କହୁଛି । ଏ କଥା ଅନ୍ୟଥା ହେବନାହିଁ । ମୁଁ ପ୍ରଜାଙ୍କ ଦୁଃଖ କେବେ ସହ୍ୟ କରିପାରିବି ନାହିଁ । ମୋତେ ପ୍ରଜା ପରିଷଦ ଯାହା ଦଣ୍ଡ ଦେବ ମୁଁ ସହର୍ଷ ସ୍ୱୀକାର କରିବି ।

 

ସମ୍ରାଟ ପିଲାଙ୍କ ପରି କ୍ରନ୍ଦନ କରିବାକୁ ଲାଗିଲେ ।

 

: ଆମେ ସମ୍ରାଟଙ୍କ ଭକ୍ତିକୁ ସମ୍ପୂର୍ଣ୍ଣ ବିଶ୍ୱାସ କରୁଛୁ । ଆପଣ ମୁକ୍ତ ମହାରାଜ ।

 

ଦେବୀ କାଞ୍ଚନମାଳା ସମ୍ରାଟଙ୍କ ପାଦ ଧରି ଲୋଟିପଡ଼ିଲେ । ହୃଦୟର କୋହ ବଢ଼ିଗଲା-। କାନ୍ଦ କାନ୍ଦ ସ୍ୱରରେ କହିବାକୁ ଲାଗିଲେ ।

 

: ମୋତେ କ୍ଷମା କରନ୍ତୁ ବାବା ।

 

: ତୁମର କିଛି ଅପରାଧ ନାହିଁ କାଞ୍ଚନ । ମୁଁ ଏ ପରିଣତ ବୟସରେ ବିବାହ କରି ଯେଉଁ ଅପରାଧ କରିଛି ତା’ର ଦଣ୍ଡ ଭୋଗ କରୁଛି । କାର୍ତ୍ତିକ କୁମାର ତୁଲ୍ୟ ପୁତ୍ର ମୋର ଆଜି ଅନ୍ଧ ହୋଇ ବୁଲୁଛି । ଚନ୍ଦ୍ରଭାଲ, ତୁମ ନେତୃତ୍ୱରେ ତକ୍ଷଶିଳାରେ ପ୍ରଜାତନ୍ତ୍ର ଶାସନ ଚାଲୁ ରହିବ । ଏ ଦୁଃଖ ସମୟରେ କାଞ୍ଚନ ଆଉ ସଂପ୍ରତିକୁ ଛାଡ଼ି ମୁଁ ବଞ୍ଚିପାରିବି ନାହିଁ । ସେମାନଙ୍କୁ ସଙ୍ଗରେ ନେଇ ଯାଉଛି ।

 

: ମୋର ଗୋଟିଏ ଅନୁରୋଧ ରକ୍ଷା କଲେ, ମୁଁ ସଙ୍ଗରେ ଯିବାପାଇଁ ପ୍ରସ୍ତୁତ ହେବି, ବାବା ।

 

: ମୁଁ ବଚନ ଦେଉଛି ମା’ । କୁହ କଅଣ ତୋର ଇଚ୍ଛା ।

 

: ମୋ ପତିର ଦୁର୍ଦ୍ଦଶା ଯେଉଁମାନେ କରିଛନ୍ତି; ସେମାନଙ୍କର ବିଚାର ନ୍ୟାୟାସନରେ ବସି ମୁଁ କରିବି । ଅପରାଧିନୀ ତିଷ୍ୟରକ୍ଷିତା ଆଉ ତକ୍ଷଶିଳାଧୀଶଙ୍କ ପାଇଁ ମୁଁ ନ୍ୟାୟ ଦଣ୍ଡର ବ୍ୟବସ୍ଥା କରିବି ।

 

: ତୋର ପ୍ରସ୍ତାବକୁ ମୁଁ ସ୍ୱୀକାର କରୁଛି ମା’ । ତୋ ପତିର ଦୁର୍ଦ୍ଦଶା ପାଇଁ ଯେଉଁମାନେ ଚକ୍ରାନ୍ତ କରିଛନ୍ତି, ସେମାନଙ୍କର ବିଚାର ତୋରି ହାତରେ ହେବ ।

 

: ମହାରାଜ କେବେ ପାଟଳୀପୁତ୍ର ଯିବାପାଇଁ ଇଚ୍ଛା କରୁଛନ୍ତି ।

 

: କାଲି ପ୍ରଭାତରୁ । ତକ୍ଷଶିଳାର ପ୍ରଜାତନ୍ତ୍ର ଶାସନ ପାଇଁ ଆଜି ମୁଁ ଲିଖିତ ଆଜ୍ଞାପତ୍ରିକା ଦେଇଦେବି । ବନ୍ଦୀ ତକ୍ଷଶିଳାଧୀଶ ମଧ୍ୟ ମୋ ସହିତ ଯିବେ । ତା’ର ପୁନର୍ବିଚାର ହେବ ।

 

: ଉଚିତ କଥା କହିଛନ୍ତି ଶ୍ରୀ ସମ୍ରାଟ । ତିଷ୍ୟରକ୍ଷିତା ସହ ଷଡ଼ଯନ୍ତ୍ର କରି ଯୁବରାଜ କୁନାଳଙ୍କୁ ନିର୍ବାସିତ କରିବାରେ ତକ୍ଷଶିଳାଧୀଶଙ୍କର ମଧ୍ୟ ହାତ ରହିଛି ।

 

ଆଜି କୁସ୍ତାନ ନଗରରେ ଏକ ବିରାଟ ବୌଦ୍ଧସଭା ଆୟୋଜିତ ହୋଇଛି । କୁକ୍‌କୁଟାରାମ ବୌଦ୍ଧ ବିହାରର ସଂଘ ସ୍ଥବିର ମହାତ୍ମା ଯଶଗୁପ୍ତଙ୍କର ଭାଷଣ ଶୁଣିବା ପାଇଁ ଅସଂଖ୍ୟ ନରନାରୀଙ୍କ କୋଳାହଳରେ ସଭାସ୍ଥଳ ପ୍ରକମ୍ପିତ ହେଉଛି ।

 

ଅନ୍ୟାନ୍ୟ ବୌଦ୍ଧ ମଠରୁ ଆସିଥିବା କେତେକ ବିଦ୍ୱାନ ଭିକ୍ଷୁ ଭାଷଣ ଦେବାପରେ, ମହାତ୍ମା ଯଶଗୁପ୍ତ ମଞ୍ଚ ଉପରେ ଦଣ୍ଡାୟମାନ ହେଲେ । ମନୁଷ୍ୟର ଜନ୍ମ, ମୃତ୍ୟୁ ପରେ ଆତ୍ମାର ଗତି, ସ୍ୱର୍ଗ, ନର୍କ, ପୁନର୍ଜନ୍ମ ଏବଂ ମୋକ୍ଷ ସମ୍ପର୍କରେ ତାଙ୍କର ଓଜପୂର୍ଣ୍ଣ ଅନର୍ଗଳ ଭାଷଣ ଶୁଣି ଜନତା ମନ୍ତ୍ରମୁଗ୍‌ଧ ହୋଇ ବସିଛନ୍ତି । ଭାଷଣ ଶେଷ କରି ମହାତ୍ମା ଯଶଗୁପ୍ତ ପଚାରିଲେ ।

 

: ଏ ବିଷୟରେ ଯଦି କାହାକୁ କିଛି ସନ୍ଦେହ ଥାଏ ପଚାରନ୍ତୁ ।

 

ମଞ୍ଚ ନିକଟରେ ବସିଥିବା ଅନ୍ଧ ଭିକ୍ଷୁ ଜଣେ ଦଣ୍ଡାୟମାନ ହେଲେ । ସଭାଜନମାନେ ଉତ୍ସୁକ ନେତ୍ରରେ ଚାହିଁଲେ । ମହାତ୍ମାଙ୍କର ଦୃଷ୍ଟି ମଧ୍ୟ ଆକର୍ଷିତ ହେଲା ।

 

: ଆପଣ ଯାହା କହିଗଲେ, ଏସବୁ ଅତି ଗହନ ବିଷୟ । ଏ ସମ୍ପର୍କରେ ଆପଣଙ୍କୁ ମୁଁ ଅନେକ ପ୍ରଶ୍ନ ପଚାରିବାକୁ ଚାହେଁ । । ସଭାପରେ ଏକାନ୍ତରେ ଆପଣ ସାକ୍ଷାତ କରିବାକୁ ଅନୁମତି ଦେଲେ କୃତଜ୍ଞ ହେବି ।

 

: ମୋ ନିକଟକୁ ଆସ ବତ୍ସ ।

 

କେହି ଜଣେ ଅନ୍ଧଭିକ୍ଷୁର ହାତଧରି ସଭା ମଞ୍ଚ ଉପରେ ପହଞ୍ଚାଇଦେଲା । ଅଣ୍ଡାଳି ଅଣ୍ଡାଳି ଯଶଗୁପ୍ତଙ୍କର ଚରଣ ସ୍ପର୍ଶ କରି ଭିକ୍ଷୁ ଠିଆହେଲେ ।

 

ମହାତ୍ମା ଯଶଗୁପ୍ତ ପ୍ରଶ୍ନ କଲେ :– ଆପଣଙ୍କ ନାମ ଧାମ କୁହନ୍ତୁ ଭଦ୍ର ମହୋଦୟ ।

 

: ଭିକ୍ଷୁର ନାମ ଧାମରେ କି ପ୍ରୟୋଜନ ମହାତ୍ମା ? ମୋତେ ଆପଣ ଦୀକ୍ଷା ଦେଇ ଶିଷ୍ୟରୂପେ ଗ୍ରହଣ କରନ୍ତୁ ।

 

: ଆପଣଙ୍କ ମୁଖମଣ୍ଡଳର ସାଦୃଶ୍ୟ ଯୁବରାଜ କୁନାଳଙ୍କ ସହିତ ରହିଛି । ମୋର ସନ୍ଦେହ ଦୂର କରନ୍ତୁ ।

 

ଆପଣଙ୍କ ଅନୁମାନ ଯଥାର୍ଥ । ମୁଁ ସେହି କୁନାଳ । ସାଂସାରିକ ମାୟା ମୋହ ତ୍ୟାଗ କରି ମୁକ୍ତି ମାର୍ଗର ସାଧକ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ପତ୍ନୀ କାଞ୍ଚନମାଳା ଏବଂ ପୁତ୍ର ସଂପ୍ରତିର ମୋହ ତୁଟି ନାହିଁ । ବେଳେବେଳେ ମନକୁ ସେମାନଙ୍କର ସ୍ମୃତି ବିଚଳିତ କରୁଛି ।

 

ଯୁବରାଜ କୁନାଳଙ୍କ ଦୁର୍ଦ୍ଦଶା ଦେଖି ଯଶଗୁପ୍ତଙ୍କ ନେତ୍ରଦ୍ୱୟ ଅଶ୍ରୁପୂର୍ଣ୍ଣ ହେଲା । ଯୁବରାଜଙ୍କୁ ଧରି ନିଜ ପାଖରେ ବସାଇଲେ । ସଭା ବିସର୍ଜନ ହେବା ପରେ ତାଙ୍କୁ ନିଜରର ଆବାସସ୍ଥଳୀକୁ ନେଇଗଲେ ।

 

ରାତ୍ରିଭୋଜନ ପରେ ଯୁବରାଜଙ୍କଠାରୁ ସମସ୍ତ ଘଟଣା ଶୁଣିସାରି ମହାତ୍ମା ଯଶଗୁପ୍ତ କହିଲେ ।

 

ଯୁବରାଜ, କୌଣସି ଏକ ଷଡ଼ଯନ୍ତ୍ରର ପରିଣାମ ସ୍ୱରୂପ ଆପଣ ଆଜି ନେତ୍ରହୀନ ଆଉ ନିର୍ବାସିତ । ମୁଁ ଆପଣଙ୍କୁ ସମ୍ରାଟଙ୍କ ପାଖକୁ ନେଇଯିବି ଏବଂ ନ୍ୟାୟ ଯାଚନା କରିବି ।

 

: ଯେପରି ଆପଣଙ୍କ ଇଚ୍ଛା । ମୁଁ ତ ଆପଣଙ୍କର ଶିଷ୍ୟତ୍ୱ ସ୍ୱୀକାର କରିଛି ।

 

: କିଛି ଚିନ୍ତା କରନାହିଁ ବତ୍ସ, କାଲି ପ୍ରଭାତରୁ ଉଠି ଆମ୍ଭେମାନେ ପାଟଳୀପୁତ୍ର ଅଭିମୁଖେ ଯାତ୍ରା କରିବା ।

 

ପାଟଳୀପୁତ୍ର ନିକଟସ୍ଥ କୁକ୍‌କୁଟାରାମ ବୌଦ୍ଧ ବିହାରରେ ସହସ୍ରାଧିକ ବୌଦ୍ଧ ଭିକ୍ଷୁ ରହୁଥିଲେ । ମହାତ୍ମା ଯଶଗୁପ୍ତ ଥିଲେ, ସେ ବିହାରର ସଂଘ ସ୍ଥବିର । ବିଭିନ୍ନ ସ୍ଥାନରୁ ପରିବ୍ରାଜକ ଆଉ ଧର୍ମାଚାର୍ଯ୍ୟମାନେ ଆସି ତାଙ୍କର ପରାମର୍ଶ ନେଉଥିଲେ । ଧର୍ମର ଗୂଢ଼ତତ୍ତ୍ୱ ସମ୍ପର୍କରେ ତାଙ୍କର ବ୍ୟାଖ୍ୟା ଶୁଣିଥିଲେ ।

 

ରଥଦ୍ୱାରା ମହାତ୍ମା ଯଶ ଏବଂ କୁନାଳ ଆସି ସେହି ବିହାରରେ ପହଞ୍ଚିଲେ । ପରଦିନ ପ୍ରାତଃକାଳରୁ ନିଜର ଶୌଚାଦି କ୍ରିୟା ଶେଷ କରି ଯଶଗୁପ୍ତଙ୍କ ସହ ପରାମର୍ଶ କରିବାପାଇଁ ତାଙ୍କ କକ୍ଷକୁ କୁନାଳ ଆସିଗଲେ ।

 

: ବତ୍ସ କୁନାଳ, ତୁମ ପ୍ରତି ଯେଉଁ ଅନ୍ୟାୟ କରାଯାଇଛି ତା’ର ବିସ୍ତୃତ ବିବରଣୀ ଲେଖି ସମ୍ରାଟଙ୍କ ସମକ୍ଷରେ ଉପସ୍ଥାପିତ କରିବି ।

 

: ଏ ପ୍ରକାର କାର୍ଯ୍ୟବାହୀରୁ କିଛି ଲାଭ ମିଳିବ ନାହିଁ ମହାତ୍ମା ।

 

: କାରଣ ?

 

: ମୁଁ ସାଂସାରିକ ମାୟାକୁ ସମ୍ପୂର୍ଣ୍ଣ ତ୍ୟାଗ କରିବାକୁ ଇଚ୍ଛା କରୁଛି । ପୁଣି ରାଜପ୍ରାସାଦକୁ ପ୍ରତ୍ୟାବର୍ତ୍ତନ କରି ବନ୍ଧନରେ ପଡ଼ିବି କାହିଁକି ?

 

: ତୁମର ଉଦ୍ଦେଶ୍ୟ ଅତି ମହତ । ତୁମେ ରାଜପ୍ରାସାଦକୁ ଲେଉଟି ନପାର; କିନ୍ତୁ ଯେଉଁ ଷଡ଼ଯନ୍ତ୍ର କାରଣରୁ ତୁମେ ଆଜି ନେତ୍ରହୀନ ଆଉ ନିର୍ବାସିତ ସେ ରହସ୍ୟ ତ ଲୋକଲୋଚନକୁ ଆଣିବା ଉଚିତ । ତା’ହେଲେ ଚକ୍ରାନ୍ତକାରୀମାନେ ଦଣ୍ଡିତ ହେବେ । ଏହା ସମସ୍ତ ପ୍ରଜାଙ୍କର କଲ୍ୟାଣ କରିବ ।

 

: ସମ୍ରାଟ ଯଦି ମୋତେ ରାଜପ୍ରାସାଦକୁ ଫେରାଇନେବାକୁ ଜିଦ୍‌ କରନ୍ତି ?

 

: ତୁମେ ନିଜ ଇଚ୍ଛା ଅନୁସାରେ ଦୀକ୍ଷା ନେଇଛ । ତାଙ୍କର ଜିଦ୍‌କୁ ମାନି ନ ପାର । ଏ ବିଷୟରେ ମୁଁ ତୁମ୍ଭର ପକ୍ଷ ଗ୍ରହଣ କରିବି ।

 

ଯଶଗୁପ୍ତଙ୍କର ପ୍ରିୟ ଧର୍ମାଚାର୍ଯ୍ୟ ଥିଲେ ଶ୍ରୀମାନ୍‌ ମଣ୍ଡନଗୁପ୍ତ । ତାଙ୍କୁ ଡକାଇ ଆଣି ପଚାରିଲେ, ସମ୍ରାଟ ପାଟଳୀପୁତ୍ରରେ ଅଛନ୍ତି ନା ?

 

: ନା ମହାଶୟ, ସମ୍ରାଟ ବିଦ୍ରୋହ ଦମନ ନିମିତ୍ତ ତକ୍ଷଶିଳା ଯାଇଛନ୍ତି ।

 

କୁନାଳ ଦୁଇ ହାତରେ ଛାତିକୁ ଚାପିଧରିଲେ । : –ଓହୋ..... ବୋଧହୁଏ କାଞ୍ଚନ ଆଉ ଚନ୍ଦ୍ରଭାଲ ଏ ବିଦ୍ରୋହ ଆରମ୍ଭ କରିଛନ୍ତି । ସେ ଦୁହେଁ ଶାନ୍ତି ପଥକୁ ତ୍ୟାଗ କରି କ୍ରାନ୍ତି ପଥରେ ପ୍ରଜାମଙ୍ଗଳ କରିବେ ବୋଲି, ଭାବନା ପୋଷଣ କରନ୍ତି ।

 

: ଏଥିରେ ବ୍ୟଥିତ ହେବାର କିଛି ନାହିଁ କୁନାଳ । କ୍ରାନ୍ତି ନ ହେଲେ କଅଣ ମାନବ ସମାଜ ଶାନ୍ତିର ମହତ୍ତ୍ୱ ବୁଝିପାରିବ ? ଯେତେବେଳେ କ୍ରାନ୍ତି ପଥ ଦ୍ୱାରା ମନୁଷ୍ୟର ମସ୍ତିଷ୍କ ଭାରାକ୍ରାନ୍ତ ଏବଂ ବିକୃତ ହୋଇଯାଏ, ସେତେବେଳେ ସେ ବିକୃତ ମସ୍ତିଷ୍କର ଶୋଧନ ନିମିତ୍ତ ଶାନ୍ତି ମାର୍ଗର ଅନୁଗାମୀ ହେବାକୁ ଚେଷ୍ଟା କରେ ।

 

: ଆପଣଙ୍କ ମତ ଗ୍ରହଣ କରୁଛି ମହାତ୍ମା ।

 

: ମଣ୍ଡନ, ତୁମେ ରାଜପ୍ରାସାଦକୁ ଯାଇ ଏ ପତ୍ରଟି ମହାମନ୍ତ୍ରୀଙ୍କୁ ଦିଅ, ଦ୍ରୁତଗାମୀ ରଥରେ ପାଟଳୀପୁତ୍ର ଯିବା ଶ୍ରେୟସ୍କର ହେବ ।

 

ମଧ୍ୟାହ୍ନ ପରେ ମହାମନ୍ତ୍ରୀ ଆସି ମହାତ୍ମା ଯଶଗୁପ୍ତଙ୍କୁ ସାକ୍ଷାତ କଲେ । ତାଙ୍କୁ ଉପଯୁକ୍ତ ଆସନରେ ବସାଇ ପଚାରିଲେ ।

 

: ଶୁଣୁଛି ସମ୍ରାଟଦେବ ତକ୍ଷଶିଳା ଯାଇଛନ୍ତି ।

 

: ହଁ ପ୍ରଭୁ, ସେଠାରେ ପୁନର୍ବାର ବିଦ୍ରୋହର ସୂତ୍ରପାତ ହୋଇଛି ।

 

: କାରଣ ।

 

: ଏପର୍ଯ୍ୟନ୍ତ ମୁଁ ଜାଣିନାହିଁ । ଯେପର୍ଯ୍ୟନ୍ତ ଯୁବରାଜ ସେଠାରେ ଥିଲେ, ସେପର୍ଯ୍ୟନ୍ତ ଅବସ୍ଥା ଶାନ୍ତ ଥିଲା ।

 

: ଯୁବରାଜ କୁଆଡ଼େ ଗଲେ ?

 

: ତକ୍ଷଶିଳାଧୀଶ ପତ୍ର ଦେଇଥିଲେ ଯେ, ଯୁବରାଜ ସ୍ୱେଚ୍ଛାରେ ଭିକ୍ଷୁ ହୋଇ ଦେଶ ପର୍ଯ୍ୟଟନ ନିମିତ୍ତ ଚାଲିଯାଇଛନ୍ତି । ସମ୍ରାଟ ଏ ଘଟନା ଶୁଣି ଅତ୍ୟନ୍ତ ଦୁଃଖିତ ଅବସ୍ଥାରେ ଅଛନ୍ତି ।

 

: ମହାମନ୍ତ୍ରୀ ଆପଣଙ୍କପରି ଯୋଗ୍ୟ ଅନୁଭବୀ; ବୟସ୍କ ବ୍ୟକ୍ତି ଥାଉ ଥାଉ ଏପରି ଅନର୍ଥ କିପରି ହୋଇଗଲା !

 

: କଅଣ ପ୍ରଭୁ ?

 

: ଯୁବରାଜ କୁନାଳ ସ୍ରମାଟଙ୍କ ଆଜ୍ଞାପତ୍ରିକା ବଳରେ ଅନ୍ଧଭିକ୍ଷୁ ହୋଇ ନିର୍ବାସିତ ଜୀବନଯାପନ କରୁଛନ୍ତି ।

 

: ସମ୍ରାଟ ଏପରି ଆଜ୍ଞା କେବେ ଦେଇନାହାନ୍ତି ।

 

: ତା’ହେଲେ ?

 

: ସମ୍ରାଟଙ୍କ ଅସୁସ୍ଥତା ସମୟରେ ତିଷ୍ୟରକ୍ଷିତା କିଛି ଚକ୍ରାନ୍ତ କରିଛି ବୋଲି ମୋର ଅନୁମାନ ।

 

ଗୋଟିଏ ଭିକ୍ଷୁର ହାତ ଧରି ଯୁବରାଜ କୁନାଳ କକ୍ଷ ମଧ୍ୟରେ ପ୍ରବେଶ କଲେ । କୁନାଳଙ୍କୁ ଦେଖି ମହାମନ୍ତ୍ରୀ ଆସନ ତ୍ୟାଗ କରି ତାଙ୍କୁ କୁଣ୍ଢାଇ ପକାଇଲେ । ଚକ୍ଷୁ ଲୋତକରେ ଛଳ ଛଳ ହୋଇଉଠିଲା । ଶୋକ ଗଦ୍‌ ଗଦ୍‌ ସ୍ୱରରେ କହିଲେ ।

 

: ଯୁବରାଜ, କିଏ ଏପରି ଅବସ୍ଥା କଲା ଆପଣଙ୍କର ?

 

: କିଏ.... କିଏ... ମହାମନ୍ତ୍ରୀ ।

 

: ହଁ ଯୁବରାଜ ।

 

: ପିତାଙ୍କ ଆଜ୍ଞାପତ୍ରିକାକୁ ମାନି, ମୁଁ ସ୍ୱହସ୍ତରେ ଏହା କରିଛି ।

 

: ପିତା କଦାପି ଆଜ୍ଞା ଦେଇନାହାନ୍ତି ଯୁବରାଜ । ଏ ମହାରାଣୀଙ୍କର ଷଡ଼ଯନ୍ତ୍ର ।

 

: ମାତା ତିଷ୍ୟରକ୍ଷିତା କେବେ ନିଷ୍ଠୁର ନୁହନ୍ତି ମହାମନ୍ତ୍ରୀ ।

 

: ଯୁବରାଜଙ୍କ ହୃଦୟ ଅତି ସରଳ ଏବଂ କପଟଶୂନ୍ୟ ।

 

: ମୁଁ କେବଳ କୁନାଳ, ଭିକ୍ଷୁ କୁନାଳ । ମୋତେ ଯୁବରାଜ ବୋଲି କହନ୍ତୁ ନାହିଁ ମହାମନ୍ତ୍ରୀ-

 

ଯୁବରାଜଙ୍କ ଦୁର୍ଦ୍ଦଶା ଦେଖି, ଏବଂ ତାଙ୍କର କଥା ଶୁଣି ମହାମନ୍ତ୍ରୀ ଅତ୍ୟନ୍ତ ବ୍ୟଥିତ ହେଲେ ।

 

ପ୍ରିୟଦର୍ଶୀ ସମ୍ରାଟ ତକ୍ଷଶିଳା ବିଦ୍ରୋହ ଦମନ କରିବାକୁ ଯିବା ପରେ, ମହାରାଣୀଙ୍କ ନିକଟକୁ ଏପର୍ଯ୍ୟନ୍ତ କିଛି ସମ୍ବାଦ ପ୍ରେରଣ କରିନାହାନ୍ତି । ତେଣୁ ପ୍ରିୟତମା ତରଙ୍ଗବାଳା ଓରଫ ତିଷ୍ୟରକ୍ଷିତା ଅତିଶୟ ଚିନ୍ତିତା । ଚିନ୍ତାର ମୁଖ୍ୟ କାରଣ ଗୋଟିଏ ମାତ୍ର । ସମ୍ରାଟ ତକ୍ଷଶିଳା ଗଲେ କାଳେ ମହାରାଣୀଙ୍କ ଷଡ଼ଯନ୍ତ୍ରର ରହସ୍ୟପେଡ଼ି ଖୋଲିଯିବ, ଏଇ ଆଶଙ୍କାରେ ସେ ସମ୍ରାଟଙ୍କୁ ନ ଯିବାପାଇଁ ବହୁତ ଅନୁରୋଧ କରିଥିଲେ । ମାତ୍ର ସମ୍ରାଟ କାହିଁକି; ତାଙ୍କ ପ୍ରିୟତମା ଉପରେ ଏବେ ଏତେ ରୁଷ୍ଟ ଯେ, ମହାରାଣୀଙ୍କର ଅନୁନୟ ବିନୟ ନିବେଦନକୁ ଟିକିଏ ହେଲେ କାନରେ ପକାଇଲେ ନାହିଁ ।

 

ମହାରାଣୀ ନିଜ ପ୍ରକୋଷ୍ଠରେ ଗଜଦନ୍ତ ପଲଙ୍କ ଉପରେ ଅର୍ଦ୍ଧଶାୟିତ ଅବସ୍ଥାରେ ଚିନ୍ତାସାଗରରେ ଉବେଇ ଟୁବେଇ ହେଉଥିବା ଅବସ୍ଥାରେ ପ୍ରିୟ ସୈନିକ ରୁଦ୍ରସେନ ପ୍ରବେଶକଲା । ତା’ର ଗମ୍ଭୀର ମୁଖମୁଦ୍ରା ଦେଖି ମହାରାଣୀ ପଚାରିଲେ ।

 

: କଅଣ ରୁଦ୍ରସେନ, ଏତେ ଚିନ୍ତିତ ମୁଖମଣ୍ଡଳ କାହିଁକି ?

 

: ମୁଁ ତ ଆପଣଙ୍କ ସକାଶେ ଅତ୍ୟନ୍ତ ବ୍ୟତିବ୍ୟସ୍ତ ହୋଇପଡ଼ିଛି ।

 

: ମୋ ସକାଶେ ? କଅଣ ଘଟଣା ?

 

: କୁକ୍‌କୁଟାରାମ ବୌଦ୍ଧ ବିହାରର ସଂଘ ସ୍ଥବିର ମହାତ୍ମା ଯଶଗୁପ୍ତ କେଉଁଠାରୁ ଯୁବରାଜ କୁନାଳଙ୍କୁ ସଙ୍ଗରେ ନେଇ ଆସିଛନ୍ତି ।

 

: ଆଁ ! କଅଣ ହେଲା ।

 

: ସତ୍ୟ କହୁଛି ମହାରାଣୀ, ଯୁବରାଜଙ୍କୁ ସମ୍ରାଟଙ୍କ ସମକ୍ଷରେ ଉପସ୍ଥିତ କରି ମହାତ୍ମା ଯଶଗୁପ୍ତ ନ୍ୟାୟ ଯାଚନା କରିବେ । ସମ୍ରାଟ ଯେତେବେଳେ ଆପଣଙ୍କର ସମସ୍ତ ଚକ୍ରାନ୍ତ ଜାଣିଯିବେ......

 

: ଚୁପ୍‌ କର–ଧୀରେ; କାନ୍ଥର ମଧ୍ୟ କାନ ଅଛି । ପାଖକୁ ଆସ ।

 

: ଗତକାଲି ଆମର ଗୁପ୍ତଚର ଏ ସମ୍ବାଦ ସଂଗ୍ରହ କରିଛି । ତକ୍ଷଶିଳାର ବିଦ୍ରୋହ ଶମନ ପରେ ସମ୍ରାଟ କାଞ୍ଚନମାଳା ଆଉ ସଂପ୍ରତିକୁ ନେଇ ରାଜଧାନୀକୁ ଲେଉଟି ଆସୁଛନ୍ତି ।

 

: ଆଉ କି ଉପାୟ କରିବା ରୁଦ୍ରସେନ ?

 

: ବର୍ତ୍ତମାନ ତ’ ମୋତେ କିଛି ବୁଦ୍ଧି ଦେଖାଯାଉ ନାହିଁ । ଆପଣ ଯାହା ଠିକ୍‌ କରିବେ !

 

: ହେଉ, ତୁମେ ଯାଅ । ଯେକୌଣସି ସମୟରେ ମୁଁ ତୁମର ସାହାଯ୍ୟ ଲୋଡ଼ିପାରେ ।

 

: ହେଉ ରାଣୀମା, ମୁଁ ଆସୁଛି ।

 

ରୁଦ୍ରସେନ ଚାଲିଯିବା ପରେ ତିଷ୍ୟରକ୍ଷିତାର ଚିନ୍ତା ଶତଗୁଣ ବୃଦ୍ଧି ପାଇଲା । ପଲଙ୍କ ଉପରେ ବସି ଦୁଇହାତରେ ମସ୍ତକକୁ ଚାପିଧରି ଚିନ୍ତା କରିବାକୁ ଲାଗିଲା । ଦୁଃସହ ଚିନ୍ତାରେ କିଛି ସମୟ ନିମଗ୍ନ ରହିବା ପରେ, ତଳକୁ ଆସି ପାତ୍ର ଭରି ଅଙ୍ଗୁରୀ ଆସବ ପାନ କରିବାକୁ ଲାଗିଲା ତିଷ୍ୟରକ୍ଷିତା । ଆସବ ପାନ କରି କକ୍ଷ ମଧ୍ୟରେ ଇତସ୍ତତଃ ପଦଚାରଣ କରୁଥାଏ । ଆସବ ପ୍ରଭାବରେ ଚକ୍ଷୁ ଦ୍ୱୟ ଆରକ୍ତ ହେଲା; ମୁଖମଣ୍ଡଳରେ ସ୍ୱେଦ ବିନ୍ଦୁ ଝଲିକି ଉଠିଲା; ହୃଦୟର ସ୍ପନ୍ଦନ ତୀବ୍ରରୁ ତୀବ୍ରତର ହେଲା । ନିଜକୁ ନିଜେ ବିକ୍ଷିପ୍ତ ଅବସ୍ଥାରେ କହିବାକୁ ଲାଗିଲା ।

 

: ଏ ସବୁ ମିଥ୍ୟା.... ନା ନା....ମୁଁ ନିରପରାଧ । ମୁଁ କିଛି ଚକ୍ରାନ୍ତ କରିନାହିଁ । ମୁଁ କିଛି ଷଡ଼ଯନ୍ତ୍ର କରିନାହିଁ ମହାରାଜ.... କୁନାଳକୁ ମୁଁ ଅନ୍ଧ କରିନାହିଁ..... ବୌଦ୍ଧ ଭିକ୍ଷୁ କରିନାହିଁ..... କାଞ୍ଚନମାଳାର ସୁନା ସଂସାର ମୁଁ ଚୂନା କରିନାହିଁ.... ସେ ଆଜ୍ଞାପତ୍ରର ଆବିଷ୍କାରକ ରୁଦ୍ରସେନ । ତାକୁ ଦଣ୍ଡ ଦିଅନ୍ତୁ ମହାରାଜ..... ତାକୁ ଦଣ୍ଡ ଦିଅନ୍ତୁ ।

ବିକୃତ ମାନସିକ ସ୍ଥିତି ଯୋଗୁ ମସ୍ତକର କେଶରାଶି ଆଲୁଳାୟିତ ଅବସ୍ଥାରେ; ଦୁଇହାତକୁ ମକଚି ମକଚି ତିଷ୍ୟରକ୍ଷିତା ସ୍ୱର୍ଣ୍ଣ ଚଉକି ଉପରେ ବସିପଡ଼ିଲା ।

: ନା ନା... ପ୍ରିୟଦର୍ଶୀ କେବେ ମୋତେ ଦଣ୍ଡ ଦେଇପାରିବେ ନାହିଁ । ମୁଁ ନିରପରାଧ... ମୁଁ ମୃତ୍ୟୁକୁ ଆଲିଙ୍ଗନ କରିବି.... ନ୍ୟାୟ ଦଣ୍ଡ କେବେ ସହ୍ୟ କରିପାରିବି ନାହିଁ.....

ହଠାତ୍‌ ମନରେ ତା’ର କିଛି ଦୃଢ଼ତା ଆସିଲା । ପାଗଳ ପରି ଅଟ୍ଟହାସ୍ୟ କରିଉଠିଲା ତିଷ୍ୟରକ୍ଷିତା । ପୁଣି ଆସବପାତ୍ର ନେଇ ଅଙ୍ଗୁରୀ ଆସବ ଭରିଲା । ହୀରକ ମୁଦ୍ରିକାର ନଗିନା ମଧ୍ୟରେ ଲୁକ୍‌କାୟିତ ବିଷକୁ ସେଥିରେ ମିଶାଇଦେଲା ।

ଥରେ ନିଜର ଚତୁର୍ଦ୍ଦିଗକୁ ଚାହିଁ ଆସବପାତ୍ରକୁ ଉଠାଇନେଲା ତିଷ୍ୟରକ୍ଷିତା । ପୌରସଭା ସମକ୍ଷରେ ଅପମାନିତ, ଲାଞ୍ଛିତ ହେବା ପରେ ନ୍ୟାୟ ଦଣ୍ଡ ଭୋଗ କରିବା ଅପେକ୍ଷା ଆତ୍ମହତ୍ୟା ଶତ ଗୁଣରେ ଶ୍ରେୟସ୍କର ।

: ମୁଁ ଭିତରକୁ ଆସିପାରେ ମହାରାଣୀ ?

ଚମକିପଡ଼ି ଆସବପାତ୍ର ରଖି ପଛକୁ ଚାହିଁଲା ତିଷ୍ୟରକ୍ଷିତା । ଦ୍ୱାର ଦେଶରେ ମହାମନ୍ତ୍ରୀ । ଅସ୍ତବ୍ୟସ୍ତ ସ୍ୱରରେ କହିଲା ।

: ଆସନ୍ତୁ ମହାଶୟ ।

ମହାମନ୍ତ୍ରୀ ଗମ୍ଭୀର ମୁଦ୍ରାରେ ପ୍ରବେଶ କଲେ । ମହାରାଣୀଙ୍କ ବିବର୍ଣ୍ଣ ମୁଖ । ଅସଂଯତ ବସନ ଭୂଷଣ, ଆଲୁଳାୟିତ କେଶରାଶି ଏବଂ ଆସବପାତ୍ର ପ୍ରତି ଦୃଷ୍ଟି ଚଳାଇନେଇ ପଚାରିଲେ ।

: ମହାରାଣୀ ବଡ଼ ବିବ୍ରତ ଜଣାପଡ଼ୁଛନ୍ତି । ଘଟଣା କଅଣ ?

.....ମୌନ ରହିଲା ତିଷ୍ୟରକ୍ଷିତା ।

ସେ ଜାଣେ ବୃଦ୍ଧ ଅନୁଭବୀ ମହାମନ୍ତ୍ରୀ ମୁଖମଣ୍ଡଳର ଅବସ୍ଥା ଦେଖି, ବହୁତ କିଛି ଜାଣିନେବେ; ହୃଦୟର ଭାବନାକୁ ଅନୁମାନ କରିପାରିବେ ।

: ସେ ପାତ୍ରରେ କଅଣ ଅଙ୍ଗୁରୀ ଆସବ ? ବୌଦ୍ଧ ଧର୍ମର ତ୍ୟାଜ୍ୟ ବସ୍ତୁ ମହାରାଣୀ କେବେଠାରୁ ଗ୍ରହଣ କରୁଛନ୍ତି ?

ତିଷ୍ୟରକ୍ଷିତାର ସମଗ୍ର ଶରୀର ଅଜ୍ଞାତ ଭୟରେ ଥରିବାକୁ ଲାଗିଲା ।

: ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ ମହାରାଣୀ ।

: ଆପଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ବାଧ୍ୟ ନୁହେଁ । ଆପଣ ଯାଇପାରନ୍ତି ।

: ମୁଁ ନିବେଦନ କରୁନାହିଁ, ଆଦେଶ ଦେଉଛି ।

: ଆଦେଶ....କାହାର ଆଦେଶ ?

: ମୌର୍ଯ୍ୟ ସାମ୍ରାଜ୍ୟର ମହାମନ୍ତ୍ରୀର ଆଦେଶ ।

: ମୌର୍ଯ୍ୟ ସାମ୍ରାଜ୍ୟର ସାମ୍ରାଜ୍ଞୀକୁ ଆପଣ ଏପରି ଆଦେଶ ଦେଇପାରିବେ ନାହିଁ ।

: ପରିସ୍ଥିତିକୁ ଆପଣ ଖରାପ କରିଛନ୍ତି । ସମ୍ରାଟଙ୍କ ଅନୁପସ୍ଥିତିରେ ରାଜପରିବାର ଅନ୍ତର୍ଗତ ସମସ୍ତ ସଦସ୍ୟଙ୍କର କୁଶଳ ମଙ୍ଗଳ ଦେଖିବା ମହାମନ୍ତ୍ରୀର ଉତ୍ତରଦାୟିତ୍ୱ । ସେଥିପ୍ରତି ଅସାବଧାନ ହେଲେ ସମ୍ରାଟ କେବେ କ୍ଷମା ଦେବେ ନାହିଁ । ମୁଁ ଜାଣେ ଆସବପାତ୍ରରେ ବିଷ ମିଶ୍ରିତ ଆସବ । ପ୍ରିୟଦର୍ଶୀଙ୍କ ପ୍ରିୟତମାଙ୍କୁ ଆତ୍ମହତ୍ୟା କରିବାକୁ ମହାମନ୍ତ୍ରୀ ସୁଯୋଗ ଦେଇନପାରନ୍ତି ।

ତାଳି ବଜାଇବା ମାତ୍ରକେ ଚାରିଜଣ ପରିଚାରିକା ଉପସ୍ଥିତ ହେଲେ ।

: ଏ ଆସବପାତ୍ରକୁ ନେଇ ମୋ କକ୍ଷରେ ସୁରକ୍ଷିତ ଅବସ୍ଥାରେ ରଖ । ସମ୍ରାଟ ଲେଉଟିବା ପର୍ଯ୍ୟନ୍ତ ମହାରାଣୀ ନିଜକୁ କକ୍ଷ ମଧ୍ୟରେ ବନ୍ଦୀ ବୋଲି ଭାବିନିଅନ୍ତୁ ।

: ମହାରାଣୀଙ୍କୁ ବନ୍ଦୀ କରିବେ ଆପଣ ?

: ବନ୍ଦୀ ହେବା ଯୋଗ୍ୟ ବହୁ ଅପରାଧ ଆପଣ କରିଛନ୍ତି । ଯୁବରାଜଙ୍କୁ ପ୍ରଣୟ ନିବେଦନଠାରୁ ଆରମ୍ଭ କରି ଏ ଦେଶର ଭାବି ସମ୍ରାଟଙ୍କୁ ନେତ୍ରହୀନ ବୌଦ୍ଧ ଭିକ୍ଷୁରେ ପରିଣତ କରିବା ପର୍ଯ୍ୟନ୍ତ । ସମ୍ରାଟ ଆସିଲେ ବିଚାର ହେବ । ମୋ ଗୁପ୍ତଚର ବିଭାଗର ସାମାନ୍ୟ ଭୁଲ୍ ଯୋଗୁ, ଏତେ କାଣ୍ଡ ଘଟିଗଲା ।

ସେତେବେଳକୁ ପ୍ରଧାନ ସେନାପତି ଆସି କକ୍ଷ ଦ୍ୱାରରେ ଦଣ୍ଡାୟମାନ ।

: ସେନାପତି ?

: ଆଜ୍ଞା ମହାରାଣୀ ।

: ମହାମନ୍ତ୍ରୀଙ୍କୁ ନେଇ କାରାରୁଦ୍ଧ କର । ମିଥ୍ୟାରେ ମୋତେ ଅପମାନିତ କରୁଛନ୍ତି ।

: ଯେ ଆଜ୍ଞା ମହାରାଣୀ । ଚାଲନ୍ତୁ ମହାମନ୍ତ୍ରୀ, ଏ କକ୍ଷରୁ ସମସ୍ତେ ବାହାରିଆସନ୍ତୁ । ମୁଁ ମହାମନ୍ତ୍ରୀଙ୍କୁ ବନ୍ଦୀ କଲି ମହାରାଣୀ । ଆପଣ ନିଶ୍ଚିନ୍ତ ରହନ୍ତୁ ।

ମହାମନ୍ତ୍ରୀଙ୍କ ହାତ ଧରି ସେନାପତି ବାହାରକୁ ନେଇଆସିଲେ । ସମସ୍ତ ପରିଚାରିକା ବାହାରକୁ ଆସିବା ମାତ୍ରକେ ଝଞ୍ଜିର ବାହାରପଟୁ ବନ୍ଦ କରିଦେଲେ ସେନାପତି । ଦ୍ୱାରଦେଶରେ ଚାରିଜଣ ସୈନିକ ଜଗାଇ ଧୀରେ ଧୀରେ ସେମାନଙ୍କୁ କହିଲେ ।

ମହାରାଣୀ ସମ୍ରାଟ ଲେଉଟିବା ପର୍ଯ୍ୟନ୍ତ ନିଜ କକ୍ଷରେ ବନ୍ଦିନୀ ଅବସ୍ଥାରେ ରହିବେ । କୌଣସି ଆବଶ୍ୟକତା ପଡ଼ିଲେ ପରିଚାରିକାମାନଙ୍କୁ ଭିତରକୁ ଛାଡ଼ିବ ।

 

ମହାମନ୍ତ୍ରୀଙ୍କୁ ଚାହିଁ ସେନାପତି ସ୍ମିତହାସ୍ୟର ସହ ଚକ୍ଷୁଦ୍ୱାରା କିଛି ଇଙ୍ଗିତ ଦେଲେ । ମହାମନ୍ତ୍ରୀ ସେହିପରି ସାଙ୍କେତିକ ଉତ୍ତର ଦେବାରୁ ଦୁହେଁ ହସା ହସି ହୋଇ ସେ ସ୍ଥାନ ପରିତ୍ୟାଗ କରି ଚାଲିଗଲେ ।

 

ମହାମନ୍ତ୍ରୀ ତିଷ୍ୟରକ୍ଷିତାକୁ ବନ୍ଦୀ କଲେ ସତ, ମାତ୍ର ମନରେ ଟିକିଏ ଶଙ୍କା ଥାଏ । ଯଦି ପ୍ରିୟଦର୍ଶୀ ତାଙ୍କର ଏପରି କାର୍ଯ୍ୟବାହିନୀକୁ ସମର୍ଥନ ନ କରନ୍ତି ? ନା ନା ପ୍ରିୟଦର୍ଶୀ ସମ୍ରାଟ ନ୍ୟାୟ ପ୍ରିୟ । ସେ ଆତ୍ମହତ୍ୟାରୁ ମହାରାଣୀଙ୍କୁ ରକ୍ଷା କରିଛନ୍ତି । ତାଙ୍କରି କକ୍ଷରେ ପହରା ମଧ୍ୟରେ ରଖିବା କଦାପି ଅନ୍ୟାୟ ହୋଇନପାରେ । ସମ୍ରାଟ ଯଦି ଚଞ୍ଚଳ ଫେରି ନ ଆସନ୍ତି ତେବେ ଅଧିକଦିନ ମହାରାଣୀଙ୍କୁ ବନ୍ଦୀ ଅବସ୍ଥାରେ ରଖିବା ମଧ୍ୟ କଷ୍ଟକର । ଗୋଟିଏ ଉପାୟ ଦ୍ରୁତଗାମୀ ଅଶ୍ୱ ପୃଷ୍ଠରେ ଜଣେ ସମ୍ବାଦଦାତାକୁ ସମ୍ରାଟଙ୍କ ନିକଟକୁ ପଠାଇଦେବା ଉତ୍ତମ ହେବ ।

 

ଏହିପରି ଉପାୟ ଚିନ୍ତାକରି ମହାମନ୍ତ୍ରୀ ଜନୈକ ଗୁପ୍ତଚରକୁ ଡକାଇ ପଠାଇଲେ; କିନ୍ତୁ ସେ ଆସିବା ପୂର୍ବରୁ ସମ୍ରାଟଙ୍କର ଜଣେ ବାର୍ତ୍ତାବହ ଆସି ମହାମନ୍ତ୍ରୀଙ୍କୁ ସାକ୍ଷାତ କଲା ।

 

: ମୁଁ ଆପଣଙ୍କ ପାଖକୁ ଏକ ଗୋପନ ସନ୍ଦେଶ ନେଇ ଆସିଛି । ଏକାନ୍ତରେ କହିବାକୁ ସମ୍ରାଟ ଆଜ୍ଞା ଦେଇଛନ୍ତି ।

 

: ଏଠାରେ କେହି ନାହାନ୍ତି; ନିର୍ଭୟରେ ପ୍ରକାଶ କର ।

 

: ଶ୍ରୀ ସମ୍ରାଟ, ଦେବୀ କାଞ୍ଚନମାଳା ଏବଂ ସଂପ୍ରତିଙ୍କୁ ସଙ୍ଗରେ ଘେନି ଆଜିଠାରୁ ତୃତୀୟ ଦିବସ ମଧ୍ୟାହ୍ନ ସୁଦ୍ଧା ରାଜଧାନୀରେ ପହଞ୍ଚିବେ । ମହାରାଣୀ ତିଷ୍ୟରକ୍ଷିତାଙ୍କୁ ସେ ପର୍ଯ୍ୟନ୍ତ ବନ୍ଦୀ ଅବସ୍ଥାରେ ରଖିବାକୁ ସେ ଆଜ୍ଞା ଦେଇଛନ୍ତି ।

 

ଏ ପ୍ରକାର ଆଦେଶ ଶ୍ରବଣ କରି ମହାମନ୍ତ୍ରୀ ଉଲ୍ଲସିତ ହୋଇଉଠିଲେ । ତେବେ ତାଙ୍କର କାର୍ଯ୍ୟବାହୀ ଅତି ଉତ୍ତମ ଏବଂ ସମୟୋପଯୋଗୀ ହୋଇଛି । ସମ୍ରାଟ ନିଶ୍ଚୟ ତାଙ୍କୁ ପ୍ରଶଂସା କରିବେ ।

 

: ଆଉ ସମ୍ରାଟ ଦେବଙ୍କର କୁଶଳ ମଙ୍ଗଳ ସମାଚାର କିଛି କୁହ ।

 

: ଶ୍ରୀ ସମ୍ରାଟ ସକୁଶଳେ ଆସୁଛନ୍ତି । ବିଦ୍ରୋହ ଶମନ ପରେ ଆମର ପ୍ରିୟଦର୍ଶୀ ସମ୍ରାଟ ତକ୍ଷଶିଳାରେ ପ୍ରଜାତନ୍ତ୍ର ଶାସନ ସ୍ଥାପନା କରିଛନ୍ତି । ତକ୍ଷଶିଳାଧୀଶଙ୍କୁ ବନ୍ଦୀ ଅବସ୍ଥାରେ ସଙ୍ଗରେ ଆଣୁଛନ୍ତି ।

 

: ଅତି ଉତ୍ତମ । ତୁମେ ଯାଇ ଅତିଥିଶାଳାରେ ବିଶ୍ରାମ କର । ମୁଁ ଅନ୍ୟ ଗୁପ୍ତଚର ଦ୍ୱାରା ସମ୍ରାଟଙ୍କ ନିକଟକୁ ସମ୍ବାଦ ପ୍ରେରଣ କରିବି ।

 

ସମ୍ରାଟ ଅଶୋକ ଆଜି ପାଟଳୀପୁତ୍ର ପହଞ୍ଚିବେ । ପ୍ରଭାତରୁ ରାଜଧାନୀରେ ଡେଙ୍ଗୁରା ବଜାଇ ଘୋଷଣା ଦିଆଯିବା ଫଳରେ ନଗରବାସୀ ଦ୍ୱାରଦେଶରେ ପୂର୍ଣ୍ଣକୁମ୍ଭ ସ୍ଥାପନକରି, ରାଜମାର୍ଗରେ ସ୍ଥାନେ ସ୍ଥାନେ ସୁସଜ୍ଜିତ ତୋରଣ ନିର୍ମାଣ କରି ସମ୍ରାଟଙ୍କୁ ସ୍ୱାଗତ ଜଣାଇବା ନିମିତ୍ତ ଅପେକ୍ଷା କରିଛନ୍ତି । ରାଜଧାନୀଠାରୁ ଏକକ୍ରୋଶ ଦୂରରେ ଥିବା ଆମ୍ରବାଟିକା ମଧ୍ୟରେ ସୈନ୍ୟସାମନ୍ତ ନେଇ ଅପେକ୍ଷା କରିଛନ୍ତି ମହାମନ୍ତ୍ରୀ, ନଗରପାଳ ଏବଂ ପ୍ରଧାନ ସେନାପତି ।

 

ମଧ୍ୟାହ୍ନ ସୁଦ୍ଧା ସମ୍ରାଟ ସଦଳବଳେ ଆମ୍ରବାଟିକା ନିକଟରେ ପହଞ୍ଚିଗଲେ । ସେନାପତି ସୈନ୍ୟବାହିନୀ ନେଇ ସାମରିକ ଅଭିବାଦନ ଜଣାଇଲେ । ସମ୍ରାଟଙ୍କୁ ଦେଖିବାକ୍ଷଣି ମହାମନ୍ତ୍ରୀ ଯାଇ ନତମସ୍ତକ ହୋଇ ତାଙ୍କ ସମକ୍ଷରେ ଦଣ୍ଡାୟମାନ ହେଲେ ।

 

: ଏ କି କଥା ମହାମନ୍ତ୍ରୀ ।

 

: ମହାରାଜ, ଆପଣଙ୍କ ଆଜ୍ଞା ମିଳିବା ପୂର୍ବରୁ ମୁଁ ଏକ ଅପରାଧ କରିବସିଛି ।

 

: ମୌର୍ଯ୍ୟ ସାମ୍ରାଜ୍ୟର ହିତ ଉଦ୍ଦେଶ୍ୟରେ ମହାମନ୍ତ୍ରୀ ନିଶ୍ଚୟ ଅପରାଧ କରିଥିବେ ।

 

: ଆପଣଙ୍କ ଆଜ୍ଞା ପ୍ରାପ୍ତିର ଏକ ପ୍ରହର ପୂର୍ବରୁ ମୁଁ ମହାରାଣୀଙ୍କୁ ଗୃହବନ୍ଦୀ କରିଥିଲି । ସେ ଆତ୍ମହତ୍ୟା କରିବାକୁ ଉଦ୍ୟତ ହେବା ଅବସ୍ଥାରେ ମୁଁ ତାଙ୍କଠାରୁ ବିଷ ମିଶ୍ରିତ ଆସବପାତ୍ର ଛଡ଼ାଇ ଆଣିଛି ।

 

: ଧନ୍ୟ ମହାମନ୍ତ୍ରୀ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଏହାକୁ କି ଅପରାଧ କୁହାଯାଏ ? ମୋ ଅନୁପସ୍ଥିତିରେ ରାଜପରିବାରର କୁଶଳ ମଙ୍ଗଳ ଦେଖିବା ତ’ ଆପଣଙ୍କ କର୍ତ୍ତବ୍ୟ ପରିସର ମଧ୍ୟରେ ।

 

: ଶ୍ରୀ ସମ୍ରାଟ ଅତ୍ୟନ୍ତ ଉଦାର ହୃଦୟ ଅଟନ୍ତି ।

 

: ମହାମନ୍ତ୍ରୀ, କୁନାଳ ବିଷୟରେ ଯାହା ସମ୍ବାଦ ଦେଇଥିଲେ.... ।

 

: ଆଜ୍ଞା ମହାରାଜ, ସେ ସଂଘ ସ୍ଥବିର ମହାତ୍ମା ଯଶଗୁପ୍ତଙ୍କ ପାଖରେ ଅଛନ୍ତି । ସଂସାର ପ୍ରତି ତାଙ୍କର ବିରାଗ ଆସି ସାରିଛି । ଦୀକ୍ଷା ନେବା ପରେ ଆଉ ସାଂସାରିକ ମୋହ ପ୍ରତି ତାଙ୍କ ହୃଦୟରେ ସ୍ଥାନ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଏ କଥା ଶୁଣି ସମ୍ରାଟଙ୍କ ମୁଖାକୃତି ଗମ୍ଭୀର ହୋଇଉଠିଲା ।

 

ପ୍ରଭାତରୁ ନିତ୍ୟକର୍ମ ସମାପନ ପୂର୍ବକ ପ୍ରିୟଦର୍ଶୀ ସମ୍ରାଟ ସାକ୍ଷାତ୍‌କାର କକ୍ଷରେ ଉପସ୍ଥିତ ହେଲେ । ଦର୍ଶନାର୍ଥୀ ପ୍ରଜାଜନ ପ୍ରତୀକ୍ଷାଗାରରେ ବସିଥାଆନ୍ତି । ପ୍ରତୀକ୍ଷାଗାରର ମୁଖ୍ୟ ପ୍ରବନ୍ଧକ ଆସି ସମାଚାର ଜଣାଇଲେ ।

 

: ମହାରାଜ, କୁକ୍‌କୁଟାରାମ ବୌଦ୍ଧ ବିହାରର ପ୍ରଧାନ ଆଚାର୍ଯ୍ୟ ମହାତ୍ମା ଯଶଗୁପ୍ତ ସାକ୍ଷାତ୍‌କାରକୁ ଆସିଛନ୍ତି ।

 

: ସସମ୍ମାନେ ଏଠାକୁ ନେଇଆସ ।

 

କଷାୟ ବସ୍ତ୍ର ପରିହିତ ଦୀର୍ଘକାୟ ତେଜସ୍ୱୀ ମହାତ୍ମା ଯଶଗୁପ୍ତ କକ୍ଷରେ ପ୍ରବେଶ କରିବା ମାତ୍ରକେ, ସମ୍ରାଟ ଆସନ ପରିତ୍ୟାଗ କରି ତାଙ୍କର ଚରଣ ବନ୍ଦନା କରିବାକୁ ଲାଗିଲେ । ସମ୍ରାଟଙ୍କ ମସ୍ତକରେ ସସ୍ନେହ ହସ୍ତ ସଞ୍ଚାଳନ କରୁ କରୁ ଆଶୀର୍ବାଦ ବଚନ ଉଚ୍ଚାରଣ କରି, ସନ୍ନ୍ୟାସୀ ତାଙ୍କୁ ଉଠିବାକୁ ନିର୍ଦ୍ଦେଶ ଦେଲେ । ଉଭୟ ଆସନ ଗ୍ରହଣ କରିବା ପରେ, ସନ୍ନ୍ୟାସୀ ତାଙ୍କୁ କୁଶଳ ସମାଚାର ପଚାରିଲେ ।

 

: ତକ୍ଷଶିଳାର ବିଦ୍ରୋହ ଶାନ୍ତ ହେଲା ତ’ ।

 

: ଆଜ୍ଞା, ତଥାଗତଙ୍କ ଆର୍ଶୀବାଦରୁ ବିନା ରକ୍ତପାତରେ ବିଦ୍ରୋହ ଶମନ କରିପାରିଛି । ରାଜକର୍ମଚାରୀମାନଙ୍କର ଅତ୍ୟାଚାର, ଶୋଷଣ ଫଳରେ ବିଦ୍ରୋହର ସୂତ୍ରପାତ ହୋଇଥିଲା । ମୁଁ ସେଠାରେ ସ୍ୱାୟତ୍ତଶାସନ ବ୍ୟବସ୍ଥା ପ୍ରଚଳନ କରିଛି ।

: ସମ୍ରାଟଦେବଙ୍କ ହୃଦୟ ଅତ୍ୟନ୍ତ ଉଦାର । ଆପଣଙ୍କ ପ୍ରଜାମଙ୍ଗଳ ଆଉ ଧର୍ମପ୍ରଚାର କାର୍ଯ୍ୟକୁ ଏ ଦେଶବାସୀ ଯୁଗ ଯୁଗ ଧରି ସ୍ମରଣ ରଖିବେ ।

: ମୁଁ ପ୍ରଶଂସା ପାଇବାକୁ ଯୋଗ୍ୟ ନୁହେଁ ଭିକ୍ଷୁପ୍ରବର ।

: କାହିଁକି ମହାରାଜ ? ନିଜ ପ୍ରତି ଏପରି ହୀନମନ୍ୟତା କାହିଁକି ?

: ଆପଣ ଦିବ୍ୟ ଦୃଷ୍ଟି ଲାଭ କରିଛନ୍ତି । ଆପଣଙ୍କୁ କିଛି ଅବିଦିତ ନାହିଁ । ପରିଣତ ବୟସରେ ଗୋଟିଏ ଅତୀବ ସୁନ୍ଦରୀ ସ୍ତ୍ରୀର ପାଣିଗ୍ରହଣ କରି ମୁଁ ଯେଉଁ ଭୁଲ୍ କରିଛି ତା’ର ପ୍ରାୟଶ୍ଚିତ ବହୁତ ମହାର୍ଘ ପଡ଼ିଲା ପ୍ରଭୁ ।

: ଉଚିତ କହିଛନ୍ତି ଶ୍ରୀ ସମ୍ରାଟ । ପ୍ରଜା ରାଜାର ଅନୁଗାମୀ । ତେଣୁ ସମ୍ରାଟ ନିଜର ଆଚରଣ ଉପରେ ନିୟନ୍ତ୍ରଣ ରଖିବା ପରମ ଆବଶ୍ୟକ ।

: ତିଷ୍ୟରକ୍ଷିତାଙ୍କୁ ବିବାହ କରି, ଆଜି ମୁଁ ଅନୁତାପ ଅନଳରେ ଦଗ୍‌ଧ ହେଉଛି । ସେଇ ନାରକୀ, ନଷ୍ଟା ଭ୍ରଷ୍ଟା ଯୋଗୁ, ଆଜି ମୋର କାର୍ତ୍ତିକ କୁମାର ସମ ସୁନ୍ଦର ପୁତ୍ର ଚକ୍ଷୁହୀନ ଭିକ୍ଷୁରେ ପରିଣତ ହୋଇଛି ।

: ମୁଁ ଜାଣେ ମହାରାଜ, ଆପଣ ନିଜେ ଏପରି ଆଜ୍ଞା କଦାପି ଦେଇନଥିବେ ।

: କିନ୍ତୁ ଏ ଅପରାଧରେ ମୋର କଅଣ ଭାଗ ନାହିଁ । ମୋର ସ୍ତ୍ରୈଣ ସ୍ୱଭାବ ଯୋଗୁ ପୁତ୍ରବଧୂର ସାଂସାରିକ ଜୀବନ ନଷ୍ଟ ହୋଇଗଲା । ପୁତ୍ର ମୋର କେତେ କଷ୍ଟ ସହ୍ୟ କରୁଛି ।

: କିନ୍ତୁ କୁନାଳକୁ ଆଉ କିଛି ଦୁଃଖ ନାହିଁ ମହାରାଜ । ସମସ୍ତ କଳୁଷତାପୂର୍ଣ୍ଣ ସାଂସାରିକ ବନ୍ଧନକୁ ସେ ଛିନ୍ନ କରିପାରିଛି । ତଥାଗତ ବୁଦ୍ଧଙ୍କ ସତ୍ୟ, ଶାନ୍ତି, ଅହିଂସା ରାଜ୍ୟର ସେ ସୁଖରେ ବାସ କରୁଛି ।

: ଆପଣ ଚେଷ୍ଟା କରନ୍ତୁ ମହାତ୍ମା । କୁନାଳକୁ ମୋ ନିକଟକୁ ଫେରାଇଆଣନ୍ତୁ । ଏ ଜୀବନଦୀପ ନିର୍ବାପିତ ହେବା ପର୍ଯ୍ୟନ୍ତ; ସେ ମୋ ନିକଟରେ ରହୁ ।

: ସାଧ୍ୟମତେ ମୁଁ ଚେଷ୍ଟା କରିବି । କିନ୍ତୁ ଆଶା ଅତି ଅଳ୍ପ ।

: ଆସନ୍ତାକାଲି ମଧ୍ୟାହ୍ନରେ ପୌରସଭାର ଆୟୋଜନ କରାଯାଇଛି । ସେହିଠାରେ ଅପରାଧୀମାନଙ୍କର ବିଚାର ହେବ ଆପଣ କୁନାଳକୁ ନେଇ ସେଠାରେ ଉପସ୍ଥିତ ହେବାକୁ ମୁଁ ହାର୍ଦ୍ଦିକ ଅନୁରୋଧ କରୁଛି ।

: ତଥାସ୍ତୁ । ମୁଁ ନିଶ୍ଚୟ କୁନାଳକୁ ସଙ୍ଗରେ ନେଇ ସଭାକୁ ଆସିବି; ମାତ୍ର ତା’ ଇଚ୍ଛା ବିରୁଦ୍ଧରେ ରାଜପ୍ରାସାଦକୁ ନେଇଯିବାକୁ କେହି ଯେପରି ଚେଷ୍ଟା ନ କରନ୍ତି ।

: ସେ ବିଷୟର ଦାୟିତ୍ୱ ମୁଁ ଆପଣଙ୍କୁ ଦେଇସାରିଛି ।

: କଥୋପକଥନ ଶେଷକରି ମହାତ୍ମା ଯଶଗୁପ୍ତ ବୌଦ୍ଧ ବିହାର ଅଭିମୁଖେ ଯାତ୍ରା କଲେ-

 

ଆଜି ରାଜଧାନୀ ପାଟଳୀପୁତ୍ରରେ ସର୍ବତ୍ର ଅସହ୍ୟ ନୀରବତା ଛାଇହୋଇ ରହିଛି । ନଗରବାସୀ ପ୍ରଜାଗଣ ଅଜ୍ଞାତ ଭୟରେ ଆତଙ୍କିତ ।

 

ଆଜି ମଧ୍ୟାହ୍ନରେ ପୌରସଭାର ଆୟୋଜନ କରାଯାଇଛି । ସେହି ସଭାରେ ତକ୍ଷଶିଳାଧୀଶ ଏବଂ ମହାରାଣୀ ତିଷ୍ୟରକ୍ଷିତାଙ୍କ ସହ ଅନ୍ୟାନ୍ୟ ଅପରାଧୀମାନଙ୍କୁ କଠୋର ନ୍ୟାୟ ଦଣ୍ଡ ଦିଆଯିବ । ପ୍ରିୟଦର୍ଶୀ ଆଜି ପ୍ରିୟତମା ପାଇଁ କିପରି ନ୍ୟାୟ ବିଚାର କରିବେ, ଏହି କଥା ଦେଖିବା ଶୁଣିବା ନିମିତ୍ତ ସମସ୍ତେ ଉତ୍ସୁକ ।

 

ଯଥା ସମୟରେ ପୌରସଭାକୁ ନାଗରିକମାନେ ଆସିବାକୁ ଲାଗିଲେ । ଏକ ଘଡ଼ି ମଧ୍ୟରେ ବିଶାଳ ପ୍ରାଙ୍ଗଣ ଲୋକାରଣ୍ୟ ହୋଇଉଠିଲା । ନଗରର ମାନ୍ୟଗଣ୍ୟ ନାଗରିକ ତଥା ରାଜକର୍ମଚାରୀଗଣ ସ୍ୱ ସ୍ୱ ଆସନ ଉପରେ ଉପବେଶନ କଲେ । ସଂଘ ସ୍ଥବିର ମହାତ୍ମା ଯଶଗୁପ୍ତ ଏବଂ କୁନାଳ ମଧ୍ୟ ନିଜର ଆସନ ଗ୍ରହଣକରି ବସିଲେ ।

 

ସିଂହ ଚିହ୍ନିତ ସ୍ୱର୍ଣ୍ଣାସନ ଉପରେ ଶ୍ରୀ ସମ୍ରାଟ ଏବଂ ପାର୍ଶ୍ୱ ଆସନରେ ଦେବୀ କାଞ୍ଚନମାଳା ଉପବେଶନ କରିବା ପରେ, ସଭାକାର୍ଯ୍ୟ ଆରମ୍ଭ ହେଲା । ନ୍ୟାୟପତିଙ୍କ ଆସନ ଏପର୍ଯ୍ୟନ୍ତ ରିକ୍ତ ଅବସ୍ଥାରେ ଥାଏ । ମହାବଳାଧିକୃତ ବନ୍ଦୀମାନଙ୍କୁ ସୈନିକ ଗହଣରେ ନେଇ ସଭାର ପୁରୋଭାଗରେ ଦଣ୍ଡାୟମାନ ହେବା ପରେ, ମହାମନ୍ତ୍ରୀ କାର୍ଯ୍ୟ ଆରମ୍ଭ କରିବାକୁ ସମ୍ରାଟଙ୍କୁ ଅନୁମତି ଯାଚନା କଲେ ।

 

ସଭାରେ ଚତୁର୍ଦ୍ଦିଗ ନୀରବତା ବିରାଜମାନ କରିବା ପରେ, ସମ୍ରାଟ ସିଂହାସନ ତ୍ୟାଗକରି ଦଣ୍ଡାୟମାନ ହେଲେ । ତାଙ୍କ ଶ୍ରୀମୁଖରୁ ଭାଷଣ ଶୁଣିବାପାଇଁ ଉପସ୍ଥିତ ସଭାଜନ ଉତ୍‌କର୍ଣ୍ଣ ଅବସ୍ଥାରେ ଥାଆନ୍ତି ।

 

: ମୋର ଅତି ପ୍ରିୟ ପ୍ରଜା-ଜନ-ଗଣ । ଆଜି ପୌରସଭାର ଆୟୋଜନ କରିବାର କାରଣ ସମସ୍ତଙ୍କୁ ବିଦିତ ଅଛି । ଅପରାଧୀଗଣ ଏହିଠାରେ ଉପସ୍ଥିତ ଅଛନ୍ତି । ସମସ୍ତେ ମଧ୍ୟ ସେମାନଙ୍କୁ ଦେଖିସାରିଲେଣି ।

 

ସମସ୍ତଙ୍କ ଦୃଷ୍ଟି ଏକାସଙ୍ଗେ ପୁନର୍ବାର ଅପରାଧୀମାନଙ୍କ ଆଡ଼କୁ ଆକର୍ଷିତ ହେଲା ।

 

ତିଷ୍ୟରକ୍ଷିତା ! ପ୍ରିୟଦର୍ଶୀଙ୍କ ପ୍ରିୟତମା ତରଙ୍ଗବାଳା ଯେ କି ଦିନେ ଥିଲା ମୌର୍ଯ୍ୟ ମୁକୁଟର ଉଜ୍ଜ୍ୱଳତମ ତାରକା, ଆଜି ଆଭୁଷଣହୀନ, ଶ୍ରୀହୀନ, ବିବର୍ଣ୍ଣ ଶରୀର ଧାରଣକରି ବନ୍ଦିନୀ ରୂପରେ ସଭାରେ ଉପସ୍ଥିତ । ତା’ପାଖକୁ ତକ୍ଷଶିଳାଧୀଶ ଲଜ୍ଜାନତ ମୁଖମଣ୍ଡଳରେ କାଳିମା ନେଇ ଦଣ୍ଡାୟମାନ । ବାମ ପାର୍ଶ୍ୱରେ କୁଚକ୍ରୀ, ମହାରାଣୀଙ୍କ ପ୍ରିୟ ସୈନିକ ରୁଦ୍ରସେନ ମସ୍ତକ ଅବନତ କରି ମଳିନ ଅବସ୍ଥାରେ ରହିଛି ।

 

ସମ୍ରାଟଙ୍କ ଭାଷଣ ପୁନଃ ଶ୍ରୁତିଗୋଚର ହେଲା ।

 

: ଏଇ ଅପରାଧୀମାନଙ୍କ ମଧ୍ୟରେ ପ୍ରଥମ ହେଉଛନ୍ତି ମହାରାଣୀ ତିଷ୍ୟରକ୍ଷିତା । ବୃଦ୍ଧ ଅବସ୍ଥାରେ ବିବାହ କରି ମୁଁ ଯେଉଁ ଗର୍ହିତ ଆଚରଣ କରିଛି, ସେଥିପାଇଁ ଅନୁତପ୍ତ, ଲଜ୍ଜିତ । ମୋର ଉଦାର ପ୍ରଜାଜନଙ୍କ ସମକ୍ଷରେ ନତମସ୍ତକ ହୋଇ ମୁଁ କ୍ଷମାପ୍ରାର୍ଥନା କରୁଛି ।

 

ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଦେଖିଲେ । ମୌର୍ଯ୍ୟ ସାମ୍ରାଜ୍ୟର ଅତୀବ ପରାକ୍ରମଶାଳୀ ପ୍ରିୟଦର୍ଶୀ ସମ୍ରାଟ ଅଶୋକଙ୍କର ମସ୍ତକ ମୁକୁଟବିହୀନ ଅବସ୍ଥାରେ ଅବନତ । ଏକା ସଙ୍ଗରେ ଜୟଧ୍ୱନି ଉଠିଲା ।

 

: ସମ୍ରାଟଦେବଙ୍କର ଜୟ । ପ୍ରିୟଦର୍ଶୀ ଧର୍ମ ବିବର୍ଦ୍ଧନ ମହାରାଜ ଅଶୋକଙ୍କର ଜୟ ।

 

: ଅପରାଧୀମାନଙ୍କର ନ୍ୟାୟ ବିଚାର କରି ଦଣ୍ଡ ଦେବାର କ୍ଷମତା ମୁଁ ଦେବୀ କାଞ୍ଚନମାଳାକୁ ଅର୍ପଣ କରୁଛି ।

 

ସମ୍ରାଟ ବସିପଡ଼ିବା ମାତ୍ରକେ ମହାମନ୍ତ୍ରୀ ଠିଆହୋଇ ଯୁବରାଣୀଙ୍କୁ ସମ୍ବୋଧନ କଲେ ।

 

: ଦେବୀ କାଞ୍ଚନମାଳାଙ୍କୁ ଅନୁରୋଧ, ସେ ନ୍ୟାୟାସନ ଗ୍ରହଣ କଲେ ମୁଁ ଅଭିଯୋଗପତ୍ର ପାଠ କରିବି ।

 

ନିଜ ଆସନରୁ ଉଠିଆସି ଦେବୀ କାଞ୍ଚନମାଳା ନ୍ୟାୟପତିର ଆସନ ଅଳଂକୃତ କଲେ । ଉଭୟେ ପାର୍ଶ୍ୱରେ ବର୍ଚ୍ଛାଧାରି ଦୁଇଜଣ ଅଙ୍ଗରକ୍ଷୀ ଦଣ୍ଡାୟମାନ ହେବା ପରେ, ମହାମନ୍ତ୍ରୀ ଅଭିଯୋଗର ବିବରଣୀ ପାଠକରିବା ଆରମ୍ଭ କଲେ ।

 

: ପ୍ରଭୁ, ଦେବୀ କାଞ୍ଚନମାଳା ଅପରାଧୀମାନଙ୍କର ନ୍ୟାୟ ବିଚାର କରିବେ ?

 

କୁନାଳର ସ୍ୱରରେ କାରୁଣ୍ୟ ଫୁଟିଉଠିଲା । ମହାତ୍ମା ଯଶଗୁପ୍ତ କହିଲେ ।

 

ହଁ ବତ୍ସ । ସମ୍ରାଟ ତାଙ୍କୁ କ୍ଷମତା ଅର୍ପଣ କରିଛନ୍ତି ।

 

: ଆଃ..... ଯାହାର ହୃଦୟର କ୍ରାନ୍ତିର ଜ୍ୱାଳା ଧୁ ଧୁ ଜଳୁଛି, ତା’ଠାରୁ ଶାନ୍ତି ଆଉ କ୍ଷମା ଆଶାକରିବା ବୃଥା ।

 

: କୁନାଳ, ତୁମେ ଜାଣନା ଅପରାଧୀଙ୍କ ପାଇଁ ଦଣ୍ଡର ବ୍ୟବସ୍ଥା ରାଜ୍ୟ ଶାସନ ନୀତିର ଅନ୍ତର୍ଗତ ?

 

ମହାମାତ୍ୟ ପ୍ରତ୍ୟେକ ଅପରାଧୀର ବିଭିନ୍ନ ଅପରାଧର ବିବରଣୀ ଉଚ୍ଚ ସ୍ୱରରେ ପଠନ କରିବାକୁ ଲାଗିଲେ । ଉପସ୍ଥିତ ସଭାଜନ ସ୍ତବ୍‌ଧ ହୋଇ ବିଭିନ୍ନ ଅନ୍ୟାୟ ଅତ୍ୟାଚାର ଏବଂ ଷଡ଼ଯନ୍ତ୍ରର ବିବରଣୀ ଶୁଣୁଥାଆନ୍ତି । ପ୍ରାୟ ଏକ ଘଡ଼ି ପର୍ଯ୍ୟନ୍ତ ଅଭିଯୋଗପତ୍ର ପଠନ ପରେ ମହାମାତ୍ୟ ଆସନ ଗ୍ରହଣ କଲେ । ଦଣ୍ଡାଜ୍ଞା ଶୁଣିବାକୁ ପ୍ରଜାଗଣ ଉତ୍‌କର୍ଣ୍ଣ ଅବସ୍ଥାରେ ଚାହିଁଥାଆନ୍ତି-। ପ୍ରାୟ ସମସ୍ତଙ୍କ ଦୃଷ୍ଟି ଯୁବରାଣୀ କାଞ୍ଚନମାଳାଙ୍କ ଉପରେ କେନ୍ଦ୍ରୀଭୂତ ହୋଇଗଲା-

 

ଦେବୀ କାଞ୍ଚନମାଳା ନ୍ୟାୟପତି ଆସନରୁ ଉଠି, ଦୃପ୍ତ କଣ୍ଠରେ ଘୋଷଣା କଲେ ।

 

: ଅପରାଧୀ ତକ୍ଷଶିଳାଧୀଶଙ୍କର ପ୍ରଜାଙ୍କ ପ୍ରତି ଅନ୍ୟାୟ, ଅତ୍ୟାଚାର, ଶୋଷଣ ଏବଂ ଭାବି ସମ୍ରାଟଙ୍କୁ ଅନ୍ଧ ଭିକ୍ଷୁରେ ପରିଣତ କରିବାର ଷଡ଼ଯନ୍ତ୍ର ପ୍ରମାଣିତ ହୋଇସାରିଛି । ପ୍ରିୟଦର୍ଶୀଙ୍କ ନ୍ୟାୟ ଶାସନ ପକ୍ଷରେ ଏହା ଅସହ୍ୟ । ଅତଏବ ତାଙ୍କର ଦକ୍ଷିଣ ହସ୍ତ ଛେଦନ କରାଯିବ ଓ ଚକ୍ଷୁ ଏବଂ କର୍ଣ୍ଣରେ ତପ୍ତ ତରଳ ଧାତୁ ଢାଳି ଦିଆଯିବ ।

 

ଏପରି କଠୋର ଦଣ୍ଡ ଆଜ୍ଞା ଶୁଣି ସଭା ନିସ୍ତବ୍‌ଧ ହୋଇଗଲା ।

 

: ଅପରାଧୀ ରୁଦ୍ରସେନର ବାମ ହସ୍ତ ଏବଂ ବାମ ପାଦ କାଟି ଦିଆଯିବ ।

 

ବାକି ରହିଲେ ମହାରାଣୀ ତିଷ୍ୟରକ୍ଷିତା । ପ୍ରିୟଦର୍ଶୀଙ୍କ ପ୍ରିୟତମା ତରଙ୍ଗବାଳାଙ୍କୁ କି ଦଣ୍ଡ ଦିଆଯିବ । ଶୁଣିବାପାଇଁ ଶଙ୍କିତ ହୃଦୟରେ ସମସ୍ତେ ପ୍ରତୀକ୍ଷା କରିବାକୁ ଲାଗିଲେ ।

 

: ଦେବୀ କାଞ୍ଚନମାଳା, ମାତା ତିଷ୍ୟରକ୍ଷିତା ନିଶ୍ଚୟ ଅପରାଧ କରିଛନ୍ତି । କିନ୍ତୁ ମୋ ପ୍ରତି କରିଥିବା ଅପରାଧକୁ ମୁଁ କ୍ଷମା ପ୍ରଦାନ କରୁଛି । ତାଙ୍କୁ ମୁକ୍ତ କରିଦିଅ ।

 

ଉଚ୍ଚସ୍ୱରରେ କୁନାଳ ନିବେଦନ କଲେ ।

 

: ଭିକ୍ଷୁ ପ୍ରବଳ..... ତିଷ୍ୟରକ୍ଷିତାଙ୍କ ଅପରାଧର ବିଚାର ଶାସନସଭା ନିଶ୍ଚୟ କରିବ । ସେ ଆପଣଙ୍କ ଚକ୍ଷୁ ନଷ୍ଟକରି, ନିର୍ବାସିତ କରାଇ କେବଳ ଆପଣଙ୍କ ପ୍ରତି ଅପରାଧ କରିନାହାନ୍ତି; ମୋର ପତି ମୌର୍ଯ୍ୟ ସାମ୍ରାଜ୍ୟର ପ୍ରଜା ଏବଂ ପ୍ରିୟଦର୍ଶୀଙ୍କ ପୁତ୍ର ପ୍ରତି ମଧ୍ୟ ଅନ୍ୟାୟ କରିଛନ୍ତି । ଅପରାଧର ଦଣ୍ଡ ତାଙ୍କୁ ଭୋଗ କରିବାକୁ ପଡ଼ିବ ।

 

: ତଥାପି କ୍ଷମାକୁ ମଧ୍ୟ ବଡ଼ ଦଣ୍ଡ କୁହାଯାଏ ।

 

: ଆପଣଙ୍କର ନିବେଦନକୁ ଅଗ୍ରାହ୍ୟ କରି ବର୍ତ୍ତମାନ ଦଣ୍ଡାଜ୍ଞା ଘୋଷଣା କରୁଛି । ଏମାନେ କ୍ଷମାର ପାତ୍ର ନୁହନ୍ତି ।

 

: ଅପରାଧିନୀ ତିଷ୍ୟରକ୍ଷିତାର ନେତ୍ର ଦ୍ୱୟ ତପ୍ତ ଲୌହ ଶଳାକାଦ୍ୱାରା ଭସ୍ମ କରିଦିଆଯିବ । ତା’ପରେ ତାକୁ ଅଶ୍ୱ ପୁଚ୍ଛରେ ବନ୍ଧନ କରି ନଗର ସାରା ଘୋସାଡ଼ି ଘୋସାଡ଼ି ମୃତ୍ୟୁ ଦଣ୍ଡ ଦିଆଯିବ । ରାଜମାର୍ଗର ଦର୍ଶକଗଣ ତା’ ଉପରକୁ ଛେପ ପକାଉଥିବେ । ସଭା ବିସର୍ଜନ ପରେ ତତ୍‌କ୍ଷଣାତ୍‌ କାର୍ଯ୍ୟବାହୀ ଆରମ୍ଭ ହେବ ।

 

କେତେକ ସଭାଜନ ହା ହା କାର କରିଉଠିଲେ; କେତେକ ହର୍ଷିତ ଅବସ୍ଥାରେ କରତାଳି ଦେଲେ; କିନ୍ତୁ ସମ୍ରାଟ ଚେତନା ଶୂନ୍ୟ ହୋଇ ନିଜ ଆସନ ଉପରେ ଢଳିପଡ଼ିଲେ । କୁନାଳ ମହାତ୍ମା ଯଶଗୁପ୍ତଙ୍କ ହାତ ଧରି ସଭା ଛାଡ଼ି ଦ୍ରୁତ ପଦକ୍ଷେପରେ ଚାଲିଗଲେ । ମହାମାତ୍ୟ, ସେନାପତି ଅଙ୍ଗରକ୍ଷୀଗଣ ସମ୍ରାଟଙ୍କ ଚେତା ଫେରାଇ ଆଣିବାକୁ ଉପଚାର କରିବାରେ ଲାଗିଲେ ।

 

: ବତ୍ସ ପାପର ଦେଣା ଏଇ ଜୀବନକାଳ ମଧ୍ୟରେ ପରିଶୋଧ କରିବାକୁ ହୁଏ । ଚାଲ ଆମର ଶାନ୍ତି ଧାମ କୁକ୍‌କୁଟାରାମ ବିହାରକୁ ।

 

ମହାତ୍ମା ଯଶଗୁପ୍ତଙ୍କ ସହ କୁନାଳ ଚାଲିଗଲେ ବୌଦ୍ଧ ମଠକୁ । ପ୍ରିୟଦର୍ଶୀଙ୍କ ପ୍ରିୟତମାର ଶେଷ ପରିଣତି ଶ୍ରବଣ କରିବା ତାଙ୍କ ପକ୍ଷରେ ଅତି ଅସହ୍ୟ ହୋଇଉଠିଲା ।

 

-ଶେଷ କଥା-

 

ଯୁବରାଜ କୁନାଳର ଦୁର୍ଦ୍ଦଶା ଏବଂ ପ୍ରିୟତମାର ଶୋଚନୀୟ ପରିଣତି ସମ୍ରାଟଙ୍କୁ ପ୍ରଚଣ୍ଡ ମାନସିକ ଆଘାତ ପ୍ରଦାନ କଲା । ସେହିଦିନଠାରୁ ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ଘଟିଲା । ମାସକ ମଧ୍ୟରେ ତାଙ୍କ ଶରୀର ଆଉ ଚାଲବୁଲ କରିବାକୁ ମଧ୍ୟ ସମର୍ଥ ହେଲାନାହିଁ । ସମ୍ରାଟ ଶଯ୍ୟାଶାୟୀ ହେଲେ । ପାଖରେ ବହୁ ସମୟ କାଞ୍ଚନମାଳା ଆଉ ସଂପ୍ରତିକୁ ବସିବାକୁ କହନ୍ତି । ଶ୍ୱଶୁରଙ୍କ ସେବାରେ କାଞ୍ଚନମାଳା ମଧ୍ୟ ଅକ୍ଳାନ୍ତ ପରିଶ୍ରମ କଲେ ।

 

ଭିଷଗ୍‌ ଶିରୋମଣି ଶାସ୍ତ୍ରୀଜି ବିଭିନ୍ନ ପ୍ରକାର ମହୌଷଧ‌ି ଦେଇ ସମ୍ରାଟଙ୍କୁ ସୁସ୍ଥ କରିବାପାଇଁ ଯତ୍‌ପରୋନାସ୍ତି ଚେଷ୍ଟା କଲେ । କିନ୍ତୁ ମାନସିକ ବ୍ୟାଧିକୁ ଆଉ ଔଷଧ କଅଣ କରିବ-?

 

ପିତାଙ୍କର ଅନ୍ତିମ ସମୟ ହେବାର ସମ୍ବାଦ ପାଇ ମହାତ୍ମା ଯଶଗୁପ୍ତଙ୍କ ସହ କୁନାଳ ଆସି ପହଞ୍ଚିଲେ । କନିଷ୍ଠ ପୁତ୍ର ଦଶରଥ ମଧ୍ୟ ପଲଙ୍କର ପାଦତଳେ ବିମର୍ଷ ଅବସ୍ଥାରେ ବସିଥାଆନ୍ତି-। ଇହଧାମରୁ ବିଦାୟ ନେବାର ବେଳା ଆସି ପହଞ୍ଚିଲା । ମୃତ୍ୟୁଶଯ୍ୟା ଅଣଚାଷ ଲୀଳାସ୍ଥଳୀ । ଦୀପ ନିର୍ବାପିତ ହେବା ପୂର୍ବରୁ ଧପ୍ କରି ଜଳିଉଠିଲା । ବିସ୍ଫାରିତ ନେତ୍ରରେ ସମସ୍ତଙ୍କୁ ଚାହିଁଲେ ସମ୍ରାଟ-। କିଛି କହିବାକୁ ଚେଷ୍ଟା କଲେ ମାତ୍ର; ବାକ୍‌ଶକ୍ତି ରୁଦ୍ଧ ହୋଇଗଲା । କେବଳ ଦକ୍ଷିଣ ହସ୍ତକୁ ଆଶୀର୍ବାଦ ମୁଦ୍ରାରେ ତୋଳି ଧରି କ୍ଷଣକ ପରେ ପକାଇଦେଲେ । ନେତ୍ର ଦ୍ୱୟ ବନ୍ଦ ହୋଇଗଲା-। ବାମ ପାର୍ଶ୍ୱକୁ ମସ୍ତକ ଢଳିପଡ଼ିଲା । ମୌର୍ଯ୍ୟ ସାମ୍ରାଜ୍ୟର ଅଧୀଶ୍ୱର ଇହଲୀଳା ସମ୍ବରଣ କଲେ-

 

: ପ୍ରଭୁ ଏ ସ୍ଥାନ ପରିତ୍ୟାଗ କରନ୍ତୁ ।

 

କୁନାଳର କରୁଣ ସ୍ୱର ଶୁଣି ସମସ୍ତେ ଚମକି ଚାହିଁଲେ । କୁମାର ଦଶରଥ ଉଠିଆସି ତାଙ୍କ ପାଦ ଧରି ବସିପଡ଼ିଲେ ।

 

: ଭ୍ରାତୃଦେବ, ପିତାଙ୍କ ଅନ୍ତେ ଆପଣ ମୋର ପିତୃସ୍ଥାନୀୟ । ମୋତେ ଛାଡ଼ି କେଉଁଆଡ଼େ ଚାଲିଯିବେ ।

 

: ମୁଁ ସଂସାର ତ୍ୟାଗୀ ସନ୍ନ୍ୟାସୀ, ଦଶରଥ । ତୁ ଆଜିଠାରୁ ମୌର୍ଯ୍ୟ ସାମ୍ରାଜ୍ୟର ସମ୍ରାଟ-। ଦୟା ଧର୍ମ ଏବଂ ନ୍ୟାୟରେ ପ୍ରଜାଙ୍କୁ ପାଳନ କରି ପିତାଙ୍କର ଯଶ କୀର୍ତ୍ତିକୁ ବୃଦ୍ଧି କରାଇବୁ-। ଏ ମୋର ଆଜ୍ଞା ।

 

କୁମାର ଦଶରଥ ତାଙ୍କ ପାଦରେ ମସ୍ତକ ଲଗାଇ ଦଣ୍ଡାୟମାନ ହେଲେ । କାଞ୍ଚନମାଳା ଲୋତକ ପୋଛି ଆଗେଇଆସିଲେ ।

 

: ଦେବୀ କାଞ୍ଚନମାଳା...

 

: ଆଜ୍ଞା ପ୍ରଭୁ, ମୁଁ ଆପଣଙ୍କର ସହଧର୍ମିଣୀ । ରାଜପ୍ରାସାଦରେ ରହି ସାଂସାରିକ ଭୋଗ ବିଳାସରେ ମୋର ଆବଶ୍ୟକତା ନାହିଁ । ଦଶରଥ; ସଂପ୍ରତିକୁ ପୁତ୍ରତୁଲ୍ୟ ପାଳନ କରିବାକୁ ମୁଁ ଆଜ୍ଞା ଦେଉଛି । ମୁଁ ଚାଲିଲି ମୋର ସ୍ୱାମୀଙ୍କ ସେବାରେ, ତଥାଗତଙ୍କ ଶରଣରେ ଜୀବନ ଅତିବାହିତ କରିବି ।

 

ପାଦ ଧରିଥିବା କାଞ୍ଚନମାଳାକୁ କୁନାଳ ଉଠାଇନେଲେ ।

Image